ଟୋକିଓରେ ରେକର୍ଡ ଅଷ୍ଟମ କ୍ରମାଗତ ଅଲିମ୍ପିକ୍ସ ଉପରେ ପେସ୍‌ଙ୍କ ନଜର

କୋଲ୍‌କାତା: ଭାରତୀୟ ଟେନିସ୍‌ କିଂବଦନ୍ତି ଲିଆଣ୍ଡର ପେସ୍‌ ଟୋକିଓରେ ତାଙ୍କ ‘ଅତୁଟ’ ରେକର୍ଡ ଅଷ୍ଟମ କ୍ରମାଗତ ଅଲିମ୍ପିକ୍ସ ଉପରେ ନଜର ରଖିଛନ୍ତି। ଆସନ୍ତା ବର୍ଷ ଆୟୋଜିତ ଏହି ଅଲିମ୍ପିକ୍ସ ପାଇଁ ସେ ଜୋର୍‌ଦାର ପ୍ରସ୍ତୁତି ଚଳାଇଛନ୍ତି ବୋଲି କହିଛନ୍ତି। ଟୋକିଓରେ ସେ କ୍ରମାଗତ ଅଷ୍ଟମ ଅଲିମ୍ପିକ୍ସ ଖେଳିବାର ସୌଭାଗ୍ୟ ଅର୍ଜନ କରିବେ। ଯାହାକି ଏକ କୀର୍ତ୍ତିମାନ ହେବ।

ଗତବର୍ଷ ବଡ଼ ଦିନ (ଖ୍ରୀଷ୍ଟ ମାସ) ଅବସରରେ ପେସ୍‌ ତାଙ୍କ ଅବସର ଘୋଷଣା କଲା ବେଳେ ୨୦୨୦ ତାଙ୍କ ପେସାଦାର ଖେଳାଳି ଜୀବନର ଅନ୍ତିମ ବର୍ଷ ହେବ ବୋଲି କହିଥିଲେ। ସେତେବେଳେ ସେ ଅବଶ୍ୟ ଟୋକିଓ ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖିଥିଲେ। ସେତେବେଳେ ମଧ୍ୟ କରୋନା ମହାମାରୀ କଥା କେହି ଭାବିନଥିଲେ। କିନ୍ତୁ ୨୦୨୦ ମାର୍ଚ୍ଚ ମାସରୁ କରୋନା ମହାମାରୀ ସବୁକିଛି ବିଗାଡ଼ି ଦେଇଛି। ଯାହା ଫଳରେ ଟୋକିଓ ଅଲିମ୍ପିକ୍ସ ଗୋଟିଏ ବର୍ଷ ଘୁଞ୍ଚିବାକୁ ବାଧ୍ୟ ହୋଇଛି। ଏହି ଅଲିମ୍ପିକ୍ସ ୨୦୨୧ରେ ଆୟୋଜିତ ହେବ ବୋଲି ସ୍ଥିର ହୋଇଥିବାରୁ ପେସ୍‌ଙ୍କ ପେସାଦାର ଜୀବନ ମଧ୍ୟ ଲମ୍ବିବାକୁ ବାଧ୍ୟ ହୋଇଛି। ହେଲେ ଏଭଳି ଲମ୍ବା‌ ବିରତି ସତ୍ତ୍ବେ ମୁଁ ସନ୍ତୁଷ୍ଟ ରହିଛି। ଶାରୀରିକ, ମାନସିକ ଏବଂ ଭାବପ୍ରବଣତାକୁ ନେଇ ମୋର ମନରେ କୌଣସି ସନ୍ଦେହ ନାହିଁ ଏବଂ ମୁଁ ଟୋକିଓ ଅଲିମ୍ପିକ୍ସ ପାଇଁ ପୂରା ପ୍ରସ୍ତୁତ ରହିଛି ବୋଲି ପେସ୍‌ କହିଛନ୍ତି। ମୋ ପାଇଁ ଟୋକିଓ ଅଲିମ୍ପିକ୍ସ ଅତି ଗୁରୁତ୍ବପୂର୍ଣ୍ଣ। ସେହି ଅଲିମ୍ପିକ୍ସ ଜରିଆରେ ଭାରତର ନାମକୁ ଇତିହାସ ପୃଷ୍ଠାରେ ଲିପିବଦ୍ଧ କରିବା ମୋର ଏକ ପ୍ରତିଜ୍ଞା ରହିଛି। ଖାସ୍‌ ସେଇଥିପାଇଁ ମୋର ପେସାଦାର ଜୀବନକୁ ୩୦ ବର୍ଷ ଧରି ଜାରି ରଖିଛି ବୋଲି କହିଛନ୍ତି ପେସ୍‌।

ଏଠାରେ ସୂଚନାଯୋଗ୍ୟ, ଆସନ୍ତାବର୍ଷ ଜୁଲାଇ ୨୩ ତାରିଖରୁ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ବେଳକୁ ପେସ୍‌ଙ୍କୁ ୪୮ ବର୍ଷ ବୟସ ହୋଇଯାଇଥିବ। ‌ତେବେ ବୟସ ଏକ ସଂଖ୍ୟା ମାତ୍ର। ଏହା ମୋ ଉପରେ ବିଶେଷ ପ୍ରଭାବ ପକାଇବ ନାହିଁ। ବରଂ ଭାରତର ନାମକୁ ଇତିହାସ ପୃଷ୍ଠାରେ ସବୁଦିନ ପାଇଁ ଲିପିବଦ୍ଧ କରିଯିବାକୁ ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ପେସ୍‌। କ୍ରମାଗତ ଭାବେ ୭ଟି ଅଲିମ୍ପିକ୍ସରେ ଭାଗ ନେଇ ମୁଁ କୀର୍ତ୍ତିମାନ ରଚିସାରିଛି। ଟୋକିଓରେ ଅଂଶଗ୍ରହଣ କରିବାର ବିଶ୍ବାସ ରଖିଛି। ଯଦି ଏହା ସମ୍ଭବ ହେଲା ତାହାଲେ ସର୍ବାଧିକ ସଂଖ୍ୟକ (୮) ଅଲିମ୍ପିକ୍ସରେ ଭାଗ ନେବାର କୀର୍ତ୍ତିମାନ ସବୁଦିନ ପାଇଁ ଇତିହାସ ପୃଷ୍ଠାରେ ରହିଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ପେସ୍‌ ତାଙ୍କର ପ୍ରଥମ ତଥା ଏକମାତ୍ର ଅଲିମ୍ପିକ୍ ପଦକ ଟେନିସ୍‌ରୁ ୧୯୯୬ ଆଟ୍‌ଲାଣ୍ଟା‌ ଅଲିମ୍ପିକ୍ସରେ ଅମଳ କରିଥିଲେ। କିନ୍ତୁ ଆଉ ଏକ ପଦକ ହାସଲ କରିବା ନେଇ କଠୋର ପରିଶ୍ରମ ଚଳାଇଛି ବୋଲି ପେସ୍‌ କହିଛନ୍ତି।

ସମ୍ବନ୍ଧିତ ଖବର