ନୂଆଦିଲ୍ଲୀ: ସିଡନୀ ଟେଷ୍ଟ ଆରମ୍ଭ ହେବା ପୂର୍ବରୁ ସ୍ଥିର ହୋଇଥିଲା ଯେ ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ଏହି ମ୍ୟାଚ୍ ଖେଳିବେ ନାହିଁ। ଜାନୁଆରି ୩ରେ ସିଡନୀ ଟେଷ୍ଟ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ରୋହିତ ଶର୍ମାଙ୍କୁ ହଟାଯାଇ କ୍ରିକେଟର ଜସପ୍ରୀତ୍ ବୁମରାଙ୍କୁ ଦଳର ଅଧିନାୟକ କରାଯାଇଥିଲା। ଏହି ଘୋଷଣା ପରେ ରୋହିତ ‌ଟେଷ୍ଟ ମ୍ୟାଚରୁ ଅବସର ନେଉଥିବା ନେଇ ଚର୍ଚ୍ଚା ହୋଇଥିଲା। ହେଲେ ରୋହିତ ଷ୍ଟାର ସ୍ପୋର୍ଟସକୁ ସାକ୍ଷାତକାର ଦେଇ କହିଥିଲେ ଯେ, "ମୁଁ ଅବସର ନେଉ ନାହିଁ। ଏବେ ମୁଁ କ୍ରିକେଟ୍ ଖେଳରୁ ଦୂରେଇ ଯାଇନାହିଁ। ମୁଁ ଖେଳିବି।"

Advertisment

ତାଙ୍କର ଏଭଳି ପ୍ରତିକ୍ରିୟା ପରେ ଏହା ସ୍ପଷ୍ଟ ହୋଇଥିଲା ଯେ, ରୋହିତ ଅବସର ନେଉନାହାନ୍ତି। ତାଙ୍କର ଏହି ଘୋଷଣା ଉପରେ ଏବେ ପୂର୍ବତନ ଭାରତୀୟ ବ୍ୟାଟିଂ କୋଚ୍ ତଥା କ୍ରିକେଟର ସଞ୍ଜୟ ବଙ୍ଗର ପ୍ରତିକ୍ରିୟା ରଖିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, "ରୋହିତ ଏବେ ଅବସର ନେଉ ନଥିବା ସ୍ପଷ୍ଟ କରିଛନ୍ତି। ‌ତେଣୁ ତାଙ୍କୁ ଘରୋଇ କ୍ରିକେଟରେ ରନ୍ ସ୍କୋର କରି ଟେଷ୍ଟ ଦଳରେ ନିଜର ସ୍ଥାନ ଅର୍ଜନ କରିବା ଉଚିତ୍। ତାଙ୍କୁ ଜାଣିବାକୁ ହେବ ଯେ ସେ ଏବେ ବି ଟେଷ୍ଟ କ୍ରିକେଟ ପାଇଁ ପୂର୍ବ ଭଳି ଆଗ୍ରହୀ କି ନାହିଁ ଏବଂ ଯଦି ସେ ଆଗ୍ରହୀ, ତେବେ ଏହା ତାଙ୍କ ପ୍ରଦର୍ଶନରେ ଦେଖାଯିବା ଉଚିତ। ଯଦି ସେ ଭଲ ପ୍ରଦର୍ଶନ କରିବେ ତେବେ ତାଙ୍କୁ ‌ଟେଷ୍ଟ କ୍ରିକେଟରେ ଖେଳିବାକୁ କେହି ରୋକିବେ ନାହିଁ।"