ଦୁବାଇ : ପ୍ରମୁଖ ଦାବିଦାର ଇଂଲଣ୍ଡ ଚଳିତ ଟି-୨୦ ବିଶ୍ବକପ୍ ସୁପର-୧୨ରେ ଶନିବାର ରାତିରେ ଚିର ପ୍ରତିନ୍ଦ୍ବନ୍ଦ୍ବୀ ଅଷ୍ଟ୍ରେଲିଆକୁ ଭେଟିବ। ଉଭୟ ଦଳ ମଧ୍ୟ ଚଳିତ ପ୍ରତିଯୋଗିତାରେ ନିଜର ୨ଟି ଲେଖାଏଁ ମ୍ୟାଚ୍ ଜିତି ଅପରାଜେୟ ରହିଛନ୍ତି। ଇଂଲଣ୍ଡ ଟ୍ରଫି ଦାବିଦାର ଭାବେ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଥିଲା ବେଳେ ଅଷ୍ଟ୍ରେଲିଆ ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମ ଦୁଇ ମ୍ୟାଚ୍ ଜିତି ଏହି ଦୌଡ଼ରେ ସାମିଲ ହୋଇଛି। ଦକ୍ଷିଣ ଆଫ୍ରିକା ବିପକ୍ଷ କମ୍ ସ୍କୋର୍ ମ୍ୟାଚ୍ରେ ଅଷ୍ଟ୍ରେଲିଆର ବ୍ୟାଟିଂ ସେତେଟା ଭଲ ନଥିଲା। ହେଲେ ମଙ୍ଗଳବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ରେ ପଶ୍ଚାତ୍ଧାବନ ବେଳେ ଅଷ୍ଟ୍ରେଲିଆ ବ୍ୟାଟର୍ଙ୍କ ଚମକ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍ରେ ଅଧିନାୟକ ଆରୋନ ଫିଞ୍ଚ ଓ ଡେଭିଡ୍ ୱାର୍ଣ୍ଣର ଫର୍ମକୁ ଫେରିବା ଦଳ ପାଇଁ ଭଲ ସଙ୍କେତ। ଆଇପିଏଲ୍ରେ ଖରାପ ପ୍ରଦର୍ଶନ କରିଥିବା ୱାର୍ଣ୍ଣର ଏହି ମ୍ୟାଚ୍ରେ ଅର୍ଦ୍ଧଶତକ ହାସଲ କରି ନିନ୍ଦୁକଙ୍କୁ କଡ଼ା ଜବାବ ଦେଇଥିଲେ। ଏହି ବାମହାତୀ ବ୍ୟାଟର୍ ଇଂଲଣ୍ଡ ବିପକ୍ଷରେ ଭଲ କଲେ ନିଶ୍ଚିତ ଦଳ ଆଗରେ ରହିବ। ଅଷ୍ଟ୍ରେଲିଆର ପେସ୍ ତ୍ରିମୂର୍ତ୍ତି ଜୋସ ହାଜଲେଉଡ୍, ମିଚେଲ ଷ୍ଟାର୍କ ଓ ପ୍ୟାଟ୍ କମିନ୍ସଙ୍କ ସହ ଲେଗ୍ସ୍ପିନର ଆଦାମ ଜାମ୍ପା ଶ୍ରୀଲଙ୍କା ବିପକ୍ଷରେ ସୁନ୍ଦର ବୋଲିଂ କରିଥିଲେ। ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା ବେଳେ ମଧ୍ୟଭାଗରେ ଜାମ୍ପା ଯୁଗଳ ଝଟ୍କା ଦେଇ ବଡ଼ ସ୍କୋରକୁ ଅଟକାଇଥିଲେ। ତେବେ ଏହି ମ୍ୟାଚ୍ରେ ଗ୍ଲେନ୍ ମ୍ୟାକ୍ସୱେଲ ଓ ମାର୍କସ ଷ୍ଟୋଇନିସ୍ ୫୧ ରନ୍ ବ୍ୟୟ କରିଥିବାରୁ ଏମାନଙ୍କୁ ନେଇ ଅଷ୍ଟ୍ରେଲିଆ ଚିନ୍ତାର ରହିବ।
ଅନ୍ୟପକ୍ଷରେ ଇଂଲଣ୍ଡ ବଡ଼ ବିଜୟରୁ ଅଭିଯାନ ଆରମ୍ଭ କରିଛି। ଏହି ଦଳ ୱେଷ୍ଟଇଣ୍ଡିଜ୍ ଓ ବାଂଲାଦେଶକୁ ବଡ଼ ବ୍ୟବଧାନରେ ହରାଇଛି। ହେଲେ ଅଷ୍ଟ୍ରେଲିଆ ବିପକ୍ଷରେ ଇଂଲଣ୍ଡକୁ ବଡ଼ ପରୀକ୍ଷା ଦେବାକୁ ହେବ। ଅଫ୍ସ୍ପିନର ମୋଇନ ଅଲୀ ଦୁଇଟି ଯାକ ମ୍ୟାଚ୍ରେ ଓପନିଂ ବୋଲିଂ କରିଛନ୍ତି ଏବଂ ୪ ୱିକେଟ୍ ହାସଲ କରି ଭଲ ପ୍ରଭାବ ପକାଇଛନ୍ତି। ଦ୍ରୁତ ବୋଲର ଟାଇମଲ ମିଲ୍ସ ଡେଥ୍ ଓଭରରେ ଚମତ୍କାର ପ୍ରଦର୍ଶନ ଦେଇଛନ୍ତି। କିନ୍ତୁ ଲେଗ୍ ସ୍ପିନର ଆଦିଲ ରସିଦ ବାଂଲାଦେଶ ବିପକ୍ଷରେ ଭଲ କରିନଥିଲେ ମଧ୍ୟ ଶନିବାର ଅଷ୍ଟ୍ରେଲିଆ ବ୍ୟାଟର୍ଙ୍କୁ ଅଡ଼ୁଆରେ ପକାଇପାରନ୍ତି।