ନୂଆଦିଲ୍ଲୀ: ଭାରତୀୟ ଅଫସ୍ପିନର୍ ରବିଚନ୍ଦ୍ରନ ଅଶ୍ବିନ୍ଙ୍କ ପଦାର୍ପଣ ଠିକ୍ ୨୦୧୧ ବିଶ୍ବକପ୍ ପୂର୍ବ ବର୍ଷ ହୋଇଥିଲା। ପଦାର୍ପଣ ସମୟରେ ତାଙ୍କ ଉପରେ ଗଣମାଧ୍ୟମ ଓ ପ୍ରଶଂସକମାନେ ଯେଭଳି ନଜର ପକାଇଥିଲେ ଏହା ତାଙ୍କୁ ଉତ୍ସାହିତ କରିଥିଲା। ମାତ୍ର ୭ଟି ଦିନିକିଆ ଖେଳିବା ପରେ ସେ ବିଶ୍ବକପ୍ ଯୋଜନାରେ ସାମିଲ ହୋଇଥିଲେ। ୨୦୧୧ ବିଶ୍ବକପ୍ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଭାରତ ନିଜର ଷଷ୍ଠ ମ୍ୟାଚ୍ ଖେଳିବା ବେଳେ ଅଶ୍ବିନ୍ ବିଶ୍ବକପ୍ ପଦାର୍ପଣ କରି ୪୧ ରନ୍ରେ ୨ ୱିକେଟ୍ ନେଇଥିଲେ। ଭାରତ ମଧ୍ୟ ୮୦ ରନ୍ରେ ମ୍ୟାଚ୍ ଜିତିଯାଇଥିଲା। ଏହା ପରେ ସେ ଅଷ୍ଟ୍ରେଲିଆ ବିପକ୍ଷ ହାଇପ୍ରୋଫାଇଲ୍ କ୍ବାର୍ଟର ଫାଇନାଲ୍ ମ୍ୟାଚ୍ ଖେଳିଥିଲେ। ୯ ବର୍ଷ ତଳର କଥାକୁ ମନେ ପକାଇ ଅଶ୍ବିନ୍ କହିଛନ୍ତି ‘ପ୍ରତି ଦିନ ସକାଳେ ମୁଁ ଉଠିବା ବେଳକୁ ଦେଖେ ମୋ ନାମ ଚୂଡ଼ାନ୍ତ ଏକାଦଶରେ ନାହିଁ। ବିଶ୍ବକପ୍ ପୂର୍ବରୁ ମଧ୍ୟ ମୁଁ ବିଶେଷ ଦିନିକିଆ ଖେଳିନଥାଏ।
ଖବରକାଗଜରେ ବି ବାହାରୁଥାଏ, ଅଶ୍ବିନ୍ ଖେଳିବେ, ଖେଳିବା ଉଚିତ୍ ଏଭଳି ଅନେକ କିଛି।’ ଶେଷରେ ୨ ମ୍ୟାଚ୍ରୁ ୪ ୱିକେଟ୍ରେ ସୀମିତ ରହିଥିଲେ ମଧ୍ୟ ଅଶ୍ବିନ୍ ନିଜ ଖେଳ ଜୀବନର ପ୍ରାରମ୍ଭରେ ବିଶ୍ବକପ୍ ବିଜେତା ଖେଳାଳି ହେବାର ଗୌରବ ପାଇଥିଲେ। ବିଶ୍ବକପ୍ ବିଜୟର ପରବର୍ତୀ ୫ ବର୍ଷ କିନ୍ତୁ ଅଶ୍ବିନ୍ ଦେଶର ପ୍ରମୁଖ ସ୍ପିନର୍ ଭାବେ ଉଭା ହୋଇଥିଲେ। ହରଭଜନ ସିଂହ ଦେଶର ଏକ ନମ୍ବର ସ୍ପିନର୍ ହୋଇଥିବାରୁ ଅଶ୍ବିନଙ୍କ ଆରମ୍ଭ ସେତେ ଭଲ ରହିନଥିଲା। ଦଳୀୟ ମ୍ୟାନେଜମେଣ୍ଟ୍ ବି ଉଭୟ ସ୍ପିନରଙ୍କୁ ଏକାଠି ଖେଳାଇବାକୁ ବହୁ କଷ୍ଟ ସ୍ବୀକାର କରିଥିଲେ। କିନ୍ତୁ ଥରେ ଖେଳିବା ପରେ ସେମାନଙ୍କ ଉପରେ ଆତ୍ମବିଶ୍ବାସ ବଢ଼ିଯାଇଥିଲା। ‘ଭଜି ପା (ହରଭଜନ) ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଖେଳୁଥିଲେ, ଦଳରେ ସନ୍ତୁଳନ ରକ୍ଷା କରିବା ମଧ୍ୟ କଷ୍ଟକର ହେଉଥିଲା। ମୁଁ କିନ୍ତୁ ଖେଳିବାକୁ ଚାହୁଁଥିଲି। ପ୍ରତି କ୍ରିକେଟର୍ ଏଭଳି ଆଶା ରଖିଥାଏ। ମୋତେ କିନ୍ତୁ କୁହାଯାଉଥିଲା ତୁମେ ଖେଳିବା ଉଚିତ୍। ସଭିଏଁ କହୁଥିଲେ ତୁମେ ଖେଳିଲେ ହିଁ ଭାରତ ବିଶ୍ବକପ୍ ଜିତିଯିବ’ ବୋଲି ଅଶ୍ବିନ୍ ପ୍ରକାଶ କରିଥିଲେ। ତାହା ସତ ହୋଇଥିଲା, କିନ୍ତୁ ଅଶ୍ବିନ୍ଙ୍କ ଅବଦାନ ସୀମିତ ରହିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Ishant-Ashwin-.jpg)