ୟୁରୋପୀୟଙ୍କ ଲଢ଼େଇ

ବିଶ୍ୱକପ୍‌ ଏବେ ଏମିତି ସ୍ଥିତିରେ ପହଞ୍ଚି ଯାଇଛି ଯେଉଁଠି ଗୋଟିଏ ଦଳକୁ ବାଛିବା ଅତି କଷ୍ଟକର ହୋଇଯାଇଛି। କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିବା ସବୁ ଦଳ କୌଣସି ନା କୌଣସି ଦୃଷ୍ଟିରୁ ଅନ୍ୟମାନଙ୍କଠାରୁ ଭଲ ଓ ଶକ୍ତିଶାଳୀ। କାଗଜ କଲମରେ ଜଣେ ହୁଏତ ଶକ୍ତିଶାଳୀ ମନେ ହେଉଥାଏ, ହେଲେ ପଡ଼ିଆ ଭିତରେ ଏହାର କୌଣସି ମୂଲ୍ୟ ନାହିଁ। ସେଠି ପରସ୍ପରକୁ ପଛରେ ପକାଇବାର ଭୋକ ପ୍ରାୟ ସବୁ ଦଳ ପାଖରେ ଥାଏ। ଏବେ ସୁଦ୍ଧା କରିଥିବା ପ୍ରଦର୍ଶନକୁ ତର୍ଜମା କଲେ ଇଂଲଣ୍ଡ ଏବଂ କ୍ରୋଏସିଆ ଅନ୍ୟଦୁଇ ୟୁରୋପୀୟ ଶକ୍ତି ସ୍ୱିଡେନ୍‌ ଏବଂ ରୁଷିଆଠାରୁ ଟିକିଏ ଆଗରେ ରହିବେ। ମୁଁ କହିବି ସେମାନଙ୍କ ଆକ୍ରମଣରେ ସେହି ଅତିରିକ୍ତ ଚମକ ଅଛି। ହେଲେ କେବେ କେବେ ପୂର୍ବର ସବୁ ଅଙ୍କ କଶା ଭୁଲ ହୋଇଯାଏ। ଏହା ଆଗରୁ ଆମେ ଦେଖି ସାରିଛେ। ସେଥିପାଇଁ ବିଶ୍ୱକପ୍‌ କ୍ୱାର୍ଟର ଫାଇନାଲର ବିଜେତାଙ୍କୁ ନେଇ ଭବିଷ୍ୟବାଣୀ କରିବାର ପ୍ରଶ୍ନ ଉଠୁନାହିଁ।

ଇଂଲଣ୍ଡ ୫୨ ବର୍ଷ ପରେ ବିଶ୍ୱକପ୍‌ ଜିତିବା ଆଶାରେ ରହିଛି। ତା ପାଖରେ ଏକ ସନ୍ତୁଳିତ ଦଳ ଥିଲା ବେଳେ ଜିତିବାର ଅଭିଳାଶା ଏବଂ ଶୃଙ୍ଖଳା ମଧ୍ୟ ଅଛି। ଏହି ଦଳର ଅଧିକାଂଶ ଖେଳାଳି ଯୁବ ଏବଂ ମହାନାୟକର ବୋଝ ସେମାନଙ୍କ ମୁଣ୍ଡ ଉପରେ ନାହିଁ। ଭଲ କଥା ହେଲା ସେମାନେ ସମସ୍ତେ ଆଗାମୀ ପିଢ଼ିର ମହାନାୟକ ହେବାକୁ ଚେଷ୍ଟା କରୁଛନ୍ତି। ରୋମାଞ୍ଚକର ଟାଇବ୍ରେକର ଜିତି ସେମାନେ ଏହି ଦିଗରେ ଅଗ୍ରସର ହୋଇ ସାରିଛନ୍ତି। ୩-୧-୪-୨ ବିନ୍ୟାସରେ ଇଂଲଣ୍ଡ ମନୋରଞ୍ଜନକାରୀ ଫୁଟ୍‌ବଲ୍‌ ଖେଳିଛି। ପାନାମା ଏବଂ ଟ୍ୟୁନିସିଆ ବିପକ୍ଷରେ ଏହି ନୀତିରେ ସେମାନେ ସଫଳ ହୋଇଥିଲେ। ସେ ଯାହା ହେଉ ନା କାହିଁକି ସ୍ୱିଡେନ୍‌ ବିପକ୍ଷ ଲଢ଼େଇ ସେମାନଙ୍କ ପାଇଁ ଆଦୌ ସହଜ ହେବନି। ନେଦରଲାଣ୍ଡ ଏବଂ ଇଟାଲି ଭଳି ଦଳକୁ ପଛରେ ପକାଇ ସ୍ୱିଡେନ୍‌ ରୁଷିଆ ପହଞ୍ଚିଛି। ଗତ ଚାରିଟି ମ୍ୟାଚ୍‌ରେ ସେମାନେ ମାତ୍ର ଗୋଟିଏ ଗୋଲ୍‌ ବରଣ କରିଛନ୍ତି। ଇଂଲଣ୍ଡ ଆଗୁଆ ଗୋଲ୍‌ ନକଲେ ସ୍ୱିଡେନ୍‌ ରକ୍ଷଣଭାଗ ସେମାନଙ୍କ ଜୀବନକୁ ଦୁର୍ବିସହ କରିଦେବେ।

ଦର୍ଶକଙ୍କ ସମର୍ଥନ ପାଇଁ ରୁଷିଆ ସାଧାରଣ ଦଳରୁ ଅସାଧାରଣ ପ୍ରଦର୍ଶନ କରିଛି। ଏଣୁ କ୍ରୋଏସିଆ ଖେଳାଳିଙ୍କୁ ରୁଷିଆ ଖେଳାଳିଙ୍କ ସହ ସେମାନଙ୍କୁ ଉତ୍ସାହିତ କରୁଥିବା ୪୫,୦୦୦ ଦର୍ଶକଙ୍କର ମୁକାବିଲା ମଧ୍ୟ କରିବାକୁ ପଡ଼ିବ। କ୍ରୋଏସିଆ ପାଖରେ ଲୁକା ମଡ୍ରିକଙ୍କ ଭଳି ଖେଳାଳି ଅଛନ୍ତି। ଇଭାନ ରାକଟିକ, ମାରିଓ ମାଣ୍ଡେଜୁକିକ ମଧ୍ୟ ଭଲ କରୁଛନ୍ତି। କଠିନ ପରିସ୍ଥିତିକୁ ପରିଚାଳନା କରିବାରେ ସେମାନେ ସିଦ୍ଧହସ୍ତ। ହେଲେ କ୍ୱାର୍ଟର ଫାଇନାଲରେ ଆୟୋଜକ ଦେଶକୁ ହରାଇବାର କଷ୍ଟକର କାମ ସେମାନଙ୍କ ସମ୍ମୁଖରେ ରହିଛି। ଶନିବାର କ୍ୱାର୍ଟର ଫାଇନାଲରେ ଅବତୀର୍ଣ୍ଣ ହେବାକୁ ଯାଉଥିବା ଚାରିଟି ଯାକ ଦଳ ୟୁରୋପର ହୋଇଥିବାରୁ ସେମାନେ ଅଳ୍ପ ବହୁତେ ନିଜ ନିଜର ଦୋଷ ଦୁର୍ବଳତା ଏବଂ ଶକ୍ତିକୁ ଜାଣିଛନ୍ତି।

ସମ୍ବନ୍ଧିତ ଖବର