ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ର ଅନ୍ୟତମ ମହାନ ଖେଳାଳି ମହେନ୍ଦ୍ର ସିଂହ ଧୋନିଙ୍କ ଅନ୍ତର୍ଜାତୀୟ ଅବସର ୬ ବର୍ଷ ପୂରଣ ହେବାକୁ ଯାଉଛି। କିନ୍ତୁ ଏହି ପୂର୍ବତନ ଅଧିନାୟକ ଏବେ ବି ସମସ୍ତଙ୍କ ହୃଦୟରେ ବିରାଜମାନ କରୁଛନ୍ତି। ଯେଉଁଠିକି ଗଲେ କି ଯେଉଁଠି ଖେଳିଲେ ବି ଧୋନିଙ୍କୁ କେବଳ ଯେ ପ୍ରଶଂସକମାନେ ଅନୁକରଣ କରୁଛନ୍ତି ତା ନୁହେଁ, ସାଥୀ ଖେଳାଳି, ପୂର୍ବତନ ଖେଳାଳି, ପ୍ରଶଂସକ ଓ ପ୍ରଶାସକ ସମସ୍ତେ ତାଙ୍କ ସହ ଟିକିଏ ସମୟ କାଟିବା, ଫଟୋ ଉଠାଇବା, ସେଲଫି ନେବା ହେଉ କି ହାତ ମିଳାଇବା, ଆଲିଙ୍ଗନ କରିବାର ସୁଯୋଗକୁ ହାତଛଡ଼ା କରିବାକୁ ପଛାଉନାହାନ୍ତି।
ସୋମବାର ରାତିରେ ଧୋନି ଏକ ଛୋଟିଆ ତଥା ଆକର୍ଷଣୀୟ ପାଳି ଖେଳି ଚେନ୍ନାଇ ସୁପର୍ କିଙ୍ଗ୍ସକୁ ବହୁ ପ୍ରତୀକ୍ଷିତ ବିଜୟ ଦେଇଛନ୍ତି। ତାଙ୍କ ୧୧ ବଲ୍ ୨୬* ରନ୍ ପାଳିରେ ୪ ଚୌକା ଓ ୧ ଛକା ବି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ଉପସ୍ଥିତ ଦର୍ଶକଙ୍କୁ ମୁଗ୍ଧ କରିଛି। ସିଏସ୍କେ ମଧ୍ୟ କ୍ରମାଗତ ୫ ପରାଜୟ ପରେ ବିଜୟ ପାଇଛି। ସୋମବାର ରାତିରେ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍ସ ବିପକ୍ଷ ମ୍ୟାଚ୍ ଅବସରରେ ଧୋନିଙ୍କୁ ଆଲିଙ୍ଗନ ଓ ଆଳାପ କରିଥିବା କିଛି କ୍ରିକେଟ୍ ବ୍ୟକ୍ତିତ୍ବଙ୍କ ମଧ୍ୟରେ ପ୍ରତିପକ୍ଷ ଅଧିନାୟକ ଋଷଭ ପନ୍ତ୍, ଏଲ୍ଏସ୍ଜି ମାର୍ଗଦର୍ଶକ ଜାହିର୍ ଖାନ୍, ମାଲିକ ସଂଜୀବ ଗୋଏଙ୍କା, ଆଇପିଏଲ୍ ଅଧ୍ୟକ୍ଷ ଅରୁଣ ଧୂମାଲ, ବିସିସିଆଇ ଉପସଭାପତି ରାଜୀବ ଶୁକ୍ଳା ପ୍ରମୁଖ ସାମିଲ ଥିଲେ। ସବୁଠାରୁ ବଡ଼ କଥା ହେଉଛି ତାଙ୍କ ଦଳ ହାରିବା ସତ୍ତ୍ବେ ମାହିଙ୍କୁ ଭେଟିବା ବେଳେ ଏଲ୍ଏସ୍ଜି ମାଲିକ ସଂଜୀବ ଗୋଏଙ୍କା ଖୁସି ଥିଲେ। ସୂଚନାଯୋଗ୍ୟ, ୨୦୧୭ରେ ପୁନେ ସୁପର୍ ଜାଏଣ୍ଟ୍ସ ଅଧିନାୟକ ପଦରୁ ଧୋନିଙ୍କୁ ସଂଜୀବ ଗୋଏଙ୍କା ବିଦା କରିଥିଲେ।