କୋହଲି ବାହିନୀର ବିରାଟ ପରୀକ୍ଷା

ଲଣ୍ଡନ୍‌: ଗୁରୁବାରଠାରୁ ଆଇସିସି ବିଶ୍ବକପ୍‌ ଆରମ୍ଭ ହୋଇଛି। ମୋଟ ୧୦ ଦଳ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ସମସ୍ତେ ବଳୀୟାନ, କେହି ଦୁର୍ବଳ ନୁହଁନ୍ତି। ୧୯୯୨ ମସିହା ପରେ ପ୍ରଥମ ଥର ପାଇଁ ସମସ୍ତ ଅଂଶଗ୍ରହଣକାରୀ ଦଳ ପରସ୍ପର ସହିତ‌ ଖେଳିବେ। ଶୀର୍ଷ ୪ ଦେଶ ସେମିଫାଇନାଲ୍ ଯିବେ। ଜୁଲାଇ ୧୪ ତାରିଖରେ କ୍ରିକେଟ୍‌ର ଘର ଭାବେ ପରିଚିତ ଐତିହାସିକ ଲର୍ଡସରେ ଫାଇନାଲ୍ ମ୍ୟାଚ୍‌ ସହିତ ଏହି ଦେଢ଼ ମାସିଆ ବିଶ୍ବକପ୍‌ ଉଦଯାପିତ ହେବ। ପୂର୍ବରୁ ଦୁଇ ଥର ୧୯୮୩ ଏବଂ ୨୦୧୧ ମସିହାରେ ବିଶ୍ବକପ୍‌ ଜିତିଥିବା ଭାରତକୁ ବିରାଟ କୋହଲିଙ୍କ ଦଳ ତୃତୀୟ ମୁକୁଟ ପ୍ରଦାନ କରିବା ନେଇ ବଡ଼ ଆଶା ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଆସନ୍ତୁ ଭାରତୀୟ ଦଳର ସମସ୍ତ ୧୦ ପ୍ରତିଦ୍ବନ୍ଦ୍ବୀ‌ ଦେଶ ବିପକ୍ଷ ଅତୀତ ପ୍ରଦର୍ଶନ ଏବଂ ସମ୍ଭାବନା ଉପରେ ନଜର ପକାଇନେବା।

ଜୁନ୍‌ ୫ ବନାମ ଦକ୍ଷିଣ ଆଫ୍ରିକା, ସାଉଥମ୍ପଟନ୍‌
ବିଶ୍ବ ମାନ୍ୟତା: ଭାରତ-୨, ଦକ୍ଷିଣ ଆଫ୍ରିକା-୩
ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିଶ୍ବକପ୍‌ ଇତିହାସରେ ପରସ୍ପର ସହିତ ୪ ଥର ମୁକାବିଲା କରିଛନ୍ତି। ଭାରତ କିନ୍ତୁ ଥରେ ମାତ୍ର ଜିତି ୩ ହାରିଛି। ସଫଳତା ପ୍ରତିଶତ ୨୫। ୨୦୧୫ ମସିହା ବିଶ୍ବକପ୍‌ ପରଠାରୁ କିନ୍ତୁ ଦିନିକିଆରେ ଭାରତର ସଫଳତା ୬୭ %, ୧୨ ଖେଳି ଜିତିଛି ୮ଟି। ଏହି ମ୍ୟାଚ୍‌ ବେଳେ ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର କାଗିସୋ ରବାଦା ରହିବେ ସବୁଠୁ ନଜରରେ। ତାଙ୍କୁ ସ୍ପିଡ୍ ଗନ୍‌ କୁହାଯାଉଛି। ଭାରତ ପାଇଁ ଜୁନ୍‌ ୫ ତାରିଖ ମ୍ୟାଚ୍ ପାରମ୍ପରିକ ଭାବେ କଠୋର ରହିବ। କିନ୍ତୁ ଭାରତ ଗତବର୍ଷ ସେମାନଙ୍କ ମାଟିରେ ୫-୧ରେ ଜିତିଥିବାରୁ ଆତ୍ମବିଶ୍ବାସ କୋହଲିଙ୍କ ପାଖରେ। କଚଟି ସ୍ପିନର୍ କୁଲଦୀପ ଯାଦବ ଏବଂ ୟୁଜବେନ୍ଦ୍ର ଚହଲ ନିର୍ଣ୍ଣାୟକ ହେବେ।

ଜୁନ୍‌ ୯ ବନାମ ଅଷ୍ଟ୍ରେଲିଆ (ମାନ୍ୟତା-୫)
ସ୍ଥାନ: ଦି ଓଭାଲ, ଲଣ୍ଡନ୍‌
ବିଶ୍ବକପ୍‌ ଇତିହାସରେ ଭାରତ ଏବଂ ଅଷ୍ଟ୍ରେଲିଆ ପରସ୍ପରକୁ ୧୧ ଥର ଭେଟିଛନ୍ତି। ଭାରତ କିନ୍ତୁ ମାତ୍ର ୩ଟି ଜିତି ୨୭ ପ୍ରତିଶତ ସଫଳତା ପାଇଛି। କିନ୍ତୁ ୨୦୧୫ ବିଶ୍ବକପ୍‌ ପରଠାରୁ ଦୁଇ ଦେଶ ଖେଳିଥିବା ୨୦ ଦିନିକିଆରୁ ପ୍ରତ୍ୟକ ୧୦ ଲେଖାଏଁ ଜିତି ସଫଳତା ପ୍ରତିଶତକୁ ୫୦-୫୦ରେ ରଖିଛନ୍ତି। ଚଳିତ ବର୍ଷ ଭାରତ ଗସ୍ତରେ ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା ଜିତିବା ମଧ୍ୟ କୋହଲିଙ୍କୁ ଚାପରେ ରଖିବ। ଅଷ୍ଟ୍ରେଲିଆ ଦଳର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ ଡେଭିଡ୍‌ ୱାର୍ନର ଏହି ମ୍ୟାଚ୍‌ରେ ନଜରରେ ରହିବେ। ବଲ୍ ବିକୃତ ବିବାଦ ନିଲମ୍ବନ ପରେ ୱାର୍ନର ଏବଂ ସ୍ମିଥ୍‌ ଦଳକୁ ଫେରିଥିବାରୁ ଭାରତ ପାଇଁ ମଧ୍ୟ ପଥ ଅଧିକ କଷ୍ଟକର ହେବ।

ଜୁନ୍ ୧୩ ବନାମ ନ୍ୟୁଜିଲାଣ୍ଡ୍‌ (ମାନ୍ୟତା-୪)
ସ୍ଥାନ: ଟ୍ରେଣ୍ଟ୍ ବ୍ରିଜ୍‌, ନଟିଂହାମ୍‌
ବିଶ୍ବକପ୍‌ରେ ଭାରତ ଏବଂ ନ୍ୟୁଜିଲାଣ୍ଡ୍ ପରସ୍ପର ସହିତ ୭ ଥର ଖେଳିଛନ୍ତି। ଭାରତ କିନ୍ତୁ ୩ ଥର ଜିତି ସଫଳତା ପ୍ରତିଶତକୁ ୪୩ରେ ରଖିଛି। ୨୦୧୫ ବିଶ୍ବକପ୍‌ ପରଠାରୁ କିନ୍ତୁ ଏହି ଦୁଇ ଦେଶ ୧୩ ଥର ଖେଳିଛନ୍ତି। ଭାରତ ୯ଟି ଜିତି ସଫଳତା ପ୍ରତିଶତକୁ ପ୍ରଶଂସନୀୟ ଭାବେ ୬୯ରେ ରଖିଛି। କିୱି ଦଳର ବ୍ୟାଟିଂ ମେରୁଦଣ୍ଡ ଏବଂ ଅଧିନାୟକ କେନ୍ ୱିଲିୟମସନ୍‌ ରହିବେ ନଜରରେ। ନ୍ୟୁଜିଲାଣ୍ଡ୍‌ ସବୁଠୁ ଜଟିଳ ଏବଂ ଅଡୁଆ ସୃଷ୍ଟିକାରୀ ଦଳ ଭାବେ ପରିଚିତ। ଚଳିତ ବର୍ଷ କିନ୍ତୁ ଏହି ଦଳକୁ ତା’ ମାଟିରେ ୪-୧ରେ ହରାଇଥିବାରୁ ଭାରତ ଫାଇଦାରେ ରହିବ।

ଜୁନ୍‌ ୧୫ ବନାମ ପାକିସ୍ତାନ (ମାନ୍ୟତା-୬)
ସ୍ଥାନ: ଓଲ୍‌ଡ ଟ୍ରାଫୋର୍ଡ, ମଞ୍ଚେଷ୍ଟର୍‌
ବିଶ୍ବକପ୍‌ରେ ପାକିସ୍ତାନ ବିପକ୍ଷରେ ଖେଳିଥିବା ସମସ୍ତ ୬ ମ୍ୟାଚ୍‌ ଜିତି ଭାରତ ୬-୦ରେ ଆଗୁଆ ରହିଛି। ୨୦୧୫ ବିଶ୍ବକପ୍‌ ପରେ ଦୁଇ ଦେଶ ମଧ୍ୟରେ ହୋଇଥିବା ୪ ମୁକାବିଲାରୁ ଭାରତ ୩ ଜିତି ୭୫% ପ୍ରତିଶତ ସଫଳ ରହିଛି। ଏହି ଦଳର ୧୯ ବର୍ଷୀୟ ଯୁବ ତାରକା ମହମ୍ମଦ ହାସନେନ୍‌ ଘଣ୍ଟାପ୍ରତି ୧୫୦ କିଲୋମିଟର୍ ବେଗରେ ବୋଲିଂ କରୁଥିବାରୁ ନିଶ୍ଚିତ ନଜରରେ ରହିବେ। ଏହି ମୁକାବିଲା କିନ୍ତୁ ପ୍ରତିଥର ଭଳି ସ୍ନାୟୁ ମୁକାବିଲାର ପରୀକ୍ଷା ନେବ। ରେକର୍ଡ ଭାରତ ସପକ୍ଷରେ ରହିଥିଲେ ମଧ୍ୟ ଶେଷ ବଡ଼ ମୁକାବିଲାରେ ଭାରତକୁ ହରାଇ ପାକିସ୍ତାନ ୨୦୧୭ ଚାମ୍ପିଅନ୍ସ ଟ୍ରଫି ଜିତିଥିବାରୁ ତାକୁ ଦୋହରାଇବା ଆଶାରେ ରହିବ।

ଜୁନ୍‌ ୨୨ ବନାମ ଆଫଗାନିସ୍ତାନ (ମାନ୍ୟତା-୧୦)
ସ୍ଥାନ: ହାମ୍ପସାୟାର୍‌, ସାଉଥାମ୍ପଟନ୍‌
ବିଶ୍ବକପ୍‌ ଇତିହାସରେ ଏହି ଦେଶ ସହିତ ଭାରତ ଆଦୌ ଖେଳିନାହିଁ। ୨୦୧୫ ବିଶ୍ବକପ୍‌ ପରେ ଖେଳିଥିବା ଏକମାତ୍ର ମ୍ୟାଚ୍‌ ଟାଇ ରହିଛି। ଏହି ପାକିସ୍ତାନ ପଡୋଶୀ ଦେଶର ଲେଗ୍‌ ସ୍ପିନର୍‌ ରସିଦ୍‌ ଖାନ୍‌ ମ୍ୟାଚ୍‌ ବିଜେତା ଭାବେ ନିଜକୁ ପ୍ରତିପାଦିତ କରିସାରିଛନ୍ତି। ସେ ନିଶ୍ଚିତ ଭାରତ ବିପକ୍ଷ ମ୍ୟାଚ୍‌ରେ ନଜରରେ ରହିବେ। ଭଲ ସ୍ପିନ୍ ଆକ୍ରମଣ ରଖିଥିବା ଏହି ଦଳ ବିପକ୍ଷରେ ଭାରତକୁ ଆତ୍ମପ୍ରସନ୍ନ ହୋଇ ଖେଳିବା ଭୁଲ ସାବ୍ୟସ୍ତ ହେବ।

ଜୁନ୍‌ ୨୭ ବନାମ ୱେଷ୍ଟଇଣ୍ଡିଜ୍‌ (ମାନ୍ୟତା-୮)
ସ୍ଥାନ: ଓଲ୍‌ଡ ଟ୍ରାଫୋର୍ଡ, ମ‌ଞ୍ଚେଷ୍ଟର୍‌
ବିଶ୍ବକପ୍‌ ମଇଦାନରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍‌ ପରସ୍ପରକୁ ୮ ଥର ଭେଟିଛନ୍ତି। ଭାରତ ୫ ଜିତି ୬୨ ପ୍ରତିଶତ ସଫଳତା ରଖିଛି। ୨୦୧୫ ବିଶ୍ବକପ୍‌ ପରଠାରୁ କିନ୍ତୁ ୧୦ ଖେଳି ଭାରତ ୬ ଜିତିଛି। ୱେଷ୍ଟଇଣ୍ଡିଜ୍‌ ୨ ଜିତିଛି। ଗୋଟିଏ ଟାଇ ଏବଂ ଅନ୍ୟଟି ଫଳାଫଳବିହୀନ ରହିଛି। ଏହି ଦଳର ଫର୍ମରେ ଥିବା ବ୍ୟାଟସମ୍ୟାନ୍‌ ସାଇ ହୋପ୍‌ ୫୦ରୁ ଊର୍ଧ୍ବ ହାରରେ ବ୍ୟାଟିଂ କରୁଥିବାରୁ ନଜରରେ ରହିବେ। ଦଳରେ ବଡ଼ ହିଟର୍ ରହିଛନ୍ତି, କିନ୍ତୁ ସ୍ପିନ ବିଭାଗରେ ଦୁର୍ବଳ ରହିଛି। ତେଣୁ ଭାରତ ଦାବିଦାର ରହିବ।

ଜୁନ୍‌ ୩୦ ବନାମ ଇଂଲଣ୍ଡ (ମାନ୍ୟତା-୧)
ସ୍ଥାନ: ଏଜବାଷ୍ଟନ୍‌, ବର୍ମିଂହାମ
ବିଶ୍ବକପ୍‌ରେ ଭାରତ-ଇଂଲଣ୍ଡ ମୁକାବିଲା ୭ ଥର ହୋଇଛି। ପ୍ରତ୍ୟେକ ୩ ଲେଖାଏଁ ଜିତିଥିବାରୁ ୫୦ ପ୍ରତିଶତ ସଫଳତା ରଖିଛନ୍ତି। ଅନ୍ୟଟିରୁ ଫଳାଫଳ ବାହ‌ାରିପାରିନଥିଲା। ୨୦୧୫ ବିଶ୍ବକପ୍‌ ପରଠାରୁ ମଧ୍ୟ ଉଭୟ ଦେଶର ସଫଳତା ପ୍ରତିଶତ ୫୦ %। ୬ଟିରୁ ୩-୩ ବାଣ୍ଟିଛନ୍ତି ଏହି ୨ ଥର ଲେଖାଏଁ ବିଜେତା ଦଳ। ବଡ଼ ସଟ୍ ଖେଳାଳି ଜୋସ୍ ବଟଲର୍‌ ମ୍ୟାଚ୍‌ରେ ମୋଡ଼ ଆଣିଦେବା ଖେଳାଳି ଥିବାରୁ ସେ ନଜରରେ ରହିବେ। ଭଲ ବ୍ୟାଟିଂ ଫର୍ମରେ ଥିବାରୁ ଏହି ଦଳକୁ ହରାଇବା ସବୁଦଳ ପାଇଁ କଷ୍ଟକର।

ଜୁଲାଇ ୨ ବନାମ ବାଂଲାଦେଶ (ମାନ୍ୟତା-୭)
ସ୍ଥାନ: ଏଜବାଷ୍ଟନ୍‌, ବର୍ମିଂହାମ
ବିଶ୍ବକପ୍‌ରେ ଭାରତ ଏବଂ ବାଂଲାଦେଶ ପରସ୍ପରକୁ ୩ ଥର‌ ଭେଟିଛନ୍ତି। ୨୦୦୭ ପରାଜୟକୁ ଛାଡିଦେଲେ ଭାରତ ଅନ୍ୟ ଦୁଇଟି ଜିତି ୬୭% ସଫଳତା ରଖିଛି। ୨୦୧୫ ବିଶ୍ବକପ୍‌ ପରଠାରୁ ଏହି ଏସୀୟ ଦେଶ ୭ ଥର ଖେଳିଛନ୍ତି। ଭାରତ ୪ ଜିତି ସମାନ ୬୭% ପ୍ରତିଶତ ସଫଳତା ରଖିଛି। ସକିବ୍ ଅଲ୍ ହାସନ୍‌ ବିଶ୍ବର ଏକ ନମ୍ବର ଅଲରାଉଣ୍ଡର୍ ହୋଇଥିବାରୁ ବାଂଲାଦେଶ ୧୨ ବର୍ଷ ତଳ ସଫଳତା ଦୋହରାଇବା ଲକ୍ଷ୍ୟରେ ରହିବ। ଭାରତ କିନ୍ତୁ ପ୍ରତି ବିଭାଗରେ ଆଗରେ ରହିବ।

ଜୁଲାଇ ୬ ବନାମ ଶ୍ରୀଲଙ୍କା (ମାନ୍ୟତା-୯)
ସ୍ଥାନ: ହେଡିଙ୍ଗଲେ, ଲିଡ୍ସ
ଭାରତ ଏବଂ ଶ୍ରୀଲଙ୍କା ବିଶ୍ବକପ୍‌ ଇତିହାସରେ ପରସ୍ପରକୁ ୮ ଥର ଭେଟିଛନ୍ତି। ଭାରତ ୩ ଥର ଜିତି ୪୩ ପ୍ରତିଶତ ସଫଳ ରହିଛି। ୨୦୧୫ ବିଶ୍ବକପ୍‌ ପରଠାରୁ ଉଭୟ ଦେଶ ୯ ଥର ଖେଳିଛନ୍ତି। ଭାରତ ୬ଟି ଜିତି ୭୮ ପ୍ରତିଶତ ସଫଳ ରହିଛି। କୁସାଲ ପରେରା ଏହି ଦଳର ବିଧ୍ବଂସୀ ବ୍ୟାଟସମ୍ୟାନ୍‌, ଯିଏ ନିଜ ଦିନରେ ପ୍ରତିପକ୍ଷକୁ ହରାଇପାରନ୍ତି। କୋହଲିଙ୍କ ଦଳକୁ କିନ୍ତୁ ମାଲିଙ୍ଗାଙ୍କ ଉପରେ ନଜର ରଖିବାକୁ ହେବ। ସିଂହଳୀମାନେ କିନ୍ତୁ ଦଳଗଠନ ପ୍ରକ୍ରିୟାରେ ରହିଥିବାରୁ ଆଉ ପୂର୍ବଭଳି ପ୍ରମୁଖ ସମୟରେ ନାହାନ୍ତି।

ସମ୍ବନ୍ଧିତ ଖବର