ରାତି ଯାଏ ରୋମାଞ୍ଚ

ଓ୍ଵାର୍ଡ ଆକ୍ରମଣରେ ଭାରତ ଘାଇଲା ୩-୨ରେ ଇଂଲଣ୍ଡର ପ୍ରଥମ ବିଜୟ

ଭୁବନେଶ୍ୱର: ସାମୁଏଲ୍‌ ଓ୍ଵାର୍ଡଙ୍କ ଯୁଗଳ ଗୋଲ୍‌ ଭାରତର ହୃଦୟ ଭାଙ୍ଗିଲା। ମ୍ୟାଚ୍‌ ଅମୀମାଂସିତ ହେବାର ଦ୍ୱାରରେ ଥିଲା ବେଳେ ଓ୍ଵାର୍ଡ ଆକ୍ରମଣ ଘରୋଇ ଦଳକୁ ଘାଇଲା କଲା। ତାଙ୍କ ୫୭ ମିନିଟ୍‌ ଗୋଲ୍‌ ହିଁ ନିର୍ଣ୍ଣାୟକ ସାବ୍ୟସ୍ତ ହେଲା। ପ୍ରଥମ ମ୍ୟାଚ୍‌ରେ ଜର୍ମାନିଠାରୁ ୦-୨ରେ ହାରିଥିବା ଇଂଲଣ୍ଡ ୩-୨ରେ ଭାରତକୁ ହରାଇ ପଏଣ୍ଟ ଖାତା ଖୋଲିଲା। ଅନ୍ୟ ପକ୍ଷରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆକୁ ଅଟକାଇ ଥିବା ଭାରତ ପାଇଁ ପ୍ରଥମ ତିନି କ୍ୱାର୍ଟରରେ ଗୋଲ୍‌ କରି ନପାରିବା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ଚତୁର୍ଥ କ୍ୱାର୍ଟରରେ ଦୁଇଟି ଗୋଲ୍‌ ଦେଇ ମ୍ୟାଚ୍‌କୁ ଫେରିଥିଲେ ମଧ୍ୟ ଗୋଟିଏ ଗୋଲ୍‌ ବ୍ୟବଧାନରେ ହାରି ପ୍ରତିଯୋଗିତାରେ ପ୍ରଥମ ପରାଜୟ ବରଣ କଲା।

ଶୁକ୍ରବାରର ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍‌ ଭଳି ଶନିବାର ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଭାରତୀୟ ହକି ଦଳ ଆକ୍ରମଣକୁ ନିଜ ଅସ୍ତ୍ର କରିଥିଲା। ତେବେ ଦୁର୍ବଳ ଫିନିସିଂ ପାଇଁ ପ୍ରଥମ କିଛି ମିନିଟ୍‌ରେ ଗୋଲ୍‌ ପାଇବାରୁ ବଞ୍ଚିତ ହୋଇଥିଲା। ପ୍ରଥମ କ୍ୱାର୍ଟରରେ ଉଭୟ ଦଳ କୌଶଳ ଅପେକ୍ଷା ଲମ୍ବା ପାସ୍‌ ଓ ଗତି ଉପରେ ଅଧିକ ଧ୍ୟାନ ଦେଇଥିଲେ। ତୁଳନାତ୍ମକ ଭାବେ ଇଂଲଣ୍ଡ ରକ୍ଷଣାତ୍ମକ ହକି ଖେଳିଥିଲା। ଭାରତ ଭଲ ସୁଯୋଗ ସୃଷ୍ଟି କରିଥିଲା। ହେଲେ ଇଂଲଣ୍ଡର ସଜାଗ ରକ୍ଷଣ ଭାଗ ଘରୋଇ ଦଳର ସବୁ ଚାଲ୍‌କୁ ବିଫଳ କରି ଦେଇଥିଲା। ଯାହା ଫଳରେ ପ୍ରଥମ କ୍ୱାର୍ଟର ଗୋଲ୍‌ ଶୂନ୍ୟ ରହିଥିଲା ଏବଂ କେହି ଖାତା ଖୋଲି ପାରି ନଥିଲେ। ୨୫ତମ ମିନିଟରେ ଇଂଲଣ୍ଡ ଏହି ଗତିରୋଧକୁ ଭାଙ୍ଗିଥିଲା। ୨୪ ମିନିଟରେ ବଲ୍‌ ଓଡ଼ିଆ ତାରକା ଦୀପସାନ୍‌ ତିର୍କିଙ୍କ ଗୋଡ଼ରେ ବାଜିବାରୁ ଇଂଲଣ୍ଡକୁ ମ୍ୟାଚର ପ୍ରଥମ ପେନାଲ୍ଟି କର୍ନର ମିଳିଥିଲା। ହେଲେ ଇଂଲଣ୍ଡର ଏହି ପ୍ରୟାସକୁ ଭାରତୀୟ ରକ୍ଷଣଭାଗ ଖେଳାଳିମାନେ ସଫଳତାର ସହ ନିଷ୍ପଳ କରି ଦେଇଥିଲେ। ହେଲେ ସେତେବେଳେ ଡି’ ଅଞ୍ଚଳ ବାହାରେ ପଇଁତରା ମାରୁଥିବା ଇଂଲଣ୍ଡ ଅଗ୍ରଭାଗ ଖେଳାଳି ଡେଭିଡ୍‌ ଗୁଡହ୍ଵିଲ ପୁନଃ ଆକ୍ରମଣରେ ବଲକୁ ଗୋଲ୍‌ ପୋଷ୍ଟ ଭିତରକୁ ପଠାଇ ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ। ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଦଳର ଆକ୍ରମଣରେ ପୁରୁଣା ଧାରା କିମ୍ବା ଗତି ନଥିଲା। ଯାହାର ଫଳ ଭାରତକୁୂ ଭୋଗିବାକୁ ପଡ଼ିଥିଲା ଏବଂ ପ୍ରଥମାର୍ଧ ୧-୦ରେ ଇଂଲଣ୍ଡ ଖାତାକୁ ଯାଇଥିଲା। ୪୩ ମିନିଟରେ ଏକ ଲମ୍ବା ପାସ୍‌ ଭାରତୀୟ ଡି’ ଅଞ୍ଚଳକୁ ପ୍ରବେଶ କରିଥିଲା। ଯାହାକୁ ହରମନପ୍ରୀତ ବାହାରକୁ ପଠାଇ ପାରି ନଥିଲେ। ଗୋଲ୍‌ ରକ୍ଷକ ଆକାଶ ଚିଟକେ ଏକୁଟିଆ ଥିବା ଦେଖି ଇଂଲଣ୍ଡ ଆଗ୍ରଭାଗ ଖେଳାଳି ସାମୁଏଲ୍‌ ଓ୍ଵାର୍ଡ ଏହି ସୁଯୋଗରେ ବଲ୍‌କୁ ସିଧା ଗୋଲ୍‌ ପୋଷ୍ଟ ଭିତରକୁ ପୂରାଇ ଦେଇଥିଲେ। ଇଂଲଣ୍ଡ ୨-୦ରେ ଆଗୁଆ ହୋଇ ଯାଇଥିଲା। ତୃତୀୟ କ୍ୱାର୍ଟର ଶେଷ ସୁଦ୍ଧା ଏହି ସ୍କୋର ଲାଇନ୍‌ ଅପରିବର୍ତିତ ରହିଥିଲା। ଚାପରେ ଥିବା ଭାରତୀୟ ଦଳ ଅବଶ୍ୟ ଚତୁର୍ଥ କ୍ୱାର୍ଟରର ଦ୍ୱିତୀୟ ମିନିଟରେ ସେଥିମଧ୍ୟରୁ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲା। ଏସ୍‌ ଭି ସୁନୀଲ ପେନାଲ୍ଟି କର୍ନର ଅର୍ଜନ କରିବା ପରେ ଆକାଶଦୀପ ସିଂହ ଏହାକୁ ଗୋଲ୍‌ରେ ରୂପାନ୍ତର କରି ସ୍ଥିତି ୧-୨ କରି ନେଇଥିଲେ। ଏହାର ଦୁଇ ମିନିଟ୍‌ ପରେ ମିଳିଥିବା ଚତୁର୍ଥ ପେନାଲ୍ଟି କର୍ନରକୁ ଗୋଲ୍‌ କରି ରୂପୀନ୍ଦର ପାଲ ସିଂହ ସ୍ଥିତି ୨-୨ରେ ସମାନ ସ୍ତରକୁ ନେଇ ଆସିଥିଲେ। ଡି ବାହାରୁ ସଟ୍‌ ମାରିଥିବାରୁ ଏହା ଅବଶ୍ୟ ଫିଲ୍ଡ ଗୋଲର ମାନ୍ୟତା ପାଇଥିଲା। ବ୍ୟକ୍ତିଗତ ଭାବେ ପ୍ରତିଯୋଗିତାରେ ରୂପୀନ୍ଦରଙ୍କର ମଧ୍ୟ ଏହା ପ୍ରଥମ ଗୋଲ୍‌ ଥିଲା। ମ୍ୟାଚ୍‌ ଅମୀମାଂସିତ ରହିବାର ଆଶା ସଂଚାର ହେଲା ବେଳେ ଓ୍ଵାର୍ଡଙ୍କ ବିଳମ୍ବିତ ଗୋଲ୍‌ କଳିଙ୍ଗ ଷ୍ଟାଡିୟମ୍‌ ଦର୍ଶକଙ୍କ ହୃଦୟ ଭାଙ୍ଗି ଦେଇଥିଲା। ସାମୁଏଲ୍‌ ଦ୍ୱିତୀୟ ଥର ସଫଳ ହେବା ସହ ଇଂଲଣ୍ଡ ପୁଣି ଥରେ ଆଗୁଆ ହୋଇ ଯାଇଥିଲା। ମ୍ୟାଚ୍‌ର ଅନ୍ତିମ ମିନିଟରେ ଭାରତୀୟ ଗୋଲ୍‌ ରକ୍ଷକ ଗୋଲ୍‌ ପୋଷ୍ଟ ଛାଡ଼ି ପଡ଼ିଆରେ ଖେଳିବା ମ୍ୟାଚ୍‌ର ଅନ୍ୟତମ ମଜାଦାର ମୁହୂର୍ତ ଥିଲା। ଇଂଲଣ୍ଡ ୩-୨ରେ ବିଜୟୀ ହୋଇ ପଏଣ୍ଟ ଖାତା ଖୋଲିଥିଲେ। ଭାରତର ଯୁବ ତାରକା ହରମନପ୍ରୀତ ସିଂହ ଶ୍ରେଷ୍ଠ ଉଦୀୟମାନ ଖେଳାଳି ଏବଂ ଅଷ୍ଟ୍ରେଲିଆର ସାମୁଏଲ ଓ୍ଵାର୍ଡ ଶ୍ରେଷ୍ଠ ଖେଳାଳି ଭାବେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କଠାରୁ ୫୦,୦୦୦ ଟଙ୍କାର ଚେକ୍‌ ଗ୍ରହଣ କରିଥିଲେ।
ହରମନପ୍ରୀତ୍‌ଙ୍କ ଅର୍ଧଶତକ

ଶନିବାରର ଭାରତ-ଇଂଲଣ୍ଡ ମ୍ୟାଚରେ ଭାରତୀୟ ଡ୍ରାଗ୍‌ ଫ୍ଲିକର ହରମନପ୍ରୀତ ସିଂହ ଅର୍ଧଶତକ ପୂରଣ କରିଥିଲେ। ଏହି ମ୍ୟାଚ୍‌ ତାଙ୍କ ଖେଳ ଜୀବନର ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌ ହୋଇଥିଲା। ୧୯୯୬ ମସିହା ଜାନୁଆରି ୬ ତାରିଖରେ ଜନ୍ମ ଗ୍ରହଣ କରିଥିବା ହରମନପ୍ରୀତ ୨୦୧୪ରେ ସୁଲତାନ ଆଜଲାନ ସାହା କପରେ ନିଜ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲେ। ମାତ୍ର ୧୦ ବର୍ଷ ବୟସରୁ ହକି ଖେଳିବା ଆରମ୍ଭ କରିଥିବା ହରମନପ୍ରୀତଙ୍କୁ ଭାରତୀୟ ହକିର ଭବିଷ୍ୟତ ବିବେଚନା କରାଯାଏ। ଅମୃତସରର ଏକ କୃଷକ ପରିବାରରୁ ଆସିଥିବା ହରମନପ୍ରୀତ ଯୁବ ବୟସରେ ଭାରତୀୟ ହକି ଦଳର ପ୍ରମୁଖ ସଦସ୍ୟ ପାଲଟି ଯାଇଛନ୍ତି।

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ ଲିଗ୍‌ ଫାଇନାଲର ଶୁକ୍ରବାର ଖେଳାଯାଇଥିବା ଦୁଇଟି ଉତ୍କଣ୍ଠାପୂର୍ଣ୍ଣ ମୁକାବିଲା ହକିପ୍ରେମୀଙ୍କ ମନ କିଣି ନେଇଥିଲା। ପ୍ରଥମ ଦିନରୁ ହିଁ ସେମାନଙ୍କୁ ହକି ନିଶା ଲାଗି ଯାଇଥିଲା। ଶନିବାର ଦ୍ୱିତୀୟ ଦିନରେ ବି ଏହି ଧାରା ଲାଗି ରହିଥିଲା। ବରଂ ଶନିବାର ଚାରିଟି ମ୍ୟାଚ୍‌ ଥିବାରୁ ଏହି ନିଶା ଆହୁରି ଗାଢ଼ ହୋଇ ଯାଇଥିଲା। ଶନିବାର ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ବିଦ୍ୟାଳୟର ପିଲାମାନେ କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ହକି ଭୋଜିରେ ସାମିଲ ହୋଇଥିଲେ। ସେମାନଙ୍କ ରଙ୍ଗ ବେରଙ୍ଗ ପୋଷାକରେ ଏଠାକାର ହକି କଂପ୍ଲେକ୍ସ ପୂରା ରଙ୍ଗୀନ ହୋଇ ଯାଇଥିଲା। ସକାଳୁ ସଞ୍ଜ ଯାଏ ସମସ୍ତେ ଯେମିତି ହକି ମାୟାରେ ବିଭୋର ଥିଲେ। ପ୍ରଥମ ମ୍ୟାଚ୍‌ରୁ ହିଁ ସେମାନେ ଜବରଦସ୍ତ ହକି ଲଢ଼େଇକୁ ମନଭରି ଉପଯୋଗ କରିଥିଲେ। ଶନିବାରର ପ୍ରଥମ ଲଢ଼େଇ ଲାଟିନ୍‌ ଆମେରିକୀୟ ଦେଶ ଆର୍ଜେଣ୍ଟିନା ଏବଂ ୟୁରୋପୀୟ ଶକ୍ତି ବେଲଜିୟମ ମଧ୍ୟରେ ହୋଇଥିଲା। ଦ୍ୱିତୀୟରେ ନେଦରଲାଣ୍ଡ ଓ ସ୍ପେନ୍‌ ମୁହାଁମୁହିଁ ହୋଇଥିଲେ। ଅପରାହ୍ନ ଅଧିବେଶନର ଏହି ଦୁଇ ରୋମାଞ୍ଚକର ମୁକାବିଲା ପରେ ସାଂଧ୍ୟ ଅଧିବେଶନର ଶୁଭାରମ୍ଭ ଜର୍ମାନି ଏବଂ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ମ୍ୟାଚ୍‌ରୁ ହୋଇଥିଲା। ଶେଷରେ ସବୁଠାରୁ ବଡ଼ ଲଢ଼େଇରେ ଭାରତ-ଇଂଲଣ୍ଡ ମହାଁମୁହିଁ ହୋଇଥିଲେ। ଏହି ମ୍ୟାଚ ବେଶ୍‌ ଉତ୍କଣ୍ଠାପୂର୍ଣ୍ଣ ରହିଥିଲା। ଭାରତ ଗୋଟିଏ ଗୋଲ୍‌ ବ୍ୟବଧାନରେ ପରାଜିତ ହୋଇଥିଲା। ହେଲେ ଲଢ଼ୁଆ ଖେଳ ପାଇଁ କଳିଙ୍ଗ ଦର୍ଶକଙ୍କ ହୃଦୟ ଜିତି ନେଇଥିଲା। କଳିଙ୍ଗ ହକି ପ୍ରେମୀ ମହା ଆନନ୍ଦରେ ଏହି ମ୍ୟାଚ୍‌ର ମଜା ନେଇଥିଲେ। ପୂର୍ବରୁ ଖେଳା ଯାଇଥିବା ତିନିଟି ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ବେଲଜିୟମ ୩-୨, ନେଦରଲାଣ୍ଡକୁ ସ୍ପେନ୍‌ ସେହି ୩-୨ରେ ହରାଇଥିଲା। ଜର୍ମାନି-ଅଷ୍ଟ୍ରେଲିଆ ମ୍ୟାଚ୍‌ ୨-୨ରେ ଅମୀମାଂସିତ ରହିଥିଲା।

ସମ୍ବନ୍ଧିତ ଖବର