ୟୁରୋ କପ୍‌: ନକ୍‌ଆଉଟ୍‌ରେ ଫ୍ରାନ୍ସ, ଜର୍ମାନି, ପର୍ତ୍ତୁଗାଲ

ବୁଦାପେଷ୍ଟ/ ୱିମ୍ବଲ୍‌: ଚଳିତ ୟୁରୋ ୨୦୨୦ ପ୍ରତିଯୋଗିତାର ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଛି। ବୁଧବାର ରାତିରେ ଖେଳାଯାଇଥିବା ଶେଷ ଦୁଇଟି କ୍ବାର୍ଟର ଫାଇନାଲ୍‌ରେ ଗ୍ରୁପ୍‌-ଏଫ୍‌’ରୁ ଫ୍ରାନ୍ସ, ଜର୍ମାନି ଓ ପର୍ତ୍ତୁଗାଲ ନକ୍‌ଆଉଟ୍‌ ପର୍ଯ୍ୟାୟକୁ ପ୍ରବେଶ କରିଛନ୍ତି। ଫ୍ରାନ୍ସ (୫ ପଏଣ୍ଟ୍‌) ଗ୍ରୁପ୍‌ ବିଜେତା ଏବଂ ଜର୍ମାନି (୪ ପଏଣ୍ଟ୍‌) ଦ୍ବିତୀୟ ସ୍ଥାନରେ ରହି ଏହି ଯୋଗ୍ୟତା ହାସଲ କରିଥିଲା ‌ବେଳେ ପର୍ତ୍ତୁଗାଲ (୪ ପଏଣ୍ଟ୍‌) ଶ୍ରେଷ୍ଠ ତୃତୀୟ ଦଳ ମଧ୍ୟରୁ ଅନ୍ୟତମ ହୋଇ ନକ୍‌ଆଉଟ୍‌ ସ୍ଥାନ ପକ୍କା କରିଥିଲା। ଏହି ଗ୍ରୁପ୍‌ର ଶେଷ ସ୍ଥାନରେ ରହି ହଙ୍ଗେରି (୧ ପଏଣ୍ଟ୍‌) ପ୍ରତିଯୋଗିତାରୁ ବିଦାୟ ନେଇଥିଲା।

ହଙ୍ଗେରିର ବୁଦାପେଷ୍ଟସ୍ଥିତ ପୁସ୍କାସ ଏରିନାରେ ବୁଧବାର ପର୍ତ୍ତୁଗାଲ ଏବଂ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ ୨-୨ ଗୋଲ୍‌ରେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ଗୋଟିଏ ଲେଖାଏଁ ପଏଣ୍ଟ ପାଇଥିଲେ। ୩୦ତମ ମିନିଟ୍‌ରେ ପର୍ତ୍ତୁଗାଲକୁ ମିଳିଥିବା ପେନାଲ୍‌ଟିକୁ ତାରକା ଖେଳାଳି କ୍ରିଷ୍ଟିଆନୋ ରୋନାଲ୍‌ଡୋ ଗୋଲ୍‌ରେ ପରିଣତ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ ଦେଇଥିଲେ। ହେଲେ ପ୍ରଥମାର୍ଦ୍ଧର ଶେଷ ମିନିଟ୍‌ରେ ଫ୍ରାନ୍ସ ‌ଏକ ପେନାଲ୍‌ଟି ଅର୍ଜନ କରିଥିଲା। ଏହାକୁ କରିମ ବେଞ୍ଜେମା (୪୫+୨ ମିନିଟ୍‌) ସଫଳତା ସହ ପର୍ତ୍ତୁଗାଲ ଗୋଲ୍‌ ପୋଷ୍ଟକୁ ପଠାଇ ପ୍ରଥମାର୍ଦ୍ଧ ସ୍ଥିତି ୧-୧ କରିଥିଲେ। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ ବେଞ୍ଜେମା (୪୭ ମିନିଟ୍‌) ଗୋଲ୍‌ ମାରି ବ୍ୟକ୍ତିଗତ ଯୁଗଳ ସଫଳତା ପାଇବା ସହ ଦଳକୁ ୨-୧ରେ ଆଗୁଆ କରିଥିଲେ। ୬୦ତମ ମିନିଟ୍‌ରେ ରୋନାଲ୍‌ଡୋ ଏହି ଗୋଲ୍‌ଟି ଶୁଝି ସ୍ଥିତି ବରାବର କରିଥିଲେ। ଏହା ତାଙ୍କର ମ୍ୟାଚ୍‌ର ଦ୍ବିତୀୟ ଏବଂ ଦେଶ ପାଇଁ ୧୦୯ତମ ଅନ୍ତର୍ଜାତୀୟ ଗୋଲ୍‌ ଥିଲା। ଏଥିସହ ଅନ୍ତର୍ଜାତୀୟରେ ସର୍ବାଧିକ ଗୋଲ୍‌ ସ୍କୋରର୍‌ ଇରାନ୍‌ର ଅଲି ଦାଇଙ୍କ ସମକକ୍ଷ ହୋଇଥିଲେ ରୋନାଲ୍‌ଡୋ।

ଇଂଲଣ୍ଡର ୱିମ୍ବଲରେ ଖେଳାଯାଇଥିବା ଜର୍ମାନି ଓ ହଙ୍ଗେରି ମ୍ୟାଚ୍‌ ମଧ୍ୟ ୨-୨‌ ଗୋଲ୍‌ରେ ଅମୀମାଂସିତ ରହିଥିଲା। ହଙ୍ଗେରିର ଆଦମ ଜଲାଇ (୧୧ ମିନିଟ୍‌) ଗୋଲ୍‌ର ଶୁଭାରମ୍ଭ କରିଥି‌ଲେ। ଏହି ଗୋଲ୍‌ ବଳରେ ହଙ୍ଗେରି ପ୍ରଥମାର୍ଦ୍ଧକୁ ଆଗୁଆ ରହି ଶେଷ କରିଥିଲା। ଜର୍ମାନିର କାଇ ହାଭର୍ଜ (୬୬ ମିନିଟ୍‌) ଗୋଲ୍‌ଟିକୁ ଶୁଝି ସ୍ଥିତି ସମାନ କରିଦେଇଥିଲେ। ଏହାର ୨ ମିନିଟ୍‌ ପରେ ‌ହଙ୍ଗେରି ଆନ୍ଦ୍ରାସ ଶ୍ଚାଫର (୬୮ ମିନିଟ୍‌)ଙ୍କ ଗୋଲ୍‌ ବଳରେ ପୁଣି ଆଗୁଆ ହୋଇଥିଲା। ୮୪ତମ ମିନିଟ୍‌ରେ ଜର୍ମାନିର ଲିଅନ ଗୋରେଜ୍‌କା ଗୋଲ୍‌ଟି ଶୁଝି ମ୍ୟାଚ୍‌ ଅମୀମାଂସିତ ରଖିବାକୁ ସକ୍ଷମ ହୋଇଥିଲେ। ବୁଧବାରା ରାତିରେ ଗ୍ରୁପ୍‌ ପର୍ଯ୍ୟାୟ ଶେଷ ହୋଇଥିଲା ବେଳେ ୨ ଦିନର ବିରତି ପରେ ଶନିବାରଠାରୁ ନକ୍‌ଆଉଟ୍‌ ପର୍ଯ୍ୟାୟ ଆରମ୍ଭ ହେବ।

ସମ୍ବନ୍ଧିତ ଖବର