ପଏଣ୍ଟ ଟେବୁଲ୍ର ନିମ୍ନଭାଗରେ ସଂଘର୍ଷ କରୁଥିବା ଦୁଇ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ମଙ୍ଗଳବାର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବାକୁ ଯାଉଥିବାବେଳେ ନିଶ୍ଚିତ ଧ୍ୟାନ ରଖିଥିବେ ପରାଜୟ ସେମାନଙ୍କୁ ଚଳିତ ବର୍ଷ ଆଇପିଏଲ୍ରୁ ବିଦାୟ ବାଟ କଢ଼ାଇ ନେବ। ଉଭୟ ଦଳରେ ବହୁ ବଡ଼ ଖେଳାଳି ରହିଛନ୍ତି କିନ୍ତୁ ସେମାନେ ଯେଭଳି ସ୍ଥିର ପ୍ରଦର୍ଶନ ଦେବା କଥା ଦେଉନାହାନ୍ତି। ସୀମିତ ଓଭର ଖେଳରେ ବ୍ୟାଟିଂ ଓ ବୋଲିଂରେ ଯେଭଳି ପ୍ରଦର୍ଶନ କରିବା କଥା ତାହା ମଧ୍ୟ କରିନାହାନ୍ତି। ଏହା ଫଳାଫଳରେ ପ୍ରତିଫଳିତ ହୋଇଛି। ଗୁରୁତ୍ୱପୂର୍ଣ୍ଣ ସମୟରେ ମଧ୍ୟ ଉଭୟ ଦଳ କ୍ୟାଚ୍ ହାତଛଡ଼ା କରି ପ୍ରତିପକ୍ଷ ବ୍ୟାଟସ୍ମ୍ୟାନ୍ଙ୍କୁ ମ୍ୟାଚ୍ରେ ମୋଡ଼ ଦେବା ଭଳି ସ୍କୋର୍ କରିବାର ସୁଯୋଗ ଦେଇଛନ୍ତି।
ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ପାଇଁ ଏହାର ଶୀର୍ଷ ୪ ବ୍ୟାଟସମ୍ୟାନ୍ ନିୟମିତ ଭଲ କରିବା ସମ୍ଭବ ନ ହେବାରୁ ଦଳ ଥରେ ମାତ୍ର ୨୦୦ ଟପି ପାରିଛି। ଦଳ ନିଶ୍ଚିତ ଆଶା କରିବ ଏହାର ବଡ଼ ତାରକା ଏବି ଡି’ଭିଲିୟର୍ସ ଶାରୀରିକ ଭାବେ ସକ୍ଷମ ହୋଇଯାଆନ୍ତୁ ଏବଂ ଏହି ଗୁରୁତ୍ୱପୂର୍ଣ୍ଣ ମୁକାବିଲା ଖେଳନ୍ତୁ। ବ୍ରେଣ୍ଡନ୍ ମ୍ୟାକ୍ଲମ ଏବଂ କ୍ୱିଣ୍ଟନ୍ ଡି’କକ୍ ଦଳର ବିଧ୍ୱଂସୀ ପ୍ରାରମ୍ଭିକ ଯୋଡ଼ି ରହିଛନ୍ତି। କିନ୍ତୁ ଉଭୟ ଖେଳାଳି ଦଳକୁ ବଡ଼ ସ୍କୋର୍ ପ୍ରଦାନରେ ଯେଭଳି ପ୍ରଭାବ ଛାଡ଼ିବା କଥା ଛାଡ଼ିନାହାନ୍ତି। ବିରାଟ କୋହଲି କୋଲ୍କାତା ବିପକ୍ଷ ମ୍ୟାଚ୍ ଭଳି ମଧ୍ୟ ମୁମ୍ବାଇ ବିପକ୍ଷ ବାହ୍ୟ ମ୍ୟାଚ୍ରେ ଭଲ ଖେଳିଥିଲେ। ବାଙ୍ଗାଲୋର୍ ଅଧିନାୟକଙ୍କଠାରୁ ଏଭଳି ଏକ ପାଳି ଆଶା କରିବ ଦଳ। କିନ୍ତୁ ଅନ୍ୟ ପ୍ରସଙ୍ଗଟି ହେଉଛି ଏସବୁ ବଡ଼ ଖେଳାଳିଙ୍କ ପରେ ମ୍ୟାଚ୍ ଶେଷ କରିବାକୁ ଦଳରେ କେହି ନାହାନ୍ତି। ବାଙ୍ଗାଲୋର୍ ବୋଲିଂ ଅସ୍ଥିର ରହିବା ସବୁଠାରୁ ଗୁୁରୁତ୍ୱପୂର୍ଣ୍ଣ। ଯାହାକି କୋହଲିଙ୍କ କାମକୁ କଠୋର କରି ଦେଇଛି। କାହାକୁ କେତେବେଳେ ଆଣିବେ ଏବଂ ପାଳିର କେଉଁ ସମୟରେ ଖେଳାଇବେ ତାହା କୋହଲିଙ୍କୁ ଚିନ୍ତାରେ ପକାଉଛି। ମୁମ୍ବାଇ ପାଇଁ ମଧ୍ୟ ବୋଲିଂ ଚିନ୍ତାର କାରଣ ରହିଛି, କିନ୍ତୁ ଚେନ୍ନାଇ ସୁପର୍ କିଙ୍ଗ୍ସ ବିପକ୍ଷରେ ବୁମରା ଭଲ ବୋଲିଂ କରିଥିଲେ। ପ୍ରତିଯୋଗିତା ଆରମ୍ଭରୁ ମୟଙ୍କ ମାର୍କଣ୍ଡ ଯେଭଳି ଆରମ୍ଭ କରିଥିଲେ ସେଭଳି ଆଉ ପାରୁନାହାନ୍ତି। ମୁସ୍ତାଫିଜୁର ମଧ୍ୟ ଚଳିତ ଋତୁରେ ସେଭଳି ଭଲ ପ୍ରଦର୍ଶନ କରୁନାହାନ୍ତି।
ରୋହିତ ଶର୍ମା ରନ୍ କଲେ ଦଳ ପାଇଁ ଏହା ନିର୍ଣ୍ଣାୟକ ହେଉଛି। ମୁମ୍ବାଇ ଭଲ ସ୍କୋର୍ କରୁଛି ଯେତେବେଳେ ରୋହିତ ଶର୍ମା ରନ୍ କରୁଛନ୍ତି। ୩ ନମ୍ବର ସ୍ଥାନରେ ଆସୁଥିବା ରୋହିତଙ୍କ ଆଗରୁ ଯୁବ ଓ ପ୍ରଚଣ୍ଡ ପ୍ରତିଭାଧାରୀ ଈଶାନ କିଷନ ଆସିବା ଭଲ କଥା। ମୁମ୍ବାଇ ଏ ପର୍ଯ୍ୟନ୍ତ ଜିତିଥିବା ଦୁଇଟି ବିଜୟ ସେତେବେଳେ ସମ୍ଭବ ହୋଇଛି ଯେତେବେଳେ ରୋହିତ ଶର୍ମା ବଡ଼ ପାଳି ଖେଳିଛନ୍ତି। ସୂର୍ଯ୍ୟକୁମାର ଯାଦବ ସୁନ୍ଦର ବ୍ୟାଟିଂ କରୁଛନ୍ତି। କ୍ରିିସ୍ ଗେଲ୍ ଏବଂ ଆନ୍ଦ୍ରେ ରସେଲଙ୍କ ଭଳି ତାଙ୍କ େଓ୍ଵଷ୍ଟଇଣ୍ଡିଆନ୍ ସାଥୀ ଏଭିନ୍ ଲୁଇସ୍ ମଧ୍ୟ ଭୟଙ୍କର ବ୍ୟାଟିଂ କରିଥାନ୍ତି। ଏବେଠାରୁ ମୁମ୍ବାଇ ଓ ବାଙ୍ଗାଲୋର୍ ପାଇଁ ପ୍ରତିଟି ମ୍ୟାଚ୍ ସେମିଫାଇନାଲ୍ ଭଳି। ଫଳାଫଳ ଉପରେ ଜୀବନ ନିର୍ଭର କରୁଛି ବୋଲି ସେମାନଙ୍କୁ ଧରିନେବାକୁ ହେବ। (ପିଏମ୍ଜି/ଇଏସ୍ପି)