ବୁଦାପେଷ୍ଟ: ଘରୋଇ ପଡ଼ିଆରେ ହଙ୍ଗେରି ଚଳିତ ୟୁରୋ ୨୦୨୦ରେ ବିଶ୍ବ ବିଜେତା ଫ୍ରାନ୍ସକୁ ଅଟକାଇ ଦେଇଛି। ଶନିବାର ସ୍ଥାନୀୟ ଫେରେଙ୍କ ପୁସ୍କାସ ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍- ଏଫ୍’ର ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଛନ୍ତି। ପ୍ରଥମ ମ୍ୟାଚ୍ରେ ପର୍ତ୍ତୁଗାଲଠୁ ହାରିଥିବା ହଙ୍ଗେରି ଘରୋଇ ଦର୍ଶକଙ୍କ ସମ୍ମୁଖରେ ଫ୍ରାନ୍ସକୁ କଡ଼ା ଟକ୍କର ଦେଇ ପ୍ରଥମାର୍ଦ୍ଧର ଇନ୍ଜୁରି ସମୟରେ ଅଗ୍ରଣୀ ନେବାକୁ ସକ୍ଷମ ହୋଇଥିଲା। ସାଲାଇଙ୍କ ସୁନ୍ଦର ପାସ୍କୁ ଆତିଲା ଫିଓଲା (୪୫+୨ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ଏହି ମହତ୍ବପୂର୍ଣ୍ଣ ଅଗ୍ରଣୀ ଦେଇଥିଲେ। ଏହା ପିଓଲାଙ୍କ ଦ୍ବିତୀୟ ଅନ୍ତର୍ଜାତୀୟ ଗୋଲ୍ ଥିଲା। ହେଲେ ଦ୍ବିତୀୟାର୍ଦ୍ଧରେ ଏମ୍ବାପେଙ୍କ ପାସ୍କୁ ସଫଳତା ସହ ଗୋଲ୍ ପୋଷ୍ଟ୍କୁ ପଠାଇ ଆଣ୍ଟିନୋ ଗ୍ରିଜ୍ମାନ୍ (୬୬ ମିନିଟ୍) ହଙ୍ଗେରି ସ୍ଥିତି ବରାବର କରିଦେଇଥିଲେ।
ଇଂଲଣ୍ଡ-ସ୍କଟ୍ଲାଣ୍ଡ ଗୋଲ୍ ଶୂନ୍ୟ, ଚେକ୍କୁ ରୋକିଲା କ୍ରୋଏସିଆ
ଲଣ୍ଡନ: ସ୍ଥାନୀୟ ୱିମ୍ବଲ୍ ଷ୍ଟାଡିୟମରେ ଶୁକ୍ରବାର ବିଳମ୍ବିତ ରାତିରେ ଇଂଲଣ୍ଡ ଓ ସ୍କଟ୍ଲାଣ୍ଡ ମଧ୍ୟରେ ଖେଳାଯାଇଥିବା ୟୁରୋ ୨୦୨୦ ମ୍ୟାଚ୍ ଗୋଲ୍ ଶୂନ୍ୟ ଭାବେ ଅମୀମାଂସିତ ରହିଛି। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ୍ରେ ସନ୍ତୁଷ୍ଟ ରହିଥିଲେ। ମ୍ୟାଚ୍ର ଦ୍ୱାଦଶ ମିନିଟରେ ସ୍କଟ୍ଲାଣ୍ଡର ଷ୍ଟିଫେନ୍ ଓ’ଡୋନେଲ ଓ ଜୋର୍ଡାନ ପିକଫୋର୍ଡ ଏକ ସୁଯୋଗ ପାଇଥିଲେ। ହେଲେ ଇଂଲଣ୍ଡ ଡିଫେଣ୍ଡର ଜନ୍ ଷ୍ଟୋନ୍ସ ହେଡର୍ ଜରିଆରେ ଏମାନଙ୍କ ପ୍ରୟାସକୁ ବୃଥା କରିଦେଇଥିଲେ। ସେହିପରି ୭୮ତମ ମିନିଟ୍ରେ ଇଂଲଣ୍ଡ ଷ୍ଟ୍ରାଇକର ଚେ ଆଦାମସ ସୁଯୋଗ ସୃଷ୍ଟି କରିଥିଲେ। ଏହାକୁ ସ୍କଟ୍ଲାଣ୍ଡ ଗୋଲ୍ ରକ୍ଷକ ଡେଭିଡ ମାର୍ସଲ ଅଟକାଇ ଦେଇଥିଲେ। ଉଭୟ ଦଳ ଗୋଲ୍ ଲାଗି ଶେଷ ପର୍ଯ୍ୟନ୍ତ ସଂଘର୍ଷ କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଫଳରେ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଥିଲା।
ଏହି ଅମୀମାଂସିତ ମ୍ୟାଚ୍ରୁ ୧ ପଏଣ୍ଟ ପାଇ ଇଂଲଣ୍ଡ (୪) ଗ୍ରୁପ୍ -ଡି’ରେ ଚେକ୍ ଗଣରାଜ୍ୟ (୪) ସହ ମିଳିତ ଭାବେ ଶୀର୍ଷରେ ରହି ନକ୍ଆଉଟ୍ ଖେଳିବା ଆଶା ଉଜ୍ଜୀବୀତ ରଖିଛି। ଅନ୍ୟପକ୍ଷରେ ସ୍କଟ୍ଲାଣ୍ଡ ପଏଣ୍ଟ୍ ଖାତା ଖୋଲି କ୍ରୋଏସିଆ (୧) ସହ ଶେଷ ସ୍ଥାନରେ ରହିଛି। ମଙ୍ଗଳବାର ଇଂଲଣ୍ଡ-ଚେକ୍ ଗଣରାଜ୍ୟ ଏବଂ ସ୍କଟ୍ଲାଣ୍ଡ-କ୍ରୋଏସିଆ ମଧ୍ୟରେ ମ୍ୟାଚ୍ ଖେଳାଯିବ।
ଗ୍ଲାସ୍ଗୋ: ଚଳିତ ୟୁରୋ ୨୦୨୦ର ସ୍ଥାନୀୟ ହାମ୍ପଡେନ୍ ପାର୍କରେ ଖେଳାଯାଇଥିବା ଶୁକ୍ରବାରର ଦ୍ବିତୀୟ ମ୍ୟାଚ୍ରେ ଚେକ୍ ଗଣରାଜ୍ୟର ଦ୍ବିତୀୟ ବିଜୟକୁ ରୋକିଦେଇଛି କ୍ରୋଏସିଆ। ଏହି ମ୍ୟାଚ୍ ୧-୧ ଗୋଲ୍ରେ ଅମୀମାଂସିତ ଭାବେ ଶେଷ ହୋଇଛି। ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ୍ ଦେବାକୁ ସକ୍ଷମ ହୋଇଥିଲେ। ପ୍ରଥମାର୍ଦ୍ଧରେ ଚେକ୍ ଗଣରାଜ୍ୟକୁ ମିଳିଥିବା ପେନାଲ୍ଟିକୁ ପ୍ରତୀକ ଶ୍ଚିକ (୩୭ ମିନିଟ୍) ଗୋଲ୍ରେ ପରିଣତ କରି ଦଳକୁ ଅଗ୍ରଣୀ ଦେଇଥିଲେ। ହେଲେ ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ଏହି ଗୋଲ୍ଟି ଇଭାନି ପେରିସିକ (୪୭ ମିନିଟ୍) ଶୁଝି କ୍ରୋଏସିଆ ସ୍ଥିତି ବରାବର କରି ଦେଇଥିଲେ। ଫଳରେ ଉଭୟ ଦଳ ପଏଣ୍ଟ ବାଣ୍ଟିଥିଲେ। ପ୍ରଥମ ମ୍ୟାଚ୍ରେ ୦-୧ ଗୋଲ୍ରେ ଇଂଲଣ୍ଡଠୁ ହାରିଥିବା କ୍ରୋଏସିଆ ଏହି ଅମୀମାଂସିତ ମ୍ୟାଚ୍ରୁ ଏକ ପଏଣ୍ଟ୍ ପାଇ ଖାତା ଖୋଲିଥିଲା ବେଳେ ସୋମବାର ନିଜର ପ୍ରଥମ ମ୍ୟାଚ୍ରେ ସ୍କଟ୍ଲାଣ୍ଡକୁ ୨-୦ ଗୋଲ୍ରେ ହରାଇଥିବା ଚେକ୍ ଗଣରାଜ୍ୟ ମୋଟ ୪ ପଏଣ୍ଟ୍ ସହ ଗ୍ରୁପ୍-ଡି’ର ଶୀର୍ଷକୁ ଉଠିଛି।