ୟୁରୋ କପ୍‌: କ୍ବାର୍ଟରରେ ଚେକ୍‌ ଓ ଇଟାଲି; ନେଦରଲାଣ୍ଡ୍‌, ଅଷ୍ଟ୍ରିଆ ବିଦା

ବୁଦାପେଷ୍ଟ: ଚଳିତ ୟୁରୋ କପ୍‌ର ତୃତୀୟ ଦଳ ଭାବେ ଚେକ୍‌ ଗଣରାଜ୍ୟ କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ରବିବାର ସ୍ଥାନୀୟ ପୁସ୍କାସ ଏରିନାରେ ଖେଳାଯାଇଥିବା ପ୍ରିକ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ୨-୦ ଗୋଲ୍‌ରେ ନେଦରଲାଣ୍ଡ୍ସକୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ମ୍ୟାଚ୍‌ର ପ୍ରଥମାର୍ଦ୍ଧ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ଉଭୟ ଦଳ ଗୋଲ୍‌ ଦେବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ଫଳରେ ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ଶେଷ ହୋଇଥିଲା। ପୁଣି ୫୫ତମ ମିନିଟ୍‌ରେ ନେଦରଲାଣ୍ଡ୍ସର ମାଥିସ ଡି’ଲାଇଟ୍‌ ରେଡ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିଥିଲେ। ଏହି ରେଡ୍‌ କାର୍ଡ ଯୋଗୁଁ ନେଦରଲାଣ୍ଡ୍ସ ଅବଶିଷ୍ଟ ସମୟ ୧୦ ଜଣଙ୍କୁ ନେଇ ଖେଳିଥିଲା। ଏହାର ସୁଯୋଗ ନେଇ ଥୋମାସ ହୋଲ୍ସ (୬୮ ମିନିଟ୍‌) ଏବଂ ପାଟ୍ରିକ ଶ୍ଚିକ୍‌ (୮୦ ମିନିଟ୍‌) ଗୋଟିଏ ଲେଖାଁଏ ଗୋଲ୍‌ ଦେଇ ଚେକ୍‌ ଗଣରାଜ୍ୟକୁ ବିଜୟ ଭେଟି ଦେଇଥିଲେ। ଚେକ୍‌ ଗଣରାଜ୍ୟ ଜୁଲାଇ ୩ ତାରିଖରେ ଖେଳାଯିବାକୁ ଥିବା କ୍ବାର୍ଟର ଫାଇନାଲ୍‌ରେ ଡେନ୍‌ମାର୍କକୁ ଭେଟିବ।

ଲଣ୍ଡନ: ଡେନ୍‌ମାର୍କ ପରେ ଚଳିତ ୟୁରୋ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଦ୍ବିତୀୟ ଦଳ ଭାବେ ଇଟାଲି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛି। ଶନିବାର ବିଳମ୍ବିତ ରାତିରେ ୱିମ୍ବଲ୍‌ରେ ଖେଳାଯାଇଥିବା ଦ୍ବିତୀୟ ପ୍ରିକ୍ବାର୍ଟର ଫାଇନାଲ୍‌ରେ ଇଟାଲି ୨-୧ ଗୋଲ୍‌ରେ ଅଷ୍ଟ୍ରିଆକୁ ପରାସ୍ତ କରିଥିଲା। କଡ଼ା ସଂଘର୍ଷପୂର୍ଣ୍ଣ ଏହି ପ୍ରିକ୍ବାର୍ଟର ଫାଇନାଲ୍‌ର ନିର୍ଦ୍ଧାରିତ ସମୟରେ କୌଣସି ଦଳ ଗୋଲ୍‌ କରିବାକୁ ସକ୍ଷମ ହୋଇନଥିଲେ। ଫଳରେ ଫଳାଫଳ ପାଇଁ ଅତିରିକ୍ତ ସମୟର ସାହାଯ୍ୟ ନିଆଯାଇଥିଲା। ଏଥିରେ ଇଟାଲି ୨ଟି ଗୋଲ୍‌ ଦେଇ ବିଜୟୀ ହୋଇଥିଲା ‌ବେଳେ ଅଷ୍ଟ୍ରିଆ ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲା। ଇଟାଲି ପକ୍ଷରୁ ଫେଡେରିକୋ ଚିସା ( ୯୫ ମିନିଟ୍‌) ଏବଂ ମାତିଓ ପେସିନା (୧୦୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଅଷ୍ଟ୍ରିଆର ସାସା କାଲାଜିକ୍‌ (୧୧୪ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝିଥିଲେ। ଏହି ବିଜୟ ସହ ଇଟାଲି ୩୧ ମ୍ୟାଚ୍‌ରେ ଅପରାଜେୟ ରହି ନୂଆ ଜାତୀୟ କୀର୍ତ୍ତିମାନ ରଚିଥିଲା। କ୍ବାର୍ଟର ଫାଇନାଲ୍‌ରେ ଏହି ଦଳ ପର୍ତ୍ତୁଗାଲ ଓ ବେଲ୍‌ଜିୟମ ମଧ୍ୟରେ ଖେଳାଯିବାକୁ ଥିବା ପ୍ରିକ୍ବାର୍ଟର ଫାଇନାଲ୍‌ ବିଜେତାକୁ ଭେଟିବ।

ସମ୍ବନ୍ଧିତ ଖବର