ଭୁବନେଶ୍ବର: ମାତ୍ର ଦୁଇ ଦିନ ପରେ କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହେବ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍ (କାଂସ୍ୟ) ଦୌଡ଼କୁଦ ପ୍ରତିଯୋଗିତା। ଏହି ଦିନିକିଆ ପ୍ରତିଯୋଗିତା ଲାଗି ଓଡ଼ିଶା କ୍ରୀଡ଼ା ଜଗତ ବେଶ୍ ଚଳଚଞ୍ଚଳ ହୋଇ ଉଠିଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ତାରକା ଖେଳାଳିଙ୍କ ଭିଡ଼ ବଢ଼ିବାକୁ ଲାଗିଛି। ବୁଧବାର ଘରୋଇ ଖେଳାଳି ଏଠ‌ାରେ ପହଞ୍ଚି ଅଭ୍ୟାସ ଆରମ୍ଭ କରିଥିଲା ବେଳେ ଗୁରୁବାରଠାରୁ ବିଦେଶୀ ଖେଳାଳି ପହଞ୍ଚିବା ଆରମ୍ଭ କରିଛନ୍ତି। ବିଦେଶୀ ଆଥଲେଟ୍‌ଙ୍କୁ ଓଡ଼ିଶାର ମହନୀୟ ପରମ୍ପରାର ଝଲକ ସ୍ବରୂପ ପାରମ୍ପରିକ ଓଡ଼ିଆ ରୀତିନୀତିରେ ସ୍ବାଗତ କରାଯାଉଛି। ସମସ୍ତେ  ଯେଭଳି ଅଭୁଲା ଅଭିଜ୍ଞତା ନେଇ ନିଜନିଜ ଦେଶକୁ ଫେରିବେ, ସେଥିଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ସବୁପ୍ରକାର ବ୍ୟବସ୍ଥା କରାଯାଇଛି। କଳିଙ୍ଗ ଷ୍ଟାଡିୟମ୍‌ ପୂର୍ବରୁ ୨୦୧୭ ମସିହାରେ ଏସିଆନ୍ ଆଥ୍‌ଲେଟିକ୍ସ ପ୍ରତିଯୋଗିତା ସଫଳତାର ସହ ଆୟୋଜନ କରିସାରିଛି। ଏବେ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍ ଆୟୋଜନ କରି ନିଜ କ୍ରୀଡ଼ା ଇତିହାସକୁ ଆହୁରି ସମୃଦ୍ଧ ଓ ଋଦ୍ଧିମନ୍ତ କରିବାକୁ ଯାଉଛି।

Advertisment

ସବିଶେଷ ସୂଚନା ଅନୁସାରେ ବିଶ୍ବ କଣ୍ଟିନେଣ୍ଟାଲ ଟୁର୍‌ ପ୍ରତିଯୋଗିତା‌ରେ ୧୭ ଦେଶର ମୋଟ ୧୬୦ ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ସେଥିମଧ୍ୟରୁ ୯୭ଜଣ ଭାରତୀୟ ଥିଲା ବେଳେ ଅବଶିଷ୍ଟ ୬୩ଜଣ ବିଦେଶୀ ଖେଳାଳି। ବିଦେଶୀଙ୍କ ମଧ୍ୟରୁ ନେପାଳର ସର୍ବାଧିକ ୧୩ଜଣ, ଶ୍ରୀଲଙ୍କାର ଦ୍ବିତୀୟ ସର୍ବାଧିକ ୧୦ ଏବଂ ମାଲେସିଆର ତୃତୀୟ ସର୍ବାଧିକ ୯ଜଣ ଖେଳାଳି ରହିଛନ୍ତି। ଦକ୍ଷିଣ ଆଫ୍ରିକା ଓ ଗ୍ରେଟ୍ ବ୍ରିଟେନ୍‌ର ୪ଜଣ ଲେଖାଏଁ ଖେଳାଳି ନିଜନିଜ ଯାଦୁ ଦେଖାଇବାକୁ ଯାଉଛନ୍ତି। ପ୍ରତିଯୋଗିତାରେ ୧୮ ଇଭେଣ୍ଟ୍‌ରେ ପ୍ରତିଦ୍ବନ୍ଦ୍ବିତା ହେବ। ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ପୂର୍ବରୁ ମହିଳା ୪ଗୁଣା ୪୦୦ ରିଲେ ଏବଂ ମିଶ୍ରିତ ୪ଗୁଣା୪୦୦ ରିଲେକୁ ଏଥିରେ ସାମିଲ କରିବାକୁ ଯୋଜନା କରିଥିଲା। ତେବେ ଆବଶ୍ୟକ ସର୍ବନିମ୍ନ ପ୍ରତିଯୋଗୀଙ୍କ ଅଭାବରୁ ଏହାକୁ ବାତିଲ କରିବାକୁ ବାଧ୍ୟ ହୋଇଛି। ଅନ୍ୟ ଭାରତୀୟ ଖେଳାଳିମାନେ ନିଜ ନିଜ ରାଜ୍ୟ ସହ ବୃତ୍ତିଗତ ସଂସ୍ଥାର ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ।

ଖେଳଗୁଡ଼ିକ ମଧ୍ୟରୁ ଜାଭ୍‌ଲିନ୍‌ରେ ଜୋର୍‌ଦାର ଲଢ଼େଇ ହେବାର ସମ୍ଭାବନା ଅଧିକ ରହିଛି। ଯୁଗଳ ଅଲିମ୍ପିକ୍ସ ପଦକ ବିଜେତା ନୀରଜ ‌ଚୋପ୍ରାଙ୍କ ଅନୁପସ୍ଥିତି ସତ୍ତ୍ବେ ଏହି ଖେଳରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ  ବୋଲି ଆଶା କରାଯାଉଛି। ଭାରତୀୟ ଚ୍ୟାଲେଞ୍ଜ୍‌ର ନେତୃତ୍ବ ସଚିନ ଯାଦବ, ୟଶବୀର ସିଂହ ଓ ବିକ୍ରାନ୍ତ ମଲ୍ଲିକ ନେବେ। ଶ୍ରୀଲଙ୍କା ପକ୍ଷରୁ ସୁମେଦା ରଣସିଂହେ ଓ ରମେଶ ଥରଙ୍ଗା ପଥିରେଗ ଏମାନଙ୍କୁ କଡ଼ା ଟକ୍କର ଦେ‌ବେ। ରଣସିଂହେ ଜାପାନରେ ‌‌ଆୟୋଜିତ ହେବାକୁ ଥିବା ବିଶ୍ବ ଚାମ୍ପିଅନସିପ୍ ଲାଗି ସିଧାସଳଖ ଯୋଗ୍ୟତା ଅର୍ଜନ କରିସାରିଛନ୍ତି।  ରଣସିଂହେ ଚଳିତ ଋତୁରେ ୮୫.୭୮ ମିଟରର ଶ୍ରେଷ୍ଠ ଥ୍ରୋ’ ପାଇଥିଲା ବେଳେ କଳିଙ୍ଗ ଷ୍ଟାଡିୟମ୍‌ରେ ଏହି ସଫଳତାକୁ ‌ଦୋହରାଇବା ଲକ୍ଷ୍ୟରେ ରହିବେ। 

ଅନିମେଷ, ଶ୍ରୀଶଙ୍କର, ଶ୍ରାବଣୀଙ୍କ ଉପରେ ନଜର
ଜାଭ୍‌ଲିନ୍ ଛଡ଼ା ପୁରୁଷ ଓ ମହିଳା ୪୦୦ ମିଟର ଏବଂ ମହିଳା ଲମ୍ବ ଡିଆଁରେ ମଧ୍ୟ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ପୁରୁଷ ୧୦୦ ମିଟରରେ ଦେଶର ଦ୍ରୁତତମ ଧାବକ ଅନିମେଷ କୁଜୁର ଆକର୍ଷଣରେ ରହିବେ। ମହିଳା ଲମ୍ବଡିଆଁରେ ଶୈଲୀ ସିଂହ ଓ ଆନ୍‌ସି ସୋଜେନ, ଗ୍ରେଟ୍ ବ୍ରିଟେନର ଆଲିସ ହପକିନ୍ସଙ୍କଠାରୁ କଡ଼ା ଟକ୍କର ପାଇବେ। ମହିଳା ୪୦୦ ମିଟରରେ ଦକ୍ଷିଣ ଆଫ୍ରିକାର ସିର୍‌ଲେ ନେଖୁବୁଇ, ଭାରତର ଐଶ୍ବର୍ଯ୍ୟା ମିଶ୍ର ଓ ବିଥ୍ୟା ରାମରାଜ ଏବଂ ପୁରୁଷ ୪୦୦ ମିଟରରେ ବିଶାଲ ଟିକେ, ରାଜେଶ ରମେଶ, ଜୟ କୁମାର ଓ ଅମୋଜ ଜ୍ୟାକବ, ଶ୍ରୀଲଙ୍କାର ଏସିଆନ୍ ଚାମ୍ପିଅନସିପ୍ କାଂସ୍ୟ ପଦକ ବିଜେତା କଳିଙ୍ଗ ହେୱା କୁମାରଗେଙ୍କ ସହ ମୁକାବିଲା କରିବେ। ଅନ୍ୟଭାରତୀୟଙ୍କ ମଧ୍ୟରେ ଲମ୍ବ ଡିଆଁ ତାରକା ମୁରଲୀ ଶ୍ରୀଶଙ୍କର ଏବଂ ୮୦୦ ମିଟରର ଜାତୀୟ  ରେକର୍ଡଧାରୀ ମହମ୍ମଦ ଅଫଜଲ୍ ଭାରତୀୟ ଚ୍ୟାଲେଞ୍ଜ୍‌ର ନେତୃତ୍ବ ନେବେ। ଓଡ଼ିଆ ଝିଅ ଶ୍ରାବଣୀ ନନ୍ଦ ମହିଳା ୧୦୦ ମିଟରରେ ପ୍ରତିଦ୍ବନ୍ଦ୍ବିତା କରିବେ। ଅନିମେଷଙ୍କ ଭଳି ଲାଲୁ ପ୍ରସାଦ ଭୋଇ ପୁରୁଷ ୧୦୦, ୨୦୦ ମିଟର, ପ୍ରଜ୍ଞା ସାହୁ ୧୦୦ ମିଟର ବାଧାଦୌଡ଼ରେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ବିକ୍ରାନ୍ତ ମଲ୍ଲିକ ପୁରୁଷ ଜାଭ୍‌ଲିନ୍‌ରେ ହରିୟାଣାରୁ ପ୍ରତିନିଧିତ୍ବ କରିବେ। 

ଦର୍ଶକଙ୍କ ପାଇଁ ଦେୟମୁକ୍ତ ପ୍ରବେଶ ବ୍ୟବସ୍ଥା
ଦର୍ଶକମାନେ ବିଶ୍ବ ଆଥ୍‌ଲେଟିକ୍ସ କଣ୍ଟିନେଣ୍ଟାଲ୍‌ ଟୁର୍ (କାଂସ୍ୟ)ର ବିଭିନ୍ନ ପ୍ରତିଯୋଗିତା ମାଗଣାରେ ଦେଖିପାରିବେ। ଏହି ପ୍ରତିଯୋଗିତା ଦର୍ଶକଙ୍କ ପାଇଁ ସଂପୂର୍ଣ୍ଣ ଦେୟମୁକ୍ତ ରହିବ ବୋଲି ଓଡ଼ିଶା କ୍ରୀଡ଼ା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ପ୍ରତିଯୋଗିତାକୁ ଅଧିକରୁ ଅଧିକ କ୍ରୀଡ଼ାପ୍ରେମୀଙ୍କ ନିକଟରେ ପହଞ୍ଚାଇବାକୁ ଏଭଳି ବ୍ୟବସ୍ଥା କରାଯାଇଛି। ପ୍ରତିଯୋଗିତା ଅପରାହ୍ଣରୁ ଆରମ୍ଭ ହୋଇ ରାତି ପର୍ଯ୍ୟନ୍ତ ଚାଲିବାର ସୂଚୀ ରହିଛି। ତେବେ ଆବଶ୍ୟକସ୍ଥଳେ ଏଥିରେ କିଛିଟା ପରିବର୍ତ୍ତନ କରାଯାଇପାରେ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି। ଅଧିକରୁ ଅଧିକ ଦର୍ଶକ ଉପସ୍ଥିତ ରହି ଖେଳାଳିଙ୍କୁ ଉତ୍ସାହିତ କରିବାକୁ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।