ମାଞ୍ଚେଷ୍ଟର୍: ଜୈବସୁରକ୍ଷିତ ବ୍ୟବସ୍ଥା ମଧ୍ୟରେ ଚାଲିଥିବା ଇଂଲଣ୍ଡ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଗୁରୁବାରାଠାରୁ ଓଲ୍ଡଟ୍ରାଫୋର୍ଡରେ ଆରମ୍ଭ ହୋଇଛି। ପ୍ରଥମ ଟେଷ୍ଟ୍ ଭଳି ବର୍ଷା ବାଧାପ୍ରାପ୍ତରୁ ହିଁ ଏହି ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନ ସମ୍ମାନକୁ କିନ୍ତୁ ଇଣ୍ଡିଜ୍ ଓ ଇଂଲଣ୍ଡ ଖେଳାଳି ବାଣ୍ଟି ନେଇଛନ୍ତି। ଶୃଙ୍ଖଳାରେ ପଛୁଆ ଥିବାରୁ ପ୍ରତିକୂଳ ପାଗ ପରିସ୍ଥିତିରେ ଘରୋଇ ଦଳ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରିଛି। ଶେଷ ଖବର ମିଳିବା ବେଳକୁ ଜୋ ରୁଟଙ୍କ ଦଳ ୬୭ ଓଭରରେ ୩ ୱିକେଟ୍ ବିନିମୟରେ ୧୬୫ ରନ୍ କରିଥିଲା।
ଟସ୍ ଜିତି ୱେଷ୍ଟଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲଡର୍ ପ୍ରଥମେ କ୍ଷେତ୍ରରକ୍ଷଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବର୍ଷା କାରଣରୁ ପ୍ରଥମ ଦିନ ଖେଳ ପ୍ରାୟ ଦେଢ଼ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ପ୍ରାରମ୍ଭିକ ଯୋଡ଼ି ରୋରି ବର୍ନସ ଏବଂ ଡୋମିନିକ୍ ଶିବଲେ ଭଲ ଆରମ୍ଭ କରି ଇଣ୍ଡିଜ୍ର ନୂଆ ବଲ୍ ଯୋଜନାକୁ ପଣ୍ଡ କରିଥିଲେ। ତେବେ ସ୍ପିନର ରସ୍ତନ୍ ଚେଜ୍ଙ୍କ ଆଗମନ ଇଂଲଣ୍ଡକୁ ଯୁଗଳ ଝଟକା ଦେଇଥିଲା। ବର୍ନସ (୧୫, ୩୫ ବଲ୍)ଙ୍କୁ ଲେଗ୍ ବିଫୋର କରି ଏହି ଯୋଡ଼ି ଭାଙ୍ଗିବାରୁ ତତ୍କ୍ଷଣାତ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା। ପ୍ରଥମ ଟେଷ୍ଟ୍ରେ ଭଲ ବ୍ୟାଟିଂ କରିଥିବା ଜାକ୍ କ୍ରଲି (୦, ୧ ବଲ୍)ଙ୍କୁ ବିରତି ପରବର୍ତୀ ପ୍ରଥମ ବଲ୍ରେ ଆଉଟ୍ କରି ରସ୍ତନ୍ ଚେଜ୍ ଇଂଲଣ୍ଡକୁ ୨୯/୨ରେ ସଂଘର୍ଷ କରାଇଥିଲେ। ତେବେ ପ୍ରତ୍ୟାବର୍ତନ କରିଥିବା ନିୟମିତ ଅଧିନାୟକ ଜୋ ରୁଟ୍ (୨୩, ୪୯ ବଲ) ଭଲ ବ୍ୟାଟିଂ କରିଥିଲେ ମଧ୍ୟ ଲମ୍ବା ପାଳି ଖେଳି ପାରିନଥିଲେ। ଆର୍ଦ୍ରତାଭରା ପିଚ୍ରେ ବଲ୍ ୱିକେଟରକ୍ଷକ କିମ୍ବା ସ୍ଲିପ୍ କର୍ଡନ୍ ଆଡକୁ କ୍ବଚିତ୍ ଯାଉଥିଲା।
କିନ୍ତୁ ରସ୍ତନ୍ ଚେଜ୍ ଭଲ ଗ୍ରିପ୍ରେ ବୋଲିଂ କରି ସଫଳ ହୋଇଥିଲେ। କିନ୍ତୁ ଲାଇନ୍ ଓ ଲେନ୍ଥରେ ସ୍ଥିରତା ରଖିନପାରିବାରୁ ୱେଷ୍ଟଇଣ୍ଡିଜ୍ ଚାପ ବଢ଼ାଇ ପାରିନଥିଲା। ଜୋ ରୁଟଙ୍କୁ ଅଲଜାରି ଯୋସେଫ୍ ହୋଲଡରଙ୍କ ହାତରେ କ୍ୟାଚ୍ କରାଇ ନେଇଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ ୨୯/୧ ଏବଂ ଚା’ପାନ ବିରତି ବେଳକୁ ୧୧୨/୩ରେ ଥିଲା ଇଂଲଣ୍ଡ। ଶେଷ ଅଧିବେଶନରେ ଶିବଲେ ଏବଂ ବେନ୍ ଷ୍ଟୋକ୍ସ ଅତୁଟ ଚତୁର୍ଥ ୱିକେଟ୍ ପାଇଁ ଅର୍ଧଶତକୀୟ ଭାଗୀଦାରି ଗଢ଼ିବାରୁ ଇଂଲଣ୍ଡ୍ କ୍ରମେ ଦୃଢ଼ ସ୍ଥିତି ଆଡକୁ ଗତି କରିଛି। ପ୍ରଥମ ଟେଷ୍ଟ୍ରେ ୯ ୱିକେଟ୍ ନେଇ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ବିବେଚିତ ସାନନ୍ ଗାଗ୍ରିଏଲ୍ ନିଜ ଲୟ ପାଇଁ ସଂଘର୍ଷ କରିଥିଲେ। କେମାର ରୋଚ୍, ଜାସନ୍ ହୋଲଡର୍, ଯୋସେଫ୍ ପ୍ରମୁଖ କେହି ସେଭଳି ଘାତକ ସାବ୍ୟସ୍ତ ହୋଇନଥିଲେ। ଇଂଲଣ୍ଡ ଏହି ଟେଷ୍ଟ୍କୁ ଏକାଧିକ ପରିବର୍ତନ ସହ ଖେଳୁଛି। ଜେମ୍ସ ଆଣ୍ଡରସନ୍, ମାର୍କ ଉଡ୍, ଜୋଫ୍ରା ଆର୍ଚର, ଜୋ ଡେନଲିଙ୍କ ବଦଳରେ ସାମ୍ କରନ୍, କ୍ରିସ୍ ୱକ୍ସ, ଷ୍ଟୁଆର୍ଟ ବ୍ରଡ ଏବଂ ଜୋ ରୁଟ୍ ଖେଳିଥିଲେ। ରୋଜ୍ ବାଉଲରେ ବିଜୟୀ ୱେଷ୍ଟଇଣ୍ଡିଜ୍ ବିନା ପରିବର୍ତନରେ ପଡ଼ିଆକୁ ଓହ୍ଲାଇଛି।
ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ୍ ପ୍ରଥମ ପାଳି: ୬୭ ଓଭରରେ ୧୬୫/୩ (ଜୋ ରୁଟ୍-୨୩, ଡୋମିନିକ୍ ଶିବଲେ-୬୯*, ବେନ୍ ଷ୍ଟୋକ୍ସ-୪୦*, ରସ୍ତନ ଚେଜ୍-୨/୫୩, ଅଲଜାରି ଯୋସେଫ୍-୧/୨୪)।