ୟୁରୋ କପ୍‌ ଫୁଟ୍‌ବଲ, ପ୍ରିକ୍ବାର୍ଟରରେ ଡେନ୍‌ମାର୍କ, ବେଲ୍‌ଜିୟମ

ଶ୍ରେଷ୍ଠ ତୃତୀୟ ଦଳ ଭାବେ ନକ୍‌ଆଉଟ୍‌ ଗଲା ସ୍ବିଜରଲାଣ୍ଡ

ସେଣ୍ଟ୍‌ ପିଟର୍ସବର୍ଗ/କୋପେନହାଗେନ: ବେଲ୍‌ଜିୟମ ଓ ଡେନ୍‌ମାର୍କ ଗ୍ରୁପ୍‌-ବି’ର ଶୀର୍ଷ ଦୁଇ ସ୍ଥାନରେ ରହି ଚଳିତ ୟୁରୋ କପ୍‌ ଫୁଟ୍‌ବଲ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ମଙ୍ଗଳବାର ଖେଳାଯାଇଥିବା ଶେଷ ଲିଗ୍‌ ମ୍ୟାଚ୍‌ରେ ବେଲ୍‌ଜିୟମ ୨-୦ ‌ଗୋଲ୍‌ରେ ଫିନ୍‌ଲାଣ୍ଡକୁ ଏବଂ ଡେନ୍‌ମାର୍କ ୪-୧ ଗୋଲ୍‌ରେ ରୁଷିଆକୁ ପରାସ୍ତ କରିଥିଲା। ବେଲ୍‌ଜିୟମ (୯ ପଏଣ୍ଟ୍‌) ୩ ମ୍ୟାଚ୍‌ରୁ ୩ ଜିତି ଅପରାଜେୟ ସହ ଗ୍ରୁପ୍‌ ବିଜେତା ହୋଇଥିଲା। ଅନ୍ୟପକ୍ଷରେ ଡେନ୍‌ମାର୍କ (୩ ପଏଣ୍ଟ୍‌)ର ଏହା ପ୍ରଥମ ବିଜୟ ହୋଇଥିଲେ ମଧ୍ୟ ଏହାର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଫିନ୍‌ଲାଣ୍ଡ (୩ ପଏଣ୍ଟ୍‌)ର ପରାଜୟ ଯୋଗୁଁ ଦଳ ଦ୍ବିତୀୟକୁ ଉନ୍ନତୀ ହୋଇ ନକ୍‌ଆଉଟ୍‌ ସ୍ଥାନ ନିଶ୍ଚିତ କରିଥିଲା। ରୁଷିଆ (୩ ପଏଣ୍ଟ୍‌) ‌ଶେଷ ସ୍ଥାନରେ ରହି ପ୍ରତିଯୋଗିତାରୁ ବିଦାୟ ନେଇଥିଲା। ଏହି ୩ ଦଳ ସମାନ ଲେଖାଏଁ ପଏଣ୍ଟ୍‌ ପାଇଥିଲେ ମଧ୍ୟ ଗୋଲ୍‌ ବ୍ୟବଧାନରେ ଡେନ୍‌ମାର୍କ ଆଗରେ ରହିଥିଲା।

ରୁଷିଆର ସେଣ୍ଟପିଟର୍ସବର୍ଗରେ ଖେଳାଯାଇଥିବା ବେଲ୍‌ଜିୟମ-ଫିନ୍‌ଲାଣ୍ଡ ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟରେ ‌ଶେଷ ହୋଇଥିଲା। ହେଲେ ୭୪ତମ ମିନିଟ୍‌ରେ ‌ଫିନ୍‌ଲାଣ୍ଡର ଲୁକାସ ରାଡିକ୍‌ଙ୍କ ଆତ୍ମଘାତୀ ଗୋଲ୍‌ ବଳରେ ବେଲ୍‌ଜିୟମ ଅଗ୍ରଣୀ ନେଇଥିଲା। ବେଲ୍‌ଜିୟମର ରୋମେଲୁ ଲୁକାକୁ (୮୨ ମିନିଟ୍‌)ଙ୍କ ଗୋଲ୍‌ ବଳରେ ଦଳ ୨-୦ରେ ବିଜୟୀ ହୋଇ ପୂରା ୩ ପଏଣ୍ଟ୍‌ କରାୟତ୍ତ କରିଥିଲା।

କୋପେନ୍‌ହାଗେନର ପାର୍କେନ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ର ୩୮ତମ ମିନିଟ୍‌ରେ ଘରୋଇ ଦଳ ମିକେଲ ଡାମସଗାର୍ଡଙ୍କ ଗୋଲ୍‌ରେ ରୁଷିଆ ବିପକ୍ଷରେ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ୟୁସୁଫ ପୌଲସେନ (୫୯ ମିନିଟ୍‌) ଡେନ୍‌ମାର୍କକୁ ୨-୦ରେ ଆଗୁଆ କରିଥଲେ। ହେଲେ ୭୦ତମ ମିନିଟ୍‌ରେ ରୁଷିଆକୁ ମିଳିଥିବା ପେନାଲ୍‌ଟିକୁ ଆର୍ତିଓମ ଜୁବା ଗୋଲ୍‌ରେ ପରିଣତ କରି ଏହା ମଧ୍ୟରୁ ଗୋଟିଏ ଶୁଝି ଦେଇଥିଲେ। ଆଣ୍ଡ୍ରିସ କ୍ରିଷ୍ଟେନସେନ (୭୯ ମିନିଟ୍‌) ଏବଂ ଜୋଆକିମ ‌ମାହଲେ (୮୨ ମିନିଟ୍‌) ‌ଆଉ ଦୁଇଟି ଗୋଲ୍‌ ଦେଇ ଡେନ୍‌ମାର୍କକୁ ବିଜୟ ଭେଟି ଦେଇଥିଲେ।

ଶ୍ରେଷ୍ଠ ତୃତୀୟ ଦଳ ଭାବେ ନକ୍‌ଆଉଟ୍‌ ଗଲା ସ୍ବିଜରଲାଣ୍ଡ
ରୋମ: ସ୍ବିଜରଲାଣ୍ଡ ସୋମବାର ବଲ୍‌ ନଗଡ଼ାଇ ମଧ୍ୟ ଚଳିତ ୟୁରୋ କପ୍‌ର ନକ୍‌ଆଉଟ୍‌ରେ ପ୍ରବେଶ କରିଛି। ଅନ୍ୟ ଗ୍ରୁପ୍‌ର ଫଳାଫଳ ଅନୁଯାୟୀ ସ୍ବିଜରଲାଣ୍ଡର ନକ୍‌ଆଉଟ୍‌ ପ୍ରବେଶ ସହଜ ହୋଇଛି। ୱେଲ୍ସ ସହ ଅମୀମାଂସିତ ପରେ ଇଟାଲିଠୁ ପରାଜୟ ଏବଂ ଏହା ପରେ ତୁର୍କି ବିପକ୍ଷ ମ୍ୟାଚ୍‌କୁ ଜିତି ୪ ପଏଣ୍ଟ ସହ ଟେବୁଲର ତୃତୀୟ ସ୍ଥାନରେ ରହିଥିଲା। ଗ୍ରୁପ୍‌-ବି ଓ ସି’ର ତୃତୀୟ ସ୍ଥାନରେ ଥିବା ଦଳ ୩ ପଏଣ୍ଟ ଲେଖାଏଁ ପାଇଥିବାରୁ ‌ସ୍ବିଜରଲାଣ୍ଡ ଶ୍ରେଷ୍ଠ ତୃତୀୟ ସ୍ଥାନ ଦଳ ଭାବେ ପ୍ରିକ୍ବାର୍ଟର ଫାଇନାଲ୍‌ରେ ପହଞ୍ଚିଛି। ଏହି ଦଳ ଗ୍ରୁପ୍‌-ବି ବିଜେତା ବେଲ୍‌ଜିୟମ କିମ୍ବା ଗ୍ରୁପ୍‌-ଇ ଓ ଏଫ୍‌ ବିଜେତାକୁ ଭେଟିବ ତାହା ବୁଧବାର ନିଶ୍ଚିତ ହେବ। ‌

ସମ୍ବନ୍ଧିତ ଖବର