ଅଭ୍ୟାସରେ ଇଂଲଣ୍ଡ ବିଜୟୀ

ମୁମ୍ବାଇ: ଆସନ୍ତା ୬ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ଫିଫା ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ର ଅଭ୍ୟାସ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ରବିବାର ଏଠାରେ ଖେଳାଯାଇଥିବା ପ୍ରଥମ ଅଭ୍ୟାସ ମ୍ୟାଚ୍‌ରେ ଇଂଲଣ୍ଡ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡ୍‌କୁ ପରାସ୍ତ କରିଦେଇଛି। ଏହି ଉତ୍କଣ୍ଠାପୂର୍ଣ୍ଣ ତଥା ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଓଲିଭର୍‌ ହ୍ଵାଇଟ୍‌ ପ୍ରଥମ ଗୋଲ୍‌ କରି ନ୍ୟୁଜିଲାଣ୍ଡ୍‌କୁ ଆଗୁଆ ରଖିଥିଲେ। ହେଲେ ଅଧିନାୟକ ମାର୍କ ଗୁହି ଇଂଲଣ୍ଡ ପାଇଁ ପ୍ରଥମ ଗୋଲ୍‌ କରି ସ୍ଥିତି ୧-୧ କରିବା ପରେ ଇଲିଜା ଜଷ୍ଟଙ୍କ ୮୧ ମିନିଟ୍‌ ଗୋଲ୍‌ ବଳରେ ନ୍ୟୁଜିଲାଣ୍ଡ୍‌ ପୁଣି ଥରେ ଆଗୁଆ ହୋଇଯାଇଥିଲା। ସ୍ଥିତି ୨-୧ରେ ନ୍ୟୁଜିଲାଣ୍ଡ୍‌ ସପକ୍ଷରେ ଥିଲା ବେଳେ ଇଂଲଣ୍ଡ ପକ୍ଷରୁ ରିଆନ୍‌ ବ୍ରିଉଷ୍ଟର୍‌ଙ୍କ ଦ୍ୱିତୀୟାର୍ଧର ଯୁଗଳ ଗୋଲ୍‌ ନ୍ୟୁଜିଲାଣ୍ଡ୍‌କୁ ପରାଜୟ ପାଇଁ ବାଧ୍ୟ କରିଥିଲା।

ଅଜଣା କଥା
ନାଇଜେରିଆ ସର୍ବାଧିକ ୫ ଥର ବିଜେତା ହୋଇଛି। ୧୯୯୫, ୧୯୯୩, ୨୦୦୭, ୨୦୧୩, ୨୦୧୫ରେ ନାଇଜେରିଆ ଟ୍ରଫି ହାତେଇଥିଲା। ଏହି ଦେଶ ମଧ୍ୟ ସବୁଠୁ ସଫଳତମ ଦଳ ଭାବେ ୩ ଥର ଉପ ବିଜେତା (୧୯୮୭, ୨୦୦୧, ୨୦୦୯) ମଧ୍ୟ ରହିଛି। ବିଡ଼ମ୍ବନାର ବିଷୟ ହେଉଛି ଏଥର ନାଇଜେରିଆ ଯୋଗ୍ୟତା ଅର୍ଜନ କରିନାହିଁ।
ବ୍ରାଜିଲ୍‌ ଦ୍ୱିତୀୟ ସର୍ବାଧିକ ୩ ଥର (୧୯୯୭, ୧୯୯୯, ୨୦୦୩) ଜିତିଥିବାବେଳେ ଘାନା (୧୯୯୧, ୧୯୯୫) ଏବଂ ମେକ୍ସିକୋ (୨୦୦୫, ୨୦୧୧) ଦୁଇ ଥର ଲେଖାଏଁ ଜିତିବାର ଗୌରବ ପାଇଛନ୍ତି। ସୋଭିଏତ ସଂଘ (୧୯୮୭), ସାଉଦି ଆରବ (୧୯୮୯), ଫ୍ରାନ୍‌ସ (୨୦୦୧), ସ୍ୱିଜରଲାଣ୍ଡ୍‌ (୨୦୦୯) ଥରେ ଲେଖାଏଁ ଟ୍ରଫି ହାତେଇଛନ୍ତି।
ଭାରତ ଅଷ୍ଟାଦଶ ଏସୀୟ ଦେଶ ଭାବେ ଏକ ୧୭ ବର୍ଷରୁ କମ୍‌ ଫିଫା ବିଶ୍ୱକପ୍‌ରେ ଅଂଶଗ୍ରହଣ କରିବ। ଭାରତକୁ ମଶାଇ ତିନୋଟି ଦେଶ ଏଥର ପଦାର୍ପଣ କରିବେ। ଅନ୍ୟ ଦୁଇ ଦେଶ ହେଲେ ନାଇଜର୍‌, ନ୍ୟୁ କାଲେଡୋନିଆ।
ମୋଟ ଉପରେ ୧୨ ଜଣ ଖେଳାଳି ରହିଛନ୍ତି ଯେଉଁମାନେ ୧୭ ବର୍ଷରୁ କମ୍‌ ବିଶ୍ୱକପ୍‌ ଖେଳିବା ସହିତ ନିଜ ଦେଶ ପାଇଁ ଫିଫା ବିଶ୍ୱକପ୍‌ରେ ପ୍ରତିନିଧିତ୍ୱ କରିଥିଲେ।
ବ୍ରାଜିଲର୍‌ ରୋନାଲ୍‌ଡିନୋ ଏକମାତ୍ର ଖେଳାଳି ଭାବେ ଉଭୟ କନିଷ୍ଠ (୧୯୯୭) ଏବଂ ବରିଷ୍ଠ (୨୦୦୨) ଫିଫା ବିଶ୍ୱକପ୍‌ ଜିତିଛନ୍ତି।

ସମ୍ବନ୍ଧିତ ଖବର