ଇଂଲଣ୍ଡର ତୃତୀୟ ବିଜୟ, ଇଣ୍ଡିଜ୍‌କୁ ଓପାଡ଼ିଲେ ରୁଟ୍

ସାଉଥାମ୍ପଟନ୍‌: ଲଗାତାର ବର୍ଷା ବିଜୟ ପରେ ଶୁକ୍ରବାର ବିଶ୍ବକପ୍‌ରେ ଖେଳ ସମ୍ଭବ ହୋଇଛି। ଆୟୋଜଜ ଇଂଲଣ୍ଡ ମଧ୍ୟ ଅତି ସହଜରେ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ହରାଇ ପଏଣ୍ଟ୍‌ ଟେବୁଲ୍‌ର ଦ୍ବିତୀୟକୁ ଲମ୍ଫ ମାରିଛି। ଜୋ ରୁଟ୍‌ଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ବଳରେ ଇଂଲଣ୍ଡ ସମ୍ପୂର୍ଣ୍ଣ ୨ ପଏଣ୍ଟ୍‌ ପକେଟସ୍ଥ କରି ନେଇଛି। ଅନ୍ୟପକ୍ଷରେ ଜାସନ୍‌ ହୋଲ୍‌ଡରଙ୍କ ଦଳ ୫.୨ ଓଭର ପୂର୍ବରୁ ଅଲଆଉଟ୍ ହେବା ସହିତ ୧୬.୫ ଓଭର ପୂର୍ବରୁ ମ୍ୟାଚ୍‌ ହାରିଯିବା ଏହାକୁ ଦାବିଦାର‌ ଦୌଡ଼ରୁ ଏକ ପ୍ରକାର ବାହାର କରି ଦେଇଛି। ଇଂଲଣ୍ଡ ଚତୁର୍ଥ ମ୍ୟାଚ୍‌ରୁ ତୃତୀୟ ବିଜୟ ହାସଲ କରିଥିବେଳେ ଇଣ୍ଡିଜ୍‌ ସମାନ ମ୍ୟାଚ୍‌ ‌େଖଳି ଦ୍ବିତୀୟ ପରାଜୟ ବରଣ କରିଛି। ଅଲରାଉଣ୍ଡ୍ ପ୍ରଦର୍ଶନ କରିଥିବା ଜୋ ରୁଟ୍ (୨/୨୭ ଏବଂ ୧୦୦*) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ରୋଜ୍ ବାଉଲ୍‌ର ମେଘୁଆ ପରିବେଶରେ ଇଂଲଣ୍ଡ୍ ଟସ୍ ଜିତି ସ୍ବଭାବିକଭାବେ ପ୍ରଥମେ ‌କ୍ଷେତ୍ରରକ୍ଷଣ କରିଥିଲା। କ୍ରିସ୍ ୱକ୍ସ, ମାର୍କ ଉଡ୍‌, ଲିଆମ୍ ପ୍ଲଙ୍କେଟ ଏବଂ ଜୋଫ୍ରା ଆର୍ଚରଙ୍କୁ ନେଇ ସମୃଦ୍ଧ ଇଂଲଣ୍ଡର ପେସ୍ ବାହିନୀ କ୍ରିସ୍ ଗେଲ୍‌ଙ୍କୁ ୧୫ ବଲ୍ ପର୍ଯ୍ୟନ୍ତ ଚୁପ୍ ରଖିଥିଲେ। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଏଭିନ୍ ଲୁଇସ୍ (୨) ତୃତୀୟ ଓଭର ଶେଷ ବଲ୍‌ରେ ଆଉଟ୍ ହେବା ବେଳକୁ ଦଳୀୟ ସ୍କୋର୍ ଥିଲା ମାତ୍ର ୪। ଗେଲ୍‌ (୩୬, ୪୧ ବଲ୍‌, ୫ ଚୌକା, ୧ ଛକା) ବିଳମ୍ବିତ ଆକ୍ରମଣ କରିଥିଲେ ମଧ୍ୟ ଅଧିକ ସମୟ ତିଷ୍ଠି ନ ଥିଲେ। ଏହା ପରେ ସାଇ ହୋପ୍‌ (୧୧) ଶସ୍ତାରେ ଆଉଟ୍ ହୋଇଯିବା ଇଣ୍ଡିଜ୍‌କୁ ଅଡୁଆରେ ପକାଇଥିଲା। ନିକୋଲାସ୍ ପୁରନ (୬୩, ୭୮ ବଲ୍‌, ୩‌ ଚୌକା, ୧ ଛକା) ଏବଂ ସିମରନ୍ ହେଟମେୟର (୩୯, ୪୮ ବଲ୍) ଚତୁର୍ଥ ୱିକେଟ୍‌ ପାଇଁ ୮୯ ରନ୍ ଯୋଡ଼ିଥିଲେ। ତେବେ ଇଂଲଣ୍ଡର ସାମୟିକ ସ୍ପିନର୍ ‌ରୁଟ୍ ଲଗାତାର ଓଭରରେ ହେଟମେୟର ଏବଂ ହୋଲଡରଙ୍କୁ ନିଜ ବୋଲିଂରେ କ୍ୟାଚ୍‌ କରାଇ ଇଣ୍ଡିଜର ସମ୍ଭାବ୍ୟ ୩୦୦କୁ ରୋକି ଦେଇଥିଲେ। ମାର୍କ ଉଡ୍‌ ଏବଂ ଜୋଫ୍ରା ଆର୍ଚର ୩-୩ ୱିକେଟ୍‌ ନେଇ ଇଣ୍ଡିଜ୍‌କୁ ୪୪.୪ ଓଭରରେ ୨୧୨ ରନ୍‌ରେ ଶେଷ କରି ଦେଇଥିଲେ।

ଜବାବରେ ଇଂଲଣ୍ଡ ୩୩.୧ ଓଭରରେ ହିଁ ୨ ୱିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା। ଜନି ବେୟାରଷ୍ଟୋ (୪୫) ଏବଂ ୩ ନମ୍ବରକୁ ଉଠିଥିବା ପିଞ୍ଚ୍ ହିଟର୍‌ କ୍ରିସ୍ ୱକ୍ସ (୪୦) ଭଲ ଅବଦାନ ଦେଇଥିଲେ। କିନ୍ତୁ ଆହତ କାରଣରୁ ଜାସନ୍ ରଏଙ୍କ ବଦଳରେ ପାଳି ଆରମ୍ଭ କରିଥିବା ‌ଜୋ ରୁଟ୍‌ (୧୦୦*, ୯୪ ବଲ୍‌, ୧୧ ଚୌକା) ବିଶ୍ବକପ୍‌ ଶତକ ସହିତ ଦଳକୁ ଚିନ୍ତାମୁକ୍ତ କରିଥିଲେ। ୱେଷ୍ଟଇଣ୍ଡିଜ୍‌ ପାଳି ବେଳେ ଆହତ ହୋଇ ପଡ଼ିଆ ଛାଡ଼ିଥିବାରୁ ରଏ ପାଳି ଆରମ୍ଭ କରିବାର ସୁଯୋଗ ପାଇନଥିଲେ। ଅଧିନାୟକ ଇଅନ୍ ମୋର୍ଗାନ୍ ମଧ୍ୟ ଆହତ ହୋଇ ଇଂଲଣ୍ଡ ବ୍ୟାଟିଂକୁ ଚିନ୍ତାରେ ପକାଇଥିଲେ। ହେଲେ ତାଙ୍କ ଆବଶ୍ୟକତା ପଡ଼ିନଥିଲା। ରୁଟ୍‌ଙ୍କ ସହ ଯୋଗ ଦେଇଥିବା ବେନ୍ ଷ୍ଟୋକସ (୧୦*) ଜାସନ୍ ହୋଲଡରଙ୍କୁ ଚୌକା ମାରି ଇଂଲଣ୍ଡ ବିଜୟରେ ମୁଣ୍ଡି ମାରିଥିଲେ।

ସମ୍ବନ୍ଧିତ ଖବର