ବର୍ଲିନ୍ (ଜର୍ମାନି) : ଜର୍ମାନି ଟେନିସ୍ ତାରକା ଆଲେକ୍ଜାଣ୍ଡର ଭେରେଭ୍ଙ୍କ ବିରୋଧରେ ତାଙ୍କ ପୂର୍ବତନ ବାନ୍ଧବୀ ତଥା ରୁଷୀୟ ଟେନିସ୍ ଲଳନା ଓଲ୍ଗା ସାରିପୋଭା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୦୧୮ରୁ ୨୦୧୯ ମଧ୍ୟରେ ଉଭୟେ ଡେଟିଂ କରିଥିଲେ। ସେହି ସମୟରେ ଭେରେଭ୍ ତାଙ୍କ ସହ ଦୈହିକ ସଂପର୍କ ରଖିଥିଲେ ବୋଲି ୨୩ ବର୍ଷ ବୟସ୍କା ଓଲ୍ଗା ଅଭିଯୋଗ ବାଢ଼ିଛନ୍ତି। ହେଲେ ଭେରେଭ୍ କିନ୍ତୁ ଏଭଳି ଅଭିଯୋଗକୁ ନିଜ ଟ୍ବିଟର ପୃଷ୍ଠାରେ ଅସ୍ବୀକାର କରିଛନ୍ତି। ଭେରେଭ୍ ଏବେ ଅନ୍ୟତମ ପୂର୍ବତନ ବାନ୍ଧବୀ ମଡେଲ ବ୍ରେନ୍ଦା ପାଟିଆଙ୍କ ସହ ସଂପର୍କ ଯୋଡ଼ିବା ଏବଂ ସେ ତାଙ୍କ ପିଲାର ମା’ ହେବାକୁ ଯାଉଥିବା ଖୋଲି କହିବାର ଦିନକ ପରେ ଓଲ୍ଗା ଏଭଳି ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଏବେ ଅନ୍ତସତ୍ତ୍ବା ବୋଲି ବ୍ରେନ୍ଦା କହିଛନ୍ତି।
ବୁଧବାର ଏକ ଇନ୍ଷ୍ଟାଗ୍ରାମ୍ ପୋଷ୍ଟ୍ରେ ଓଲ୍ଗା ଲେଖିଛନ୍ତି, ‘‘ଆମେ କନିଷ୍ଠ ଟେନିସ୍ ଖେଳିବା ଦିନରୁ ହିଁ ପରିଚିତ ଥିଲୁ। ଗତବର୍ଷ ଅଗଷ୍ଟରେ ମୁଁ ହୋଟେଲରେ ଥିଲା ବେଳେ ଭେରେଭ୍ ମୋଟେ ପିଟିଥିଲେ। ମୁଁ ସେତେବେଳେ ଖାଲିପାଦରେ ଦୌଡ଼ିଥିଲି। ମୁଁ ନ୍ୟୁୟର୍କର ଏକ ଗଳିରେ ଠିଆ ହୋଇଥିଲି ଏବଂ କେଉଁଆଡେ ଯିବି, କ’ଣ କରିବି ବୋଲି ଭାବୁପାରୁନଥିଲି। ସେମାନେ ମଧ୍ୟ ତକିଆରେ ମୋର ଗଳା ଚିପି ମାରିଦେବାକୁ ପ୍ରୟାସ କରିଥିଲେ। ଏପରିକି ମୋ ମୁଣ୍ଡକୁ କାନ୍ଥରେ ପିଟି ଦେଇଥିଲେ। ମୋ ଦୁଇ ବାହୁକୁ ମୋଡି ଦେଇଥିଲେ। ଆଉ ସେହି ସମୟରେ ମୁଁ ପ୍ରକୃତରେ ଖୁବ୍ ଭୟଭୀତ ହୋଇପଡ଼ିଥିଲି। ଜୀବନ ଚାଲିଯିବ ବୋଲି ଭାବିଥିଲି’’ ବୋଲି ଲଭ୍ଟେନିସ୍ଡଟ୍କମ୍କୁ କହିଛନ୍ତି ଓଲ୍ଗା। ଏଭଳି ପରିସ୍ଥିତି ମଧ୍ୟ ପ୍ରଥମ ଥର ଘଟିନଥିଲା। ଦୁଷ୍କର୍ମ କରିବା ପରେ ଅନେକ ଥର ମଧ୍ୟ ସେ ମୋତେ ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ଆଣିଛନ୍ତି ଓଲ୍ଗା।