ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଅନ୍ତଃବିଶ୍ୱବିଦ୍ୟାଳୟ ପୂର୍ବାଞ୍ଚଳ ଚେସ୍ (ପୁରୁଷ ଓ ମହିଳା) ପ୍ରତିଯୋଗିତା ବୁଧବାର ଉଦ୍ଘାଟିତ ହୋଇଯାଇଛି। କିଟ୍ କ୍ୟାମ୍ପସ୍-୧୫ (ବି)ରେ ଥିବା ଅନ୍ତର୍ଜାତୀୟ ଚେସ୍ ହଲ୍ଠାରେ ଅନୁଷ୍ଠିତ ଏହି ପ୍ରତିିଯୋଗିତାର ପୁରୁଷ ବର୍ଗ ପ୍ରଥମ ରାଉଣ୍ଡ୍ରେ କିଟ୍, କୋଲ୍କାତା, ଯାଦବପୁର, ଉତ୍କଳ, ବନାରସ ହିନ୍ଦୁ, ମଣିପୁର, ପାଟନା ବିଶ୍ୱବିଦ୍ୟାଳୟ ୪-୦ ଲେଖାଏଁରେ ଆଗୁଆ ରହିଛନ୍ତି। ପଣ୍ଡିତ ରବିଶଙ୍କର ଶୁକ୍ଳା ଏବଂ ବର୍ଦ୍ଧମାନ ବିଶ୍ୱବିଦ୍ୟାଳୟ ୩-୧ରେ ଅଗୁଆ ରହିଛନ୍ତି। ସେହିଭଳି ମହିଳାରେ କିଟ୍, କୋଲ୍କାତା, ପାଟ୍ନା, ବିଆର୍ଏ ବିହାର ଏବଂ ପଣ୍ଡିତ ରବିଶଙ୍କର ଶୁକ୍ଲା ବିଶ୍ୱବିଦ୍ୟାଳୟ ୪-୦ରେ ଆଗୁଆ ରହଥିଲା ବେଳେ ସର୍ଗୁଜା ଏବଂ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରଥମ ରାଉଣ୍ଡ୍ ସୁଦ୍ଧା ୩-୧ରେ ଆଗୁଆ ରହିଛି।
ବୁଧବାରର ଉଦ୍ଘାଟନୀ ଉତ୍ସବରେ କିଟ୍ ରେଜିଷ୍ଟ୍ରର୍ ପ୍ରଫେସର ସସ୍ମିତା ସାମନ୍ତ, କ୍ରୀଡ଼ା ନିର୍ଦେଶକ ଡକ୍ଟର ଗଗନେନ୍ଦୁ ଦାଶ ଏବଂ ପ୍ରତିଯୋଗିତାର ମୁଖ୍ୟ ଅର୍ବିଟର ସୁରେଶ ଚନ୍ଦ୍ର ସାହୁ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୨୫ ପୁରୁଷ ଏବଂ ୧୬ ମହିଳା ବିଶ୍ୱବିଦ୍ୟାଳୟ ଦଳ ଅଂଶଗ୍ରହଣ କରିଛନ୍ତି। ମହିଳାରେ କିଟ୍ ଏବଂ ପୁରୁଷରେ କୋଲ୍କାତାକୁ ଶୀର୍ଷ ମାନ୍ୟତା ମିଳିଛି। ଏହି ପ୍ରତିଯୋଗିତା ୭ ରାଉଣ୍ଡ୍ ବିଶିଷ୍ଟ ଖେଳାଯିବାକୁ ଥିଲା ବେଳେ ଶନିବାର ଉଦ୍ଯାପିତ ହେବ।