ଇଂଲିସ୍ କାଉଣ୍ଟି କ୍ରିକେଟ, ୧୦ ନମ୍ବରରେ ୬୨ ବଲ୍‌ରୁ ଶତକ

ଲଣ୍ଡନ: ଇଂଲିସ୍ କାଉଣ୍ଟି କ୍ରିକେଟରେ ମଙ୍ଗଳବାର ଏକ ଶତକୀୟ କୀର୍ତ୍ତିମାନ ନଜରକୁ ଆସିଛି। ୧୦ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିବା ଗ୍ଳାମରଗନ୍‌ର ମର୍ଚାଣ୍ଟ ଡି’ ଲାଙ୍ଗ୍‌ ୬୨ ବଲ୍‌ରୁ ଶତକ ହାସଲ କରିଛନ୍ତି। ଗ୍ଲାମରଗନ୍‌ କ୍ଲବ୍‌ ଇତିହାସରେ ଏହା ସବୁଠାରୁ ଦ୍ରୁତତମ ଶତକ। ଡି’ଲାଙ୍ଗ୍ ମଧ୍ୟ ନିଜ ପ୍ରଥମ ଶ୍ରେଣୀ ଜୀବନରେ ପ୍ରଥମ ଥର ତିନି ଅଙ୍କ ଛୁଇଁଥିଲେ। ଡି’ଲାଙ୍ଗ୍‌ଙ୍କ ଅଲରାଉଣ୍ଡ୍ ପ୍ରଦର୍ଶନ ଦଳର ସମ୍ମାନ ରଖିଥିଲେ ମଧ୍ୟ ଗ୍ଲାମରଗନ୍‌ ପରାଜୟ ଆଶଙ୍କା ଭିତରେ ରହିଛି। ନର୍ଥମ୍ପଟନସାୟାର ବିପକ୍ଷ ଏହି ମ୍ୟାଚ୍‌ରେ ଡି’ ଲାଙ୍ଗ୍‌ ୪ ୱିକେଟ୍ ନେବା ପରେ ଏହି ସ୍ମରଣୀୟ ଶତକ ହାସଲ କରିଥିଲେ।

ବବ୍ ୱିଲିସ୍ ଟ୍ରଫି ଅନ୍ତର୍ଗତ ଏହି ମ୍ୟାଚ୍‌ରେ ଗ୍ଲାମରଗନ୍‌ ପ୍ରଥମ ପାଳିରେ ୨୫୯ ରନ୍ କରିବା ପରେ ନର୍ଥମ୍ପଟନସାୟାର ୩୩୨ ରନ୍ କରିଥିଲା। ଦ୍ବିତୀୟ ପାଳିରେ ଗ୍ଲାମରଗନ୍‌ ଦଳ ୬୦ ରନ୍‌ରେ ୮ ୱିକେଟ୍ ହରାଇ ଦେଇଥିଲା। ଏହି ସମୟରେ ଡାନ୍ ଭାଥୱେଟ (୮୬) ଏବଂ ଡି’ ଲାଙ୍ଗ୍ (୧୧୩, ୭୮ ବଲ, ୬ ଚୌକା, ୯ ଛକା) ନବମ ୱିକେଟ୍ ପାଇଁ ୧୬୮ ରନ୍ ଯୋଡ଼ିଥିଲେ। ଶେଷ ବ୍ୟାଟ୍‌ସମ୍ୟାନ୍‌ ମାଇକେଲ୍ ହୋଗାନ (୨୧*)ଙ୍କୁ ନେଇ ଡି’ ଲାଙ୍ଗ୍‌ ୩୩ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ଗ୍ଲାମରଗନ୍‌ ଦ୍ବିତୀୟ ପାଳି ୨୬୧ ରନ୍‌ରେ ଶେଷ ହୋଇଛି। ୧୮୯ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ନର୍ଥମ୍ପଟନ୍‌ସାୟାର୍ ଦଳ ଶେଷ ଖବର ମିଳିବା ବେଳକୁ ୧ ୱିକେଟ୍ ବିନିମୟରେ ୬୭ ରନ୍ କରିଥିଲା।

ସମ୍ବନ୍ଧିତ ଖବର