ବାରବାଟି ଟେ୍ଵଣ୍ଟି-୨୦ରେ ଭାରତୀୟ କ୍ରିକେଟ୍ ଦଳ ବୋବାଲ କରିଛି। ସବୁ ଦିଗରୁ ସିଂହଳୀ ଦଳକୁ ଘାଇଲା କରି ୯୩ ରନ୍ର ଜମାଣିଆ ବିଜୟ ହାସଲ କରିଛି। ବୁଧବାର ଭାରତୀୟ ଦଳ ଏମିତିଆ କ୍ରିକେଟ୍ ଖେଳିଥିଲା ଯେ ଶ୍ରୀଲଙ୍କା ପୂରା ତୋବା ହୋଇ ଯାଇଥିଲା। ଭାରତର ୧୮୧ ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ମାତ୍ର ୮୭ ରନ୍ରେ ସଫା ହୋଇ ଯାଇଥିଲା। ଫଳରେ ରନ୍ ବ୍ୟବଧାନରେ ଭାରତ ସର୍ବବୃହତ୍ ବିଜୟ ହାସଲ କରିଥିଲା। ଏଥି ସହିତ ବାରବାଟୀରେ ନୂଆ ଟେ୍ଵଣ୍ଟି-୨୦ ଇତିହାସ ରଚିଥିଲା।
ପ୍ରଥମ ରିଭ୍ୟୁରେ ଭାରତ ସଫଳ
କଟକ/ଭୁବନେଶ୍ୱର: ବାରବାଟୀ ଟେ୍ଵଣ୍ଟି-୨୦ ମ୍ୟାଚରେ ଭାରତ ନେଇଥିବା ପ୍ରଥମ ରିଭ୍ୟୁରେ ସଫଳ ହୋଇଥିଲା। ପାଳିର ୬.୧ ଓଭରରେ ଆଞ୍ଜେଲୋ ମାଥ୍ୟୁସ୍ଙ୍କ ବଲ୍ରେ ଲୋକେସ୍ ରାହୁଲ୍ ଏଲ୍ବିଡବ୍ଲୁ ହୋଇଥିଲେ। ଅମ୍ପାୟାର ତାହାକୁ ଆଉଟ ଦେଇଥିଲେ। କିନ୍ତୁ ବଲ୍ ଲେଗ୍ ଷ୍ଟମ୍ପ ବାହାରକୁ ଯାଉଥିବା ଅନୁମାନ କରି ଲୋକେସ୍ ରିଭ୍ୟୁ ନେଇଥିଲେ। ଟିଭି ଅମ୍ପାୟାର ମଧ୍ୟ ବଲ୍ ଷ୍ଟମ୍ପ୍ ବାହାରକୁ ଯାଉଥିବା ଦେଖିବାକୁ ପାଇଥିଲେ। ଫଳରେ ପଡ଼ିଆ ଅମ୍ପାୟାରଙ୍କୁ ନିଷ୍ପତ୍ତି ବଦଳାଇବାକୁ ନିର୍ଦେଶ ଦିଆଯାଇଥିଲା। ସେତେବେଳକୁ ଲୋକେସ୍ ୧୯ ବଲରୁ ୨୩ ରନ୍ କରିଥିଲେ।
ଅଷ୍ଟମ ଓଭରରେ ପ୍ରଥମ ଛକା
ପ୍ରଥମରୁ ଦ୍ରୁତ ହାରରେ ରନ୍ ସଂଗ୍ରହ ହେଉଥିଲା, କିନ୍ତୁ ମ୍ୟାଚ୍ର ପ୍ରଥମ ଛକା ଦେଖିବାକୁ ମିଳିଥିଲା ଅଷ୍ଟମ ଓଭରରେ। ଓଭରର ଚତୁର୍ଥ ବଲ୍ରେ ଲୋକେସ୍ ରାହୁଲ ଏହି ଛକା ମାରିଥିଲେ। ଆଞ୍ଜେଲୋ ମାଥ୍ୟୁସ୍ଙ୍କ ଅଣ୍ଟା ଉଚ୍ଚ ବଲ୍କୁ ରାହୁଲ୍ ସ୍କୋୟାର ଲେଗ୍ ଅଞ୍ଚଳକୁ ହୁକ୍ ସଟ୍ ମାରି ଏହି ଛକା ହାସଲ କରିଥିଲେ। ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ମୋଟ ୪ ଛକା ଓ ୧୭ ଚୌକା ମାରିଥିଲେ। ସେଥିମଧ୍ୟରୁ ରାହୁଲ୍ ସର୍ବାଧିକ ୭ ଚୌକା ମାରିଥିଲା ବେଳେ ମନୀଷ ପାଣ୍ଡେ ସର୍ବାଧିକ ୨ ଛକା ହାସଲ କରିଥିଲେ।
ରାହୁଲ ସୋ’
ବାରବାଟୀରେ ଦ୍ୱିତୀୟ ମ୍ୟାଚ୍ ଖେଳୁଥିବା ଲୋକେସ୍ ରାହୁଲ ଏଥର ପୁରା ଦମ୍ରେ ଶ୍ରୀଲଙ୍କା ବୋଲରଙ୍କୁ ଧୁଲେଇ କରିଥିଲେ। ମ୍ୟାଚ୍ରେ କେବଳ ଅର୍ଧଶତକ ହାସଲ କରିଥିଲେ ତାନୁହେଁ ବରଂ ବାରବାଟୀ ଟି-୨୦ରେ ସର୍ବାଧିକ ବ୍ୟକ୍ତିଗତ ରନ୍ ସଂଗ୍ରହ କରିଥିଲେ। ରାହୁଲ ତାଙ୍କ ପାଳି ମଧ୍ୟରେ ୪୮ ବଲ୍ ଖେଳିଥିଲା ବେଳେ ୭ ଚୌକା ଓ ୧ ଛକା ସହାୟତାରେ ୬୧ ରନ୍ ସଂଗ୍ରହ କରିଥିଲେ। ଏହି ପାଳି ମଧ୍ୟରେ ସେ ଦୁଇ ଦୁଇ ଥର ଜୀବନଦାନ ମଧ୍ୟ ପାଇଥିଲେ। ପ୍ରଥମେ ରନ୍ ଆଉଟ ହେବାରୁ ସେ ବର୍ତ୍ତିଯାଇଥିଲା ବେଳେ ଡିଆର୍ଏସ୍ ସହାୟତାରେ ଏଲ୍ବିଡବ୍ଲୁ ଆଉଟକୁ ମଧ୍ୟ ଏଡାଇ ପାରିଥିଲେ। କିନ୍ତୁ ମ୍ୟାଚ୍ର ୧୪.୩ ଓଭରରେ ଶ୍ରୀଲଙ୍କା ଅଧିନାୟକ ଥିସାରା ପେରେରାଙ୍କ ଓ୍ଵିକେଟ ସିଧା ବଲ୍କୁ ରାହୁଲ୍ ମିଡ୍ଓ୍ଵିକେଟ ଅଞ୍ଚଳକୁ ମାରିବାକୁ ପ୍ରୟାସ କରି ବୋଲ୍ଡ ହୋଇଯାଇଥିଲେ।
ଧୋନି-ପାଣ୍ଡେ ଭାଗୀଦାରି
ବାରବାଟୀରେ ଖେଳାଯାଉଥିବା ମ୍ୟାଚ୍ରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ ଯୁବ ଖେଳାଳି ମନୀଷ ପାଣ୍ଡେଙ୍କ ମଧ୍ୟରେ ଏଠାରେ ସର୍ବାଧିକ ଭାଗୀଦାରିର କୀର୍ତ୍ତିମାନ ହୋଇଛି। ଉଭୟଙ୍କ ମଧ୍ୟରେ ଚତୁର୍ଥ ଓ୍ଵିକେଟ୍ରେ ୩୩ ବଲ୍ରୁ ୬୮ ରନ୍ ସଂଗ୍ରହ ହୋଇଥିଲା। ଏଥିରେ ଧୋନିଙ୍କର ୩୧ ଓ ମନୀଷଙ୍କ ୩୨ ରନ୍ର ଯୋଗଦାନ ଥିଲା। ଏଥିପୂର୍ବରୁ ଏହି ମ୍ୟାଚ୍ରେ ଲୋକେସ୍ ରାହୁଲ୍ ଓ ଶ୍ରେୟସ ଆୟାରଙ୍କ ମଧ୍ୟରେ ଦ୍ୱିତୀୟ ଓ୍ଵିକେଟ୍ରେ ୬୩ ରନ୍ର ଭାଗୀଦାରି ସର୍ବାଧିକ ଥିଲା। ୨୦୧୫ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଇଥିବା ଏକମାତ୍ର ଟେ୍ଵଣ୍ଟି-୨୦ରେ ଶିଖର ଧାଓ୍ଵନ ଓ ରୋହିତ ଶର୍ମାଙ୍କ ମଧ୍ୟରେ ପ୍ରଥମ ଓ୍ଵିକେଟ୍ରେ ସଂଗ୍ରହ ହୋଇଥିବା ୨୮ ରନ୍ ସର୍ବାଧିକ ଭାଗୀଦାରି ହୋଇଥିଲା।
ରୋହିତଙ୍କ ମାଇଲଖୁଣ୍ଟ
ବାରବାଟୀ ଟେ୍ଵଣ୍ଟି-୨୦ରେ ରୋହିତ ଶର୍ମାଙ୍କ ବ୍ୟାଟ୍ ଗର୍ଜନ କରିବା ପୂର୍ବରୁ ଶାନ୍ତ ହୋଇ ଯାଇଥିଲା। ଚୌକା ଛକା ବର୍ଷା ପାଇଁ ପରିଚିତ ରୋହିତ ମାତ୍ର ୧୭ ରନ୍ କରି ପାରିଥିଲେ। ହେଲେ ତାରି ଭିତରେ ସେ ଏକ ମାଇଲଖୁଣ୍ଟ ଛୁଇଁଥିଲେ। ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ୧୫୦୦ ରନ୍ ପୂରଣ କରିବାରେ ରୋହିତ ଦ୍ୱିତୀୟ ଭାରତୀୟ ଏବଂ ବିଶ୍ୱର ଚର୍ତୁଦଶ ବ୍ୟାଟ୍ସମ୍ୟାନ୍ ହୋଇଥିଲେ। ବାରବାଟୀ ମୁକାବିଲା ପୂର୍ବରୁ ରୋହିତ ୬୮ ମ୍ୟାଚ୍ ଖେଳି ୩୦.୩୦ ହାରରେ ୧୪୮୫ ରନ୍ କରିଥିଲେ। ଏଣୁ ୧୫ ରନ୍ ଛୁଇଁବା ମାତ୍ରେ ସେ ମୋଟ ଉପରେ ୧୫୦୦ ରନ୍ ହାସଲ କରି ନେଇଥିଲେ। ତାଙ୍କ ପୂର୍ବରୁ ନିମୟିତ ଅଧିନାୟକ ବିରାଟ କୋହଲି ପ୍ରଥମ ଭାରତୀୟ ଭାବେ ଅନ୍ତର୍ଜାତୀୟ ଟେ୍ଵଣ୍ଟି-୨୦ରେ ୧୫୦୦ ରନ୍ ଛୁଇଁଥିଲେ। ଟେ୍ଵଣ୍ଟି-୨୦ରେ ସର୍ବାଧିକ ରନ୍ କରିବାର କୀର୍ତ୍ତିମାନ କିନ୍ତୁ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକଲମଙ୍କ ନାଁରେ ରହିଛି। ସେ ୭୧ ମ୍ୟାଚ୍ ଖେଳି ୩୫.୬୬ ହାରରେ ୨୧୪୦ ରନ୍ କରିଛନ୍ତି। କୋହଲି ୫୫ ମ୍ୟାଚ୍ରୁ ୫୨.୮୬ ହାରରେ ୧୯୫୬ ରନ୍ କରିଛନ୍ତି।
ମ୍ୟାଚ୍ ଦେଖିଲେ ରିତିକା
ରୋହିତ ଶର୍ମାଙ୍କ ପତ୍ନୀ ରୀତିକା ସଜ୍ଦେ ବୁଧବାର ଭାରତ-ଶ୍ରୀଲଙ୍କା ଟେ୍ଵଣ୍ଟି-୨୦ ମ୍ୟାଚ ଦେଖିବାକୁ ବାରବାଟୀ ଷ୍ଟାଡିୟମରେ ଉପସ୍ଥିତ ଥିଲେ। ଯଦିଓ ମ୍ୟାଚ୍ରେ ରୋହିତ ମାତ୍ର ୧୭ରନ୍ କରି ଆଉଟ ହୋଇଥିଲେ। ତଥାପି ତାଙ୍କ ପତ୍ନୀ ଭାରତୀୟ ଦଳର ପ୍ରଦର୍ଶନକୁ ମନଭରି ଉପଭୋଗ କରିଥିଲେ। ଏପରିକି ରିତିକାଙ୍କ ଉପସ୍ଥିତି ସାଧାରଣ ଦର୍ଶକଙ୍କ ପାଇଁ ମଧ୍ୟ ଆକର୍ଷଣୀୟ ଥିଲା। ପଡ଼ିଆରେ ଥିବା କିଛି ଦର୍ଶକ ତାଙ୍କ ପାଖକୁ ଆସି ଫଟୋ ଉଠାଉଥିବା ଦେଖିବାକୁ ମିଳିଥିଲା। ଦିନିକିଆ ଶୃଙ୍ଖଳାର ଦ୍ୱିତୀୟ ମ୍ୟାଚ୍ରେ ରୋହିତ ଶର୍ମା ଦ୍ୱିଶତକ ଅର୍ଜନ କରିଥିଲାବେଳେ ରିତିକାଙ୍କ ଉପସ୍ଥିତି ସେତେବେଳେ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏଠାରେ ମଧ୍ୟ ସେଭଳି କିଛି ଧୂଆଁଧାର ସଟ୍ ଦେଖିବାକୁ ଦର୍ଶକମାନେ ଆଶା କରିଥିଲେ ବି ରୋହିତ ଆରମ୍ଭରୁ ଆଉଟ ହୋଇ ପ୍ରଶଂସକଙ୍କୁ ସମାନ୍ୟ ନିରାଶ କରିଥିଲେ।