ଭୁବନେଶ୍ୱର: ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ସୁପରକପ୍ ଫୁଟ୍ବଲ୍ ପ୍ରତିଯୋଗିତା ବେଳେ ଦର୍ଶକ ସଂଖ୍ୟା ବଢ଼ାଇବା ଲାଗି ରାଜ୍ୟ କ୍ରୀଡ଼ା ବିଭାଗ ଏବଂ ଓଡ଼ିଶା ଫୁଟବଲ୍ ସଂଘ (ଫାଓ) ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ନେଇଛନ୍ତି। ପ୍ରତିଯୋଗିତା ଲାଗି କଳିଙ୍ଗ ଷ୍ଟାଡିୟମର ସବୁ ଗ୍ୟାଲେରି ଟିକେଟ ଦର ୨୦ ଟଙ୍କାକୁ କମାଇ ଦେଇଛନ୍ତିି। ପୂର୍ବରୁ ବିଭିନ୍ନ ଗ୍ୟାଲେରିର ଟିକେଟ ଦର ୨୦ରୁ ୧୦୦ ଟଙ୍କା ମଧ୍ୟରେ ରଖା ଯାଇଥିଲା। ଏପରିକି ଏହି ଦରରେ ଅନ୍ଲାଇନରେ ଟିକେଟ ବିକ୍ରି ଆରମ୍ଭ କରି ଦିଆଯାଇଥିଲା। ଗୁରୁବାର ଟିକେଟ ଦର ୨୦ ଟଙ୍କାକୁ କମାଇ ଦିଆ ଯାଇଥିବାରୁ ଅନଲାଇନ୍ରେ ଅଧିକ ଦର ଦେଇ ଟିକେଟ କିଣିଥିବା ଫୁଟବଲ୍ ପ୍ରେମୀଙ୍କୁ ବଳକା ଅର୍ଥ କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଗେଟ୍ ପାଖରେ ଖୋଲା ଯାଇଥିବା ଟିକେଟ୍ କାଉଣ୍ଟର ମାଧ୍ୟମରେ ଫେରାଇ ଦିଆଯିବ ବୋଲି ଘୋଷଣା କରାଯାଇଛି। ସେହିଭଳି ଆସନ୍ତାକାଲି ସୁଦ୍ଧା ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ କାଉଣ୍ଟର ଖୋଲି ଟିକେଟ ବିକ୍ରିର ବ୍ୟବସ୍ଥା କରାଯିବ ବୋଲି ଗୁରୁବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଯାହା ଫଳରେ ସୁପରକପ୍ ମୁଖ୍ୟ ପର୍ଯ୍ୟାୟକୁ ଯୋଗ୍ୟତାପଯ୍ୟାୟ ଅପେକ୍ଷା ଅଧିକ ସମର୍ଥନ ମିଳିବ ବୋଲି ଆଶା କରାଯାଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ ଯେ ଫେବ୍ରୁଆରିରେ ହୋଇଥିବା ଆଇଏସ୍ଏଲ୍ ମ୍ୟାଚ୍ ଏବଂ ସୁପରକପ୍ ଯୋଗ୍ୟତା ପର୍ଯ୍ୟାୟରେ ଆଶାଜନକ ଦର୍ଶକ ହୋଇ ନଥିଲେ। ଚଢ଼ା ଟିକେଟ ଦର ଯାହାର ଅନ୍ୟତମ କାରଣ ଥିଲା। ଏପରିକି ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ଦିନରେ କ୍ରୀଡ଼ା ବିଭାଗ ପକ୍ଷରୁ ମାଗଣାରେ ୪,୦୦୦ ଟିକେଟ ବାଣ୍ଟିବାର ନିଷ୍ପତ୍ତି ନିଆଯାଇଥିଲେ ମଧ୍ୟ ଦର୍ଶକଙ୍କ ଅନାଗ୍ରହ ଯୋଗୁଁ ଷ୍ଟାଡିୟମ୍ ପୂରି ପାରି ନଥିଲା। ଏହାକୁ ଆଖି ଆଗରେ ରଖି ମୁଖ୍ୟ ପର୍ଯ୍ୟାୟରେ ଯେମିତି ଦର୍ଶକ ମରୁଡ଼ି ନ ହୁଅନ୍ତି ସେ ଦିଗରେ ଯତ୍ନବାନ ହୋଇଛନ୍ତି ଆୟୋଜକ। ଆବଶ୍ୟକ ହେଲେ ରାଜଧାନୀର କେତେକ ବିଦ୍ୟାଳୟ ପିଲାଙ୍କ ପାଇଁ ମାଗଣା ଟିକେଟର ବ୍ୟବସ୍ଥା କରାଯିବ ବୋଲି ଗୁରୁବାର ସଂକେତ ଦେଇଛନ୍ତି ଫାଓ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ। ଗୁରୁବାର ପ୍ରତିଯୋଗିତା ଲାଗି ହୋଇଥିବା ପ୍ରସ୍ତୁତି ଏବଂ ଅନ୍ୟାନ୍ୟ ବିଷୟରେ ଗଣମାଧ୍ୟମକୁ ଅବଗତ କରାଇବା ଲାଗି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଫାଓ ସଭାପତି ତଥା ବିଧାୟକ ଦେବାଶିଷ ସାମନ୍ତରାୟ, କ୍ରୀଡ଼ା ବିଭାଗ ଓଏସଡି ଚଞ୍ଚଲ ରଣା, କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ବରିଷ୍ଠ କ୍ରୀଡ଼ା ପ୍ରଶାସକ ଆଶୀର୍ବାଦ ବେହେରା, ଫାଓ ଯୁଗ୍ମ ସଂପାଦକ ଅଭିଜିତ ପାଲ, ବରିଷ୍ଠ ଉପ ସଭାପତି ଭକ୍ତ ବଲ୍ଲଭ ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ଫୁଟ୍ବଲ୍ କ୍ଲବ୍କୁ ମାଗଣା ଟିକେଟ୍
କଟକ ଓ ଭୁବନେଶ୍ୱରର ଅଗ୍ରଣୀ ଫୁଟ୍ବଲ୍ କ୍ଲବ୍କୁ ମାଗଣାରେ ଟିକେଟ୍ ପ୍ରଦାନ କରିବାକୁ ନିଷ୍ପତି ହୋଇଛି। ଭୁବନେଶ୍ୱର ଦୌଡ଼କୁଦ ସଂଘ (ବିଏଏ)ର ଅନୁବଂଧିତ ସମସ୍ତ ଫୁଟ୍ବଲ୍ କ୍ଲବ୍ଗୁଡ଼ିକୁ ୨୦ ଲେଖାଏଁ ମାଗଣା ଟିକେଟ୍ ପ୍ରଦାନ ଲାଗି ନିଷ୍ପତ୍ତି ହୋଇଛି। ବିଏଏ ସମ୍ପାଦକ ଡକ୍ଟର ସୌର୍ଯ୍ୟରଂଜନ ପରିଜାଙ୍କ ନିକଟରୁ ସମ୍ପୃକ୍ତ କ୍ଲବ୍ଗୁଡ଼ିକ ଟିକେଟ୍ ସଂଗ୍ରହ କରିବାକୁ ରାଜ୍ୟ କ୍ରୀଡ଼ା ବିଭାଗର ଓଏସ୍ଡି ତଥା ସୁପର୍କପ୍ ମୁଖପାତ୍ର ଶୁଭେନ୍ଦୁ ପଣ୍ଡା ସୂଚନା ଦେଇଛନ୍ତି। କଟକର ଫୁଟ୍ବଲ୍ କ୍ଲବ୍ଗୁଡ଼ିକ ସେମାନଙ୍କ ଟିକେଟ୍ ଫାଓ ନିକଟରୁ ସଂଗ୍ରହ କରିପାରିବେ ବୋଲି ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ।
୧ କୋଟିର ବ୍ୟୟ ଅଟକଳ
ଚଳିତ ମାସ ୩୧ ତାରିଖରୁ ଆସନ୍ତାମାସ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସୁପରକପ୍ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ୧ କୋଟି ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ସେଥିମଧ୍ୟରୁ ୭୦ ଲକ୍ଷ ଟଙ୍କା ସର୍ବଭାରତୀୟ ଫୁଟ୍ବଲ୍ ମହାସଂଘ ଯୋଗାଇ ଦେଇଛି। ବଳକା ୩୦ ଲକ୍ଷ ଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଥିବା ଫାଓ ସଭାପତି ଦେବାଶିଷ ସାମନ୍ତରାୟ ଗୁରୁବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ବେଳେ ଗଣମାଧ୍ୟମ ପ୍ରତିନିଧିମାନେ କିଛିଟା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମୁଖ୍ୟ ପର୍ଯ୍ୟାୟ ବେଳେ ଏହି ସବୁ ଅସୁବିଧାକୁ ନିଶ୍ଚିତ ଭାବେ ଦୂର କରାଯିବ ବୋଲି ସେ ଏହି ଅବସରରେ ଘୋଷଣା କରିଥିଲେ।
ପଡ଼ିଆ ଫେରି ପାଇବ ପୁରୁଣା ରୂପ
ଆଇଏସଏଲ୍ ମ୍ୟାଚ୍ ବେଳେ କଳିଙ୍ଗ ଷ୍ଟାଡିୟମ ଫୁଟବଲ୍ ପଡ଼ିଆରେ ସବୁଜ ଘାସ ଲହଡ଼ି ମାରୁଥିଲା। ଷ୍ଟାଡିୟମର ସୌନ୍ଦର୍ଯ୍ୟ ବାହାରୁ ଆସିଥିବା ଖେଳାଳି ଏବଂ ଅଧିକାରୀଙ୍କୁ ବେଶ୍ ଆକର୍ଷିତ କରିଥିଲା। ଏପରିକି ସୁପରକପ୍ ଯୋଗ୍ୟତା ପର୍ଯ୍ୟାୟ ବେଳେ ପଡ଼ିଆର ସବୁଜିମା ପ୍ରଶଂସାର ପାତ୍ର ହୋଇଥିଲା। ହେଲେ ଯୋଗ୍ୟତା ପର୍ଯ୍ୟାୟ ବେଳେ ଲାଇନ ଚିହ୍ନଟ ପାଇଁ ବ୍ୟବହୃତ ହୋଇଥିବା ରସାୟନିକ ରଙ୍ଗ କାଳ ହୋଇଥିଲା। ଯେଉଁ ସ୍ଥାନରେ ଲାଇନ୍ ପଡ଼ିଥିଲା ସେ ସବୁ ସ୍ଥାନ ସହ ଏହାର ଆଖପାଖ ଅଞ୍ଚଳରେ ଥିବା ଘାସ ଆଶ୍ଚର୍ଯ୍ୟଜନକ ଭାବେ ପୋଡ଼ି ହଳଦିଆ ପଡ଼ି ଯାଇଥିଲା। ଯାହା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗୁରୁବାର ଏଥିନେଇ ଫାଓ ସ୍ପଷ୍ଟୀକରଣ ଦେଇଥିଲା। ଶନିବାର ମ୍ୟାଚ୍ ପୂର୍ବରୁ ପଡ଼ିଆର ପୂର୍ବାବସ୍ଥା ଫେରି ଆସିବ ବୋଲି ଫାଓ ସଭାପତି ଦେବାଶିଷ ସାମନ୍ତରାୟ ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରସାୟନିକ ପ୍ରତିକ୍ରିୟା ପାଇଁ ଘାସ ହଳଦିଆ ପଡ଼ି ଯାଇଥିବା ସେ ଏହି ଅବସରରେ ସ୍ୱୀକାର କରିଛନ୍ତି।
ଅଡିଓ ସିଡି ଉନ୍ମୋଚିତ
ଗୁରୁବାର ଫାଓ ଏବଂ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ସୁପରକପ୍ ଆଧାରିତ ସଙ୍ଗୀତକୁ ଉନ୍ମୋଚନ କରାଯାଇଥିଲା। ହ୍ୟୁମାନ ସାଗର ଏହାକୁ ଗାଇଥିଲା ବେଳେ ସୁଶୀଲ ଦଳେଇ ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ପ୍ରମୋଦ ଗୀତ ରଚନା କରିଛନ୍ତି। ପ୍ରଥମ ଥର ପାଇଁ ଆୟୋଜିତ ହେଉଥିବା ସୁପରକପ୍ ପ୍ରତିଯୋଗିତା ବେଳେ ଏହି ସଙ୍ଗୀତର ଉପଯୋଗ କରାଯିବ। ଏହି ଗୀତଟି ବେଶ୍ ଶ୍ରୁତି ମଧୁର ହୋଇଛି।
ଚେନ୍ନାଇ-ଆଇଜଲ ପ୍ରଥମ ମୁକାବିଲା
ଶନିବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ସୁପର କପ୍ ୧୬ ଦଳୀୟ ଫୁଟ୍ବଲ୍ ପ୍ରତିଯୋଗିତା ଲାଗି ଗୁରୁବାର ଚାରିଟି ଦଳ ଭୁବନେଶ୍ୱର ପହଞ୍ଚିଛନ୍ତି। ଅପରାହ୍ନରେ ଗୋକୁଳମ କେରଳା ଓ ଚର୍ଚିଲ ବ୍ରଦର୍ସ ପହଞ୍ଚିଥିଲା ବେଳେ ଚେନ୍ନାଇନ୍ ଓ ଆଇଜଲ ଏଫ୍ସି ରାତିରେ ପାଦ ଥାପିଥିଲେ। ଶନିବାର ପ୍ରଥମ ଦିନ ଚେନ୍ନାଇ ଏବଂ ଆଇଜଲ ମଧ୍ୟରେ ମୁକାବିଲା ହେବ। ଏହି ମ୍ୟାଚ୍ ରାତି ୮ଟାରୁ ଆରମ୍ଭ ହେବ। ପ୍ରତିଯୋଗିତାର ଅନ୍ୟତମ ଦଳ ଜାମସେଦପୁର ଏଫ୍ସିର କିଛି ଖେଳାଳି ଦୁଇ ଦିନ ହେବ ଏଠାକୁ ଆସି କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରୁଥିଲା ବେଳେ ଶୁକ୍ରବାର ଗୋକୁଳମ, ଚର୍ଚିଲ, ଚେନ୍ନାଇନ୍ ଓ ଆଇଜଲ୍ ଅଭ୍ୟାସ ଆରମ୍ଭ କରିବେ। ଚେନ୍ନାଇନ୍ ଚଳିତ ବର୍ଷର ଆଇଏସ୍ଏଲ୍ରେ ଦ୍ୱିତୀୟ ସ୍ଥାନରେ ରହି ସିଧାସଳଖ ସୁପରକପ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା।