ଦୁବାଇ : ଆଇପିଏଲ୍-୨୦୨୧ର ପ୍ରଥମ ପର୍ଯ୍ୟାୟରେ ବିରାଟ କୋହଲିଙ୍କ ନେତୃତ୍ବାଧୀନ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଦଳ ବହୁତ ଭଲ ପ୍ରଦର୍ଶନ କରିଥିଲା। ‌ଖେଳିଥିବା ୭ ମ୍ୟାଚ୍‌ରୁ ୫ଟିରେ ବିଜୟୀ ହୋଇଥିଲା। ସେଥିପାଇଁ ଆର୍‌ସିବି ପାଇଁ ରବିବାରଠାରୁ ଆରମ୍ଭ ହେଉଥିବା ଦ୍ବିତୀୟ ଚରଣ ଅତ୍ୟନ୍ତ ଉତ୍ସାହଜନକ ଏବଂ ରୋମାଞ୍ଚକର ରହିବ ବୋଲି କୋହଲି ଆଶା ପ୍ରକାଶ କରିଛନ୍ତି। ଆଇପିଏଲ୍‌ ଶେଷ ହେବା ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଉପରେ ତାଙ୍କର ନଜର ରହିବ ବୋଲି କହିଛନ୍ତି ସେ। ‘‘ଆମ ପାଇଁ ଏହା ଅତ୍ୟନ୍ତ ଉତ୍ସାହଜନକ ଏବଂ ମହତ୍ବପୂର୍ଣ୍ଣ ପର୍ଯ୍ୟାୟ ରହିବ। ପ୍ରଥମେ ଆର୍‌ସିବି ଏବଂ ପରେ ଟ୍ବେଣ୍ଟି-୨୦ ବିଶ୍ବକପ୍‌କୁ ନେଇ ବ୍ୟକ୍ତିଗତ ଭାବେ ମୁଁ ବହୁତ ଉଲ୍ଲସିତ। ଆମେ କିଛି ଭଲ ଖେଳାଳିଙ୍କୁ ହରାଇଛୁ। ତଥାପି ସେମାନଙ୍କ ବଦଳ ଖେଳାଳି ଭାବେ ଅନେକ ପ୍ରତିଭାବାନ ଖେଳାଳି ପାଇଛୁ। ସେହି ଦୃଷ୍ଟିରୁ ମୁଁ ବହୁତ ଖୁସି ଅଛି’’ ବୋଲି କୋହଲି ମତ ପ୍ରକାଶ କରିଛନ୍ତି।

Advertisment

ସୂଚନାଯୋଗ୍ୟ ଯେ ଆଇପିଏଲ୍‌-୨୦୨୧ର ଦ୍ବିତୀୟ ପର୍ଯ୍ୟାୟ ଲାଗି ଆର୍‌ସିବି ଡାନିଏଲ୍ ସାମ୍ସ, ଆଦାମ ଜାମ୍ପା, କେନ୍ ରିଚାର୍ଡସନ୍ ଓ ଫିନ୍ ଆଲେନଙ୍କ ସେବାରୁ ବଞ୍ଚିତ ହେବ। ଏମାନଙ୍କ ବଦଳରେ ଏହି ଦଳରେ ଦୁଷ୍ମନ୍ତ ଚାମିରା, ୱାନିନ୍ଦୁ ହସରଙ୍ଗା, ଜର୍ଜ ଗାର୍ଟନ ଓ ଟିମ୍ ଡେଭିଡ୍ ଯୋଗଦେଇଛନ୍ତି।

ମାଞ୍ଚେଷ୍ଟର ଟେଷ୍ଟ୍‌ ନେଇ ମୁହଁ ଖୋଲିଲେ କୋହଲି
ବିବାଦୀୟ ପରିସ୍ଥିତିରେ ବହୁ ପ୍ରତୀକ୍ଷିତ ଭାରତ-ଇଂଲଣ୍ଡ ମା‌ଞ୍ଚେଷ୍ଟର ଟେଷ୍ଟ୍ ବାତିଲ ହେବା ନେଇ ପ୍ରଥମ ଥର ମୁହଁ ଖୋଲିଛନ୍ତି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲି। ଆଇପିଏଲ୍‌ର ଦ୍ବିତୀୟ ଚରଣ ପାଇଁ ୟୁଏଇ ପହଞ୍ଚିବା ପରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି ଯେ ଆମେ ଏଠାକୁ ଏତେ ଶୀଘ୍ର ଆସିବା ଦୁର୍ଭାଗ୍ୟଜନକ। ହେଲେ କୋଭିଡ୍-୧୯ ପାଇଁ ଆଜିକାଲି କୌଣସି କଥାରେ ଆଉ ସ୍ଥିରତା ରହୁନି। ଯେ କୌଣସି ସମୟରେ ଯେ କୌଣସି ଘଟଣା ଘଟିଯାଉଛି। କେବେବି କିଛି ହେବାର ଆଶଙ୍କା ବଢ଼ି ଚାଲିଛି। ଆଶା କରୁଛି ଆମେ ଏଠାରେ ଏକ ଭଲ, ଶକ୍ତିଶାଳୀ ଓ ସୁରକ୍ଷିତ ପରିବେଶ ବଜାୟ ରଖି ପାରିବୁ ଏବଂ ଉଚ୍ଚଗୁଣମାନର ଆଇପିଏଲ୍ ଖେଳି ପାରିବୁ।

ମାଞ୍ଚେଷ୍ଟର ଟେଷ୍ଟ୍ ବାତିଲ ହେବାର ଦିନକ ପରେ ହିଁ କୋହଲି ଏବଂ ଯୁବ ଦ୍ରୁତ ବୋଲର ମହମ୍ମଦ ସିରାଜ ଇଂଲଣ୍ଡ ଛାଡ଼ି ୟୁଏଇରେ ପହଞ୍ଚି ଯାଇଥିଲେ। ଯାହା ନିର୍ଦ୍ଧାରିତ ସମୟଠାରୁ ଢେର ଆଗୁଆ ଥିଲା। ତେବେ ଏହି ସମୟ ସେମାନଙ୍କୁ ସଙ୍ଗରୋଧରେ ରହିବାର ସୁଯୋଗ ଦେଇଥିଲା। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ଉଭୟ ୬ ଦିନ ପାଇଁ ସଙ୍ଗରୋଧରେ ରହିଥିଲେ। ଏହି ଅବଧି ଶେଷ କରି ଦୁଇ ଜଣ ଯାକ ଏବେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳରେ ଯୋଗ ଦେଇସାରିଛନ୍ତି।

ସୂଚନାଯୋଗ୍ୟ ଯେ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫର୍ଡଠାରେ ଚଳିତ ମାସ ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଭାରତ-ଇଂଲଣ୍ଡ ପଞ୍ଚମ ତଥା ଶେଷ ଟେଷ୍ଟ୍ କୋଭିଡ୍ ସଂକ୍ରମଣ ପାଇଁ ବାତିଲ କରି ଦିଆଯାଇଥିଲା। ଭାରତର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ ସହ ସଂପୂର୍ଣ୍ଣ ପ୍ରଶିକ୍ଷକ ମଣ୍ଡଳିର ୪ ଜଣ ସଦସ୍ୟ ‌କୋଭିଡ୍ ପଜିଟିଭ୍ ଆସିବା ପରେ ଭାରତୀୟ ଖେଳାଳିମାନେ ପଡ଼ିଆକୁ ଓହ୍ଲାଇବାକୁ ଅମଙ୍ଗ ହୋଇଥିଲେ। ଫଳରେ ଏହି ମ୍ୟାଚ୍‌କୁ ବାତିଲ କରି ଦିଆଯାଇଥିଲା।