ୟୁରୋର ସର୍ବକାଳୀନ ଗୋଲ୍‌ ସ୍କୋରର୍‌, ପ୍ଲାଟିନିଙ୍କୁ ଟପିଲେ ରୋନାଲ୍‌ଡୋ

ବୁଦାପେଷ୍ଟ: ପର୍ତ୍ତୁଗାଲ ତାରକା କ୍ରିଷ୍ଟିଆନୋ ରୋନାଲ୍‌ଡୋ ୟୁରୋପୀୟ ପ୍ରତିଯୋଗିତା ଇତିହାସରେ ସର୍ବକାଳନୀନ ଗୋଲ୍‌ ସ୍କୋରର୍‌ ହେବାର ଗୌରବ ଅର୍ଜନ କରିଛନ୍ତି।‌ ମଙ୍ଗଳବାର ହଙ୍ଗେରି ବିପକ୍ଷ ୟୁରୋ ୨୦୨୦ ଗ୍ରୁପ୍‌ ଏଫ୍‌ ମ୍ୟାଚ୍‌ରେ ସେ ଦୁଇଟି ଗୋଲ୍‌ ଦେଇ ଏହି କୀର୍ତ୍ତିମାନର ଅଧିକାରୀ ହୋଇଥିଲେ। ତାଙ୍କ ଯୁଗଳ ଗୋଲ୍‌ ବଳରେ ପର୍ତ୍ତୁଗାଲ୍‌ ୩-୦ରେ ହଙ୍ଗେରିକୁ ପରାସ୍ତ କରିଥିଲା। ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ୨୦୦୩ରେ ପଦାର୍ପଣ କରିଥିବା ରୋନାଲ୍‌ଡୋ ୟୁରୋରେ ୯ ଗୋଲ୍‌ ସହ ଫ୍ରାନ୍ସର ମିଚେଲ ପ୍ଲାଟିନିଙ୍କ ସମକକ୍ଷ ଥିଲେ। ୨୦୦୪ ୟୁରୋରେ ପ୍ରଥମ ଗୋଲ୍‌ ମାରିଥିବା ୩୬ ବର୍ଷୀୟ ରୋନାଲ୍ଡୋ‌ ମଙ୍ଗଳବାର ମ୍ୟାଚ୍‌ ପରେ ନିଜ ୟୁରୋ ଗୋଲ୍‌ ସଂଖ୍ୟା ୧୧ରେ ପହଞ୍ଚାଇଛନ୍ତି। ଫଳରେ ସେ ପ୍ଲାଟିନିଙ୍କୁ ପଛରେ ପକାଇଦେଇଛନ୍ତି। ପ୍ଲାଟିନି ଏହି ସମସ୍ତ ଗୋଲ୍‌ ୧୯୮୪ ମସିହାରେ ନିଜ ‌ଘରୋଇ ମାଟିରେ କରିଥିଲେ। ସଂପ୍ରତି ରୋନାଲ୍‌ଡୋ (୧୦୬) ନିଜ ଦେଶର ସର୍ବାଧିକ ଗୋଲ୍‌ ସ୍କୋରର୍‌ ହୋଇଥିଲା ବେଳେ ଅନ୍ତର୍ଜାତୀୟସ୍ତରରେ ସର୍ବାଧିକ ଗୋଲ୍‌ ସ୍କୋରର୍‌ ତାଲିକାର ଶୀର୍ଷରେ ଥିବା ଇରାନ୍‌ର ଅଲି ଦାଇ (୧୦୯)ଙ୍କଠୁ ୩ ପଛରେ ରହିଛନ୍ତି।

ସମ୍ବନ୍ଧିତ ଖବର