ଲାହୋର/ଭୁବନେଶ୍ବର: ଆତଙ୍କବାଦୀଙ୍କୁ ସମର୍ଥନ ଦେଇ ନିନ୍ଦା ଓ ଅପବାଦର ସମ୍ମୁଖୀନ ହୋଇ ଆସୁଥିବା ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଚର୍ଚିତ ଅଧିନାୟକ ତଥା ଏବେକାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କୁ ନେଇ ଆଉ ଏକ ଲଜ୍ଜାଜନକ କଥା ପଦାକୁ ଆସିଛି। ଇମ୍ରାନ ଏକଦା ନିଶାରେ ଚୁର ରହୁଥିଲେ। କୋକେନଠାରୁ ଆରମ୍ଭ କରି ଆଉ କେତେକ ମାରାତ୍ମକ ନିଶାଦ୍ରବ୍ୟ ସେବନ କରୁଥିଲେ। ମଙ୍ଗଳବାର ଇମ୍ରାନଙ୍କ ବିରୋଧରେ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ତାଙ୍କ ପୁରୁଣା ସାଥୀ ସର୍ଫରାଜ ନୱାଜ। ‘‘ଇମ୍ରାନ ନିଶାଖୋର ଥିଲେ, ୧୯୮୭ ମସିହାର ଇଂଲଣ୍ଡ ବିପକ୍ଷ ଘରୋଇ ଶୃଙ୍ଖଳା ଅବସରରେ ସେ କୋକେନ୍ ଖାଉଥିବା ମୁଁ ନିଜ ଆଖିରେ ଦେଖିଛି। କେବଳ ମୁଁ ନୁହେଁ ଆମ ଦଳର ଅନେକ ଖେଳାଳି ମଧ୍ୟ ଏହି ଘଟଣା ଦେଖିଥିବା ଭାଇରାଲ ହୋଇଥିବା ଏକ ଭିଡିଓରେ ସର୍ଫରାଜ ଦାବି କରିଛନ୍ତି। ଏପରିକି ଯଦି ମୁଁ ମିଛ କହୁଛି, ତାହାଲେ ଇମ୍ରାନ ଚାହିଁଲେ ମୋତେ ଅଦାଲତକୁ ଟାଣି ପରିବେ ବୋଲି ସର୍ଫରାଜ କହୁଥିବା ଏହି ଭିଡିଓରେ ଶୁଣିବାକୁ ମିଳୁଛି। ୧୯୮୭ ମସିହାରେ ସେହି ଘଟଣାକୁ ମନେ ପକାଇ ସର୍ଫରାଜ କହିଛନ୍ତି ଯେ ଇଂଲଣ୍ଡ ବିପକ୍ଷ ସେହି ଶୃଙ୍ଖଳାରେ ଇମ୍ରାନ ଆଦୌ ଭଲ ପ୍ରଦର୍ଶନ କରିନଥିଲେ। ଏଣୁ ଘରକୁ ଫେରି ନିଶା ଖାଇବା ଆରମ୍ଭ କରିଥିଲେ। ମୋ ଆଖି ଆଗରେ ଏହି ଘଟଣା ଘଟିଥିଲା। ଦେଖାଯାଉ ମୋ କଥାକୁ ସେ ଅସ୍ବୀକାର କରୁଛନ୍ତି କି ନାହିଁ’’। ସୂଚନାଯୋଗ୍ୟ ଯେ ଇମ୍ରାନ ଓ ସର୍ଫରାଜ ୧୯୭୦ରୁ ୮୦ ମସିହା ପର୍ଯ୍ୟନ୍ତ ପାକିସ୍ତାନର ଆଗଧାଡ଼ିର ବୋଲର ଥିଲେ। ସେମାନେ ମିଳିତ ଭାବେ ପାକିସ୍ତାନକୁ ଅନେକ ମ୍ୟାଚ୍‌ ଜିତାଇଥିଲେ।

Advertisment

କନକ ନିଉଜ୍‌କୁ ଦେଇଥିବା ଅନ୍ୟ ଏକ ସାକ୍ଷାତକାରରେ ସର୍ଫରାଜ ମଧ୍ୟ ଇମ୍ରାନ୍‌ ଖାନ୍‌ଙ୍କ ଡ୍ରଗ୍ସ ସେବନ ଓ ଝିଅମାନଙ୍କ ସହ ଅବୈଧ ସମ୍ପର୍କ କଥାକୁ ସ୍ବୀକାର କରିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ମୋ‌ତେ ସେ ଜଣେ ଝିଅର ଚିଠି ଦେଖାଇଥିଲେ‌। ପାକିସ୍ତାନ ଦଳର ଭାରତ ଗସ୍ତ ବେଳେ ମଧ୍ୟ ଇମ୍ରାନ୍ ଡ୍ରଗ୍ସ ସେବନ କରୁଥିଲେ ବୋଲି ସର୍ଫରାଜ ପ୍ରକାଶ କରିଥିଲେ। ସେ ଜଣେ ଭଲ କ୍ରିକେଟର ଥିଲେ କିନ୍ତୁ ଭଲ ମଣିଷ ନୁହେଁ। ଅତିଥି ହୋଇ କାହା ଘରକୁ ଗଲେ ସେ ମହିଳାଙ୍କ ଉପରେ ଖରାପ ନଜର ପକାଉଥିଲେ। ତାଙ୍କ ନିକଟରେ ବି ପଛରୁ ଛୁରୀ ମାରିବା ଭଳି ଚରିତ୍ର ଥିଲା। କେବଳ ଏଇଥିପାଇଁ ଆମେ ୩୨ ବର୍ଷ ଧରି କଥା ହେଉନଥିଲୁ ବୋଲି ୭୧ ବର୍ଷୀୟ ସର୍ଫରାଜ କହିଥ‌ିଲେ। ସୂଚନାଯୋଗ୍ୟ, ସର୍ଫରାଜ ୧୯୬୯ରୁ ୧୯୮୪ ମସିହା ମଧ୍ୟରେ ପାକିସ୍ତାନ ପାଇଁ ୫୫ ଟେଷ୍ଟ୍ ଓ ୪୫ ଦିନିକିଆ ଖେଳିଥିଲେ।