ଅଲୋଡ଼ା କୀର୍ତି: ସବୁ ଖେଳାଳି ଶୂନରେ ଆଉଟ୍‌

ମାଲାପୁରମ୍‌: ବୁଧବାର ଏକ ୧୯ ବର୍ଷରୁ କମ୍‌ ବାଳିକା କ୍ରିକେଟ୍‌ ମ୍ୟାଚ୍‌ରେ ଅଲୋଡ଼ା କୀର୍ତି ଦେଖିବାକୁ ମିଳିଛି। କେରଳର ମାଲାପୁରମ୍‌ ଜିଲ୍ଲାରେ ଅବସ୍ଥିତ ପୋରିନ୍ଥାଲମାନା କ୍ରିକେଟ୍‌ ଷ୍ଟାଡିୟମ୍‌ରେ ବୁଧବାର ୩୦ ଓଭର ବିଶିଷ୍ଟ ଅନ୍ତଃଜିଲ୍ଲା କ୍ରିକେଟ୍‌ ଅନ୍ତର୍ଗତ ୱାୟାନାଦ ୧୯ ବର୍ଷରୁ କମ୍‌ ବାଳିକା ଦଳ ବିପକ୍ଷ ମ୍ୟାଚ୍‌ରେ କାସାରଗଡ଼ ୧୯ ବର୍ଷରୁ କମ୍‌ ବାଳିକା ଦଳର କୌଣସି ବି ଜଣେ ବ୍ୟାଟର୍‌ ଖାତା ଖୋଲିବାକୁ ସମର୍ଥ ହୋଇନଥିଲେ। ସମସ୍ତ ବ୍ୟାଟର୍‌ ଶୂନ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଅବଶ୍ୟ ଦଳ ସମସ୍ତ ୧୦ ୱିକେଟ୍‌ ହରାଇ ୪ ରନ୍‌ କରି ଏଭଳି ଲଜ୍ଜାଜନକ ସ୍ଥିତି ପାଇଛି। ପୁଣି ସଂଯୋଗବଶତଃ ଖାତା ଖୋଲିବାକୁ ସମର୍ଥ ହୋଇନଥିବା ସମସ୍ତ ଖେଳାଳି ସମାନ ଢଙ୍ଗରେ ବୋଲ୍‌ଡ ହିଁ ହୋଇଥିଲେ। ସେଥିରୁ ୱାୟାନାଦର ସଫଳ ବୋଲର ଭାବେ ଭିଜେ ଜୋସିତା (୦.୫-୦-୧-୪) ହ୍ୟାଟ୍ରିକ୍‌ ଅର୍ଜନ କରିବା ସାଙ୍ଗକୁ ସର୍ବାଧିକ ୪ ୱିକେଟ୍‌ ନେଇଥିଲେ। ତାଙ୍କ ବ୍ୟତୀତ ଅଧିନାୟିକା ନିତ୍ୟା ଲୁର୍ଧ ୨-୦-୩-୩, ଆରଥ ରବି ୨-୨-୦-୨ ଓ ସ୍ରୟା ରୟ ୧-୧-୦-୧ ଚମତ୍କାର ବୋଲିଂ ସଫଳତା ପାଇଥିଲେ। ଫଳରେ କାସାରଗଡ଼ ପାଳିରେ ସଂଗୃହୀତ ୪ ରନ୍‌ କେବଳ ୱାଇଡ୍‌ରୁ ହିଁ ମିଳିଥିଲା। ଦଳ ମୋଟ ୫.୫ ଓଭରରେ ୪ ରନ୍‌ କରି ଆଉଟ୍‌ ହୋଇଯିବା ପରେ ୱୟାନାଦ ଦଳ ବିଜୟ ପାଇଁ ଆବଶ୍ୟକ ୫ ରନ୍‌କୁ ପ୍ରଥମ ଓଭରରେ ହାସଲ କରିନେଇଥିଲା।

ସମ୍ବନ୍ଧିତ ଖବର