ୟୁରୋ କପ୍: ସ୍ଲୋଭାକିଆର ସ୍ମରଣୀୟ ବିଜୟ, ୟୁକ୍ରେନ୍‌କୁ ହରାଇଲା ନେଦରଲାଣ୍ଡ୍ସ

ଶ୍ଚିକ୍‌ଙ୍କ ଯୁଗଳରେ ଚେକ୍‌ ବିଜୟୀ, ବିଳମ୍ବିତ ଗୋଲ୍‌ରେ ଜିତିଲା ଅଷ୍ଟ୍ରିଆ

ଲଣ୍ଡନ, ୧୪ା୬: ଚଳିତ ୟୁରୋ କପ୍ ଫୁଟ୍‌ବଲ୍ ପ୍ରତିଯୋଗିତାର ସୋମବାର ଖେଳା ଯାଇଥିବା ତୃତୀୟ ତଥା ଶେଷ ମ୍ୟାଚ୍‌ରେ ସ୍ଲୋଭାକିଆ ୨-୧ ଗୋଲ୍‌ରେ ପୋଲାଣ୍ଡକୁ ପରାସ୍ତ କରିଥିଲା। ତା’ ସହ ୩ ବହୂମୂଲ୍ୟ ପଏଣ୍ଟ୍‌ ନିଜ ଖାତାରେ ଯୋଡ଼ିଥିଲା। ତୀବ୍ର ସଂଘର୍ଷପୂର୍ଣ୍ଣ ଏହି ମୁକାବିଲାରେ ପୋଲାଣ୍ଡର ବେପରୁଆ ଖେଳାଳି ଓଜିଚେକ୍ ସ୍କେଜେନ୍ସିଙ୍କ ଆତ୍ମଘାତି ଗୋଲ୍ ବଳରେ ସ୍ଲୋଭାକିଆ ଅଷ୍ଟାଦଶ ମିନିଟ୍‌ରେ ହିଁ ଆଗୁଆ ହୋଇ ଯାଇଥିଲା। ଦ୍ବିତୀୟାର୍ଦ୍ଧର ପ୍ରଥମ ମିନିଟ୍‌ରେ କାରୋଲ ଲିନେଟି ଏହି ଗୋଲ୍‌ଟିକୁ ଅବଶ୍ୟ ଶୁଝି ଦେଇଥିଲେ। ତେବେ ମିଲାନ ସ୍କ୍ରିନିଆର ୬୯ତମ ମିନିଟ୍‌ରେ ଆଉ ଏକ ଗୋଲ୍ ଦେଇ ସ୍ଲୋଭାକିଆକୁ ପୁଣି ଥରେ ଆଗୁଆ କରି ଦେଇଥିଲେ। ବଳକା ୨୧ ମିନିଟ୍ ଖେଳ ସହ ଆହତ ସମୟରେ ପୋଲାଣ୍ଡ ଏହି ଗୋଲ୍‌କୁ ଶୁଝି ନ ପାରିବାରୁ ସ୍ଲୋଭାକିଆ ସ୍ମରଣୀୟ ବିଜୟ ପାଇଥିଲା।

ଆମଷ୍ଟରଡାମ୍‌ , ୧୪ା୬: ୟୁରୋ କପ୍‌ରେ ରବିବାର ରାତିରେ ଖେଳାଯାଇଥିବା ବିଳମ୍ବିତ ରାତି ମ୍ୟାଚ୍‌ରେ ଡେ‌ଞ୍ଜେଲ୍‌ ଡମ୍ପ୍ରାଇଜ୍‌ଙ୍କ ବିଳମ୍ବିତ ଗୋଲ୍‌ ବଳରେ ନେଦରଲାଣ୍ଡ୍ସ ୩-୨ ଗୋଲ୍‌ରେ ୟୁକ୍ରେନକୁ ନାଟକୀୟ ଭାବେ ପରାସ୍ତ କରିଛି। ଏଥି ସହିତ ବିଜୟରୁ ହିଁ ନେଦରଲାଣ୍ଡ୍ସ ନିଜ ପ୍ରମୁଖ ପ୍ରତିଯୋଗିତାକୁ ପ୍ରତ୍ୟାବର୍ତନ କରିଛି। ୮୫ତମ ମିନିଟରେ ବଦଳ‌ ଖେଲାଳି ନାଥନ୍ ଆକେଙ୍କ କ୍ରସ୍‌ରୁ ପିଏସଭି ଫୁଲବ୍ୟାକ୍‌ ଡମ୍ଫ୍ରାଇଜ୍‌ ହେଡ୍ କରି ବିଜୟ ସୂଚକ ଗୋଲଟି ଦେଇଥିଲେ। ଏହି ମ୍ୟାଚ୍‌କୁ ନାଟକୀୟ ପ୍ରତ୍ୟାବର୍ତନ ଏଇଥି ପାଇଁ କୁହାଯାଉଛି ଯେ ସମସ୍ତ ୫ ଗୋଲ୍‌ ଦ୍ବିତୀୟାର୍ଧରେ ଦେଖିବାକୁ ମିଳିଥିଲା। ଆମଷ୍ଟରଡାମ୍‌ରର ଜୋହାନ୍‌ କ୍ରଫ୍‌ ଆରେନାରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ଅଧିନାୟକ ଜର୍ଜିନୋ ୱିନାଲଡମ୍‌ (୫୨ ‌ମିନିଟ୍‌) ଏବଂ ୱାଉଟ୍‌ ୱେଗର୍ଷ୍ଟ (୫୮ ମିନିଟ୍‌) ଗୋଲ୍ ଦେବାରୁ ଘରୋଇ ନେଦରଲାଣ୍ଡ୍‌ ୨-୦ରେ ଅଗ୍ରଣୀ ନେଇଯାଇଥିଲା। ୟୁକ୍ରେନ କିନ୍ତୁ ଚମତ୍କାର ପ୍ରତ୍ୟାବର୍ତନ କରିବାରୁ ନେଦରଲାଣ୍ଡ୍ସ ହାତରୁ ମ୍ୟାଚ୍‌ ଖସିଯିବାର ଆଶଙ୍କା ଜାତ ହୋଇଥିଲା। ମାତ୍ର ୪ ମିନିଟ୍ ଭିତରେ ୟୁକ୍ରେନ ୪ ‌ଗୋଲ୍ ଦେଇଥିଲା। ଆନ୍ଦ୍ରିୟ ୟାର୍ମୋଲେଙ୍କୋ (୭୫ ମିନିଟ୍) ଏବଂ ରୋମାନ୍‌ ୟାରେ‌ମଚୁକ୍‌ (୭୯ ମିନିଟ) ଗୋଲ୍ ଦେଇଦେବାରୁ ମ୍ୟାଚ୍‌ ୨-୨ ସ୍ତରକୁ ଚାଲି ଆସିଥିଲା। ଦୀର୍ଘ ୭ ବର୍ଷ ପରେ ଏକ ପ୍ରମୁଖ ପ୍ରତିଯୋଗିତା ଖେଳୁଥିବା ଫ୍ରାଙ୍କ ଡି ବୋଏରଙ୍କ ନେଦରଲାଣ୍ଡ୍ସ ପାଇଁ ଶେଷ ଭାଗରେ ଡେ‌‌ଞ୍ଜେଲ ଡମ୍ଫ୍ରାଇଜଙ୍କ ହେଡର ଘରୋଇ ପ୍ରଶଂସକଙ୍କୁ ଉଲ୍ଲସିତ କରି ଦେଇଥିଲା। ବିଜୟକୁ ନେଇ ଆମେ ଗର୍ବିତ ବୋଲି କହିଛନ୍ତି ନେଦରଲାଣ୍ଡ୍ସ ପ୍ରଶିକ୍ଷକ ଡି ବୋଏର। ଗ୍ରୁପ୍‌ ‘ସି’ରେ ନିଜ ଦ୍ବିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡ୍ସ ଗୁରୁବାର ଅଷ୍ଟ୍ରିଆକୁ ଭେଟିବ। ଅଷ୍ଟ୍ରିଆ ନିଜ ପ୍ରଥମ ମ୍ୟାଚ୍‌ରେ ନର୍ଥ ମାସେଡୋନିଆକୁ ପରାସ୍ତ କରିଛି। ସୂଚନାଯୋଗ୍ୟ, ୨୦୧୬ ଓ ୨୦୧୮ରେ ୟୁରୋ ଯୋଗ୍ୟତା ଅର୍ଜନ କରିପାରିନଥିବା ନେଦରଲାଣ୍ଡ୍ସ ୨୦୧୪ ବିଶ୍ବକପ୍‌ରେ ତୃତୀୟ ହେବା ପରଠାରୁ କୌଣସି ବଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିନଥିଲା। ଏବେ ଦଳ ଠିକଣା ପଥକୁ ଆସିଛି ବୋଲି ବିଶ୍ବାସ ଦେଇଛି। ୨୦୦୮ ୟୁରୋରେ ରୋମାନିଆକୁ ହରାଇବା ପରଠାରୁ ମଧ୍ୟ ନେଦରଲାଣ୍ଡ୍ କେବେ ଏବେ ମହାଦେଶୀୟ ପ୍ରତିଯୋଗିତାରେ ବିଜୟଟିଏ ପାଇନଥିଲା।

ଶ୍ଚିକ୍‌ଙ୍କ ଯୁଗଳରେ ଚେକ୍‌ ବିଜୟୀ

ଗ୍ଲାସଗୋ (ସ୍କଟଲାଣ୍ଡ୍‌): ୟୁରୋ କପ୍‌ରେ ସୋମବାର ଖେଳାଯାଇଥିବା ଗ୍ରୁପ୍‌ ‘ଡି’ର ଦ୍ବିତୀୟ ମ୍ୟାଚ୍‌ରେ ପ୍ୟାଟ୍ରିକ୍‌ ଶ୍ଚିକ୍‌ଙ୍କ ଯୁଗଳ ଗୋଲ୍ ବଳରେ ଚେକ୍ ରିପବ୍ଲିକ୍‌ ୨-୦ ଗୋଲ୍‌ରେ ସ୍କଟଲାଣ୍ଡ୍‌କୁ ପରାସ୍ତ କରିଛି। ପ୍ରଥମାର୍ଦ୍ଧର ୪୨ତମ ମିନିଟ୍‌ରେ ପ୍ୟାଟ୍ରିକ୍‌ ହେଡର୍‌ ଜରିଆରେ ଗୋଲ୍‌ ଦେଇଥିବାବେଳେ ୫୨ତମ ମିନିଟରେ ଯଥେଷ୍ଟ ଦୂରରୁ ଦ୍ବିତୀୟ ଗୋଲ୍‌ ଦେଇଥିଲେ। ୨୩ ବର୍ଷ ପରେ ଅନ୍ତର୍ଜାତୀୟ ଫୁଟ୍‌ବଲକୁ ଫେରିଥିବା ସ୍କଟଲାଣ୍ଡ୍ ମଧ୍ୟ ନିରାଶାରୁ ଅଭିଯାନ ଆରମ୍ଭ କରିଛି। ମ୍ୟାଚ୍‌ଟି ଏକତରଫା ରହିଥିଲେ ମଧ୍ୟ ଶ୍ଚିକଙ୍କ ଉଭୟ ଗୋଲ୍‌ ସୋମବାର ଅଧିକ ଚର୍ଚ୍ଚାରେ ରହିଥିଲା। ଦ୍ବିତୀୟାର୍ଦ୍ଧର ସପ୍ତମ ମିନିଟରେ ଦେଇଥିବା ଗୋଲଟିକୁ ୟୁରୋ କପ୍‌ ଇତିହାସର ଅନ୍ୟତମ ଶ୍ରେଷ୍ଠ ବିବେଚନା କରାଯାଉଛି। ଏତେ ଦୂରତାରୁ ପ୍ୟାଟ୍ରିକ୍ ସଟ୍‌ ମାରିଥିଲେ ମଧ୍ୟ ସ୍କଟଲାଣ୍ଡ୍‌ ଗୋଲରକ୍ଷକ ଡେଭିଡ୍ ମାର୍ଶାଲ ଚକିତ ହୋଇଯାଇଥିଲେ। ବିଜୟ ସହ ଚେକ୍‌ ରିପବ୍ଲିକ୍ ଗ୍ରୁପ୍‌ ‘ଡି’ ପଏଣ୍ଟ୍ ଟେବୁଲ ଶୀର୍ଷକୁ ଉଠିଛି। ଏହି ଗ୍ରୁପ୍‌ରେ ପୂର୍ବରୁ କ୍ରୋଏସିଆକୁ (୦-୧)ରେ ପରାସ୍ତ କରିଥିବା ଇଂଲଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି।

ବିଳମ୍ବିତ ଗୋଲ୍‌ରେ ଜିତିଲା ଅଷ୍ଟ୍ରିଆ

ବୁକାରେଷ୍ଟ୍‌ (ରୋମାନିଆ): ୟୁରୋ କପ୍‌ରେ ରବିବାର ରାତିରେ ଖେଳାଯାଇଥିବା ଗ୍ରୁପ୍‌ ‘ସି’ର ଏକ ମ୍ୟାଚ୍‌ରେ ଅଷ୍ଟ୍ରିଆ ୩-୧ ଗୋଲରେ ନର୍ଥ ମାସେଡୋନିଆକୁ ପରାସ୍ତ କରିଛି। ସପ୍ତମ ପ୍ରୟାସରେ ଅଷ୍ଟ୍ରିଆ ୟୁରୋ କପ୍‌ରେ ପ୍ରଥମ ବିଜୟ ପାଇଥିବାବେଳେ ୧୯୯୦ ବିଶ୍ବକପ୍‌ ପରେ ମଧ୍ୟ ପ୍ରଥମ ପ୍ରମୁଖ ପ୍ରତିଯୋଗିତା ବିଜୟ ପାଇଛି। ପଦାର୍ପଣରେ ନର୍ଥ ମାସେଡୋନିଆକୁ କିନ୍ତୁ ପରାଜୟରୁ ଅଭିଯାନ ଆରମ୍ଭ କରିବାକୁ ପଡିଛି। ୩୧ ବର୍ଷ ପରେ ଅଷ୍ଟ୍ରିଆ ପ୍ରଥମ ୟୁରୋ କପ୍ ମ୍ୟାଚ୍ ବିଜୟ ପାଇଛି। ରବିବାର ରାତିରେ ଦଳ ପାଇଁ ଷ୍ଟିଫାନ୍ ଲାନେର୍‌ (୧୮ତମ ମିନିଟ୍‌) ପ୍ରଥମ ଗୋଲ୍ ଦେବା ପରେ ନର୍ଥ ସାସେଡୋନିଆ ପାଇଁ ୨୮ତମ ମିନିଟରେ ଗୋରାନ୍‌ ପାଣ୍ଡେଭ୍‌ ଗୋଲଟିକୁ ଶୁଝାଇ ଦେଇଥିଲେ। ପ୍ରଥମାର୍ଧ ୧-୧ ଗୋଲରେ ଶେଷ ହେବା ପରେ ଦ୍ବିତୀୟାର୍ଦ୍ଧର ଶେଷ ଭାଗରେ ଅଷ୍ଟ୍ରିଆ ପାଇଁ ବଦଳ ଖେଳାଳି ମାଇକେଲ୍ ଗ୍ରେଗୋରିଚ୍‌ (୭୮ ମିନିଟ୍‌) ଏବଂ ମୋର୍କା ଅର୍ଣ୍ଣା‌ଟୋଭିକ୍‌ (୮୯ ମିନିଟ୍‌) ଗୋଲ୍‌ ଦେଇ ବିଜୟକୁ ନିଶ୍ଚିତ କରିଥିଲେ। ଆମେ ବିଜୟର ହକ୍‌ଦାର ଥିଲୁ ବୋଲି କହିଛନ୍ତି ଅଷ୍ଟ୍ରିଆ ପ୍ରଶିକ୍ଷକ ଫ୍ରାଙ୍କୋ ଫୋଦା। ବଦଳ ଖେଳାଳିଙ୍କ ପ୍ରଭାବ ପାଇଁ ଦଳ ବିଜୟୀ ହେଲା, ସେମାନେ ଯାହା ଆବଶ୍ୟକ କରିଥିଲେ ବୋଲି କହିଥ‌ିଲେ ଫୋଦା। ଗୋରାନ ପାଣ୍ଡେଭ ମଧ୍ୟ ଏହି ମ୍ୟାଚ୍‌ରେ ଏକ ବ୍ୟକ୍ତିଗତ ମାଇଲଖୁଣ୍ଟ୍ର ଅଧିକାରୀ ହୋଇଛନ୍ତି। ୟୁରୋକପ୍‌ ଇତିହାସରେ ଦ୍ବିତୀୟ ବୟୋଜ୍ୟେଷ୍ଠ ଖେଳାଳି ଭାବେ ଗୋଲ୍ ସ୍କୋରର୍‌ ହୋଇଛନ୍ତି। ଗୋଲ୍ ବେଳକୁ ଗୋରାନଙ୍କ ବୟସ ଥିଲା ୩୭ ବର୍ଷ ୩୨୧ ଦିନ। ୨୦୦୮ରେ ତାଙ୍କ ଦେଶର ୩୮ ବର୍ଷୀୟ ଇଭିକା ଭାଷ୍ଟିକ୍‌ ଗୋଲ୍ ଦେଇଥିଲେ। ଅନ୍ୟପକ୍ଷରେ ନାର୍ଥ ମାସେଡୋନିଆ ମଧ୍ୟ ସବୁଠୁ ନିମ୍ନମାନ୍ୟତା ଦଳ ଭାବେ ୟୁରୋ ପଦାର୍ପଣ କରିଛି। କିନ୍ତୁ ଅନ୍ୟୁନ ଗୋଟିଏ ଗୋଲ୍ ଦେବାରେ ଦଳ ସକ୍ଷମ ହୋଇଛି।

ସମ୍ବନ୍ଧିତ ଖବର