ଅନ୍ତଃଜିଲ୍ଲା ସାହାଣୀ କପ୍‌ ସେମିରେ କଟକ

ବଲାଙ୍ଗୀର: ଭୁବନେଶ୍ୱର ପରେ ଅନ୍ତଃଜିଲ୍ଲା ସାହାଣୀ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମି ଫାଇନାଲରେ ଦ୍ୱିତୀୟ ଦଳ ଭାବେ କଟକ ପ୍ରବେଶ କରିଛି। କଟକ ଦଳ ବୁଧବାର ଢେଙ୍କାନାଳକୁ ଗୋଟିଏ ଗୋଲ୍‌ରେ ପରାସ୍ତ କରିଛି। କଟକ ପାଇଁ ଶେଖ ମୋଇନ୍‌ ବିଜୟ ସୂଚକ ଗୋଲ୍‌ ଦେଇଥିଲେ। ସେହିପରି ବୁଧବାର ଅନ୍ୟ ଦୁଇଟି ମ୍ୟାଚ୍‌ରେ ଦେବଗଡ଼କୁ ହରାଇ ସମ୍ବଲପୁର ଓ ଫୁଲବାଣୀକୁ ହରାଇ ଅନୁଗୁଳ କ୍ୱାର୍ଟର ଫାଇନାଲରେ ପାଦ ଦେଇଛନ୍ତି। ସଦାଇପାଲି ସାଇଟ ଷ୍ଟାଡିୟମରେ କଟକ ଓ ଢେଙ୍କାନାଳ ମ୍ୟାଚ୍‌ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ପ୍ରଥମାର୍ଧରେ ଗୋଲ୍‌ ଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ହିଁ ଶେଖ ମୋଇନ ମ୍ୟାଚ୍‌ର ଏକମାତ୍ର ଗୋଲ୍‌ଟି କରିଥିଲେ।

ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ସମ୍ବଲପୁର ୬-୦ ଗୋଲ୍‌ରେ ଦେବଗଡ଼କୁ ହରାଇଥିଲା। ଅମର ଲାକ୍ରା ୨ ଓ ସନୁ ହାରୋ ୨ ଲେଖାଏଁ, ଏନ୍‌ ସରଦାର ଓ ଦଶରଥ ମୁଣ୍ଡା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ଟିଟିଲାଗଡ଼ ହାଇସ୍କୁଲ ପଡ଼ିଆରେ ଅନୁଷ୍ଠିତ ପୁଲବାଣୀ ବିପକ୍ଷ ମ୍ୟାଚ୍‌ରେ ଅନ୍ତର୍ଯ୍ୟାମୀ ନାଏକ, ସୁଜିତ ତିର୍କି ଓ ଫ୍ରାନ୍‌ସିସ୍‌ ଲାକ୍ରା ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ଅନୁଗୁଳର ଦଳକୁ ଏକପାଖିଆ ବିଜୟ ଭେଟି ଦେଇଥିଲେ।

ଗୁରୁବାର ବଲାଙ୍ଗୀର ଗାନ୍ଧୀ ଷ୍ଟାଡିୟମରେ ବଲାଙ୍ଗୀର-ସମ୍ବଲପୁର ଏବଂ ଟିଟିଲାଗଡ଼ ହାଇସ୍କୁଲ ପଡ଼ିଆରେ ପାରାଦ୍ୱୀପ ପୋର୍ଟ ଟ୍ରଷ୍ଟ- ଅନୁଗୁଳ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର