ଏଭରେଷ୍ଟ ଓପନ୍‌ ଟାଏକୋଣ୍ଡୋ ଲାଗି ଓଡ଼ିଶାରୁ ୩

ଭୁବନେଶ୍ୱର: ନେପାଳର ଧୁଲିଖେଲଠାରେ ଥିବା ମିରାବେଲ୍‌ ରିସୋର୍ଟରେ ଚଳିତ ମାସ ୨୦ରୁ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ତୃତୀୟ ଏଭରେଷ୍ଟ ଓପନ୍‌ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ଓଡ଼ିଶାରୁ ୩ ଜଣ ଅଂଶ ଗ୍ରହଣ କରିବେ। ସେମାନେ ହେଲେ ପ୍ରଭାତ ଚନ୍ଦ୍ର ସାହୁ (ପ୍ରଶିକ୍ଷକ), ନୃସିଂହ ସିଂହ ଏବଂ ଆଶୁତୋଷ ସାହାଣୀ (ଖେଳାଳି)। ଏମାନେ ମଙ୍ଗଳବାର ନେପାଳ ଅଭିମୁଖେ ଯାତ୍ରା କରିବେ। ଟାଏକୋଣ୍ଡୋ ଫେଡେରେସନ୍‌ ଅଫ୍‌ ଓଡ଼ିଶାର ସଂପାଦକ ପ୍ରଭାତ (ଚତୁର୍ଥ ଡାନ୍‌), ସିନିଅର ମାଷ୍ଟର ଆଶୁତୋଷ ଏବଂ ନୃସିଂହ ଏଥିରେ ଓଡ଼ିଶାର ପ୍ରତିନିଧିତ୍ୱ କରିବେ ବୋଲି ରବିବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଫେଡେରେସନର ସଭାପତି ଓମ୍‌ ପ୍ରକାଶ ଧଳ ସୂଚନା ଦେଇଥିଲେ। ଏହି ପ୍ରତିଯୋଗିତା ଅବସରରେ ଅନ୍ତର୍ଜାତୀୟ ଟାଏକୋଣ୍ଡୋ ଫେଡେରେସନର ଉପ ସଭାପତି ଗ୍ରାଣ୍ଡମାଷ୍ଟର ଟ୍ରେଭର ନିକୋଲାସ (୯ମ ଡାନ୍‌)ଙ୍କ ତତ୍ତ୍ୱାବଧାନରେ ଏକ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ପ୍ରଭାତ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିବେ। ସାରା ଭାରତରୁ ଏହି ପ୍ରତିଯୋଗିତା ଲାଗି ମାତ୍ର ୨୦ ଜଣ ମନୋନୀତ ହୋଇଛନ୍ତି। ଓଡ଼ିଶା ପ୍ରତିଯୋଗୀମାନେ ଏଥିରେ ଭଲ ପ୍ରଦର୍ଶନ କରିବେ ବୋଲି ଶ୍ରୀ ଧଳ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର