ୟୁରୋ କପ୍, ଫିନଲାଣ୍ଡ୍‌ର ପଦାର୍ପଣ ବିଜୟ

ରୁଷିଆକୁ ହରାଇଲା ବେଲ୍‌ଜିୟମ୍‌, ଇଂଲଣ୍ଡକୁ ରହିମ ଦେଲେ ରୋମାଞ୍ଚକ ବିଜୟ

‌କୋପେନହାଗେନ: ଶନିବାର ରାତିର ଘଟଣାବହୁଳ ଡେନ୍‌ମାର୍କ ବିପକ୍ଷ ମ୍ୟାଚ୍‌ରେ ଫିନଲାଣ୍ଡ୍ ବିଜୟୀ ହୋଇଛି। ଏଥି ସହ ୟୁରୋ କପ୍ ପଦାର୍ପଣ ମ୍ୟାଚ୍‌କୁ ଫିନଲାଣ୍ଡ୍ ସ୍ମରଣୀୟ କରିଛି। ଡେନମାର୍କର କ୍ରିଷ୍ଟିଆନ୍‌ ଏରିକସନ୍‌ଙ୍କ ଅଚେତ ପାଇଁ ୪୫ ମିନିଟ୍ ଅଟକିବା ପରେ ଏହି ମ୍ୟାଚ୍‌ ଖେଳାଯାଇଥିଲା। ସେ ଘଟଣା ପର୍ଯ୍ୟନ୍ତ (୪୨ ମିନିଟ) ପର୍ଯ୍ୟନ୍ତ ଗୋଲଶୂନ୍ୟ ରହିଥିଲା। ହସ୍ପିଟାଲରେ ଏରିକସନଙ୍କ ଚେତା ଫେରିବାରୁ ଉଭୟ ଦଳ ଖେଳିବାକୁ ରାଜି ହୋଇଥିଲେ। ଜୋଏଲ୍ ପଜାପାଲୋଙ୍କ ହେଡର୍‌ ଜରିଆରେ ଫିନଲାଣ୍ଡ୍‌ ବିଜୟୀ ହୋଇଥିଲା। ଦ୍ବିତୀୟାର୍ଧରେ ଉଭୟ ଦଳ ଲଗାତାର ପରିବର୍ତନ କରି ମ୍ୟାଚ୍‌ ଖେଳିଥିଲେ ମଧ୍ୟ କାହାରିକୁ ବିଶେଷ ଫାଇଦା ହୋଇନଥିଲା। ତେବେ ଡେନମାର୍କକୁ ମିଳିଥିବା ପେନାଲଟି ବେକାର ଯିବାରୁ ଏହା ପଏଣ୍ଟ ହାତେଇବାରୁ ବଞ୍ଚିତ ରହିଥିଲା। ପଲସନଙ୍କୁ ପାଦରେ ଅଟକାଇବାରୁ ଡେନମା‌ର୍କକୁ ପେନାଲଟି ମିଳିଥିଲା। କିନ୍ତୁ ଶନିବାର ଡେନମାର୍କର ଭାଗ୍ୟ ସାଥ୍‌ ଦେଉନଥିବା‌ ଭଳି ଏହା ବେକାର ଯାଇଥିଲା। ସ୍ପଟ୍‌ରୁ ହବର୍ଗଙ୍କ ସଟ୍‌କୁ ଫିନଲାଣ୍ଡର ହ୍ରାଦେକି ରୋକି ଦେଇଥିଲେ। ଅବଶ୍ୟ ଏହା ଦୁର୍ବଳ ଥିଲା। ହ୍ରାଦେକି କିନ୍ତୁ ନାୟକ ପାଲଟିଯାଇଥିଲେ।

ରୁଷିଆକୁ ହରାଇଲା ବେଲ୍‌ଜିୟମ୍‌
‌ସେଣ୍ଟ୍ ପିଟର୍ସବର୍ଗ: ଶନିବାର ବିଳମ୍ବିତ ରାତିରେ ଖେଳାଯାଇଥିବା ୟୁରୋ କପ୍‌ର ଗ୍ରୁପ୍‌ ‘ବି’ର ଏକ ମ୍ୟାଚ୍‌ରେ ଘ‌ରୋଇ ରୁଷିଆକୁ ବେ‌ଲଜିୟମ୍‌ ଏକତରଫା ଭାବେ ୩-୦ରେ ହରାଇ ଦେଇଛି। ତାରକା ଖେଳାଳି ରୋମେଲୁ ଲୁକାକୁ (୧୦ ଓ ୮୮) ଯୁଗଳ ଗୋଲ୍‌ ଦେଇଥିବା ବେଳେ ଥମାସ ମିଉନିର୍‌ (୩୪) ଗୋଟିଏ ଗୋଲ୍‌ ଦେଇଥିଲେ। ପ୍ରଥମାର୍ଧରେ ୨-୦ରେ ଆଗୁଆ ରହିବା ପରେ ଲୁକାକୁଙ୍କ ଦ୍ବିତୀୟ ଗୋଲ୍‌ ବେଲଜିୟମ୍‌କୁ ସମ୍ପୂର୍ଣ୍ଣ ପଏଣ୍ଟ୍ ଅର୍ଜନ କରାଇଥିଲା। ମ୍ୟାଚ୍‌ ସାରା ବେଲଜିୟମ୍‌ ପ୍ରାଧାନ୍ୟ ବିସ୍ତାର କରିଥିଲା। ବଲ୍ ନିୟନ୍ତ୍ରଣ (୬୭-୩୩ %), ପାସ୍‌ (୭୨୧-୩୫୪), ସଫଳ ପାସ୍ (୮୯-୧୧%), ଗୋଲ୍‌ରେ ସଟ୍‌ (୯-୫), ଟାର୍ଗେଟରେ ସଟ୍ (୪-୧) ଆଦିରେ ବେଲଜିୟମ ମଧ୍ୟ ରୁଷିଆକୁ ବହୁ ପଛରେ ପକାଇଥିଲା। ମ୍ୟାଚ୍‌ରେ ମଧ୍ୟ ଗୋଟିଏ ବି କାର୍ଡ (ହଳଦିଆ/ଲାଲ୍) ବ୍ୟବହାର ଦେଖିବାକୁ ମିଳିନଥିଲା।

ଏରିକସନ ଏବେ ବି ହସ୍ପିଟାଲ୍‌ରେ

କୋପେନହାଜେନ: ଚଳିତ ୟୁରୋ କପ୍‌ରେ ଶନିବାର ରାତିରେ ଫିନଲାଣ୍ଡ୍ ବିପକ୍ଷ ମ୍ୟାଚ୍‌ ବେଳେ ପଡ଼ିଆ ଭିତରେ ଅଚେତ ହୋଇପଡ଼ିଥିବା ଡେନମାର୍କ ଖେଲାଳି କ୍ରିଷ୍ଟିଆନ୍‌ ଏରିକସନ୍‌ ଏବେ ବି ହସ୍ପିଟାଲରେ ରହିଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାନିସ୍ ଫୁଟବଲ୍ ଆସୋସିଏସନ୍‌ ପକ୍ଷରୁ କୁହାଯାଇଛି। ଆଜି ସକାଳେ ଆମେ ଏରିକସନ୍‌ଙ୍କ ସହ କଥା ହୋଇଛୁ, ସେ ମଧ୍ୟ ସାଥି ଖେଳାଳିମାନଙ୍କ ନିକଟକୁ ଶ‌ୁଭେଛା ଜଣାଇଥିଲେ। ତାଙ୍କ ଅବସ୍ଥା ସ୍ଥିର ରହିଛି ଏବଂ ଅଧିକ କିଛି ପରୀକ୍ଷଣ ପାଇଁ ସେ ଡାକ୍ତରଖାନାରେ ରହିବେ ବୋଲି ଡାନିଶ ଏଫ୍‌ଏ ପକ୍ଷରୁ ଟ୍ବିଟର୍‌ ଜରିଆରେ କୁହାଯାଇଛି।

ଶନିବାର ରାତିର ଦ୍ବିତୀୟ ମ୍ୟାଚ୍‌ର ୪୨ତମ ମିନିଟରେ ୨୯ ବର୍ଷୀୟ ଏରିକସନ୍‌ ଡେନମାର୍କ ‌‌‌‌ଥ୍ରୋ ଇନ୍‌ ପଟରେ ହଠାତ ଅଚେତ ହୋଇପଡ଼ିଥିଲେ। ୧୦ ମିନିଟ୍‌ ଧରି ତାଙ୍କୁ ସିପିଆର୍‌ ଦିଆଯିବା ପରେ ପରିସ୍ଥିତିରେ ଉନ୍ନତି ନହେବାରୁ ତାଙ୍କୁ ହସପିଟାଲ୍‌ ନିଆଯାଇଥିଲା। ଏରିକସନଙ୍କ ଦ୍ରୁତ ଆରୋଗ୍ୟ କାମନା କରିଥିବାରୁ ତାଙ୍କ ସାଥି ଖେଳାଳି, ପ୍ରଶଂସକ, ଡେନମାର୍କ ଓ ଇଂଲଣ୍ଡର ରାଜ ପରିବାର, ଅନ୍ତର୍ଜାତୀୟ ସଂଘ ଏବଂ କ୍ଲବ୍‌ଗୁଡିକୁ ଡାନିଶ୍ ଏଫ୍‌ଏ ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଏରିକସନ୍‌ଙ୍କ ଅଚେତ ପରେ ମ୍ୟାଚ୍‌କୁ ସ୍ଥଗିତ ଘୋଷଣା କରାଯାଇଥିଲେ ମଧ୍ୟ ୪୫ ମିନିଟ୍ ପରେ ଖେଳାଯାଇଥିଲା। ସେଥିରେ ଫିନ୍‌ଲାଣ୍ଡ ୧-୦ ଗୋଲ୍‌ରେ ବିଜୟୀ ହୋଇଥିଲା।

ଇଂଲଣ୍ଡକୁ ରହିମ ଦେଲେ ରୋମାଞ୍ଚକ ବିଜୟ

ୱେମ୍ବଲି: ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତାର ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ୧-୦ ଗୋଲ୍‌ରେ କ୍ରୋଏସିଆକୁ ପରାସ୍ତ କରି ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ରହିଥିବା ଏହି ମ୍ୟାଚ୍‌ର ପ୍ରଥମ ୪୫ ମିନିଟ୍‌ ଖେଳରେ ଉଭୟ ଦଳ କେହି କାହରିକୁ ‌‌ଗୋଲ୍ ଦେଇ ପାରି ନଥିଲେ। ହେଲେ ଦ୍ବିତୀୟାର୍ଦ୍ଧର ଦ୍ବାଦଶ ମିନିଟ୍‌ରେ ରହିମ ଷ୍ଟର୍ଲିଂ ମ୍ୟାଚ୍‌ର ପ୍ରଥମ ଓ ଏକମାତ୍ର ଗୋଲ୍ ଦେଇ ଇଂଲଣ୍ଡକୁ ଆଗୁଆ କରି ଦେଇଥିଲେ। କ୍ରୋଏସିଆ ଶେଷ ପର୍ଯ୍ୟନ୍ତ ଲଢ଼ିବା ସତ୍ତ୍ବେ ଏହି ଗୋଲ୍‌ଟିକୁ ଶୁଝି ପାରିନଥିଲା। ଫଳରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରି ୩ ବହୁମୂଲ୍ୟ ପଏଣ୍ଟ୍‌ ଅର୍ଜନ କରିଥିଲା। ଅନ୍ୟ ପକ୍ଷରେ କ୍ରୋଏସିଆ ପରାଜୟରୁ ତାର ଅଭିଯାନ ଆରମ୍ଭ କରିଥିଲା। ୱେମ୍ବଲି ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଏହି ମ୍ୟାଚ୍ ୟୁରୋକପ୍‌ର ଚଳିତ ସଂସ୍କରଣର ଅନ୍ୟତମ ରୋମାଞ୍ଚକର ମୁକାବିଲା ଥିଲା।

ପର୍ତ୍ତୁଗାଲର କା‌ନସେଲୋ ୟୁରୋରୁ ବିଦା
ଲିସବନ୍‌: ଚଳିତ ୟୁରୋ କପ୍‌ରେ ଦଳର ଅଭିଯାନ ଆରମ୍ଭ ପୂର୍ବରୁ ପର୍ତ୍ତୁଗାଲର ଜୋଆଓ କାନସେଲୋ କୋଭିଡ୍‌ ପରୀକ୍ଷଣରେ ପଜିଟିଭ୍ ଆସିବାରୁ ୟୁରୋ-୨୦୨୦ରୁ ସମ୍ପୂର୍ଣ୍ଣ ବାଦ୍‌ ପଡ଼ିଛନ୍ତି। ମ‌ାଞ୍ଚେଷ୍ଟର୍‌ ସିଟିର ରାଇଟବ୍ୟାକ୍‌ ଡିଏଗୋ ଡାଲଟ୍‌ ତାଙ୍କ ସ୍ଥାନରେ ପର୍ତ୍ତୁଗାଲ୍‌ ଦଳରେ ସାମିଲ ହୋଇଛନ୍ତି। ପର୍ତ୍ତୁଗାଲ୍ ନିଜର ପ୍ରଥମ ଗ୍ରୁପ୍‌ ଏଫ୍‌ ମ୍ୟାଚ୍‌ ମଙ୍ଗଳବାର ‌ହଙ୍ଗେରି ବିପକ୍ଷରେ ବୁଦାପେଷ୍ଟରେ ଖେଳିବ।

ସମ୍ବନ୍ଧିତ ଖବର