ୟୁରୋ କପ୍‌ ଫୁଟ୍‌ବଲ୍‌: ପ୍ରିକ୍ବାର୍ଟରେ ସ୍ପେନ୍‌, ସ୍ବିଡେନ୍‌

ନକ୍‌ଆଉଟ୍‌ରେ ଇଂଲଣ୍ଡ, କ୍ରୋଏସିଆ, ଚେକ୍‌ ଗଣରାଜ୍ୟ

ସେଭିଲ/ସେଣ୍ଟ୍‌ ପିଟର୍ସବର୍ଗ: ଚଳିତ ୟୁରୋ ଫୁଟ୍‌ବଲ୍‌ ପ୍ରତିଯୋଗିତାର ପ୍ରିକ୍ବାର୍ଟର ଫାଇନାଲ୍‌ରେ ସ୍ପେନ୍‌ ଓ ‌ସ୍ବିଡେନ୍‌ ସ୍ଥାନ ପକ୍କା କରିଛନ୍ତି। ଗ୍ରୁପ୍‌-ଇ’ର ବୁଧବାର ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ଏହି ଦୁଇ ଦଳ ବିଜୟୀ ହୋଇ ‌ନକ୍‌ଆଉଟ୍‌ ‌ଯୋଗ୍ୟତା ଅର୍ଜନ କରିଥିଲେ। ସ୍ବିଡେନ୍‌ ୩ ମ୍ୟାଚ୍‌ ଖେଳି ୨ ବିଜୟ ଓ ୧ ଅମୀମାଂସିତରୁ ୭ ପଏଣ୍ଟ୍‌ ପାଇ ଗ୍ରୁପ୍‌ ବିଜେତା ହୋଇଥିଲା ବେଳେ ସମାନ ମ୍ୟାଚ୍‌ ଖେଳି ସ୍ପେନ୍‌ ୧ ବିଜୟ ୨ ଅମୀମାଂସିତ ରଖି ୫ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଛି। ସ୍ଲୋଭାକିଆ (୩) ଓ ପୋଲାଣ୍ଡ (୧) ଶେଷ ଦୁଇ ସ୍ଥାନରେ ରହିଛନ୍ତି।

ସେଭିଲର ଲା କୁାଟୁର୍ଜା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍‌ରେ ସ୍ପେନ୍‌ ୫-୦ ଗୋଲ୍‌ରେ ସ୍ଲୋଭାକିଆକୁ ମାତ୍‌ ଦେଇଥିଲା। ସ୍ଲୋଭାକିଆର ମାର୍ଟିନ ଦୁବ୍ରାଭକା (୩୦ ମିନିଟ୍‌)ଙ୍କ ଆତ୍ମଘାତୀ ଗୋଲ୍‌ରେ ସ୍ପେନ୍‌ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ‌ପ୍ରଥମାର୍ଦ୍ଧର ‌ଇନ୍‌ଜୁରି ସମୟରେ ଆୟମେରିକ ଲାପୋର୍ତେ (୪୫+୩ ମିନିଟ୍‌)ଙ୍କ ଗୋଲ୍‌ ବଳରେ ସ୍ପେନ୍‌ ୨-୦ରେ ଆଗୁଆ ହୋଇଥିଲା। ୫୬ତମ ମିନିଟ୍‌ରେ ପାବ୍‌ଲୋ ସାରାବିଆ ଏବଂ ୬୭ତମ ମିିନିଟ୍‌ରେ ପାରାନ ଟୋରେସ ଆଉ ଗୋଟିଏ ଲେଖାଏଁ ଗୋଲ୍‌ ଦେଇ ସ୍ପେନ୍‌କୁ ୪-୦ରେ ଆଗୁଆ କରିବା ସହ ବିଜୟ ଦିଗରେ ନେଇଥିଲେ। ୭୧ତମ ମିନିଟ୍‌ରେ ସ୍ଲୋଭାକିଆର ଜୁରାଜ କୁକାଙ୍କ ଆତ୍ମଘାତୀ ଗୋଲ୍‌ ସ୍ପେନ୍‌କୁ ୫-୦ର ବଡ଼ ବିଜୟ ଦେବାରେ ସହାୟକ ହୋଇଥିଲା।

ସେଣ୍ଟ୍‌ ପିଟର୍ସବର୍ଗ ‌ଷ୍ଟାଡିୟମରେ ଖେଳାଯାଇଥିବା ଏହି ଗ୍ରୁପ୍‌ର ଅନ୍ୟ ଏକ ମ୍ୟାଚ୍‌ରେ ସ୍ବିଡେନ୍‌ ୩-୨ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଛି। ମ୍ୟାଚ୍‌ର ଦ୍ବିତୀୟ ମିନିଟ୍‌ରେ ଏମିଲ ଫୋର୍ସବର୍ଗଙ୍କ ଗୋଲ୍‌ରେ ସ୍ବିଡେନ୍‌ ଆଗୁଆ ହୋଇଥିଲା। ପ୍ରଥମାର୍ଦ୍ଧ ୧-୦ରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧରେ ଫୋର୍ସବର୍ଗ (୫୯ ମିନିଟ୍‌) ଦଳ ପାଇଁ ଦ୍ବିତୀୟ ଗୋଲ୍‌ ଦେବା ସହ ଯୁଗଳ ସଫଳତା ହାସଲ କରିଥିଲେ। ହେ‌ଲେ ପୋଲାଣ୍ଡର ‌ରୋବର୍ଟ ଲାଣ୍ଡୱିସ୍କି (୬୧, ୮୪ ମିନିଟ୍‌) ମାତ୍ର ୨୪ ମିନିଟ୍‌ ବ୍ୟବଧାନରେ ଏହି ଦୁଇ ଗୋଲ୍‌ ଶୁଝି ସ୍ଥିତି ବରାବର କରିଦେଇଥିଲେ। ତେବେ ଦ୍ବିତୀୟାର୍ଦ୍ଧର ଇନ୍‌ଜୁରି ସମୟରେ ସ୍ବିଡେନ୍‌ର ଭିକ୍ଟର କ୍ଲାଏସନ୍‌ (୯୦+୩ ମିନିଟ୍‌) ଦଳ ପାଇଁ ତୃତୀୟ ଗୋଲ୍‌ କରିବା ସହ ବିଜୟ ଭେଟି ଦେଇଥିଲେ।

ନକ୍‌ଆଉଟ୍‌ରେ ଇଂଲଣ୍ଡ, କ୍ରୋଏସିଆ, ଚେକ୍‌ ଗଣରାଜ୍ୟ

ଲଣ୍ଡନ୍‌/ଗ୍ଲାସ୍‌ଗୋ: ଚଳିତ ୟୁରୋ କପ୍‌ର ଗ୍ରୁପ୍‌-ଡି’ରୁ ଇଂଲଣ୍ଡ, କ୍ରୋଏସିଆ ଏବଂ ଚେକ୍‌ କଣରାଜ୍ୟ ନକ୍‌ଆଉଟ୍‌ରେ ପ୍ରବେଶ କରିଛନ୍ତି।। ବୁଧବାର ଶେଷ ଲିଗ୍‌ ମ୍ୟାଚ୍‌ରେ ଇଂଲଣ୍ଡ ୧-୦ ଗୋଲ୍‌ରେ ଚେକ୍‌ ଗଣରାଜ୍ୟକୁ ପରାସ୍ତ କରି ଗ୍ରୁପ୍‌ ବିଜେତା ଭାବେ ଏହି ପର୍ଯ୍ୟାୟକୁ ଉନ୍ନୀତ ହୋଇଥିଲା ବେଳେ ଦ୍ବିତୀୟ ଓ ଶ୍ରେଷ୍ଠ ତୃତୀୟ ଦଳ ଭାବେ ଯଥାକ୍ରମେ କ୍ରୋଏସିଆ ଓ ଚେକ୍‌ ଯୋଗ୍ୟତା ହାସଲ କରିଛନ୍ତି। ଚେକ୍‌ ବିପକ୍ଷ ମ୍ୟାଚ୍‌ର ଦ୍ବାଦଶ ମିନିଟ୍‌ରେ ରହିମ ଷ୍ଟେଲିଂଙ୍କ ଗୋଲ୍‌ ବଳରେ ଘରୋଇ ଇଂଲଣ୍ଡ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‌ରୁ ପୂରା ୩ ପଏଣ୍ଟ୍‌ କରାୟତ୍ତ କରି ଇଂଲଣ୍ଡ ୨ ବିଜୟ ଓ ଗୋଟିଏ ଅମୀାମଂସିତ ରଖି ୭ ପଏଣ୍ଟ୍‌ ସହ ଟେବୁଲର ଶୀର୍ଷରେ ରହି ଲିଗ୍‌ ଅଭିଯାନ ଶେଷ କରିଥିଲା। ଅନ୍ୟପକ୍ଷରେ ପରାଜୟ ସତ୍ତ୍ବେ ଚେକ୍‌ଗଣରାଜ୍ୟ ମଧ୍ୟ ନକ୍‌ଆଉଟ୍‌ ସ୍ଥାନ ପକ୍କା କରିଛି। ଶ୍ରେଷ୍ଠ ତୃତୀୟ ସ୍ଥାନ ଦଳ ମଧ୍ୟରୁ ଅନ୍ୟତମ ଭାବେ ଚେକ୍‌ ଗଣରାଜ୍ୟ ଏହି ଯୋଗ୍ୟତା ହାସଲ କରିଛି। ଚେକ୍‌ଗଣରାଜ୍ୟ ୩ ମ୍ୟାଚ୍‌ ଖେଳି ଗୋଟିଏ ଲେଖାଏଁ ବିଜୟ, ଅମୀମାଂସିତ ଓ ପରାଜୟରୁ ମୋଟ ୪ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଥିଲା।

ଅନ୍ୟପକ୍ଷରେ ସ୍କଟ୍‌ଲାଣ୍ଡକୁ ୩-୧ ଗୋଲ୍‌ରେ ପରାସ୍ତ କରି କ୍ରୋଏସିଆ ଦ୍ବିତୀୟ ଦଳ ହୋଇଥିଲା। ନିକୋଲ ଭ୍ଲାସିକ (୧୭), ଲୁକା ମୋଡ୍ରିକ (୬୨ ମିନିଟ୍‌) ଓ ଇଭାନ ପେରିସିକ (୭୭ ମିନିଟ୍‌) କ୍ରୋଏସିଆ ପାଇଁ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ୪୨ତମ ମିନିଟ୍‌ରେ କାଲମ ମ୍ୟାକଗ୍ରିଗର ଗୋଟିଏ ଗୋଲ୍‌ କରି ସ୍କଟ୍‌ଲାଣ୍ଡର ବ୍ୟବଧାନ କମାଇଥିଲେ। ଏହି ବିଜୟ ବଳରେ କ୍ରୋଏସିଆ ୩ ମ୍ୟାଚ୍‌ରୁ ୪ ପଏଣ୍ଟ ପାଇ ଟେବୁଲର ଦ୍ବିତୀୟ ସ୍ଥାନକୁ ଲମ୍ଫ ମାରିଥିଲା। ‌ସ୍କଟ୍‌ଲାଣ୍ଡ ୨ ପରାଜୟ ଓ ୧ ଅମୀମାଂସିତରୁ ୧ ପଏଣ୍ଟ ସହ ଟେବୁଲର ଶେ‌ଷ ସ୍ଥାନରେ ରହି ବିଦାୟ ନେଇଥିଲା।

ସମ୍ବନ୍ଧିତ ଖବର