ମିଶ୍ରିତ ଯୁଗଳ ସେମିରେ ପ୍ରମୋଦ, ବ୍ୟାଡ୍‌ମିଣ୍ଟନରୁ ଏକାଧିକ ପଦକ ଆଶା

ଟୋକିଓ : ଓଡ଼ିଆ ତାରକା ପ୍ରମୋଦ ଭଗତ ଏବଂ ତାଙ୍କ ସାଥୀ ପଲକ୍‌ କୋହଲି ଟୋକିଓ ପାରାଲିମ୍ପିକ୍ସ ବ୍ୟାଡମିଣ୍ଟନର ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଗୁରୁବାର ଏକକ ବର୍ଗ ସେମିଫାଇନାଲ୍‌ ସ୍ଥାନ ସୁରକ୍ଷିତ କରିସାରିଥିବା ପ୍ରମୋଦ ମିଶ୍ରିତ ଯୁଗଳରେ ପଲକ୍‌ଙ୍କୁ ସାଥୀ କରି ଶୁକ୍ରବାର ଏସ୍‌ଏଲ୍-୩ ବର୍ଗର କ୍ବାର୍ଟର ଫାଇନାଲ୍‌ ଜିତି ନେଇଛନ୍ତି। କ୍ବାର୍ଟର ଫାଇନାଲ୍‌ରେ ଏହି ଭାରତୀୟ ଯୋଡ଼ି ୨୯ ମିନିଟ୍‌ ମୁକାବିଲା କରି ଥାଇଲାଣ୍ଡ୍‌ ଯୋଡ଼ି ସିରିପଙ୍ଗ୍‌ ତିମାରୋମ୍‌ ଓ ନିପଦା ସେଇନ୍‌ସୁପାଙ୍କୁ ୨-୦ (୨୧-୧୫ ଓ ୨୧-୧୯) ଗେମ୍‌ରେ ପରାସ୍ତ କରି ଗ୍ରୁପ୍‌-ବି’ରେ ଦ୍ବିତୀୟ ସ୍ଥାନ ସହ ସେମିଫାଇନାଲ୍‌ ପହଞ୍ଚିଯାଇଛନ୍ତି। ସେମିଫାଇନାଲ୍‌ରେ ପ୍ରମୋଦ-ପଲକ୍‌ ଆସନ୍ତାକାଲି ଇଣ୍ଡୋନେସିଆ ଯୋଡ଼ି ହାରି ସୁଶାନ୍ତୋ-ସକ୍‌ଟିଲା ରାତ୍ରୀଙ୍କ ସହ ମୁହାଁମହିଁ ହେବେ। ଅନ୍ୟପକ୍ଷରେ ଏକକ ବର୍ଗରେ ମଧ୍ୟ ପ୍ରମୋଦ ଆସନ୍ତାକାଲି ସେମିଫାଇନାଲ୍‌କୁ ଓହ୍ଲାଇବେ। ସେ ଜାପାନର ଦାଇସୁକେ ଫୁଜିହାରାଙ୍କୁ ଭେଟିବେ। ଏକକ ବର୍ଗ ଫାଇନାଲ୍‌ ମଧ୍ୟ ଆସନ୍ତାକାଲି ହେବ।

ପ୍ରାମାଦ-ପଲକ୍‌ ଯୋଡ଼ି ମିଶ୍ରିତ ଯୁଗଳ ସେମିଫାଇନାଲ୍‌ରେ ପହଞ୍ଚିବା ସାଙ୍ଗକୁ ଗୁରୁବାର ମୋଟ ୬ ଭାରତୀୟ ବ୍ୟାଡ୍‌ମିଣ୍ଟନରେ ସେମିଫାଇନାଲ୍‌ ପହଞ୍ଚି ଭାରତ ପାଇଁ ଏକାଧିକ ପଦକ ଆଶା ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରେ ଏକକ ବର୍ଗରେ ପ୍ରମୋଦଙ୍କ ବ୍ୟତୀତ ତାଙ୍କ ପୁରୁଷ ଯୁଗଳ ସାଥୀ ମନୋଜ ସରକାର, ସୁହାସ ୟାଥୀରାଜ, ତରୁଣ ଧିଲନ୍‌ ଏବଂ କୃଷ୍ଣ ନାଗର ନିଜ ନିଜ କ୍ବାର୍ଟର ଫାଇନାଲ୍‌ ଜିତି ସେମିଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବିଶ୍ବ ମାନ୍ୟତାର ତୃତୀୟ ନୋଇଡ଼ା ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁହାସ ଏସ୍‌ଏଲ୍‌୪ ବର୍ଗ (ଗ୍ରୁପ୍‌-ଏ)ରେ ଇଣ୍ଡୋନେସିଆର ହାରି ସୁଶାନ୍ତୋଙ୍କୁ ୧୯ ମିନିଟ୍‌ ମଧ୍ୟରେ ୨-୦ (୨୧-୬, ୨୧-୧୨)ରେ ପରାସ୍ତ କରିଥିଲା ବେଳେ ଦ୍ବିତୀୟ ମାନ୍ୟତା ତରୁଣ ଗ୍ରୁପ୍‌-ବି’ରେ କୋରିଆ ପ୍ରତିଦ୍ବନ୍ଦ୍ବୀ ସିନ୍‌ କ୍ୟୁଙ୍ଗ୍‌ ହ୍ବାନ୍‌ଙ୍କୁ ୨-୧ (୨୧-୧୮, ୧୫-୨୧ ଓ ୨୧-୧୭)ରେ, କୃଷ୍ଣ ୨-୦ (୨୧-୧୭ ଓ ୨୧-୧୪)ରେ ବ୍ରାଜିଲ୍‌ର ତାଭାରେସ୍‌ ଭିକ୍ଟର ଗୋନ୍‌କାଲଭେନ୍‌ଙ୍କୁ ଏବଂ ଏସ୍‌ଏଲ୍‌୩ ବର୍ଗରେ ମ‌ନୋଜ ୟୁକ୍ରେନ୍‌ର ଓଲେକ୍‌ଜାନ୍ଦ୍ର ଚିର୍‌କୋଭ୍‌ଙ୍କୁ ୨-୦ (୨୧-୧୬ ଓ ୨୧-୯)ରେ ପରାସ୍ତ କରିଥିଲେ। ମନୋଜ ତାଙ୍କ ବର୍ଗରେ ପ୍ରମୋଦଙ୍କ ପଛକୁ ଦ୍ବିତୀୟ ସ୍ଥାନରେ ରହି ସେମିଫାଇନାଲ୍‌ରେ ପହଞ୍ଚିଛନ୍ତି। ସେମିଫାଇନାଲ୍‌ରେ ମନୋଜ ବ୍ରିଟେନ୍‌ର ଡାନିଏଲ୍‌ ବେଥେଲ୍‌ଙ୍କୁ, ତରୁଣ ଫ୍ରାନ୍‌ସର ଲୁକାସ୍‌ ମାଜୁରଙ୍କୁ, ସୁହାସ ଇଣ୍ଡୋନେସିଆର ସିତିୱାନ ଫ୍ରେଡିଙ୍କୁ ଏବଂ କୃଷ୍ଣ ବ୍ରିଟେନ୍‌ର କ୍ରିଷ୍ଟେନ୍‌ କୁମ୍ବ୍‌ସଙ୍କୁ ଭେଟିବେ।

ତେବେ ଗୁରୁବାର ପଲକ୍‌ କୋହଲିଙ୍କ ପାଇଁ ନିରାଶାର ଦିନ ଥିଲା। ସେ ଏକକ ବର୍ଗ ସାଙ୍ଗକୁ ମହିଳା ଯୁଗଳରେ ପରାଜୟର ମୁହଁ ଦେଖିଥିଲେ। ସେ ଏସ୍‌ୟୁ୫ ଏକକ ବର୍ଗ କ୍ବାର୍ଟର ଫାଇନାଲ୍‌ରେ ଜାପାନର କାମେୟେମା କାଇଡେଙ୍କଠାରୁ ୦-୨ (୧୧-୨୧ ଓ ୧୫-୨୧)ରେ ହାରିଯାଇଥିଲା ବେଳେ ପରୁଲ ପର୍ମରଙ୍କୁ ସାଥୀ କରି ଖେଳିଥିବା ଏସ୍‌ଏଲ୍‌୩-ଏସ୍‌ୟୁ୫ ଗ୍ରୁପ୍‌-ଏର ମହିଳା ଯୁଗଳ ମୁକାବିଲାରେ ମଧ୍ୟ ୦-୨ (୧୨-୨୧ ଓ ୨୦-୨୨)ରେ ଫ୍ରେଞ୍ଚ୍‌ ଯୋଡ଼ି ଲେନେଗ୍‌ ମୋରିନ୍‌ ଓ ଫଉଷ୍ଟିନ୍‌ ନୋଏଲ୍‌ଙ୍କ ନିକଟରୁ ହାରିଯାଇ ପଦକ ଆଶା ହରାଇଥିଲେ।

ସମ୍ବନ୍ଧିତ ଖବର