ମୁଷ୍ଟିଯୋଦ୍ଧା ଡିଙ୍କୋ ସିଂହଙ୍କୁ କର୍କଟ, ଚିକିତ୍ସା ପାଇଁ ଦିଲ୍ଲୀ ଆସିବେ

ନୂଆଦିଲ୍ଲୀ : ଏସୀୟ କ୍ରୀଡ଼ା ସ୍ବର୍ଣ୍ଣ ପଦକ ବିଜେତା ମୁଷ୍ଟିଯୋଦ୍ଧା ଡିଙ୍କୋ ସିଂହ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲା ବେଳେ ଆସନ୍ତା ୨୫ ତାରିଖରେ ଚିକିତ୍ସା ପାଇଁ ଦିଲ୍ଲୀରେ ପହଞ୍ଚିବେ। ଡିଙ୍କୋ ଯକୃତ କର୍କଟରେ ଆକ୍ରାନ୍ତ ହୋଇଛନ୍ତି। ତେବେ କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ଲାଗୁ ହୋଇଥିବା ତାଲାବନ୍ଦ କାରଣରୁ ସେ ଗୋଟିଏ ରେଡିଓ ଥେରାପି ନେଇପାରିନଥିଲେ। ବର୍ତ୍ତମାନ ଡିଙ୍କୋ ଇମ୍ଫାଲରେ ରହୁଛନ୍ତି। ଡିଙ୍କୋଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଦିଲ୍ଲୀ ଅଣାଯିବାକୁ ବ୍ୟବସ୍ଥା କରାଯାଉଥିବା ଭାରତୀୟ ମୁଷ୍ଟିଯୁଦ୍ଧ ମହାସଂଘ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆର୍‌କେ ସଚେତି ସୂଚନା ଦେଇଛନ୍ତି। ପୂର୍ବରୁ କ୍ରୀଡ଼ା ମନ୍ତ୍ରୀ କିରଣ ରିଜିଜୁ ମଧ୍ୟ ମଣିପୁର ସରକାରଙ୍କୁ ତାଙ୍କର ଚିକିତ୍ସା ଉପରେ ନଜର ରଖିବାକୁ ଓ ଆବଶ୍ୟକୀୟ ଡାକ୍ତରଖାନା ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ।

ଅଜୁର୍ନ ଓ ପଦ୍ମଶୀ ପୁରସ୍କାରପ୍ରାପ୍ତ ଡିଙ୍କୋ ଯକୃତ କର୍କଟ ସହ ସଂଘର୍ଷ କରୁଛନ୍ତି। ଏହି ମୁଷ୍ଟିଯୋଦ୍ଧା ଜଣକ ୧୯୯୮ ବ୍ୟାଙ୍କକ୍‌ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବର୍ତ୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି। ତଥାପି ତାଙ୍କୁ ରେଡିଓ‌ ଥେରାପିର ଆବଶ୍ୟକତା ରହିଛି। ଦିଲ୍ଲୀସ୍ଥିତ ଡାକ୍ତର ତାଙ୍କୁ ପୂର୍ବରୁ ଚିକିତ୍ସା କରିଆସୁଥିବାରୁ ତାଙ୍କ ବିଷୟରେ ସେମାନେ ଅଧିକ ଜାଣିଛନ୍ତି। ମଣିପୁରରେ ରେଡିଓ‌ ଥେରାପି ଜନିତ ଚିକିତ୍ସା ସୁବିଧା ଉପଲବ୍ଧ ନଥିବାରୁ ଗୁଆହାଟୀରେ ପରବର୍ତ୍ତୀ ବିକଳ୍ପ ରହିଥିଲା। କିନ୍ତୁ କ୍ରୀଡ଼ା ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଡିଙ୍କୋ ତାଙ୍କର ଚିକିତ୍ସା ଦିଲ୍ଲୀସ୍ଥିତ ଆଇଏଲ୍‌ବିଏଲ୍‌ ଡାକ୍ତରଖାନାରେ କରାଇବାକୁ ଆଗ୍ରହ ଦେଖାଇଛନ୍ତି। ତଥାପି ତାଙ୍କର ରୋଗପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଥିବା ବେଳେ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ରହିଛି। ଏଥିଯୋଗୁଁ ଡିଙ୍କୋଙ୍କ ମନରେ ଭୟ ମଧ୍ୟ ରହିଥିବା କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହ ତାଙ୍କୁ ଆର୍ଥିକ ସହାୟତା ଦେବାକୁ ଆଗେଇ ଆସିଛନ୍ତି।

ସମ୍ବନ୍ଧିତ ଖବର