ହକି ବିଶ୍ବକପ୍ ଠିକ୍ ୨ ବର୍ଷ ପରେ, ଠିକଣା ସମୟରେ କାର୍ଯ୍ୟ ସରିବା ନେଇ ସନ୍ଦେହ

୧୭ ବ୍ଲକ୍ ସିନ୍ଥେଟିକ୍ ଟର୍ଫ କେବେ, ବିମାନ ସେବା ନାହିଁ

ଆଶିଷ କୁମାର ଗଡ଼ନାୟକ
ରାଉରକେଲା: ଭୁବନେଶ୍ବର ଓ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଥିବା ହକି ବିଶ୍ବକପ୍‌-୨୦୨୩କୁ ଆଉ ଠିକ୍ ଦୁଇବର୍ଷ ରହିଲା। ୨୦୨୩ ଜାନୁଆରି ୧୩ରୁ ଆରମ୍ଭ ହେବାର ଯୋଜନା ରହିଛି। କିନ୍ତୁ ବିଶ୍ବକପ୍ ମ୍ୟାଚ୍ ଅନୁଷ୍ଠିତ ହେବା ସ୍ତରର ଏକ ସହର ଭାବେ ରାଉରକେଲାକୁ ସଜାଡ଼ିବାରେ ଯେଉଁସବୁ ବଡ଼ ଯୋଜନା କରାଯାଇଛି, ଠିକ୍ ସମୟରେ ସେଗୁଡ଼ିକ ଶେଷ ହେବାନେଇ ଆଶଙ୍କା ପ୍ରକାଶ ପାଇଲାଣି। ନିୟମିତ ଭାବେ ଅନ୍ତର୍ଜାତୀୟ ପ୍ରତିଯୋଗିତା ଆୟୋଜନ କରୁଥିବା ଭୁବନେଶ୍ବର ଅପେକ୍ଷା ଏ ଧରଣର ଅଭିଜ୍ଞତା ନଥିବା ରାଉରକେଲା ଅଧିକ ସମୟ ଓ ପରିଶ୍ରମ ଆବଶ୍ୟକ କରେ-ଏକଥା ସମସ୍ତେ ଭୁଲିଯିବା ଭଳି ମନେ ହେଉଛି। ସବୁଠାରୁ ବଡ଼ ପ୍ରସଙ୍ଗ ହେଉଛି ୨୦,୦୦୦ ଦର୍ଶକ ବସିବାର ସୁବିଧା ଥିବା ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ। ଉଲ୍ଲେଖନୀୟ ଯେ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍) ଓ ଭାରତୀୟ ଅଲିମ୍ପିକ୍ ସଂଘ (ଆଇଓଏ)ର ସଭାପତି ନରିନ୍ଦର ଧ୍ରୁବ ବାତ୍ରା ଗତମାସ ଏକ ଉଚ୍ଚସ୍ତରୀୟ ଦଳ ସହିତ ରାଉରକେଲା ଗସ୍ତରେ ଆସି ବିଶ୍ବକପ୍ ମ୍ୟାଚ୍ ପାଇଁ ଏଠା‌ରେ ଥିବା ସୁବିଧା ଓ ପ୍ରସ୍ତୁତିର ଅଗ୍ରଗତି ଯାଞ୍ଚ କରିଥିଲେ। ସେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସମେତ ସ୍ଥାନୀୟ ପୂର୍ବତନ ହକି ଖେଳାଳି, ପ୍ରଶାସକ, ପୁଲିସ ତଥା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍)ର ଉଚ୍ଚ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ। ‌ଫେରିଯାଇ ଶ୍ରୀ ବାତ୍ରା ସୋସିଆଲ୍ ମିଡିଆରେ ଲେଖିଲେ ଯେ ଗସ୍ତ ଖୁବ୍ ଫଳପ୍ରଦ ହେଲା।

ଯଦି ପୁରୁଣା ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ ବା ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ (ସେଲ୍) ଷ୍ଟାଡ଼ିୟମର ନବୀକରଣ ନକରି ଏକ ନୂଆ ଷ୍ଟାଡିୟମ୍‌ ନିର୍ମାଣ କରାଯିବ, ତେବେ ଏହା ୨୦୨୨ ଜୁଲାଇ ସୁଦ୍ଧା ପ୍ରସ୍ତୁତ ହୋଇଯିବା ଦରକାର। ଇତିମଧ୍ୟରେ ରାଜ୍ୟ ସରକାର ରାଉରକେଲାରେ ଥିବା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ (ବିପିୟୁଟି) ପରିସରରେ ନୂଆ ଷ୍ଟାଡିୟମ ତିଆରି କରାଯିବ ବୋଲି ନିଷ୍ପତ୍ତି ନେଇସାରିଲେଣି। ୨୦,୦୦୦ ଆସନ ବିଶିଷ୍ଟ ସେହି ଷ୍ଟାଡିୟମ ଦେଶର ସବୁଠୁ ବଡ଼ ହକି ଷ୍ଟାଡିୟମ ହେବ ବୋଲି ଘୋଷଣା କରାଯାଇଛି। ୨୦୨୨ ଜୁଲାଇକୁ ରହିଲା ଆଉ ମାତ୍ର ଦେଢ଼ବର୍ଷ। କିନ୍ତୁ ଷ୍ଟାଡିୟମ୍‌ ସ୍ଥାନରେ ଏଯାଏ ଗାତଟିଏ ଖୋଳିବା କି ବାଲିମୁଠେ ପକାଇବା ଦୂରର କଥା, ଲତାବୁଦା ମଧ୍ୟ କଟା ଯାଇନାହିଁ। ଯଦି ବର୍ତ୍ତମାନ କାମ ଆରମ୍ଭ କରାଯାଏ, ତେବେ ଦେଢ଼ବର୍ଷ ଭିତରେ କ’ଣ ଏତେ ବିଶାଳ ଓ ବିଶ୍ବସ୍ତରୀୟ ଷ୍ଟାଡିୟମ୍‌ ଠିଆ କରିହେବ! ତରବରରେ ତିଆରି କରାଗଲେ, ତାର ସ୍ଥାୟିତ୍ବ କ’ଣ ହେବ! ନୂଆ ଷ୍ଟାଡିୟମ୍‌ ସହିତ ଖେଳାଳିଙ୍କ ଅଭ୍ୟାସ ପାଇଁ ପୁରୁଣା ସେଲ୍‌ ଷ୍ଟାଡିୟମ୍‌ର ବିକାଶ କରିବା ଲାଗି ମଧ୍ୟ ନିଷ୍ପତ୍ତି ହୋଇଛି। ଏ ବାବଦରେ କିଛିଟା ଦ୍ବନ୍ଦ୍ବ ରହିଛି। ଏ ସଂପର୍କରେ ବିଧିବଦ୍ଧ ଭାବେ କିଛି କୁହାଯାଉନଥିଲେ ମଧ୍ୟ ଯାହା ଶୁଣିବାକୁ ମିଳୁଛି, ସେ ଷ୍ଟାଡିୟମ୍‌ଟି ସେଲ୍‌ର ହୋଇଥିବାରୁ ନବୀକରଣ ଖର୍ଚ୍ଚ ସେହି ସେଲ୍‌ ହିଁ କରୁ ବୋଲି ରାଜ୍ୟ ସରକାର ଚାହୁଛନ୍ତି। କିନ୍ତୁ ସେଥିରେ ସେଲ୍ ରାଜି ନାହିଁ।

୧୭ ବ୍ଲକ୍ ସିନ୍ଥେଟିକ୍ ଟର୍ଫ କେବେ
ବିଶ୍ବକପ୍ ସଂପର୍କରେ ଘୋଷଣା ସମୟରେ ରାଜ୍ୟ ସରକାର କହିଥିଲେ ଯେ ସୁନ୍ଦରଗଡ଼ର ୧୭ଟି ଯାକ ବ୍ଲକ୍‌ରେ ସିନ୍ଥେଟିକ୍ ଟର୍ଫ ପଡ଼ିଆର ବ୍ୟବସ୍ଥା କରାଯିବ। ଘୋଷଣାକୁ ବର୍ଷେଠୁ ଉପରେ ହୋଇଗଲାଣି, କିନ୍ତୁ ଏବେଯାଏ କେଉଁ ପଡ଼ିଆଗୁଡ଼ିକରେ ଆଷ୍ଟ୍ରୋଟର୍ଫ ବିଛାଯିବ, ତାହା ମଧ୍ୟ ଠିକ୍ କରାଯାଇନାହିଁ।
ବିମାନ ସେବା ନାହିଁ
ବିଶ୍ବକପ୍ ପାଇଁ ଅନ୍ୟ ଏକ ସର୍ବନିମ୍ନ ଆବଶ୍ୟକତା ହେଉଛି ଦୈନିକ ବିମାନ ସେବା। ବର୍ତ୍ତମାନ ରାଉରକେଲାଠାରୁ ପ୍ରାୟ ୧୩୫ କିମି ଦୂର ଝାରସୁଗୁଡ଼ାରୁ ବିମାନ ସେବା ରହିଛି। କେନ୍ଦ୍ର ସରକାରଙ୍କର ‘ଉଡ଼ାନ୍ ଯୋଜନାରେ ରାଉରକେଲା ବିମାନବନ୍ଦରକୁ ଅନେକ ଦିନରୁ ସାମିଲ କରାଯାଇଥିଲେ ହେଁ ଦୈନିକ ବ୍ୟାବସାୟିକ ବିମାନ ସେବା ଆରମ୍ଭ ହେବାର ଦିନ ଗଡ଼ି ଚାଲିଛି। ବର୍ତ୍ତମାନ ଥିବା ରନ୍‌ୱେରେ ଅତିକଷ୍ଟରେ ୪୪ ସିଟ୍ ବିଶିଷ୍ଟ ବିମାନ ଅବତରଣ କରିପାରିବ। ତା’ଠାରୁ ବଡ଼ ବିମାନ ପାଇଁ ରନ୍‌ୱେକୁ ବଢ଼ାଯିବ ବୋଲି ଗତ ୪-୫ ବର୍ଷ ହେଲା ଅନେକ ଥର ଶୁଣାଯାଇଛି। ଅନେକ ନେତା ଓ ଅଧିକାରୀ ଏ ବାବଦରେ ଆଶାବାଣୀ ଶୁଣାଇଛନ୍ତି। କିନ୍ତୁ କିଛି ହୋଇନାହିଁ, ଯଦିଓ ନିକଟସ୍ଥ ଝାରସୁଗୁଡ଼ାରୁ ଇତିମଧ୍ୟରେ ବୋଇଂ ବିମାନ ଉଡ଼ିବା ଆରମ୍ଭ ହୋଇଗଲାଣି। ଏପରିକି ରାଉରକେଲାରେ ହକି ବିଶ୍ବ କପ୍ ଅନୁଷ୍ଠିତ ହେବ ବୋଲି ଘୋଷଣା ପରେ ମଧ୍ୟ ରାଉରକେଲା ବିମାନ ବନ୍ଦରର ବିକାଶ ପାଦେ ବି ଆଗେଇ ନାହିଁ କି ରନ୍‌ୱେ ଇଞ୍ଚେହେଲେ ବଢ଼ିନାହିଁ। ରାଉରକେଲାରେ ଚର୍ଚ୍ଚା ହେଉଛି ଯେ ବିଶ୍ବକପ୍ ପାଇଁ ଯଦିବି ବାଧ୍ୟ ହୋଇ ଲୋକ ଦେଖାଣିଆ ଭାବେ ରାଉରକେଲାରୁ ଅଳ୍ପଦିନ ପାଇଁ ବିମାନ ସେବା ଆରମ୍ଭ କରାଯିବ, ପରେ ତାହାକୁ ବନ୍ଦ କରି ଦିଆଯିବାର ଆଶଙ୍କା ବି ରହିଛି।
ସଡ଼କ ଯୋଗାଯୋଗ ଆଶା
ଯୋଗାଯୋଗ ମାମଲାରେ ଗୋଟିଏ ଭଲ ଖବର ହେଉଛି, ବିଶ୍ବକପ୍ ପୂର୍ବରୁ ସମ୍ଭବତଃ ବୀରମିତ୍ରପୁର-ରାଜାମୁଣ୍ଡା ୧୪୩ ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ ଶେଷ ହୋଇ ଯାଇଥିବ। ଫଳରେ ସଡ଼କପଥରେ କଟକ ଓ ଭୁବନେଶ୍ବର ପଟରୁ ଆସିବାରେ ବର୍ତ୍ତମାନ ଭଳି ସମସ୍ୟା ନଥିବ। ରାଉରକେଲାର ଜୀବନରେଖା କୁହାଯାଉଥିବା ଦ୍ବିତୀୟ ବ୍ରାହ୍ମଣୀ ପୋଲ ମଧ୍ୟ ପ୍ରାୟତଃ ଶେଷ ହୋଇଯାଇଥିବ। ତେବେ ତାଳଚେର-ବିମଲାଗଡ଼ ରେଳପଥ ସଂପୂର୍ଣ୍ଣ ହୋଇପାରିଲେ ରାଉରକେଲା ଓ ଭୁବନେଶ୍ବର ଭିତରେ ରେଳପଥରେ ଦୂରତା ପ୍ର‌ାୟ ୧୫୦ କିମି ଓ ଯାତ୍ରା ସମୟ ପ୍ରାୟ ୩ ଘଣ୍ଟା କମିଯାଆନ୍ତା। କିନ୍ତୁ ଏହି ସମୟ ମଧ୍ୟରେ ତାହା ଶେଷ ହେବା ନେଇ ଅନେକ ସନ୍ଦେହ ରହିଛି। ଏ ଦିଗ‌ରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଭିତରେ ଉପଯୁକ୍ତ ତାଳମେଳ ରହୁନାହିଁ। ଭୁବନେଶ୍ବର ଓ ରାଉରକେଲା ମଧ୍ୟରେ ଡବଲ୍ ଡେକର୍ ଟ୍ରେନ୍ (ଦୁଇ ମହଲା ଟ୍ରେନ୍) ଚଳାଚଳ କରିବ ବୋଲି ଚର୍ଚ୍ଚା ହେଉଛି। କିନ୍ତୁ ବିଧିବଦ୍ଧ ଭାବେ କିଛି ଘୋଷଣା ହୋଇନାହିଁ କି ସ୍ଥାନୀୟ ରେଳ ଅଧିକାରୀମାନଙ୍କ ପାଖରେ କିଛି ନିର୍ଦ୍ଦିଷ୍ଟ ସୂଚନା ନାହିଁ।
ହୋଟେଲ୍‌ ମାଲିକ ଅନ୍ଧାରରେ
ବିଶ୍ବକପ୍‌ରେ ଉଭୟ ଖେଳାଳି, ଅଫିସିଆଲ୍ ଓ ଦର୍ଶକଙ୍କ ରହିବା ଲାଗି ସହରର ହୋଟେଲ୍‌ଗୁଡ଼ିକର ଉନ୍ନତୀକରଣ ଅତ୍ୟାବଶ୍ୟକ। ଏଥିପାଇଁ ସ୍ଥାନୀୟ ହୋଟେଲ ମାଲିକମାନଙ୍କ ସହିତ ଆଲୋଚନା କରି ଯୋଜନା ପ୍ରସ୍ତୁତ କରାଯିବ ବୋଲି କୁହାଯାଇଛି। କିନ୍ତୁ ରାଉରକେଲା ହୋଟେଲ୍ ମାଲିକ ସଂଘର ଜଣେ କର୍ମକର୍ତ୍ତାଙ୍କଠାରୁ ପ୍ରକାଶ ଯେ ଏଯାଏ ସେ ପ୍ରସଙ୍ଗରେ କୌଣସି ଆଲୋଚନା ହୋଇନାହିଁ। ଆମେ ବି କ’ଣ କରିବୁ ସେନେଇ ଅନ୍ଧାରରେ ରହିଛୁ। ଯଥେଷ୍ଟ ସମୟ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ନହେଲେ କରୋନା ମାଡ଼ରେ ଘାଇଲା ହୋଟେଲ ଶିଳ୍ପ ପକ୍ଷରେ ବିଶ୍ବକପ୍ ସ୍ତରର ବ୍ୟବସ୍ଥା କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି।
ଭିତ୍ତିଭୂମି ଭବିଷ୍ୟତ ସନ୍ଦିହାନ
ଷ୍ଟାଡିୟମ୍‌ ସହିତ ଇସ୍ପାତ ସହରର ଭିତ୍ତିଭୂମିରେ ମଧ୍ୟ ଅନେକ ବିକାଶ କରାଯିବାର ଯୋଜନା ରହିଛି। ତା ଭିତରେ ଅଛି ରାସ୍ତାଗୁଡ଼ିକର ଉନ୍ନତୀକରଣ, ସହର ଭିତରେ ଉନ୍ନତ ସର୍ବସାଧାରଣ ଟ୍ରାନ୍ସପୋର୍ଟ ବ୍ୟବସ୍ଥା, ମାର୍କେଟ କମ୍ପ୍ଲେକ୍ସ, ବିଶ୍ବସ୍ତରର ବସ୍ ସେଲଟର, ପାର୍କିଂ ଓ ବସ୍ ଟର୍ମିନାଲ ବ୍ୟବସ୍ଥା। ଏହା ସହିତ ଏକାଧିକ ନୂଆ ପାର୍କ, ଅଡିଟୋରିୟମ ତଥା ସହରର ସାଧାରଣ ସୌନ୍ଦର୍ଯ୍ୟୀକରଣ ମଧ୍ୟ ଯୋଜନାରେ ଅଛି। ଅଛି ମଧ୍ୟ ଆଧୁନିକ ଚିକିତ୍ସାସେବା ପାଇଁ ହସ୍‌ପିଟାଲଗୁଡ଼ିକର ଉନ୍ନତିକରଣ। ଏଥିରୁ ସବୁଯାକ କେବଳ ଘୋଷଣା ସ୍ତରରେ ରହିଛି। ତେଣୁ ଆଉ ୨ ବର୍ଷ ଭିତରେ ସବୁକିଛି ଠିକ୍‌ଠାକ୍ ହୋଇପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ବକପ୍ ଆଳରେ ହୋଇଥିବା ଭିତ୍ତିଭୂମି ବିକାଶର ସୁଫଳ ରାଉରକେଲା ସହରବାସୀ ପରେ ପାଇବା କଥା। କିନ୍ତୁ ତରବରରେ କରାଗଲେ, ବିଶ୍ବକପ୍ ପରେ ସେଗୁଡ଼ିକ ବ୍ୟବହାର ଉପଯୋଗୀ ହୋଇରହିବ ବୋଲି ଜୋର୍‌ ଦେଇ କହିହେବନାହିଁ। ହୁଏତ ମେଳଣ ସରିଲେ ଯାତ୍ରା, ଚିଡ଼ିଆଖାନା ଓ ଉଠାଦୋକାନୀଙ୍କ ଅସ୍ଥାୟୀ ତମ୍ବୁ ଉଠିଯିବା ପରର ଟାଙ୍ଗରା ପଡ଼ିଆ ଭଳି ଏ ସହର ପୂର୍ବବତ୍ ପଡ଼ି ରହିବା ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର