ଅଭିଜ୍ଞ ଅଲିମ୍ପିଆନ୍, ଅତୁଳନୀୟ ମିଡ୍‌ଫିଲ୍ଡର: ‘ଲିଲିମାଙ୍କଠାରେ ଆହୁରି ଖେଳ ବାକିଥିଲା’

ଭୁବନେଶ୍ବର: ଦୀର୍ଘ ୧୦ ବର୍ଷ ତଳେ ଅର୍ଥାତ୍ ୨୦୧୧ ମସିହାରେ ଆର୍ଜେଣ୍ଟିନାରେ ଖେଳାଯାଇଥିବା ଚର୍ତୁରାଷ୍ଟ୍ରୀୟ ହକି ପ୍ରତିଯୋଗିତାରେ ନିଜ ପ୍ରଥମ ବରିଷ୍ଠ ସ୍ତରୀୟ ହକି ମ୍ୟାଚ୍ ଖେଳିଥିଲେ ଲିଲିମା ମିଞ୍ଜ୍‌। ଏହାପରେ ଭାରତୀୟ ହକିର ବିକାଶ ପାଇଁ ନିୟମିତ ଭାବେ ଅତୁଳନୀୟ ଅବଦାନ କରିଆସୁଥିଲେ ସେ। ଲିଲିମା ମଧ୍ୟ ଭାରତୀୟ ମହିଳା ହକିର ବହୁ ଐତିହାସିକ ମୁହୂର୍ତ୍ତର ଅନ୍ୟତମ ପ୍ରମୁଖ ସଦସ୍ୟ ଥିଲେ। ମଧ୍ୟଭାଗ ଏବଂ କେବେ କେବେ ଅଗ୍ରଭାଗରେ ଖେଳି ଭାରତ ପାଇଁ ୧୫୬ ମ୍ୟାଚ୍ ଖେଳିଥିବା ଲିଲିମା ୧୨ ଗୋଲ୍ ଦେଇଥିଲେ। ୨୦୧୪ ଏସୀୟ କ୍ରୀଡ଼ାରେ କାଂସ୍ୟ ପଦକ ବିଜୟୀ ଏବଂ ୨୦୧୮ ଏସୀୟ କ୍ରୀଡ଼ାରେ‌ ‌ରୌପ୍ୟ ପଦକ ଜିତିଥିବା ଭାରତୀୟ ହକି ଦଳର ସେ ସଦସ୍ୟ ଥିଲେ। ସେହିଭଳି ଭାରତୀୟ ମହିଳା ହକି ଦଳ ୨୦୧୯ ମସିହାରେ ଏଫ୍‌ଆଇଏଚ୍ ସିରିଜ୍ ଫାଇନାଲ୍ସରେ ସ୍ବର୍ଣ୍ଣ ପଦକ ଜିତିବାରେ ଲିଲିମା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲେ। ଦୀର୍ଘ ୩୬ ବର୍ଷ ପରେ ବ୍ରାଜିଲର ରିଓରେ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ଦଳରେ ରହି ପ୍ରଭାବୀ ପ୍ରଦର୍ଶନ କରିଥିଲେ ସେ। ଲିଲିମାଙ୍କ ବଳିଷ୍ଠ ପ୍ରଦର୍ଶନ ବଳରେ ହିଁ ଭାରତୀୟ ମହିଳା ହକି ଦଳ କଳିଙ୍ଗ ଷ୍ଟାଡିୟମ୍‌ରେ ୨୦୨୦ ଟୋକିଓ ଅଲିମ୍ପିକ୍ସ ଲାଗି ଯୋଗ୍ୟତା ଅର୍ଜନ କରିଥିଲା। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ନିଜ ହକି ପ୍ରତିଭାକୁ ଆହୁରି ଶାଣିତ କରିଥିବା ଲିଲିମାଙ୍କର ରାଜ୍ୟଗୋଷ୍ଠୀ କ୍ରୀଡ଼ା ଖେଳିବାର ଅଭିଜ୍ଞତା ଥିଲା ବେଳେ ସେ ସମ୍ମାନଜନକ ଏକଲବ୍ୟ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି। ଓଡ଼ିଶା ସରକାରଙ୍କଠାରୁ ମଧ୍ୟ ଏକାଧିକ ଥର ନିଜ କ୍ରୀଡ଼ା ଦକ୍ଷତା ଲାଗି ପ୍ରୋତ୍ସାହନ ରାଶି ପାଇଛନ୍ତି।

ଭାରତୀୟ ହକି ପାଇଁ ଦେଇଥିବା ଅବଦାନ ଲାଗି ହକି ଇଣ୍ଡିଆ ତାଙ୍କୁ ଧନ୍ୟବାଦ ଦେଇଛି। ଲିଲିମାଙ୍କୁ ଜଣେ ବିଶ୍ବସ୍ତରୀୟ ଖେଳାଳି ଭାବେ ବର୍ଣ୍ଣନା କରି ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ର ନିଙ୍ଗମବମ୍ କହିଛନ୍ତି ଯେ ନିଜ ଗୌରବମୟ ଖେଳ ଜୀବନ ଭିତରେ ଭାରତୀୟ ହକି ପାଇଁ ଲିଲିମା ବହୁ ଅସାଧାରଣ ସଫଳତା ହାସଲ କରିଛନ୍ତି। ଏଥିଲାଗି ତାଙ୍କୁ ଆମେ ଯେତେ ପ୍ରଶଂସା କଲେ ବି ତାହା କମ ହେବ। ଗତ କିଛି ବର୍ଷ ଭିତରେ ଭାରତୀୟ ହକି କରିଥିବା ବିକାଶରେ ସେ ପ୍ରମୁଖ ଭୂମିକା ତୁଲାଇଥିଲେ। ଏକ ଜାଜ୍ଜ୍ବଲ୍ୟମାନ ଖେଳ ଜୀବନ ଲାଗି ହକି ଇଣ୍ଡିଆ ତାଙ୍କୁ ଅଭିନନ୍ଦନ ଜଣାଉଛି। ଜୀବନର ନୂଆ ଅଧ୍ୟାୟ ଲାଗି ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ‘‘ଅବସର ନେବା ପରେ ମଧ୍ୟ ଜାତୀୟ ଦଳକୁ ସମର୍ଥନ ଜାରି ରଖିବି। ଆଗାମୀ ସମୟରେ ଓଡ଼ିଶା ହକିର ବିକାଶ ଲାଗି କାର୍ଯ୍ୟ କରିବିା ଅଧିକରୁ ଅଧିକ ଝିଅ ଯେମିତି ହକିକୁ ଆସନ୍ତି, ସେ ଚେଷ୍ଟା କରିବି’’ ବୋଲି ଲିଲିମା ତାଙ୍କ ଅବସରକାଳୀନ ମନ୍ତବ୍ୟରେ କହିଛନ୍ତି।

ରାଉରକେଲା/ଭୁବନେଶ୍ବର: ଭାରତୀୟ ମହିଳା ହକି ଜଗତରେ ଗତ ଏକ ଦଶନ୍ଧି ହେଲା ରାଜୁତି କରିଆସୁଥିବା ଓଡ଼ିଆ ତାରକା ଲିଲିମା ମିଞ୍ଜ୍‌ ଗୁରୁବାର ଅନ୍ତର୍ଜାତୀୟ ହକିରୁ ଅବସର ନେଇଛନ୍ତି। ମାତ୍ର ୨୭ ବର୍ଷ ବୟସରେ ଲିଲିମାଙ୍କ ଅବସର ସମସ୍ତଙ୍କୁ ଚକିତ କରିଦେଇଛି। ବହୁ ପୂର୍ବତନ କ୍ରୀଡ଼ାବିତ୍‌ ଏହାକୁ ଅପ୍ରତ୍ୟାଶିତ ଅବିହିତ କରିଥିବା ବେଳେ ଅନେକ ଏବେ ଏହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରାୟ ସମସ୍ତଙ୍କର ମୁହଁରେ ଗୋଟିଏ କଥା, ଲିଲିମାଙ୍କଠାରେ ଆହୁରି ଅଧିକ ଖେଳ ବାକିଥିଲା। ନିର୍ଦ୍ଦିଷ୍ଟ କେଉଁ କାରଣରୁ ସେ ଅଚାନକ ଅବସର ଘୋଷଣା କଲେ ତାହା ସ୍ପଷ୍ଟ ହୋଇନି; କିନ୍ତୁ କ୍ରମାଗତ ଭାବେ ଭାରତୀୟ ଦଳରୁ ଉପେକ୍ଷିତ ହିଁ ପ୍ରମୁଖ କାରଣ ବୋଲି ଚର୍ଚ୍ଚା ଜୋର୍‌ ଧରିଛି।
;ଅମୂଲ୍ୟାନନ୍ଦ ବିହାରୀ (ଲିଲିମାଙ୍କ କୋଚ୍‌)

‘ଛୋଟବେଳୁ ଲିଲିମାଙ୍କୁ ଅତି ପାଖରୁ ଦେଖିଛି। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ପଦାର୍ପଣ କରିବା ଦିନଠାରୁ ତାଙ୍କର ଅନ୍ତର୍ନିହିତ କ୍ରୀଡ଼ାନୈପୁଣ୍ୟ ବାରି ହୋଇପଡ଼ିଥିଲା। ତାଙ୍କର ନିଷ୍ଠାପର ପରିଶ୍ରମ, ଅଭ୍ୟାସ ଓ ଦୃଢ଼ ସଂକଳ୍ପ ମନୋବୃତ୍ତି ଯୋଗୁଁ ଏକ ଦଶନ୍ଧି ଧରି ଭାରତୀୟ ହକି ଦଳରେ ନିଜକୁ ସ୍ଥାୟୀ କରିପାରିଥିଲେ। ସେ କେବଳ ଦଳର ଜଣେ ନିର୍ଭରଯୋଗ୍ୟ ସଦସ୍ୟ ନ ଥିଲେ, ବରଂ ମହତ୍ତ୍ବପୂର୍ଣ୍ଣ ଖେଲାଳି ଭାବେ ଏକାଧିକବାର କରିସ୍ମା ଦେଖାଇଥିଲେ। ତାଙ୍କର ପାୱାର ହିଟ୍‌, ମୁଭ୍‌ମେଣ୍ଟ୍‌ ଓ ପାସ୍‌ ଦେବାର ଦକ୍ଷତା ସର୍ବୋତ୍କୃଷ୍ଟ ଥିଲା।
; କାଳୁ ଚଳଣ ଚୌଧୁରୀ (ଓଡ଼ିଶା ହକି ମୁଖ୍ୟ ପ୍ରଶିକ୍ଷକ)

ଲିଲିମା ଜଣେ ଭଲ ମିଡ୍‌ଫିଲ୍ଡର। ସେ ୧୨ ଅନ୍ତର୍ଜାତୀୟ ଗୋଲ୍‌ ମଧ୍ୟ କରିଛି। ତା’ର ପ୍ରଦର୍ଶନ ଭଲ ଥିଲା। ରିଓ ଅଲିମ୍ପିକ୍ସରେ ମଧ୍ୟ ଖେଳିଛି। ଅଲିମ୍ପିକ୍ସ ଓ ଏସିଆ କପ୍‌ ଦଳରେ ସ୍ଥାନ ନ ପାଇବା ଏବଂ କନିଷ୍ଠ ପିଲାଙ୍କୁ ସୁଯୋଗ ମିଳିବା ଏବଂ ତାଙ୍କୁ ନମିଳିବା ଦୁଃଖ ଦେଇଥିବ। ଏହି କାରଣରୁ ସେ ଅବସର ନେଇ ଥାଇପାରେ ବୋଲି ଆଶା। ଅଲିମ୍ପିକ୍ସ ପରେ ଏସିଆ ଚାମ୍ପିଅନ୍‌ସିପ୍‌ ଦଳରେ ସ୍ଥାନ ପାଇଥିଲା। ହେଲେ କୋଭିଡ ଯୋଗୁଁ ଏହି ପ୍ରତିଯୋଗିତା ବାତିଲ ହୋଇଥିଲା। ମୁଁ ତାକୁ ପ୍ରଶିକ୍ଷଣ ଦେଇଛି। ଓଡ଼ିଶା ଦଳରୁ ଖେଳିବା ପରେ ସେ ପଶ୍ଚିମ ରେଳବାଇରେ ଚାକିରି ପାଇଥିଲା ଏବଂ ରେଳବାଇ ପକ୍ଷରୁ ଖେଳ ଜାରି ରଖିଥିଲା। ଏବେ ସେ ଅନ୍ତର୍ଜାତୀୟରୁ ଅବସର ନେଇଥିଲେ ମଧ୍ୟ ଅନ୍ୟ ପ୍ରତିଯୋଗିତାରେ ଖେଳ ଜାରି ରଖିବ।
; ଲାଜରୁସ ବାର୍ଲା (ହକି ଅଲିମ୍ପିଆନ୍‌)

‌ଲିଲିମା ଖେଳ ଜୀବନ ଆରମ୍ଭରୁ ଭଲ ପ୍ରଦର୍ଶନ କରିଆସୁଥିଲା। ଅଲିମ୍ପିକ୍‌ କ୍ବାଲିଫାୟର ରାଉଣ୍ଡରେ ଭଲ ପ୍ରଦର୍ଶନ କରିଥିଲା। ହେଲେ କୋଭିଡ ପାଇଁ ଭାରତୀୟ ଅଲିମ୍ପିକ୍‌ ଦଳରେ ସ୍ଥାନ ନମିଳିବା ଦୁଃଖ ଦେଇଥିବ। ଭାରତ ବି ଐତିହାସିକ ସଫଳତା ପାଇଥିଲା। ଏହି ଦଳରେ ନରହିବାର ଦୁଃଖ ତାଙ୍କର ସବୁବେଳେ ରହିବ। ହଁ ଖେଳରେ ତ ଯିବା ଆସିବା ଲାଗି ରହିବ। ସେ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେଇଛି ବୋଲି ମୁଁ ଭାବୁଛି। ତାଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ମୁଁ କାମନା କରୁଛି।
; ଶୁଭଦ୍ରା ପ୍ରଧାନ (ଭାରତୀୟ ଦଳର ପୂର୍ବତନ ଅଧିନାୟିକା)

ଲିଲିମାଙ୍କ ଖେଳ ଉଚ୍ଚକୋଟୀର ଥିଲା। ସେ ବହୁବାର ଦଳକୁ ସଫଳତା ଆଣିଦେଇଥିଲେ। ଗତ ଅଲିମ୍ପିକ୍‌ କ୍ବାଲିଫାୟରରେ ତାଙ୍କର ପ୍ରଦର୍ଶନ ଅବର୍ଣ୍ଣନୀୟ। ପ୍ରକୃତରେ, ତାଙ୍କ ପାଖରେ ବହୁତ ଖେଳ ବାକିଥିଲା। ଅବସର ନେଲେ ମଧ୍ୟ ସେ ହକି ସହ ସଂପୃକ୍ତ ରହିବେ ବୋଲି ଆଶା। କାରଣ, ତାଙ୍କ ଭଳି ଜଣେ ଅଭିଜ୍ଞ ଖେଳାଳି ହିଁ ହକିର ବିକାଶ ପାଇଁ ବହୁତ କିଛି କରିପାରିବେ। ଏହାସହ ଅନ୍ତର୍ଜାତୀୟ ନହେଲେ ବି ଖେଳ କିନ୍ତୁ ଜାରି ରଖିବା ଶ୍ରେୟସ୍କର।
; ସରିତା ହନୁମାନ (ଅନ୍ତର୍ଜାତୀୟ ମହିଳା ହକି ଖେଳାଳି)

ଲିଲିମାଙ୍କ ଖେଳ ଅପାସୋରା ହୋଇ ରହିବ। ଦୀର୍ଘ ବର୍ଷ ଧରି ହକି ପଡ଼ିଆରୁ ଜନ୍ମମାଟି ସୁନ୍ଦରଗଡ଼, ଓଡ଼ିଶା ତଥା ଭାରତ ପାଇଁ ସୁନାମ ଆଣିଛନ୍ତି। ଏକାଧିକ ଉପଲବ୍ଧି ହାସଲ କରି ସମସ୍ତଙ୍କୁ ଖୁସି ମନାଇବାର ସୁଯୋଗ ଦେଇଛନ୍ତି। ତେବେ ତାଙ୍କ ପାଖରେ ବହୁତ ଖେଳ ବାକିଥିଲା। ଅନ୍ୟୁନ ଆଉ ୨/୩ ବର୍ଷ ଖେଳିଥିଲେ ଭାରତୀୟ ହକି ପାଇଁ ଭଲ ହୋଇଥା’ନ୍ତା। ସେ ଫିଟ୍‌ ବି ଥିଲେ। ଏତେ ଶୀଘ୍ର ଅବସର ନେଇଥିବାରୁ ଦୁଃଖ ଲାଗୁଛି; କିନ୍ତୁ ତାଙ୍କର ନିଷ୍ପତ୍ତିକୁ ଆମେ ସମ୍ମାନ ଦେବା ଜରୁରି।
; ପୁନମ ଟପ୍ପୋ (ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି)

ଅତି କମ୍‌ ବୟସରେ ସେ ଅବସର ନେଇଗଲେ। ସେ ଆଉ କିଛି ବର୍ଷ ଭାରତୀୟ ହକିକୁ ସେବା ଦେଇପାରିଥା’ନ୍ତେ। ସେ ଜଣେ ଉତ୍କୃଷ୍ଟ ଖେଳାଳି, ତାଙ୍କର ସୁଦୀର୍ଘ କ୍ରୀଡ଼ା ଜୀବନରୁ ଏହା ସ୍ପଷ୍ଟ ହୁଏ। ଖେଳ ବ୍ୟତୀତ ମୁଁ ତାଙ୍କୁ ବ୍ୟକ୍ତିଗତସ୍ତରରେ ବହୁତ ଭଲଭାବେ ଜାଣେ। ତାଙ୍କର ଶୃଙ୍ଖଳିତ ଜୀବନଶୈଳୀ, କାର୍ଯ୍ୟଶୈଳୀ ଅନୁକରଣୀୟ। ଅନ୍ତର୍ଜାତୀୟ ହକିରୁ ଅବସର ନେଇଥିଲେ ମଧ୍ୟ ସେ ହକି ଖେଳ ସହ ସଂଶ୍ଲିଷ୍ଟ ରହିଲେ ଭଲ।
; ଇଗ୍ନେସ ତିର୍କି (ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି)

ପାନପୋଷ କ୍ରୀଡ଼ା ଛାତ୍ରାବାସରୁ ହକିର କଳାକୌଶଳ ଶିକ୍ଷାଲାଭ କରି ଲିଲିମା ନିଜକୁ ପ୍ରତଷ୍ଠିତ କରିପାରିଥିଲେ। ଏକ ଦଶନ୍ଧି ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିବା ଏକ ନିଆରା ଉପଲବ୍ଧି। ଏଭଳି ଉପଲବ୍ଧି ସମସ୍ତଙ୍କ ଭାଗ୍ୟରେ ଜୁଟିଥାଏ। କିନ୍ତୁ କଠୋର ଅଧ୍ୟବସାୟ ବଳରେ ସେ ଏହା କରିପାରିଥିଲେ। ବର୍ଷବର୍ଷ ଧରି ସୁନ୍ଦରଗଡ଼ ଜିଲ୍ଲା ଓ ରାଜ୍ୟ ପାଇଁ ସୁନାମ ଆଣିଥିବା ଲିଲିମାଙ୍କ ପାଇଁ ଆମେ ସମସ୍ତେ ଗର୍ବିତ।

ସମ୍ବନ୍ଧିତ ଖବର