ଘରୋଇ ପଡ଼ିଆରେ ବିଶ୍ବକପ୍ ଖେଳିବା ସମସ୍ତଙ୍କ ଭାଗ୍ୟରେ ଜୁଟିନଥାଏ: ବୀରେନ୍ଦ୍ର

ଭୁବନେଶ୍ବର: ବହୁ ପରିଶ୍ରମ କରି ଦଳକୁ ଫେରିଛି। ଆହତ ସମସ୍ୟା ଭିତରେ ଥିବାବେଳେ ମୋ ମନରେ ଆଉ କିଛି ନ ଥିଲା। ମୋ ଭିତରେ ‘ହଁ କରିବାର ଅଛି’ ବୋଲି ବିଶ୍ବାସ ରଖିଥିଲି। ପ୍ରଶିକ୍ଷକ ଏବଂ ଫିଜିଓଙ୍କଠାରୁ ବି ଢ଼େର ସମର୍ଥନ ଓ ସହଯୋଗ ମିଳିଥିଲା। ସେମାନେ ମୋ ଆତ୍ମବିଶ୍ବାସ ଓ ମନୋବଳକୁ ତଳକୁ ଯିବାକୁ ଦେଇନଥିଲେ। ମୁଁ କେବଳ କଠିନ ପରିଶ୍ରମରେ ଲାଗି ପଡ଼ିଥିଲି ଏବଂ ଦଳକୁ ଫେରିବାର ବିଶ୍ବାସ ବି ରଖିଥିଲି ବୋଲି ଭାରତୀୟ ହକି ଦଳର ନିର୍ଭରଯୋଗ୍ୟ ଓଡ଼ିଆ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା କହିଛନ୍ତି। ତଥାପି ଏ ସମୟ ମୋ ପାଇଁ ବଡ଼ କଷ୍ଟକର ଏବଂ ଆହ୍ବାନଭରା ଥିଲା ବୋଲି ସ୍ବୀକାର କରିଥିଲେ ଏହି ସୁନ୍ଦରଗଡ଼ ତାରକା। ଘରୋଇ ପଡ଼ିଆରେ ବିଶ୍ବକପ୍ ଖେଳିବାର ସୁଯୋଗ ମିଳିଥିବାରୁ ମୁଁ ବହୁତ ଖୁସୀ ଏବଂ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଦଳକୁ ଯଥାସମ୍ଭବ ଆଗକୁ ନେବାକୁ ‌ଚେଷ୍ଟା କରିବି ବୋଲି କହିଛନ୍ତି ବୀରେନ୍ଦ୍ର। ଘରୋଇ ପଡ଼ିଆ ହେଉ କି ବିଶ୍ବକପ୍ ମଇଦାନ ମୋ ଉପରେ କୌଣସି ପ୍ରକାର ଚାପ ନାହିଁ। କାରଣ ଆଗରୁ ଅଲିମ୍ପିକ୍ସଠାରୁ ଆରମ୍ଭ କରି ରାଜ୍ୟଗୋଷ୍ଠ ଓ ଏସିଆଡ୍ ଭଳି ବଡ଼ ପ୍ରତିଯୋଗିତା ଖେଳିବାର ଅଭିଜ୍ଞତା ରହିଛି। ଏତେ ମ୍ୟାଚ୍ ଖେଳିବା ପରେ ଚାପରେ ରହିବାର କିଛି ମହତ୍ବ ନଥାଏ। ଚାପରେ ରହିଲେ ବରଂ ଅସୁବିଧା ହେବାର ଅଛି। ଭୁବନେଶ୍ବରକୁ ବିଶ୍ବର ଶ୍ରେଷ୍ଠ ୧୬ ଦଳ ଆସୁଛନ୍ତି। ଭଲ ଖେଳିବାକୁ ସେମାନେ ବି ପ୍ରସ୍ତୁତ ଅଛନ୍ତି। ଆମ ଦଳ କିନ୍ତୁ ବେଶ ସନ୍ତୁଳିତ ରହିଛି। ଯୁବ ଓ ଅଭିଜ୍ଞତାର ଭଲ ମିଶ୍ରଣ ବି ଘଟିଛି। କହିବାକୁ ଗଲେ କନିଷ୍ଠ ଓ ବରିଷ୍ଠଙ୍କୁ ନେଇ ଭଲ ସମନ୍ବୟର ଦଳ ପ୍ରସ୍ତୁତ ହୋଇଛି। ଦୁଇ ବର୍ଷ ତଳେ କନିଷ୍ଠ ବିଶ୍ବକପ୍ ଜିତିଥିବା ଭାରତୀୟ ଦଳରୁ ସ୍ଥାନ ପାଇଥିବା ୬ ଜଣ ଖେଳାଳି ମଧ୍ୟ ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର (ସିଂହ) ସାରଙ୍କ ସହ କାମ କରି ଆସିଛନ୍ତି। ଡ୍ରାଗ୍ ଫ୍ଲିକ/ପେନାଲଟି କର୍ନର ରୂପାନ୍ତର ସହିତ ଏବଂ ରକ୍ଷଣଭାଗକୁ ସମ୍ଭାଳିପାରିଲେ ଭାରତ ପଦକ ପର୍ଯ୍ୟନ୍ତ ପହଞ୍ଚିପାରିବ। ଦଳରେ ଯାହା ସହୁ ଦୁର୍ବଳତା ରହିଛି ଆମକୁ ପ୍ରଶିକ୍ଷକ ବତାଉଛନ୍ତି, ଆମକୁ ସେ କ୍ଷେତ୍ରରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ବୀରେନ୍ଦ୍ର ପ୍ରକାଶ କରିଥିଲେ। ବ୍ୟକ୍ତିଗତ ଭାବେ ମୁଁ ଘରୋଇ ପଡ଼ିଆ ଏବଂ ସହରରେ ବିଶ୍ବକପ୍ ଖେଳିବାର ସୁଯୋଗ ପାଇଥିବାରୁ ବହୁତ ଖୁସୀ। ନିଜ ଦେଶ, ରାଜ୍ୟ, ସହର, ପଡ଼ିଆ, ପ୍ରଶଂସକ, ପରିବାରଙ୍କ ଆଗରେ ବିଶ୍ବକପ୍ ଖେଳିବାର ସ‌ୌଭାଗ୍ୟ ସମସ୍ତଙ୍କ ଭାଗ୍ୟରେ ଜୁଟି ନ ଥାଏ। ଆଗରୁ ମୁଁ ଅଲିମ୍ପିକ୍ସ ଓ ବିଶ୍ବକପ୍ ଖେଳି ସାରିଛି। କିନ୍ତୁ ଏହି ବିଶ୍ବକପ୍ ମୋ ପାଇଁ ସ୍ବତନ୍ତ୍ର ରହିବ। ସବୁ ଖେଳର ଖେଳାଳିମାନେ ବିଶ୍ବକପ୍ ଖେଳିବାକୁ ଚାହିଁଥାନ୍ତି, ମୁଁ ଏ ‌କ୍ଷେତ୍ରରେ ବଡ଼ ଭାଗ୍ୟବାନ ବୋଲି ମଧ୍ୟ ସ୍ବୀକାର କରିଥିଲେ ପତଳା ଚେହେରାରେ ଫେରିଥିବା ବୀରେନ୍ଦ୍ର।

ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ପ୍ରଶଂସକଙ୍କୁ ସମସ୍ତେ ପ୍ରଶଂସା କରିଥାନ୍ତି। ଏହା ଚାପ ନୁହେଁ ଉତ୍ସାହ ଯୋଗାଇବ। ହକି ଇଣ୍ଡିଆ ଲିଗ୍, ଚାମ୍ପିଅନ୍ସ ଟ୍ରଫି ଏବଂ ବିଶ୍ବ ହକି ଲିଗ୍ ଫାଇନାଲ୍ସରେ ପ୍ରଶଂସମାନେ ଢେର ସମର୍ଥନ କରିଛନ୍ତି। ଏଥର ଦର୍ଶକସଂଖ୍ୟା ଦୁଇଗୁଣ ହୋଇଯାଉଥିବାରୁ ଆମକୁ ମଧ୍ୟ ସେମାନଙ୍କୁ କିଛି ଦେବାକୁ ପଡ଼ିବ। ଗତବର୍ଷ ବିଶ୍ବହକି ଲିଗ୍ ଫାଇନାଲ୍ସରେ ପ୍ରଶଂସକମାନେ ବର୍ଷାରେ ବି ଅପେକ୍ଷା କରି ତିନ୍ତି ତିନ୍ତି ମ୍ୟାଚ୍ ଦେଖିଥିଲେ। ସେମାନଙ୍କ ଧୈର୍ଯ୍ୟ ଆମକୁ ଅତିରିକ୍ତ ଶକ୍ତି ଯୋଗାଇଥାଏ ବୋଲି ନିଜର ଦ୍ବିତୀୟ ବିଶ୍ବକପ୍ ଖେଳିବାକୁ ପ୍ରସ୍ତୁତ ବୀରେନ୍ଦ୍ର ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର