ଇରାନ ବିପକ୍ଷରେ ଇଂଲଣ୍ଡର ଏକତରଫା ବିଜୟ, ପଡ଼ିଆ ଛାଡ଼ିଲେ ଇରାନ୍‌ ଗୋଲରକ୍ଷକ

ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି

ଦୋହା: ଇରାନକୁ ୬-୨ ଗୋଲ୍‌ରେ ହରାଇ ଫିଫା ବିଶ୍ବକପ୍‌ରେ ଇଂଲଣ୍ଡ ଦମ୍‌ଦାର ଢ଼ଙ୍ଗରେ ଅଭିଯାନ ଆରମ୍ଭ ହୋଇଛି। ଖଲିଫା ଆନ୍ତର୍ଜାତିକ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଗ୍ରୁପ୍‌ ‘ବି’ର ଏହି ମ୍ୟାଚ୍‌ରେ ଆରମ୍ଭରୁ ଇଂଲଣ୍ଡ ଆଧିପତ୍ୟ ବିସ୍ତାର କରିଥିଲା। ଜୁଡ୍‌ ବେଲିଂହାମ୍‌ (୩୫ ମିନିଟ୍‌), ବୁକାୟୋ ସାକା (୪୩ ମିନିଟ୍‌) ଓ ରହିମ୍‌ ଷ୍ଟର୍ଲିଂ (୪୫ ମିନିଟ୍‌) ପ୍ରଥମାର୍ଦ୍ଧରେ ଦଳକୁ ୩-୦ ଗୋଲ୍‌ରେ ଆଗୁଆ ରଖିଥିଲେ। ତେବେ ଗୋଲ୍‌ ବର୍ଷା ଏତିକିରେ ଶେଷ ହୋଇନଥିଲା। ୬୨ ମିନିଟ୍‌ରେ ସାକାଙ୍କ ଦ୍ବିତୀୟ ଗୋଲ୍‌ର ୩ ମିନିଟ୍‌ ବ୍ୟବଧାନରେ ପ୍ରତିପକ୍ଷର ମେହଦି ତାରେମି ଗୋଟିଏ ଗୋଲ୍‌ ଶୁଝି ପାରିଥିଲେ। ଏହାସତ୍ତ୍ବେ ଇଂଲଣ୍ଡ ଅଧିକ ଚାପ ପକାଇ ଖେଳିଥିଲା।

ଦୁଇ ବଦଳ ଖେଳାଳି ମାର୍କସ ରସଫୋର୍ଡ (୭୧ ମିନିଟ୍‌) ଓ ଜାକ୍‌ ଗ୍ରିଲିସ୍‌ (୮୯ ମିନିଟ୍‌) ଗୋଲ୍‌ ଦେଇ ଦଳକୁ ୬-୧ ଅଗ୍ରଣୀ ଦେଇଥିଲେ। ଶେଷ ମିନିଟ୍‌ର ଆହତ ସମୟରେ ଇରାନ୍‌କୁ ଏକ ପେନାଲ୍ଟି ମିଳିଥିଲା‌ ବେଳେ ତାରେମି ବଲ୍‌କୁ ସଫଳତାର ସହ ଗୋଲ୍‌ ଭିତରକୁ ପଠାଇପାରିଥିଲେ। ବିଜୟୀ ଦଳ ପାଇଁ ୨ ଗୋଲ ସ୍କୋର କରିଥିବା ସାକାଙ୍କୁ ଶ୍ରେଷ୍ଠ ଖେଳାଳି ପୁରସ୍କାର ଦିଆଯାଇଥିଲା। ରବିବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ଇକ୍ବେଡ଼ର ୨-୦ ଗୋଲ୍‌ରେ କାତାରକୁ ହରାଇଥିଲା।

ଜାତୀୟ ସଂଗୀତ ଗାଇଲେନି ଇରାନ ଖେଳାଳି
ଇରାନ୍‌ ତାହାର ପ୍ରଥମ ବିଶ୍ବକପ୍‌ ମ୍ୟାଚ୍‌ରେ ନିଜ ସରକାରଙ୍କୁ ବିରୋଧ କରି ମ୍ୟାଚ୍‌ ପୂର୍ବରୁ ଜାତୀୟ ସଂଗୀତ ଗାନ କରିନଥିଲେ। ଇରାନ୍‌ର ଜାତୀୟ ସଂଗୀତ ବାଜିଥିଲେ ମଧ୍ୟ ସବୁ ଖେଳାଳି ଚୁପ୍‌ ରହି କେବଳ ଶୁଣିଥିଲେ। ମ୍ୟାଚ୍‌ ପୂର୍ବରୁ ଦଳର ଅଧିନାୟକ ଅଲିରେଜା ଜାହାନବକ୍ସ ଜାତୀୟ ସଂଗୀତ ଗାଇବେ କି ନାହିଁ ତାହା ଦଳଗତ ନିଷ୍ପତ୍ତି ପରେ ସ୍ପଷ୍ଟ କରାଯିବ ବୋଲି କହିଥିଲେ। କିନ୍ତୁ ଖେଳାଳିଙ୍କ ଏଭଳି ଆଚରଣ ଆଗକୁ ସେମାନଙ୍କୁ ବଡ଼ ଅସୁବିଧାରେ ପକାଇପାରେ ବୋଲି କୁହାଯାଉଛି।

ପଡ଼ିଆ ଛାଡ଼ିଲେ ଇରାନ୍‌ ଗୋଲରକ୍ଷକ
ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଅବସରରେ ଇରାନ୍‌ ଗୋଲରକ୍ଷକ ଅଲିରେଜା ବେରାନଭାନ୍ଦଙ୍କ ନାକ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା। ପ୍ରଥମାର୍ଦ୍ଧର ୧୨ ମିନିଟ୍‌ରେ ନିଜ ଦଳର ଖେଳାଳିଙ୍କ ସହିତ ଜୋର୍‌ରେ ଧକ୍କା ହେବାରୁ ତାଙ୍କ ନାକ ଓ ପାଟିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା। ପ୍ରାୟ ୫ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କର ଚିକିତ୍ସା ଚାଲିବା ପରେ ପୁଣି ଗୋଲ୍‌ ପୋଷ୍ଟ ଦାୟିତ୍ବକୁ ଆସିଥିଲେ। କିନ୍ତୁ କିଛି ସମୟ ପରେ ସେ ଅସୁସ୍ଥ ଅନୁଭବ କରିବାରୁ ପଡ଼ିଆ ଛାଡ଼ିଦେଇଥିଲେ। ତାଙ୍କ ସ୍ଥାନରେ ସଂରକ୍ଷିତ ଗୋଲରକ୍ଷକ ହୋସେନ୍‌ ହୋସେନି ଅବଶିଷ୍ଟ ସମୟରେ ପୋଷ୍ଟ ସମ୍ଭାଳିବା ପାଇଁ ଆସିଥିଲେ।

ସମ୍ବନ୍ଧିତ ଖବର