ୟୁରୋକପ୍ ଫୁଟବଲ୍: ଜର୍ମାନୀକୁ ବିଦାକଲା ଇଂଲଣ୍ଡ,

ସୁଟଆଉଟ୍‌ରେ ହାରିଲା ଫ୍ରାନ୍ସ: କ୍ବାର୍ଟରରେ ସ୍ବିଜରଲାଣ୍ଡ

ୱେମ୍ବଲି: ପୂର୍ବ ବିଜେତା ଜର୍ମାନୀକୁ ୨-୦ ଗୋଲ୍‌ରେ ପରାସ୍ତ କରି ଇଂଲଣ୍ଡ ଚଳିତ ୟୁରୋକପ୍ ଫୁଟବଲ୍ ପ୍ରତିଯୋଗିତାର କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଖେଳାଯାଇଥିବା ଏହି ମୁକାବିଲାରେ ଇଂଲଣ୍ଡ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଆଧିପତ୍ୟ ବିସ୍ତାର କରିଥିଲା। ଦୁଇଟି ଦ୍ବିତୀୟାର୍ଦ୍ଧ ଗୋଲ୍ ବଳରେ ଜର୍ମାନୀକୁ ବିଦାୟର ପଥ ଦେଖାଇ ଦେଇଥିଲା। ୟୁରୋପୀୟ ଫୁଟ୍‌ବଲ୍‌ର ଦୁଇ ଶକ୍ତିଶାଳୀ ଦଳ ମଧ୍ୟରେ ଖେଳାଯାଇଥବା ଏହି ମ୍ୟାଚ୍‌କୁ ନେଇ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା। ହେଲେ ପ୍ରଥମାର୍ଦ୍ଧ ଗୋଲ୍ ଶୂନ୍ୟ ରହିଥିଲା। ଜର୍ମାନୀର କେତେକ ଭଲ ପ୍ରୟାସକୁ ଇଂଲଣ୍ଡ ଗୋଲ୍ ରକ୍ଷକ ଚତୁରତାର ସହ ପ୍ରତିହତ କରିଦେଇଥିଲେ। ଅନ୍ୟପକ୍ଷରେ ଦ୍ବିତୀୟାର୍ଦ୍ଧ‌ରେ ଇଂଲଣ୍ଡ ୧୧ ମିନିଟ୍ ଭିତରେ ଦୁଇଟି ଗୋଲ୍ ଦେଇ କ୍ବାର୍ଟର ଫାଇନାଲ୍ ଟିକେଟକୁ ପକ୍କା କରି ନେଇଥିଲା ଇଂଲଣ୍ଡ। ପ୍ରଥମ ଗୋଲ୍‌ଟି ରାହିମ ଷ୍ଟର୍ଲିଂ ୭୫ ମିନିଟ୍‌ରେ ଦେଇଥିଲେ। ଚଳିତ ୟୁରୋକପ୍‌ରେ ବ୍ୟକ୍ତିଗତ ଭାବେ ଏହା ତାଙ୍କର ତୃତୀୟ ଗୋଲ୍ ଥିଲା। ୮୬ ମିନିଟ୍‌ରେ ଅଧିନାୟକ ହାରି କେନ୍‌ଙ୍କ ହେଡରରୁ ଇଂଲଣ୍ଡକୁ ଦ୍ବିତୀୟ ଗୋଲ୍ ମିଳିଥିଲା। ଜର୍ମାନୀ ବହୁ ଚେଷ୍ଟା ପରେ ବି ଗୋଟିଏ ହେଲେ ଗୋଲ୍ ଦେବାକୁ ସକ୍ଷମ ହୋଇନଥିଲା। ଏହି ଦଳର ତାରକା ଖେଳାଳି ଥୋମାସ ମୁଲରଙ୍କୁ ବାନ୍ଧି ରଖିବାକୁ ଇଂଲଣ୍ଡ ରକ୍ଷଣଭାଗ ସକ୍ଷମ ହୋଇଥିଲା।

ବୁକାରେଷ୍ଟ (ରୋମାନିଆ): ଚଳିତ ୟୁରୋକପ୍ ଫୁଟ୍‌ବଲ୍ ପ୍ରତିଯୋଗିତାରେ ସ୍ବିଜରଲାଣ୍ଡ ମଙ୍ଗଳବାର ଏକ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ସଫଳ ପ୍ରତ୍ୟାବର୍ତ୍ତନର ଅନ୍ୟତମ ଅନନ୍ୟ ଉଦାହରଣ ସୃଷ୍ଟି କରି ଏକଦା ୧-୩ ଗୋଲ୍‌ରେ ପଛୁଆ ଥିବା ସ୍ବିଜରଲାଣ୍ଡ ଫ୍ରାନ୍ସକୁ ୫-୪ (୩-୩) ଗୋଲ୍‌ରେ ପରାସ୍ତ କରି ବିଦାୟର ପଥ ଦେଖାଇ ଦେଇଛି। ମଙ୍ଗଳବାରର ଏହି ମ୍ୟାଚ୍‌ରେ ସ୍ବିଜରଲାଣ୍ଡ ପ୍ରଥମେ ନିର୍ଦ୍ଧାରିତ ସମୟର ଶେଷ ୧୦ ମିନିଟ୍‌ରେ ଦୁଇଟି ଗୋଲ୍ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ନେଇ ଆସିଥିଲା। ଏହା ପରେ ଅତିରିକ୍ତ ସମୟରେ ବିଶ୍ବ ବିଜେତା ଫ୍ରାନ୍ସର ଦୁର୍ଦ୍ଧର୍ଷ ଆଗ୍ରଭାଗ ଖେଳାଳିଙ୍କ ଘନ ଘନ ଆକ୍ରମଣକୁ ପ୍ରତିହତ କରି ମ୍ୟାଚ୍‌କୁ ପେନାଲ୍ଟିଂ ସୁଟ୍‌ଆଉଟରେ ପହଞ୍ଚାଇ ଦେଇଥିଲା।

ତୀବ୍ର ଉତ୍ଥାନ ପତନଭରା ଏବଂ ଅପୂର୍ବ ଉତ୍କଣ୍ଠାପୂର୍ଣ୍ଣ ଏହି ମ୍ୟାଚ୍‌ର ଗୋଲ୍ ଖାତା ସ୍ବିଜରଲାଣ୍ଡର ହାରିସ୍ ସେଫେରୋଭିକ୍ ଖୋଲିଥିଲେ। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ମ୍ୟାଚ୍ ସେହି ୧-୦ରେ ସ୍ବିଜରଲାଣ୍ଡ ସପକ୍ଷରେ ଥିଲା। ହେଲେ ଦ୍ବିତୀୟାର୍ଦ୍ଧର ଦ୍ବାଦଶ ଓ ଚର୍ତୁଦଶ ମିନିଟ୍‌ରେ ଅଭିଜ୍ଞ ଖେଳାଳି କରିମ ବେନେଞ୍ଜା ଦୁଇଟି ଗୋଲ୍ ଦେଇ ଫ୍ରାନ୍ସକୁ ମ୍ୟାଚ୍‌କୁ ଫେରାଇଥିଲେ। ପଲ୍ ପଗବା ୭୫ତମ ମିନିଟ୍‌ରେ ଯାହାକୁ ୩-୧ କରି ଦେଇଥିଲେ। ହେଲେ ୮୧ ମିନିଟ୍‌ରେ ସେଫେରେଭିକଙ୍କ ଦ୍ବିତୀୟ ଏବଂ ୯୦ ମିନିଟ୍‌ରେ ମାରିଓ ଗାର୍ଭାନୋଭିକଙ୍କ ଗୋଲ୍ ବଳରେ ସ୍ବିଜରଲାଣ୍ଡ ସ୍ଥିତି ୩-୩ କରି ନେଇଥିଲା। ଅତିରିକ୍ତ ସମୟ ଗୋଲ୍ ଶୂନ୍ୟ ରହିବାରୁ ମ୍ୟାଚ୍ ସୁଟ୍‌ଆଉଟ୍‌କୁ ଯାଇଥିଲା। ସୁଟ୍‌ଆଉଟ୍‌ରେ ଫ୍ରାନ୍ସ ବାଜି ମାରିନେବ ବୋଲି ଆକଳନ କରାଯାଉଥିଲା। ହେଲେ ସବୁ ଅଙ୍କକଷାକୁ ଭୁଲ ପ୍ରମାଣିତ କରିବା ସହ ସେଠାରେ ୫-୪ରେ ବିଜୟୀ ହୋଇ କ୍ବାର୍ଟର ଫାଇନାଲ୍ ଟିକେଟ ହାସଲ କରି ନେଇଥିଲା ସ୍ବିଜରଲାଣ୍ଡ।

ଅନ୍ୟପକ୍ଷରେ ତାରକା ଖଚିତ ଫ୍ରାନ୍ସ ଦୁଃଖର ସହ ବିଦାୟ ନେଇଥିଲା। ସ୍ବିଜରଲାଣ୍ଡ ଗୋଲ୍‌ରକ୍ଷକ ୟାନ୍ ସୋମାର ଫ୍ରାନ୍ସର ‌ଦକ୍ଷ ଅଗ୍ରଭାଗ ଖେଳାଳି କିଲିଆନ୍ ଏମ୍‌ବାପେଙ୍କ ପ୍ରୟାସକୁ ଯେତେବେଳେ ନିଷ୍ଫଳ କରି ଦେଇଥିଲେ ୟୁରୋ କପ୍ ଇତିହାସରେ ନୂଆ ଫର୍ଦ ଯୋଡ଼ି ହୋଇଯାଇଥିଲା। ଏହା ମଧ୍ୟ ୟୁରୋକପ୍‌ରେ ସ୍ବିଜରଲାଣ୍ଡର ପ୍ରଥମ ସୁଟ୍‌ଆଉଟ୍ ଏବଂ ୧୯୩୮ ମସିହା ପରେ ପ୍ରଥମ ନକ୍‌ଆଉଟ୍‌ ବିଜୟ ଥିଲା। କ୍ବାର୍ଟର ଫାଇନାଲ୍‌ରେ ଏବେ ସ୍ବିଜରଲାଣ୍ଡ ସ୍ପେନ୍‌କୁ ଭେଟିବ। ସ୍ପେନ୍‌ ଆଉ ଏକ ରୋମାଞ୍ଚଭରା ମୁକାବିଲାରେ କ୍ରୋଏସିଆକୁ ୫-୩ ଗୋଲ୍‌ରେ ଧରାଶାୟୀ କରି ଏହି ପର୍ଯ୍ୟାୟକୁ ଯାଇଛି।

ସମ୍ବନ୍ଧିତ ଖବର