ଭାରତୀୟ ଟିଟି ଦଳରୁ ମନିକା ବାଦ

ନୂଆଦିଲ୍ଲୀ: ଜାତୀୟ ପ୍ରଶିକ୍ଷକ ସୌମ୍ୟଜିତ ସରକାରଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଅଭିଯୋଗ ଆଣି ବିବାଦୀୟ ହୋଇପଡ଼ିଥିବା ତାରକା ଟେବୁଲ୍ ଟେନିସ୍ ଖେଳାଳି ମନିକା ବାତ୍ରା ଭାରତୀୟ ଦଳରୁ ବାଦ ପଡ଼ିଛନ୍ତି। ତେବେ କାତାରର ‌ଦୋହାରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ଲାଗି ହରିୟାଣାର ସୋନେପତଠାରେ ଆୟୋଜିତ ଜାତୀୟ ଶିବିରରେ ଯୋଗ ନଦେବା ସେ ଭାରତୀୟ ଦଳରେ ସ୍ଥାନ ନପାଇବାର ପ୍ରମୁଖ କାରଣ ବୋଲି ଜଣାପଡ଼ିଛି। ମନିକାଙ୍କ ଅନୁପସ୍ଥିତିରେ ସତୀର୍ଥା ମୁଖାର୍ଜୀ ଭାରତୀୟ ଦଳର ନେତୃତ୍ବ ନେବେ। ଟୋକିଓ ଅଲିମ୍ପିକ୍ସରେ ଜାତୀୟ ପ୍ରଶିକ୍ଷକ ସୌମ୍ୟଜିତ ସରକାରଙ୍କ ସେବା ନେବାକୁ ମନା କରି ମନିକା ବିବାଦୀୟ ହୋଇଥିଲେ। ଏହା ପରେ ସୌମ୍ୟଜିତଙ୍କ ବିରୋଧରେ ମ୍ୟାଚ୍ ଫିକ୍ସିଂ ଭଳି ସଂଗିନ ଅଭିଯୋଗ ବି ଆଣିଥିଲେ। ପୁଣି ଏସୀୟ ଟିଟି ପାଇଁ ଆୟୋଜିତ ଜାତୀୟ ଶିବିର ପରିବର୍ତ୍ତେ ବ୍ୟକ୍ତିଗତ ପ୍ରଶିକ୍ଷକଙ୍କ ସହ ଅଭ୍ୟାସ କରିବେ ବୋଲି ଭାରତୀୟ ଟେବୁଲ ଟେନିସ୍ ସଂଘକୁ ଜଣାଇ ଦେଇଥିଲେ ସେ। ହେଲେ ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇ ନଥିବା କୌଣସି ଖେଳାଳିଙ୍କୁ ଭାରତୀୟ ଦଳରେ ସାମିଲ କରାଯିବ ନାହିଁ ବୋଲି ମହାସଂଘ ‌ସ୍ପଷ୍ଟ କରି ଦେଇଛି।

ସମ୍ବନ୍ଧିତ ଖବର