ୟୁରୋ କପ୍‌, ପଏଣ୍ଟ ଖାତା ଖୋଲିଲା ୟୁକ୍ରେନ୍‌

ବୁଚାରେଷ୍ଟ (ରୋମାନିଆ): ଚଳିତ ୟୁରୋ ୨୦୨୦ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ୟୁକ୍ରେନ୍‌ ପଏଣ୍ଟ ଖାତା ଖୋଲିଛି। ନିଜର ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସଠୁ ୨-୩ରେ ହାରିଥିବା ୟୁକ୍ରେନ୍‌ ଗୁରୁବାର ଦକ୍ଷିଣ ମାସେଡୋନିଆକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି। ଫଳରେ ପୂରା ୩ ପଏଣ୍ଟ କରାୟତ୍ତ ‌କରି ଗ୍ରୁପ୍‌-ସି ଟେବୁଲର ତୃତୀୟ ସ୍ଥାନରେ ରହିଛି। ନେଦରଲାଣ୍ଡ୍ସ ଓ ଅଷ୍ଟ୍ରିଆ ୩ ଲେଖାଏଁ ପଏଣ୍ଟ ସହ ଗୋଲ୍‌ ବ୍ୟବଧାନରେ ପ୍ରଥମ ଦୁଇ ସ୍ଥାନରେ ରହିଥିଲା ବେଳେ ଦକ୍ଷିଣ ମାସେଡୋନିଆ ‌(୦) ଶେଷ ସ୍ଥାନରେ ରହିଛି।

ଗୁରୁବାର ଏରିନା ନାସନାଲ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ହିଁ ୟୁକ୍ରେନ୍‌ ବିଜୟ ଦିଗରେ ଅଗ୍ରସର ହୋଇଥିଲା। ଆନ୍ଦ୍ରି ୟାର୍ମୋଲେଙ୍କୋ (୨୯ ମିନିଟ୍‌) ଏବଂ ଏହାର ପାଞ୍ଚ ମିନିଟ୍‌ ପରେ ରେମାନ ୟେରେମଚୁକ (୩୪ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ କରି ଦଳକୁ ପ୍ରାରମ୍ଭିକ ଅଗ୍ରଣୀ କରିଥିଲେ। ହେଲେ ଦ୍ବିତୀୟାର୍ଦ୍ଧରେ ଦକ୍ଷିଣ ‌ମାସେଡୋନିଆର ଏଜାନ ଆଲୋକ୍ସି (୫୭ ମିନିଟ୍‌) ଗୋଟିଏ ଗୋଲ୍‌ ଶୁଝି ପରାଜୟ ବ୍ୟବଧାନକୁ କମାଇଥିଲେ। ଏହି ପରାଜୟ ସହ ଦକ୍ଷିଣ ମା‌ସେଡୋନିଆ ପ୍ରତିଯୋଗିତାରୁ ବିଦାୟ ନେବା ପ୍ରାୟ ନିଶ୍ଚିତ ହୋଇଛି। ଅନ୍ୟପକ୍ଷରେ ୟୁକ୍ରେନ ବିଜୟ ସହ ନକ୍‌ଆଉଟ୍‌ ଆଶା ଉଜ୍ଜୀବିତ ରଖିଛି।

ସମ୍ବନ୍ଧିତ ଖବର