ବୃତ୍ତିରେ ସେ ଜଣେ ନିର୍ବାଚିତ ପ୍ରତିନିଧି, କିନ୍ତୁ ବୃକ୍ଷରୋପଣ ସାଙ୍ଗକୁ ବିଭିନ୍ନ ପ୍ରକାର ପକ୍ଷୀଙ୍କୁ ପାଳିବା ତାଙ୍କର ନିଶା। ଦେଶବିଦେଶର ବିରଳ ପକ୍ଷୀଙ୍କୁ ସୁରକ୍ଷିତ କରିବା ଦିଗରେ ତାଙ୍କର ବିଶେଷ ଆଗ୍ରହ। ସ୍ବେଚ୍ଛାସେବୀ ସଂଗଠନ ‘ଗ୍ରୀନ୍‌ ୱାର୍ଲଡ୍‌’ ମାଧ୍ୟମରେ ବୃକ୍ଷରୋପଣ ଓ ପକ୍ଷୀ ସୁରକ୍ଷା କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଭୁବନେଶ୍ବରର ବାସିନ୍ଦା ନୃପେଶ ନାୟକ। ଭୁବନେଶ୍ବର ମହାନଗର ନିଗମ ୫୫ ନଂ ୱାର୍ଡର କର୍ପୋରେଟର୍‌ ନୃପେଶ ୨୦୦୫ ମସିହାରୁ ଗଛ ଲଗାଇବା କାମ ଆ‌ରମ୍ଭ କରିଥିଲେ। ‘ଗ୍ରୀନ୍‌ ୱାର୍ଲଡ୍‌’ ଜରିଆରେ ଏପର୍ଯ୍ୟନ୍ତ ପାଖାପାଖି ୬୫ ହଜାର ଗଛ ଲଗାଇ ସାରିଲେଣି ବୋଲି ସେ ଦାବି କରନ୍ତି। ଏହା ଭିତରୁ ପ୍ରାୟ ୮୦ ପ୍ରତିଶତ ହେଉଛି ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ। ଗଛ ବଞ୍ଚିବା ଓ ବଢ଼ିବା ଲାଗି ନିୟମିତ ବ୍ୟବଧାନରେ ସେ ଜଳଦାନ ଓ ଖତ ଦେବା କାମ ମଧ୍ୟ କରୁଛନ୍ତି। ନୃପେଶ ନିଜ ପ୍ରଚେଷ୍ଟାରେ ଓ ନିଜ ରୋଜଗାର ଅର୍ଥରୁ ଗଛ କିଣନ୍ତି। ଏଥିସହ ଗଛକୁ ସୁରକ୍ଷା ଦେବାପାଇଁ ତା’ ଚାରିପଟେ ତାରଜାଲି ଓ ବାଡ଼ ବାନ୍ଧିବାକୁ ବି ଭୁଲନ୍ତି ନାହିଁ। ତାଙ୍କ ସଂଗଠନର ବହୁ କର୍ମକର୍ତ୍ତା ଏହି ମହତ୍‌ କାର୍ଯ୍ୟରେ ଲାଗିଛନ୍ତି।

Advertisment

ଖାଲି ସେତିକି ନୁହେଁ, ବିଦେଶାଗତ ପକ୍ଷୀଙ୍କ ଲାଳନପାଳନ ମଧ୍ୟ କରୁଛନ୍ତି ନୃପେଶ। ୧୯୯୭-୯୮ ମସିହାରୁ ସେ ପକ୍ଷୀ ସଂରକ୍ଷଣ କରିଆସୁଛନ୍ତି। ନିଜ ଘରେ ଏକ ଫାର୍ମ ତିଆରି କରି ସେ ଓଟପକ୍ଷୀ, ଆମେରିକାନ୍‌ ହର୍ଣ୍ଣ ଆଦି ବହିରାଗତ ପକ୍ଷୀଙ୍କୁ ପାଳୁଛନ୍ତି। ୨୦୧୨ରେ ତାଙ୍କ ଗାଁ କୋଣାର୍କ ପାଖରେ ଜମି ନେଇ ସେ ଏକ ପକ୍ଷୀ ପାର୍କ ନିର୍ମାଣ କରିଥିଲେ। ହେଲେ ୨୦୧୯ ମସିହା ଫନି ବାତ୍ୟାରେ ସବୁକିଛି ନଷ୍ଟ ହୋଇଯିବା ପରେ ସେ ପୁଣିଥରେ ଏହି ପାର୍କର ପୁନଃନିର୍ମାଣ ଯୋଜନା କରୁଛନ୍ତି। ସେ ତାଙ୍କ ଘରେ ଥିବା‌ ଫାର୍ମରେ ଭଳିକି ଭଳି ବିରଳ ପକ୍ଷୀ ପାଳିଛନ୍ତି। ପରିବେଶ ସହିତ ଖାପ ଖାଉନଥିବାରୁ କିଛି ପକ୍ଷୀ ମୃତ୍ୟୁମୁଖରେ ପଡୁଛନ୍ତି ଏବଂ କିଛି ଉଡ଼ିଯାଉଛନ୍ତି। ଏଣୁ ତାଙ୍କୁ ବହୁତ କ୍ଷତିର ସାମ୍ନା ମଧ୍ୟ କରିବାକୁ ପଡୁଛି। ଏବେଯାଏ ଚ‌େଢ଼ଇଙ୍କ ମୃତ୍ୟୁ ଯୋଗୁଁ ପାଖାପାଖି ୬୦ ଲକ୍ଷ ଟଙ୍କା କ୍ଷତି ହେଲାଣି ବୋଲି ନୃପେଶ କହନ୍ତି। ଅାଗକୁ ସେ ଏକ ବଡ଼ ଫାର୍ମ ନିର୍ମାଣ କରି ବିରଳ ପଶୁ ଓ ପକ୍ଷୀଙ୍କ ସଂରକ୍ଷଣ କରିବାକୁ ଆଶା ରଖିଛନ୍ତି। ଏଥିପାଇଁ ନୃପେଶ ସରକାରଙ୍କୁ ସହାୟତା ଲାଗି ବିଭିନ୍ନ ପ୍ରସ୍ତାବ ଦେଇଛନ୍ତି।