ଇଂଲଣ୍ଡର ନାଟକୀୟ ବିଜୟ: ପାକିସ୍ତାନ ୭୪ ରନ୍‌ରେ ପରାସ୍ତ

ରାୱଲପିଣ୍ଡି: ହାଇସ୍କୋରିଂ ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ଭ୍ରମଣକାରୀ ଇଂଲଣ୍ଡ ୭୪ ରନ୍‌ରେ ହରାଇ ଦେଇଛି। ଘରୋଇ ଦଳ ସମ୍ମୁଖରେ ୩୪୩ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ ‌ହୋଇଥିଲା। ତେବେ ଅନ୍ତିମ ଦିବସରେ ବାବର ଆଜମଙ୍କ ଦଳ ୨୬୮ ରନ୍‌ କରି ସମସ୍ତ ୱି‌କେଟ୍ ହରାଇ ଦେଇଥିଲା। ପାକିସ୍ତାନ ଏହାର ଶେଷ ୫ ୱିକେଟ୍‌କୁ ମାତ୍ର ୯ ରନ୍ ଭିତରେ ହରାଇବା ପରାଜୟର କାରଣ ହୋଇଥିଲା। ଓଲି ରବିନସନ୍ ଏବଂ ଜେମ୍ସ ଆଣ୍ଡରସନ୍‌ ଘାତକ ବୋଲିଂ କରି ପ୍ରତ୍ୟେକ ୪ ୱି‌କେଟ୍ ଲେଖାଏଁ ଦଖଲ କରିବାରୁ ଘରୋଇ ଦଳ ବିଜୟ ସୁ‌ଯୋଗ ହାତଛଡ଼ା କରିବା ସହ ଅନ୍ୟୁନ ଅମୀମାଂସିତ ରଖିପାରିନଥିଲା। ସୌଦ ସକିଲ୍ (୭୬, ୧୫୯ ବଲ୍‌) ଏକମାତ୍ର ଅର୍ଦ୍ଧଶତକ ହାସଲ କରିଥିଲେ। ଇମାମ ଉଲ୍ ହକ (୪୮), ମହମ୍ମଦ ରିଜୱାନ (୪୬), ଆଝାର ଅଲୀ (୪୦) ପ୍ରମୁଖ ଲଢ଼ିଥିଲେ ମଧ୍ୟ ଅର୍ଦ୍ଧଶତକରୁ ବଞ୍ଚିତ ରହିଥିଲେ। ରାୱଲପିଣ୍ଡି ଟେଷ୍ଟରେ ପ୍ରାୟ ୧୭୬୮ ରନ୍‌ ସଂଗ୍ରହ ହୋଇଥିବା ବେ‌ଳେ ୩୭ ୱିକେଟ୍‌ର ପତନ ଘଟିଥିଲା। ଅନ୍ତିମ ଦିବସରେ ଆଲୋକ ଖରାପ ହୋଇ ଆସୁଥିବା ବେଳେ ମାତ୍ର ୧୦ ମିନିଟ୍ ପୂର୍ବରୁ ଅନ୍ତିମ ୱିକେଟ୍ ହରାଇ ପାକିସ୍ତାନ ହାରିଯାଇଥିଲା। ଓଲି ରବିନସନ୍‌ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ‌ ହୋଇଥିଲେ। ଏହି ବିଜୟ ସହ ୩ ମ୍ୟାଚ୍‌ ଶୃଙ୍ଖଳାରେ ଇଂଲଣ୍ଡ ମଧ୍ୟ ୧-୦ରେ ଆଗୁଆ ହୋଇଛି।

ଇଂଲଣ୍ଡର ନାଟକୀୟ ବିଜୟ ପାଇଁ ଦଳର ଦୁଇ ପୂର୍ବତନ ଅଧିନାୟକ ନାସିର୍ ହୁସେନ୍‌ ଓ ମାଇକ୍ ଆଥରଟନ୍‌ ବର୍ତମାନର ଅଧିନାୟକ ବେନ୍ ‌ଷ୍ଟୋକ୍ସଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ଷ୍ଟୋକ୍ସ ନେତୃତ୍ବ ନେବା ପରଠାରୁ ଇଂଲଣ୍ଡ ୮ଟିରୁ ୭ଟି ଜିତିଛି। ‘ଇଂଲଣ୍ଡ ପାଇଁ ଏହା ଅନ୍ୟତମ ଶ୍ରେଷ୍ଠ ଟେଷ୍ଟ ବିଜୟ’ ବୋଲି ଉଭୟ କହିଛନ୍ତି। ଟେଷ୍ଟ କ୍ରିକେଟ୍‌ ପାଇଁ ଏହା ସ୍ମରଣୀୟ ସପ୍ତାହ ହୋଇ ରହିବ ବୋଲି ମଧ୍ୟ ଆଥରଟନ୍‌ କହିଛନ୍ତି।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ପ୍ରଥମ ପାଳି: ୬୫୭ (ଜାକ୍‌ କ୍ରଲି ୧୨୨, ବେନ୍‌ ଡକେଟ୍‌ ୧୦୭, ଓଲି ପୋପ୍‌ ୧୦୮, ହାରି ବ୍ରୁକ୍ସ ୧୫୩, ଜାହିଦ୍‌ ମହମୁଦ-୪/୨୩୫, ନସିମ୍‌ ଶାହ-୩/୧୪୦)। ପାକିସ୍ତାନ ପ୍ରଥମ ପାଳି: ୫୭୯ (ଅବଦୁଲା ସଫିକ୍‌ ୧୧୪, ଇମାମ୍‌ ଉଲ୍‌ ହକ୍‌ ୧୨୧, ବାବର ଆଜମ୍‌ ୧୩୬, ୱିଲ୍‌ ଜାକ୍ସ ୬/୧୬୧)। ଇଂଲଣ୍ଡ ଦ୍ବିତୀୟ ପାଳି: ୨୬୪/୭,ଘୋଷିତ (ହାରି ବ୍ରୁକ୍ସ ୮୭, ଜୋ ରୁଟ୍‌ ୭୩, ନସିମ ଶାହ-୨/୬୬, ମହମ୍ମଦ ଅଲୀ-୨/୬୪, ଜାହିଦ ମହମୁଦ-୨/୮୪)। ପାକିସ୍ତାନ ଦ୍ବିତୀୟ ପାଳି: ୯୬.୩ ଓଭରରେ ୨୬୮ (ସୌଦ ସକିଲ୍‌-୭୬, ଇମାମ ଉଲ୍‌ ହକ୍‌-୪୮, ମହମ୍ମଦ ରିଜୱାନ-୪୬, ଜେମ୍ସ ଆଣ୍ଡରସନ୍‌-୪/୩୬, ଓଲି ରବିନସନ୍‌-୪/୫୦, ଜ୍ୟାକ ଲିଚ୍‌-୧/୫୬, ବେନ୍‌ ଷ୍ଟୋକ୍ସ-୧/୬୯)।

ସର୍ବୋଚ୍ଚ ସ୍କୋରିଂରୁ ଫଳାଫଳ
ରାୱଲପିଣ୍ଡି ଟେଷ୍ଟ୍‌ ଏବେ ଇତିହାସ ପୃଷ୍ଠାରେ ଅନେକ ଦିନ ରହିବ। ପ୍ରଥମ ଦିନରେ ୫୦୬ ରନ୍‌ ସଂଗ୍ରହ କରି ଇଂଲଣ୍ଡ ବିଶ୍ବ କୀର୍ତ୍ତିମାନ କରିଥିଲା। ଏବେ ସର୍ବୋଚ୍ଚ ସ୍କୋରିଂ ମୁକାବିଲାରୁ ଫଳାଫଳ ବାହାରିରେ ଏହା ପ୍ରଥମ ଟେଷ୍ଟ୍ ହୋଇଛି। ସର୍ବୋଚ୍ଚ ସ୍କୋରିଂ ଶୀର୍ଷ ଦୁଇ ସ୍ଥାନରେ ଥିବା (୧୯୮୧ ରନ୍‌, ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ, ୧୯୩୯) ଏବଂ (୧୮୧୫ ରନ୍‌, ୱେଷ୍ଟଇଣ୍ଡିଜ୍‌-ଇଂଲଣ୍ଡ, ୧୯୩୦) ଫଳାଫଳ ମିଳିନଥିଲା। ଏବେ ୧୭୬୮ ରନ୍‌ ସଂଗୃହିତ ହୋଇଥିବା ରାୱଲପିଣ୍ଡି ଟେଷ୍ଟରୁ ପଞ୍ଚମ ଦିବସର ଅନ୍ତିମ କ୍ଷଣରେ ଫଳାଫଳ ବାହାରିପାରିଛି। ରାୱଲପିଣ୍ଡିରେ ଚଳିତ ବର୍ଷ ମାର୍ଚ୍ଚରେ ୧୧୮୭ ରନ୍‌ ସଂଗ୍ରହ ହେବା (ପାକିସ୍ତାନ-ଅଷ୍ଟ୍ରେଲିଆ) ସହ ୧୪ ୱିକେଟ୍ ପତନ ଘଟିବାରୁ ମ୍ୟାଚ୍ ଡ୍ର’ ରହିଥିଲା। ଏବେ ରାୱଲପିଣ୍ଡି ଟେଷ୍ଟ ପିଚ୍‌କୁ ହାରିହାରିଠାରୁ ଦୁର୍ବଳ ଦର୍ଶାଇ ଆଇସିସି ମ୍ୟାଚ୍‌ ରେଫରି ରଂଜନ ମଦୁଗଲେ ଗୋଟିଏ ଡିମେରିଟ୍ ପଏଣ୍ଟ ଲାଗୁ କରିଛନ୍ତି। ୫ ବର୍ଷ ଭିତରେ ୫ ଡିମେରିଟ୍ ପଏଣ୍ଟ ମିଳିଲେ ଏକ‌ ଭେନ୍ୟୁ ୧୨ ମାସ ପାଇଁ ବାସନ୍ଦ ହେବାର ଆଇସିସି ନିୟମ ରହିଛି।

ସମ୍ବନ୍ଧିତ ଖବର