୰ରାଜୀନ୍ଦର ଗୋଏଲ, ଅନ୍ତର୍ଜାତୀୟ କ୍ରିକେଟ୍ ନ ଖେଳି ବି କିଂବଦନ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଜଗତର ଅନ୍ୟତମ ମହାନ ସ୍ପିନର ରାଜୀନ୍ଦର ଗୋଏଲଙ୍କର ରବିବାର ୭୭ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ହରିଆଣା, ପଞ୍ଜାବ, ଦିଲ୍ଲୀ ଓ ଉତ୍ତରାଞ୍ଚଳରୁ ଘରୋଇ କ୍ରିକେଟ୍ ଖେଳିଥିବା ରାଜୀନ୍ଦର ପ୍ରଥମ ଶ୍ରେଣୀ କ୍ରିକେଟ୍‌ରେ ୭୫୦ ଏବଂ ରଣଜୀ ଟ୍ରଫିରେ ସର୍ବାଧିକ ୬୩୭ ୱିକେଟ୍ ଅକ୍ତିଆର କରିଛନ୍ତି। ଆଶ୍ଚର୍ଯ୍ୟଜନକ ଭାବେ ସେ କିନ୍ତୁ ଗୋଟିଏ ହେଲେ ବି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାନ୍ତି। ୧୯୫୮-୫୯ ମସିହାରୁ ଆରମ୍ଭ କରି ୧୯୮୪-୮୫ ପର୍ଯ୍ୟନ୍ତ, ଦୀର୍ଘ ୨୫ ବର୍ଷ ଧରି ଘରୋଇ କ୍ରିକେଟ୍‌ରେ ସକ୍ରୀୟ ରହିବା ସତ୍ତ୍ବେ ‌ଗୋଏଲଙ୍କୁ କେବେବି ଭାରତୀୟ କ୍ରିକେଟ୍ ଦଳର ପ୍ରତିନିଧିତ୍ବ କରିବାର ସୁଯୋଗ ମିଳିନି। ୪୨ ବର୍ଷ ବୟସରେ ନିଜ ଶେଷ ଘରୋଇ ମ୍ୟାଚ୍ ଖେଳିଥିବା ଗୋଏଲ, ମୁମ୍ବାଇ ରଣଜୀ ଦଳର ଅନ୍ୟତମ କିଂବଦନ୍ତି ସ୍ପିନ୍ ତାରକା ପଦ୍ମା‌କର ଶିବଲକରଙ୍କ ସହ ମିଶି ତିନି ଦଶନ୍ଧି ଧରି ଘରୋଇ କ୍ରିକେଟ୍‌ରେ ଆଧିପତ୍ୟ ବିସ୍ତାର କରିଥିଲେ। ଗୋଏଲଙ୍କ ଭଳି ୮୦ ବର୍ଷୀୟ ସ୍ପିନ୍ ଯାଦୁଗର ଶିବଲକର ୧୯୬୧-୬୨ରୁ ୧୯୮୭-୮୮ ମସିହା ପର୍ଯ୍ୟନ୍ତ ଘରୋଇ କ୍ରିକେଟ୍ ଖେଳି ୫୮୯ ପ୍ରଥମ ଶ୍ରେଣୀ ୱି‌କେଟ୍ ଅକ୍ତିଆର କରିଥିଲେ। ତେବେ ଉଭୟ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିବାରୁ ବଞ୍ଚିତ ହୋଇଥିଲେ। ଦୁର୍ଭାଗ୍ୟଜନକ ଭାବେ ଏମାନେ ପୂର୍ବତନ ଭାରତୀୟ ଅଧିନାୟକ ବିଶନ ସିଂହ ବେଦୀଙ୍କ କାଳରେ ଜନ୍ମ ନେଇଥିଲେ। ତାଙ୍କ ସମସାମୟିକ ଥିଲେ। ବେଦୀ, ଏରାପଲ୍ଲୀ ପ୍ରସନ୍ନା, ଏସ୍ ଭେଙ୍କଟରାଘବନ ଓ ଭଗବତ ଚନ୍ଦ୍ରଶେଖରଙ୍କ ଭଳି ସ୍ପିନର ଭାରତୀୟ ଦଳର ନିୟମିତ ସଦସ୍ୟ ରହିବା ପରେ ଅନ୍ତର୍ଜାତୀୟ ପଦାର୍ପଣକୁ ଅପେକ୍ଷା କରି କରି ଏମାନଙ୍କ ଶ୍ରେଷ୍ଠ ସମୟ ଅତିବାହିତ ହୋଇ ଯାଇଥିଲା।

ଡାକୁ ପଠାଉଥିଲେ ଅଭିନନ୍ଦନ ବାର୍ତ୍ତା
ଅନ୍ତର୍ଜାତୀୟ ପଦାର୍ପଣ ଲାଗି ଭାଗ୍ୟ ସାଥ୍ ଦେଇ ନଥିଲେ ବି ଘରୋଇ କ୍ରିକେଟ୍‌ରେ ଗୋଏଲ ଓ ଶିବଲକର କୌଣସି ବଡ଼ ସେଲିବ୍ରେଟିଠାରୁ କମ୍ ସମ୍ମାନ ପାଉ ନଥି‌ଲେ। ଘରୋଇ କ୍ରିକେଟ୍‌ରେ ଗୋଏଲଙ୍କ ଲୋକପ୍ରିୟତା ଏଭଳି ସ୍ତରରେ ପହଞ୍ଚିଥିଲା ଯେ ସେ ଯେତେବେଳେ ୬୦୦ ରଣଜୀ ୱିକେଟ୍ ପୂରଣ କରିଥିଲେ ଗ୍ବାଲିୟର ଜେଲ୍‌ରେ କାରାଦଣ୍ଡ ‌‌ଭୋଗୁଥିବା ଡାକୁ ବୁଖା ସିଂହ ଯାଦବ ତାଙ୍କ ପାଖକୁ ପତ୍ର ଜରିଆରେ ଅଭିନନ୍ଦନ ବାର୍ତ୍ତା ପଠାଇଥିଲା। କ୍ରିକେଟ୍ ପଣ୍ଡିତମାନେ ସ୍ବୀକାର କରନ୍ତି ଯେ ବେଦୀଙ୍କ କାଳରେ ଜନ୍ମନେବା ଗୋଏଲଙ୍କର ସବୁଠାରୁ ବଡ଼ ଦୁର୍ଭାଗ୍ୟ। ସେ ନିଜେ ମଧ୍ୟ ଏକଥାକୁ ମାନନ୍ତି। ସବୁ ବିଧିର ବିଧାନ ବୋଲି ଏହି ବିଷୟରେ ନିଜ ମତ ରଖିବାକୁ ଯାଇ ଅନେକ ବାର ଗୋଏଲ କହିଥିଲେ। କ୍ରିକେଟ୍ ଖେଳାଲା ବେଳେ ପରିବେଶ ଓ ପରିସ୍ଥତି ଯାହା ହେଉନି କାହିଁକି, ଗୋଏଲଙ୍କ ମୁହଁରେ କେବେବି ଦୁଃଖ କିମ୍ବା ଚାପର ଭାବନା ଦେଖିବାକୁ ମିଳୁ ନଥିଲା। ସେଥିପାଇଁ ପ୍ରତିପକ୍ଷ ଖେଳାଳିମାନେ ତାଙ୍କୁ ‘ମଧୁର ଘାତକ’ ନାଁ ଦେଇଥିଲେ।

୧୫.୫୮ ହାରରେ ୱିକେଟ୍ ନେଇଥିବା ଗୋଏଲ ଘରୋଇ କ୍ରିକେଟ୍‌ରେ ୫୯ ପାଞ୍ଚ ୱିକେଟ୍ ଓ ୧୮ ଦଶ ୱିକେଟ୍ ସଫଳତା ଲାଭ କରିଥିଲେ। ଏମିତି ନୁହେଁ ଯେ ଗୋଏଲ ଭାରତୀୟ ଦଳର ପ୍ରତିନିଧିତ୍ବ କରିବାର ନିକଟତର ହୋଇ ନଥିଲେ। ବେଦୀଙ୍କ ଅନୁପସ୍ଥିତି ପାଇଁ ୧୯୭୪ ମସିହା ନଭେମ୍ବର ମାସରେ ବେଙ୍ଗାଲୁରୁଠାରେ ଖେଳା ଯାଇଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଟେଷ୍ଟ୍ ଲାଗି ତାଙ୍କୁ ଭାରତୀୟ ଦଳକୁ ଡାକରା ମିଳିଥିଲା। ଏହା ମଧ୍ୟ ମହାନ କାରବୀୟ କ୍ରିକେଟର ଭିଭିଆନ୍ ରିଚାର୍ଡସଙ୍କର ପଦାର୍ପଣ ଟେଷ୍ଟ୍‌ ଥିଲା। ହେଲେ ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇ ନଥିଲା। ୧୯୭୯-୮୦ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ସେ ୯ ୱିକେଟ୍ ନେଇଥିଲେ। ତଥାପି ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳି ନଥିଲା। ଅବଶ୍ୟ ୧୯୬୪-୬୫ ମସିହାରେ ଶ୍ରୀଲଙ୍କା ବିପକ୍ଷରେ ସେ ଏକ ଅଣଆନୁଷ୍ଠାନିକ ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ୨୦୧୬ରେ ଉଭୟ ଗୋଏଲ ଓ ଶିବଲକରଙ୍କୁ ବିସିସିଆଇ ସିକେ ନାଇଡୁ ଜୀବନବ୍ୟାପୀ ସେବା ସମ୍ମାନରେ ସମ୍ମାନିତ କରିଥିଲା। ଅବସର ପରେ ଗୋଏଲ ପ୍ରଶିକ୍ଷଣରେ ମନ ବଳାଇଥିଲେ। ସେ ମଧ୍ୟ ଏକଦା ଜାତୀୟ କନିଷ୍ଠ ଚୟନ ସମିତିର ଅଧ୍ୟକ୍ଷ ଥିଲେ। ଗୋଏଲଙ୍କ ପୁଅ ନିତିନ ଗୋଏଲ ମଧ୍ୟ ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର୍‌। ସଂପ୍ରତି ସେ ଘରୋଇ କ୍ରିକେଟ୍‌ରେ ବିସିସିଆଇ ମ୍ୟାଚ୍ ରେଫରି ଦାୟିତ୍ବ ତୁଲାଉଛନ୍ତି।

ସମ୍ବନ୍ଧିତ ଖବର