ବୁଦାପେଷ୍ଟ: ଗତଥରର ବିଜେତା ପର୍ତୁଗାଲ ଚଳିତ ୟୁରୋ ପ୍ରତିଯୋଗିତାରେ ବିଜୟରୁ ଅଭିଯାନ ଆରମ୍ଭ କରିଛି। ରୋନାଲ୍‌ଡୋଙ୍କ ବିଳମ୍ବିତ ଯୁଗଳ ସାଙ୍ଗକୁ ଗୁଏରିରୋଙ୍କ ଗୋଟିଏ ଗୋଲ୍‌ ବଳରେ ପର୍ତୁଗାଲ ୩-୦ରେ ମ୍ୟାଚ୍‌ ଜିତି ନେଇଥିଲା। ମଙ୍ଗଳବାର ରାତିରେ ହଙ୍ଗେରି ବିପକ୍ଷ ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ରହିଥିଲା ତାରକା ଖେଳାଳି କ୍ରିଷ୍ଟିଆନ୍‌ ରୋନାଲ୍‌ଡୋଙ୍କ ଉପରେ। ସ୍ଥାନୀୟ ଫେରେନ୍‌ ପୁସ୍‌କାସ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧ ଗୋଲ୍‌ ଶୂନ୍ୟ ଭାବେ ଶେଷ ହୋଇଥିଲା। ଗୋଲ୍‌ପୋଷ୍ଟ ଆଗରେ ଉଭୟ ରୋନାଲ୍‌ଡୋ ଓ ଡିଏଗୋ ଜୋଟା କେତୋଟି ସୁଯୋଗ ହାତଛଡ଼ା କରିବାରୁ ପର୍ତୁଗାଲ ଗୋଲ୍‌ କରିବାରୁ ବଞ୍ଚିତ ରହିଥିଲା। ଘନଘନ ଆକ୍ରମଣ ସତ୍ତ୍ବେ ପର୍ତୁଗାଲକୁ ଗୋଲ୍‌ କରିବାରୁ ବଞ୍ଚିତ ରଖିଥିଲା ହଙ୍ଗେରି। ଏପରିକି ରୋନାଲ୍‌ଡୋଙ୍କ ଏକ ପ୍ରୟାସ ଅଫ୍‌ସାଇଡ୍‌ ହୋଇଯିବାରୁ ଦଳ ନିରାଶ ହୋଇଥିଲା। ଫଳରେ ୮୪ ମିନିଟ୍‌ ପର୍ଯ୍ୟନ୍ତ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ରହିଥିଲା। ‌ହେଲେ ୮୪ ମିନିଟ୍‌ରେ ହିଁ ରାଫେଲ ଗୁଏରି‌ରୋ ପ୍ରଥମ ଗୋଲ୍‌ କରି ପର୍ତୁଗାଲକୁ ଅଗ୍ରଣୀ ଦେଇଥିଲେ। ଏହାପରେ ୯୭ ଏବଂ ୯୦+୨ ମିନିଟ୍‌ରେ ଲାଗ ଲାଗ ଦୁଇଟି ଗୋଲ୍‌ କରି ତାରକା ରୋନାଲ୍‌ଡୋ ଦଳକୁ ୩-୦ର ସହଜ ବିଜୟ ଭେଟି ଦେଇଥିଲେ। ଏଥି ସହିତ ହଙ୍ଗେରି ବିପରେ ମଧ୍ୟ ପର୍ତୁଗାଲ ୧୪ ମୁକାବିଲାରୁ ୧୦ମ ବିଜୟ ହାସଲ କଲା।

Advertisment

ଏହି ମ୍ୟାଚ୍‌ ପୂର୍ବରୁ ପରସ୍ପର ୧୩ ଥର ମୁହାଁମୁହିଁ ହୋଇଥିଲେ। ୨୦୧୬ ଏହି ୟୁରୋ ବିଜେତା ପର୍ତୁଗାଲ ସେଥିରୁ ୯ ବିଜୟ ସହ ଆଗୁଆ ରହିଥିଲା। ଫଳରେ ଅତୀତର ଫଳାଫଳ ଦୃଷ୍ଟିରୁ ଦୁର୍ବଳ ହଙ୍ଗେରି ଚାପରେ ରହିଥିଲା। ଏପରିକି କୌଣସି ଅଫିସିଆଲ ମ୍ୟାଚ୍‌ରେ ମଧ୍ୟ ପର୍ତୁଗାଲକୁ କେବେ ବି ହରାଇ ପାରିନଥିଲା ହଙ୍ଗେରି। ଅବଶ୍ୟ ଗତ ସଂସ୍କରଣରେ ଉଭୟ ଦଳ ୩-୩ ଗୋଲ୍‌ରେ ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ୍‌ ବାଣ୍ଟିଥିଲେ। ସେହି ମ୍ୟାଚ୍‌ରେ ରୋନାଲ୍‌ଡୋଙ୍କ ଯୁଗଳ ଗୋଲ୍‌ ସତ୍ତ୍ବେ ପର୍ତୁଗାଲ ପଏଣ୍ଟ ବାଣ୍ଟିବାକୁ ବାଧ୍ୟ ହୋଇଥିଲା। ଶେଷଥର ପାଇଁ ଉଭୟ ପର୍ତୁଗାଲ ଓ ହଙ୍ଗେରି ୨୦୧୭ରେ ଭେଟାଭେଟି ହୋଇଥିଲେ। ଯେଉଁଥିରେ କି ଆନ୍ଦ୍ରେ ସିଲ୍‌ଭାଙ୍କ ଗୋଲ୍‌ ବଳରେ ପର୍ତୁଗାଲ ୧-୦ର ବିଜୟ ହାସଲ କରିଥିଲା।

ସ୍ପେନ୍‌-ସ୍ବିଡେନ୍ ଗୋଲ୍‌ ଶୂନ୍ୟ

ସେଭିଲ: ସ୍ପେନ୍‌ ସୋମବାର ବିଳମ୍ବିତ ରାତିରେ ନିଜର ୟୁରୋ ୨୦୨୦ ପ୍ରଥମ ମ୍ୟାଚ୍‌ରେ ସ୍ବିଡେନ୍‌କୁ ଧରାଶାୟୀ କରିବାକୁ ଚେଷ୍ଟା କରିଥିଲା। ହେଲେ ଶେଷ ସମୟରେ ସ୍ପେନ୍‌ର ଖରାପ ପ୍ରଦର୍ଶନ ସାଙ୍ଗକୁ ‌ସ୍ବିଡେନ୍‌ ଷ୍ଟ୍ରାଇକର୍‌ ମାର୍କସ ବର୍ଗ ସହଜ ଗୋଲ୍‌ ସୁଯୋଗ ହାତ ଛଡ଼ା କରିବାରୁ ସାଭିଲ ଲା କାର୍ଟୁଜା ଷ୍ଟାଡିୟମରେ ଖେଳାଯାଇଥିବା ଗ୍ରୁପ୍‌-ଇ’ର ଏହି ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଅମୀମାଂସିତ ରହିଥିଲା। ଫଳରେ ଉଭୟ ଦଳ ୧-୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲେ।

ଲୁଇସ ଏନ୍‌ରିକ୍‌ଙ୍କ ଦଳ ପ୍ରଥମାର୍ଦ୍ଧରେ ସ୍ବିଡେନ୍‌କୁ ଭାରି ପଡ଼ିଥିଲା। ହେଲେ ଅତ୍ୟଧିକ ରକ୍ଷଣାତ୍ମକ ଖେଳିବା ସ୍ପେନ୍‌ ପାଇଁ ମହଙ୍ଗା ପଡ଼ିଥିଲା। ସେହିପରି ସ୍ବିଡେନ୍‌ ପାଇଁ ବର୍ଗ କାଳ ହୋଇଥିଲେ। ୪ ଜଣ ସ୍ପେନ୍‌ ଡିଫେଣ୍ଡରଙ୍କୁ ଚକ୍‌ମା ଦେଇ ଆଲେକ୍‌ଜାଣ୍ଡର ଇସାକ ଏକ ସୁ‌ନ୍ଦର ‌ପାସ୍‌ ଦେଇଥିଲେ ହେଲେ ଏହାକୁ ଗୋଲ୍‌ରେ ପରିଣତ କରିବାରେ ବର୍ଗ ବିଫଳ ହୋଇଥିଲେ। ଦ୍ବିତୀୟାର୍ଧରେ ସ୍ପେନ୍‌ କ୍ରମାଗତ ଆକ୍ରମଣ କରିଥିଲେ ମଧ୍ୟ ସ୍ବିଡେନ୍‌ ଗୋଲ୍‌ରକ୍ଷକ ରବିନ ଓଲ୍‌ସେନ୍‌ଙ୍କୁ ପରାସ୍ତ କରିବାରେ ବିଫଳ ହୋଇଥିଲା। ‘‘ଆମେ ଅନେକ ସୁଯୋଗ ପାଇଥିଲୁ ହେଲେ ସଠିକ୍‌ ଭାବେ ଶେଷ କରିବାରେ ବିଫଳ ହୋଇଥିଲୁ’’ ବୋଲି ସ୍ପେନ୍‌ ପ୍ରଶିକ୍ଷକ ଲୁଇସ ଏନରିକ୍‌ କହିଛନ୍ତି।