ମାଞ୍ଚେଷ୍ଟର୍: ଏଠାରେ ଚାଲିଥିବା ଆସେସ୍ ଶୃଙ୍ଖଳାର ଚତୁର୍ଥ ଟେଷ୍ଟ୍ରେ ଘରୋଇ ଇଂଲଣ୍ଡ ପ୍ରଥମ ପାଳିରେ ବଡ଼ ଅଗ୍ରଣୀ ପାଇଛି। ଏହା ପୂର୍ବରୁ ଭ୍ରମଣକାରୀ ଅଷ୍ଟ୍ରେଲିଆ ୩୧୭ ରନ୍ କରିଥିଲା। ଜବାବରେ ଆକ୍ରମଣାତ୍ମକ ଖେଳିଥିବା ଇଂଲଣ୍ଡ ୫୯୨ ରନ୍ କରି ପ୍ରଥମ ପାଳି ଭିତ୍ତିରେ ୨୭୫ ରନ୍ରେ ଆଗୁଆ ରହିଥିଲା। ୧୯୮୫ ପରେ ଘରୋଇ ଆସେସ୍ରେ ଏହା ଇଂଲଣ୍ଡର ସର୍ବୋଚ୍ଚ ସ୍କୋର୍।
ଗତକାଲିର ସ୍କୋର୍ ୩୮୪/୪ରୁ ଖେଳ ଆରମ୍ଭ କରିଥିବା ଇଂଲଣ୍ଡ ଅବଶିଷ୍ଟ ୬ ୱିକେଟ୍ ହରାଇ ୨୦୮ ରନ୍ ଯୋଡ଼ିଥିଲା। ଦୁଇ ଅପରାଜିତ ତାରକା ହାରି ବ୍ରୁକ୍ (୬୧) ଓ ଅଧିନାୟକ ବେନ୍ ଷ୍ଟୋକ୍ସ (୫୧) ନିଜ ନିଜ ଅର୍ଦ୍ଧଶତକ ଅର୍ଜନ କରି ଅଉଟ୍ ହୋଇଥିଲେ। ଏହାପରେ ଜନି ବେୟାରଷ୍ଟୋ ଶେଷ ୱିକେଟ୍ରେ ଜେମ୍ସ ଆଣ୍ଡରସନ୍ (୫)ଙ୍କ ସହ ୬୬ ରନ୍ ଯୋଡ଼ି ଦଳର ବଡ଼ ଅଗ୍ରଣୀରେ ପ୍ରମୁଖ ଭୂମିକା ତୁଲାଇଥିଲେ। ତେବେ ଆଣ୍ଡରସନ ଆଉଟ୍ ହୋଇଯିବାରୁ ବେୟାରଷ୍ଟୋ (୯୯*) ଗୋଟିଏ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିଲେ। ପ୍ରତିପକ୍ଷ ଦଳର ଜୋସ୍ ହଜେଲଉଡ ୫ ୱିକେଟ୍ ନେଇଥିଲେ। ୨୭୫ ରନ୍ ପଛରେ ଥିବା ଅଷ୍ଟ୍ରେଲିଆ ଦ୍ବିତୀୟ ପାଳିରେ ରିପୋର୍ଟ ଲେଖା ବେଳକୁ ୩ ୱିକେଟ୍ ହରାଇ ୧୦୩ ରନ୍ କରିଛି। ଏଥିସହ ଦଳ ଏବେ ବି ୧୭୨ ରନ୍ ପଛରେ ରହିଛି। ଉସ୍ମାନ ଖୱାଜା ୧୮, ଡେଭିଡ ୱାର୍ଣ୍ଣର ୨୯ ଓ ଷ୍ଟିଭ୍ ସ୍ମିଥ୍ ୧୭ ରନ୍ କରି ଆଉଟ୍ ହୋଇଛନ୍ତି। ମାର୍ନସ ଲବୁସାନ (୩୭*) ଓ ଟ୍ରାଭିସ ହେଡ୍ (୦*) ବ୍ୟାଟିଂ କରୁଛନ୍ତି। ମାର୍କ ଉଡ୍ ୨ ଏବଂ କ୍ରିସ୍ ଓକ୍ସ ଗୋଟିଏ ୱିକେଟ୍ ନେଇଛନ୍ତି।
ସଂକ୍ଷିପ୍ତ ସ୍କୋର: ଅଷ୍ଟ୍ରେଲିଆ ପ୍ରଥମ ପାଳି: ୯୦.୨ ଓଭରରେ ୩୧୭ (ମିଚେଲ୍ ମାର୍ସ-୫୧, ମାର୍ନସ ଲାବୁସାନ୍-୫୧, ଟ୍ରାଭିସ୍ ହେଡ୍-୪୮, ଷ୍ଟିଭେନ୍ ସ୍ମିଥ୍-୪୧, ଡେଭିଡ୍ ୱାର୍ଣ୍ଣର-୩୨, ମିଚେଲ୍ ଷ୍ଟାର୍କ-୩୬*, କ୍ରିସ୍ ୱକ୍ସ-୫/୬୨, ଷ୍ଟୁଆର୍ଟ ବ୍ରଡ୍-୨/୬୮, ଜେମ୍ସ ଆଣ୍ଡରସନ୍-୧/୫୧, ମାର୍କ ଉଡ୍-୧/୬୦, ମୋଇନ୍ ଅଲୀ-୧/୬୫)। ଇଂଲଣ୍ଡ ପ୍ରଥମ ପାଳି: ୧୦୭.୪ ଓଭରରେ ୫୯୨ (ଜ୍ୟାକ କ୍ରଲି-୧୮୯, ଜନି ବେୟାରଷ୍ଟୋ-୯୯*, ଜୋ ରୁଟ୍-୮୪, ମୋଇନ୍ ଅଲୀ-୫୪, ହାରି ବ୍ରୁକ୍-୬୧, ବେନ୍ ଷ୍ଟୋକ୍ସ-୫୧, ମିଚେଲ୍ ଷ୍ଟାର୍କ-୨/୧୩୭, ଜୋସ୍ ହାଜେଲଉଡ୍-୫/୧୨୬, କାମେରନ୍ ଗ୍ରିନ୍-୨/୬୪)। ଅଷ୍ଟ୍ରେଲିଆ ଦ୍ବିତୀୟ ପାଳି: ୩୫ ଓଭରରେ ୧୦୩/୩ (ମାର୍ନସ ଲାବୁସାନ୍-୩୭*, ଡେଭିଡ ୱାର୍ଣ୍ଣର-୨୮, ଟ୍ରାଭିସ୍ ହେଡ୍-୦*, ମାର୍କ ଉଡ୍-୨/୧୫, କ୍ରିସ୍ ୱକ୍ସ-୧/୧୨)।