ବ୍ରିସବେନ୍ ଟେଷ୍ଟ୍‌ରୁ ବୁମ୍‌ରା ବାଦ୍: ମୟଙ୍କ, ଅଶ୍ବିନ, ବିହାରୀଙ୍କୁ ନେଇ ଶଙ୍କା

ଚୂଡ଼ାନ୍ତ ଏକାଦଶ ବାଛିବା ବଡ଼ ଆହ୍ବାନ, ପନ୍ତ ଓ ସାହା ଏକାଠି ଖେଳିପାରନ୍ତି

ବ୍ରିସ୍‌ବେନ୍: ବିଷମ ପରିସ୍ଥିତିରେ ଥାଇ ଲଢ଼ୁଆ ପ୍ରଦର୍ଶନ ସହ ସିଡ୍‌ନି ଟେଷ୍ଟ୍‌କୁ ଅମୀମାଂସିତ ରଖିବାର ଅଭୁଲା ସଫଳତା ଲାଭ କରିଥିବା ଭାରତୀୟ କ୍ରିକେଟ୍ ଦଳକୁ ମଙ୍ଗଳବାର ସମ୍ଭବତଃ ସବୁଠାରୁ ବଡ଼ ଧକ୍କା ଲାଗିଛି। ନିୟମିତ ଅଧିନାୟକ ବିରାଟ କୋହଲି ଏବଂ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମି ଓ ଈଶାନ୍ତ ଶର୍ମାଙ୍କ ବିନା ଶୃଙ୍ଖଳା ଖେଳୁଥିବା ଭାରତୀୟ କ୍ରିକେଟ୍ ଦଳ ବ୍ରିସବେନ୍‌ର ଆହ୍ବାନପୂର୍ଣ୍ଣ ଗାବା ପିଚ୍‌ରେ ଖେଳାଯିବାକୁ ଥିବା ଶୃଙ୍ଖଳା ନିର୍ଣ୍ଣାୟକ ତଥା ଚତୁର୍ଥ ଟେଷ୍ଟ୍‌ରେ ଅଲ୍‌ଆଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ସେବାରୁ ବଞ୍ଚିତ ହେବାକୁ ଯାଉଛି। ରବିଚନ୍ଦ୍ରନ୍‌ ଅଶ୍ବିନ ଏବଂ ହନୁମା ବିହାରୀ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ନାହାନ୍ତି। ସିଡ୍‌ନି ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ବ୍ୟାଟିଂ କରୁଥିଲା ବେଳେ ବିହାରୀଙ୍କ ଗୋଡ଼ରେ ପବନ ଅଟକି ଯାଇଥିଲା। ଅଶ୍ବିନଙ୍କ ଅଣ୍ଟା ମୋଡ଼ି ହୋଇ ଯାଇଥିବାରୁ ସେ ମଧ୍ୟ ଠିକ୍ ଭାବେ ଛିଡ଼ା ହୋଇପାରୁନଥିଲେ।

ଏଭଳି ସ୍ଥିତିରେ ଦଳର ବୋଲିଂ ବାହିନୀର ମେରୁଦଣ୍ଡ ଯଶ୍‌ପ୍ରୀତ ବୁମ୍‌ରା ବ୍ରିସବେନ୍ ଟେଷ୍ଟ୍‌ରୁ ବାଦ୍ ପଡ଼ିବା ଭାରତର ଚିନ୍ତା ଓ ସମସ୍ୟାକୁ ବହୁଗୁଣରେ ବଢ଼ାଇ ଦେଇଛି। ତଳପେଟର ମାଂସପେଶୀ ମୋଡ଼ି ହୋଇ ଭୀଷଣ ଯନ୍ତ୍ରଣା ଅନୁଭବ କରୁଥିବାରୁ ଏହି ବହୁ ପ୍ରତୀକ୍ଷିତ ଟେଷ୍ଟ୍ ଖେଳିପାରିବେନି ବୁମ୍‌ରା। ଚତୁର୍ଥ ଟେଷ୍ଟ୍ ଖେଳିଲେ ତାଙ୍କ ଆଘାତ ଜନିତ ସମସ୍ୟା ଆହୁରି ଘନିଭୂତ ହେବାର ଆଶଙ୍କା ଥିବାରୁ ଭାରତୀୟ ଦଳ ତାଙ୍କୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନେଇଛି। ରୋମାଞ୍ଚଭରା ସିଡ୍‌ନି ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ମଧ୍ୟ ବୁମ୍‌ରା ବୋଲିଂ କଲା ବେଳେ ଅସହଜ ଅନୁଭବ କରୁଥିବା ଦେଖିବାକୁ ମିଳିଥିଲା। ହେଲେ ମଙ୍ଗଳବାର ସେ ଆଉ ଶୃଙ୍ଖଳାରେ ଅଂଶଗ୍ରହଣ କରିପାରିବେ ନାହିଁ ବୋଲି ଭାରତୀୟ କ୍ରିକେଟ୍ ଦଳ ସ୍ପଷ୍ଟ କରିଦେଇଛି। ଚଳିତ ଶୃଙ୍ଖଳାରେ ସାମି ଓ ଉମେଶ ଯାଦବଙ୍କ ପରେ ତୃତୀୟ ଦ୍ରୁତ ବୋଲର ଭାବେ ବୁମ୍‌ରା ଭାରତର ଆଘାତପ୍ରାପ୍ତ ଦ୍ରୁତ ବୋଲରଙ୍କ ତାଲିକାରେ ଯୋଡ଼ି ହୋଇଯାଇଛନ୍ତି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ମୟଙ୍କ ଅଗ୍ରୱାଲଙ୍କ ଫିଟନେସ୍ ମଧ୍ୟ ଦଳ ପାଇଁ ଆଉ ଏକ ଚିନ୍ତା‌ ଭାବେ ଉଭା ହୋଇଛି।

ପୂର୍ବରୁ ଦଳର ଅନ୍ୟତମ ପ୍ରତିଭାବାନ ଖେଳାଳି କେଏଲ୍ ରାହୁଲ ନେଟ୍ସରେ ଆଘାତପ୍ରାପ୍ତ ହେବା ପରେ ସଂପୂର୍ଣ୍ଣ ଶୃଙ୍ଖଳାରୁ ବାଦ୍ ପଡ଼ି ସାରିଛନ୍ତି। ଦଳରେ ବଢ଼ି ବଢ଼ି ଚାଲିଥିବା ଆହତ ଖେଳାଳିଙ୍କ ତାଲିକା ପାଇଁ ସିଡ୍‌ନି ଟେଷ୍ଟ୍‌ ପୂର୍ବରୁ ଦୁଇ ସଂରକ୍ଷିତ ଦ୍ରୁତ ବୋଲର ସାର୍ଦୁଲ ଠାକୁର ଏବଂ ଟି ନଟରାଜନ୍‌ଙ୍କୁ ଭାରତୀୟ ଟେଷ୍ଟ୍ ଦଳରେ ସାମିଲ କରାଯାଇଥିଲା। ବ୍ରିସବେନ୍‌ରେ ଏହି ଦୁଇ ଯୁବ ବୋଲରଙ୍କ ମଧ୍ୟରୁ ଜଣେ ଖେଳିବାର ସମ୍ଭାବନା ବଢ଼ି ଯାଇଛି। ବୁମ୍‌ରା ବାଦ୍ ପଡ଼ିବା ପରେ ତାମିଲନାଡୁ ଅଲ୍‌ରାଉଣ୍ଡର ୱାସିଂଟନ୍ ସୁନ୍ଦର ମଧ୍ୟ ଭାରତୀୟ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇପାରନ୍ତି। ତେବେ ଭାରତୀୟ ବୋଲିଂ ଆକ୍ରମଣ ଏବେ ମହମ୍ମଦ ସିରାଜ, ନଭଦୀପ ସୈନି ଓ ଠାକୁରଙ୍କ କାନ୍ଧରେ ନ୍ୟସ୍ତ ରହିବ।

ଚୂଡ଼ାନ୍ତ ଏକାଦଶ ବାଛିବା ବଡ଼ ଆହ୍ବାନ
ଅଷ୍ଟ୍ରେଲିଆ ଯାଇଥିବା ଭାରତୀୟ ଦଳର ଅଧାରୁ ଅଧିକ ଖେଳାଳି ଆହତ ହୋଇଛନ୍ତି। ଆଘାତ ଜର୍ଜରିତ ଟିମ୍ ଇଣ୍ଡିଆ ପାଇଁ ବ୍ରିସବେନ୍ ଟେଷ୍ଟ୍‌ରେ ୧୧ ଜଣ ଦକ୍ଷ ଖେଳାଳି ବାଛିବା ମଧ୍ୟ ଏକ ବଡ଼ ଆହ୍ବାନ ଭାବେ ଉଭା ହୋଇଛି। ଏହା ମଧ୍ୟ ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ପାଇଁ ଏକ ବଡ଼ ସସମ୍ୟା ଭାବେ ଉଭା ହେବାର ଯଥେଷ୍ଟ ଆଶଙ୍କା ରହିଛି। ଆହତ କିମ୍ବା ଶତ ପ୍ରତିଶତ ଫିଟ୍ ନଥିବା‌ ଭାରତୀୟ ଖେଳାଳି ତାଲିକାରେ ରହିଛନ୍ତି ଦ୍ରୁତ ବୋଲର ଈଶାନ୍ତ ଶର୍ମା, ଭୁବନେଶ୍ବର କୁମାର, ବରୁଣ ଚକ୍ରବର୍ତ୍ତୀ, ମହମ୍ମଦ ସାମି, ଉମେଶ ଯାଦବ, କେଏଲ୍ ରାହୁଲ, ରବୀନ୍ଦ୍ର ଜାଦେଜା, ଋଷବ ପନ୍ତ, ହନୁମା ବିହାରୀ, ଆର ଅଶ୍ବିନ, ମୟଙ୍କ ଅଗ୍ରୱାଲ ଓ ଯଶପ୍ରୀତ ବୁମ୍‌ରା।

ପନ୍ତ ଓ ସାହା ଏକାଠି ଖେଳିପାରନ୍ତି

ଆହତ ଖେଳାଳିଙ୍କ ତାଲିକା କ୍ରମଶଃ ଲମ୍ବି ଚାଲିଥିବାରୁ ଭାରତୀୟ କ୍ରିକେଟ୍ ଦଳ ବ୍ରିସ୍‌ବେନରେ ଦୁଇ ୱିକେଟ୍ ରକ୍ଷକ ଋଦ୍ଧିମାନ ସାହା ଏବଂ ଋଷବ ପନ୍ତଙ୍କୁ ଖେଳାଇପାରେ। ସାହା ଜଣେ ଉଚ୍ଚକୋଟୀର ୱିକେଟ୍ ରକ୍ଷକ ହୋଇଥିଲା ବେଳେ ପନ୍ତ ତୁଳନାତ୍ମକ ଭାବେ ଭଲ ବ୍ୟାଟର୍‌। ତା’ ଛଡ଼ା ରବୀନ୍ଦ୍ର ଜାଦେଜାଙ୍କ ଅନୁପସ୍ଥିତି ପାଇଁ ଭାରତୀୟ ମଧ୍ୟକ୍ରମ ବି ଦୁର୍ବଳ। ସେହି ଦୃଷ୍ଟିରୁ ବ୍ରିସବେନ୍‌ର ଗାବା ପିଚ୍‌ରେ ପନ୍ତ ଓ ସାହା ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଲେ ବିସ୍ମିତ ହେବାର କିଛି ନାହିଁ। ସିଡ୍‌ନି ଟେଷ୍ଟ୍‌ରେ ସାହା ଚୂଡ଼ାନ୍ତ ଏକାଦଶରେ ନଥିଲେ ମଧ୍ୟ ପନ୍ତଙ୍କ ବଦଳ ୱିକେଟ୍ ରକ୍ଷକ ଭାବେ ଆସି ଭାରତର ଐତିହାସିକ ଡ୍ର’ ହାସଲରେ ନିଜ ବହୁମୂଲ୍ୟ ଅବଦାନ ଦେଇଥିଲେ। ଅଷ୍ଟ୍ରେଲିଆର ଦ୍ବିତୀୟ ପାଳିରେ ସେ ଚାରିଟି କ୍ୟାଚ୍ ନେବା ପରେ କଙ୍ଗାରୁ ଦଳ ୩୧୨/୬ ରନ୍‌ରେ ପାଳି ଘୋଷଣା କରିଥିଲା। ପନ୍ତ ବି ଆବଶ୍ୟକ ବିଶ୍ରାମ ପାଇ ଯାଇଥିଲେ। ଯାହା ଫଳରେ ଦ୍ବିତୀୟ ପାଳିରେ ୯୭ ରନ୍‌ର ସ୍ମରଣୀୟ ପାଳି ଖେଳି ଭାରତର ସଫଳତାରେ ଅନ୍ୟତମ ପ୍ରମୁଖ ଭୂମିକା ତୁଲାଇଥିଲେ।

ସମ୍ବନ୍ଧିତ ଖବର