ମା‌ଞ୍ଚେଷ୍ଟର୍‌: ରବିବାର ଦ୍ବିତୀୟ ଦିନିକିଆରେ ଉତ୍କଣ୍ଠାପୂର୍ଣ୍ଣ ବିଜୟ ସହ ଅଷ୍ଟ୍ରେଲିଆ ବିପକ୍ଷ ତିନିଟିକିଆ ଘରୋଇ ଶୃଙ୍ଖଳାକୁ ଇଂଲଣ୍ଡ ୧-୧ରେ ବରାବର ରଖିଛି। ୨୩୨ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଅଷ୍ଟ୍ରେଲିଆ ୨ ୱିକେଟ୍ ହରାଇ ୧୪୪ ରନ୍ କରିନେବା ପରେ କ୍ରିକେଟ୍ ଇତିହାସର ଅନ୍ୟତମ ନାଟକୀୟ ବିପର୍ଯ୍ୟୟ ଘଟାଇ ଇଂଲଣ୍ଡ ୨୪ ରନ୍‌ରେ ମ୍ୟାଚ୍ ଜିତି ନେଇଥିଲା। ସେପଟେ ୩ ରନ୍‌ରେ ୪ ୱିକେଟ୍ ହରାଇବା ପରେ ପୁଣି ଥରେ ଗୋଟିଏ ଓଭରରେ ୨ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ଅଷ୍ଟ୍ରେଲିଆ ଜିତିବା ମ୍ୟାଚ୍‌କୁ ହାରିଥିଲା। ଠିକଣା ସମୟରେ ଆଲେକ୍ସ କେରି ୩୬ ରନ୍‌ର ସାହସିକ ପାଳି ଖେଳି ଅଷ୍ଟ୍ରେଲିଆ ପାଇଁ ଆଶା ସଂଚାର କରିଥିଲେ।

Advertisment

ହେଲେ ତାଙ୍କୁ ଶେଷ ୱିକେଟ୍ ଭାବେ ୪୯ତମ ଓଭରର ଚତୁର୍ଥ ବଲ୍‌ରେ ଆଉଟ୍ କରି ଆଦିଲ ରସିଦ ଇଂଲଣ୍ଡକୁ ମହତ୍ବପୂର୍ଣ୍ଣ ବିଜୟ ଉପହାର ଦେଇଥିଲେ। ଏକଦା ଦୃଢ଼ ସ୍ଥିତିରେ ଥିବା ଅଷ୍ଟ୍ରେଲିଆ ସମସ୍ତ ୱିକେଟ୍ ହରାଇ ମାତ୍ର ୨୦୭ ରନ୍‌ରେ ସୀମିତ ରହି ଯାଇଥିଲା। ଶୃଙ୍ଖଳା ବିଜୟ ସୁଯୋଗ ହାତଛଡ଼ା କରିଥିଲା ଏବଂ ଅଧିନାୟକ ଆରୋନ ଫିଞ୍ଚ (୭୩)ଙ୍କ ଲଢ଼ୁଆ ଅର୍ଧଶତକ ବି ବୃଥା ଯାଇଥିଲା। ଦ୍ରୁତ ବୋଲର ଜୋଫ୍ରା ଆର୍ଚର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ବିଜୟ ପରେ ଇଂଲଣ୍ଡ ୨୦୧୬ ମସିହାଠାରୁ ଘରୋଇ ମାଟିରେ ଅପରାଜିତ ରହି ୯ ଦିନିକିଆ ଶୃଙ୍ଖଳା ଅପରାଜେୟ ଧାରାକୁ ଅତୁଟ ରଖିଥିଲା। ପୂର୍ବରୁ ଆଦାମ ଜାମ୍ପା ଓ ମିଚେଲ ଷ୍ଟାର୍କଙ୍କ ବୋଲିଂ ବଳରେ ଅଷ୍ଟ୍ରେଲିଆ ପ୍ରତିପକ୍ଷ ଇଂଲଣ୍ଡକୁ ୨୩୧ ରନ୍‌ରେ ଅଟକାଇ ଦେଇଥିଲା। ରବିବାର ଟସ୍ ଜିତି ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରିବା ପରେ ଟମ୍ କରନ୍‌ (୩୭) ଓ ଆଦିଲ ରସିଦ (୩୫)ଙ୍କ ଦାୟିତ୍ବବାନ ବ୍ୟାଟିଂ ପାଇଁ ନିର୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୧ ରନ୍ କରିଥିଲା।

ସଂକ୍ଷିପ୍ତ ସ୍କୋର: ଇଂଲଣ୍ଡ ୫୦ ଓଭରରେ ୨୩୧/୯ (ମୋର୍ଗାନ୍‌-୪୨, ରୁଟ୍‌-୩୯, କରନ୍‌-୩୭, ରସିଦ୍‌-୩୫*, ୱକ୍ସ-୨୬, ଜାମ୍ପା-୩/୩୬, ମିଚେଲ ଷ୍ଟାର୍କ-୨/୩୮, ହାଜେଲଉଡ୍‌-୧/୨୭, ମିଚେଲ ମାର୍ସ-୧/୪୯, କମିନ୍ସ-୧/୫୬)। ଅଷ୍ଟ୍ରେଲିଆ ୪୮.୪ ଓଭରରେ ୨୦୭ (ଫିଞ୍ଚ୍ ୭୩, ଲବୁସାନେ ୪୮, କେରି ୩୬, ଓକ୍ସ ୩/୩୨, ଆର୍ଚର ୩/୩୪, କରନ ୩/୩୫)।