ଅସୁବିଧା ସତ୍ତ୍ବେ ଲକ୍‌ଡାଉନ୍‌କୁ ମାନିବାକୁ ପଡ଼ିବ: ମାନସୀ

ସିଡ୍‌ନି: କରୋନା ବିପକ୍ଷ ଲଢ଼େଇ ଲାଗି ସାରା ଦେଶ ‌ଲକ୍‌ଡାଉନ୍‌ ହେଇଛି। ଏହା ନିଶ୍ଚିତ ଆମ ପାଇଁ କଷ୍ଟକର। କିନ୍ତୁ ଆମର ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହାକୁ ମାନିବାକୁ ପଡ଼ିବ। କରୋନାକୁ ବ୍ୟାପୀବାରୁ ରୋକିବା ଦିଗରେ ଏହା ସହଯୋଗ କରିବ। ସମସ୍ତେ ଏହାକୁ ମାନି ଘରେ ରୁହ ଓ ସୁସ୍ଥ ରୁହ ବୋଲି ନିବେଦନ କରିଛନ୍ତି ପାରା ବ୍ୟାଡ୍‌ମିଣ୍ଟନ୍‌ ବିଶ୍ବ ବିଜୟିନୀ ମାନସୀ ଯୋଶୀ।
ଲକ୍‌ଡାଉନ୍‌ ମଧ୍ୟ ମୋ ପ୍ରଶିକ୍ଷଣକୁ ପ୍ରଭାବିତ କରିଛି। ହାଇଦ୍ରାବାଦରେ ମୋର ଏକାଡେମି ବନ୍ଦ ହେବାରୁ, ମୋର ପିତାମାତାଙ୍କ ସହିତ ରହିବାକୁ ଅହମ୍ମଦାବାଦ ଆସିଛି। ସୌଭାଗ୍ୟବଶତଃ ଲକଡାଉନ୍ ଲାଗୁ ହେବା ପୂର୍ବରୁ ମୁଁ ପଳାଇ ଆସିଛି। ନହେ‌ଲେ ଏବେ ମୁଁ ଏକା ହାଇଦ୍ରାବାଦରେ ରହିଥାନ୍ତି। ମୋର ଫିଜିଓ, ପ୍ରଶିକ୍ଷକ ଏବଂ ଡାଏଟିସିଆନଙ୍କ ସହିତ ଯୋଗାଯୋଗ କରି ଘରେ ପ୍ରଶିକ୍ଷଣ ନେଉଛି। ସେମାନେ ମୋ ପାଇଁ ଏକ କାର୍ଯ୍ୟସୂଚୀ ପ୍ରସ୍ତୁତ କରିଛନ୍ତି। ଲକଡାଉନ୍ ସମୟରେ କେଉଁ ତାଲିମ ଜାରି ରଖିବି ତାହା ସେମାନେ ମୋତେ କହୁଛନ୍ତି। ଘରେ ମୁଁ ସବୁପ୍ରକାର ବ୍ୟାୟାମ କରିପାରୁନାହିଁ। ଏକାଡେମିରେ ଅନେକ କାର୍ଡିଓ ବ୍ୟାୟାମ ଅଛି ଯାହା ଏଠାରେ କରିବାକୁ ଅସମର୍ଥ। ସଂପ୍ରତି ପରିସ୍ଥିତି ଯାହା ସମସ୍ୟା ଥିଲେ ମଧ୍ୟ ତାକୁ ଆଦରିବାକୁ ପଡ଼ିବ ବୋଲି ମାନସୀ କହିଛନ୍ତି।

ଏହି ସମୟ ମଧ୍ୟରେ, ମୁଁ ‘ପିଟ୍ସବର୍ଗ ବିଶ୍ୱବିଦ୍ୟାଳୟ ଦ୍ୱାରା ଅକ୍ଷମତା ସଚେତନତା ଏବଂ ସମର୍ଥନ’ ଉପରେ ଏକ ଅନଲାଇନ୍ ପାଠ୍ୟକ୍ରମ ପାଇଁ ନାମ ଲେଖାଇଛି। ମୁଁ ପଢ଼ା‌ରେ ନିଜକୁ ବ୍ୟସ୍ତ ରଖିଛି। ମୁଁ ଲୋକଙ୍କ ସହ କଥାବାର୍ତ୍ତା କରି ଇମେଲ ଲେଖୁଛି। ୨୦୧୯ ମୋର ଏକ ବ୍ୟସ୍ତବହୁଳ ବର୍ଷ ଥିଲା। ତେଣୁ ମୋ ସାଙ୍ଗମାନଙ୍କ ସହିତ ମିଶିବାକୁ ସମୟ ପାଇଲି ନାହିଁ। ବର୍ତ୍ତମାନ ମୁଁ ଏହା କରିପାରୁଛି। ସବୁଦିନ ସାଙ୍ଗମାନଙ୍କ ସହ କଥାବର୍ତା ହୋଇ ‌ଭଲମନ୍ଦ ବୁଝିପାରୁଛି ବୋଲି ମାନସୀ କହିଛନ୍ତି। ମୁଁ ମଧ୍ୟ ଘରେ ରୋଷେଇ କରୁଛି। ଭଲ ଭାବେ ନହେଲେ ମଧ୍ୟ ଚଳନୀୟ ରୋଷେଇ କରି ଏହାର ମଜା ନେଉଛି। ଏହା ଏବେ ସୁସ୍ବାଦ ହୋଇ ଯାଇଛି ବୋଲି କହିଛନ୍ତି ମାନସୀ। ମୁଁ ମଧ୍ୟ ଟିଭି ଦେଖେ। ହଟ୍‌ଷ୍ଟାର୍‌ରେ ସ୍ବତନ୍ତ୍ର ଆପ୍ସ ମୋତେ ବହୁତ ଖୁସି ଦେଇଥିଲା। କିନ୍ତୁ ମୁଁ ପଢ଼ିବାକୁ ଅଧିକ ସମୟ ପାଇନଥାଏ। ତଥାପି ସପ୍ତାହକୁ ୨୪ ଘଣ୍ଟା ନିଜକୁ ବ୍ୟସ୍ତ ରଖେ। ପାରାଲିମ୍ପିକ୍ସ ଗୋଟିଏ ବର୍ଷ ସ୍ଥଗିତ ରଖାଯିବା ସହିତ ଟୋକିଓ ଯିବା ଏବଂ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବା ମୋର ଆଶାଠାରୁ ଅଧିକ ହୋଇଯାଇଛି। ଏହି ଆଶା ମୋତେ ବହୁତ ଉତ୍ସାହିତ କରୁଛି। ଖେଳରେ ଉନ୍ନତି ଆଣିବା ଲାଗି ଏହି ଗୋଟିଏ ବର୍ଷ ସମୟ। ଏହା ଅନ୍ୟପକ୍ଷରେ ମୋ ପ୍ରତି ଆଶୀର୍ବାଦ। ଗତ ବର୍ଷ ଅନେକ ପ୍ରତିଯୋଗିତା ହୋଇଥିଲା। ପ୍ରତି ୧୫-୨୦ ଦିନରେ ଗୋଟିଏ ପ୍ରତିଯୋଗିତା ଖେଳୁଥିଲୁ କିନ୍ତୁ କରୋନା ପାଇଁ ଏ ବର୍ଷ ଏହା ହୋଇପାରିବନି ବୋଲି ମାନସୀ କହିଛନ୍ତି।

କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ମୁଁ ନିୟମିତ ହାତ ଧୋଇବା ସହ ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଭଳି ଡବ୍ଲୁଏଚ୍‌ଓ ନିର୍ଦ୍ଦେଶାବଳୀ ମାନୁଛି ବୋଲି କହିଛନ୍ତି ମାନସୀ। ଘରର ନିତ୍ୟ ଆବଶ୍ୟକ ସାମଗ୍ରୀ କିଣିବା ‌େବଳେ ହେଉଥିବା ଜନଗହଳିକୁ ସେ ନାପସନ୍ଦ କରିଛନ୍ତି। ମୁଁ ଦିନେ ଘର ସଉଦା ଆଣିବାପାଇଁ ବଜାରକୁ ଗଲି। ସେଠାରେ ଯାହା ଦେଖିଲି ସଉଦା କିଣିବା ମୋ ପାଇଁ ସହଜ ନୁହେଁ। ମୋତେ ବହୁତ ସମୟ ପର୍ଯ୍ୟନ୍ତ ଧାଡିରେ ଠିଆ ହେବାକୁ ପଡ଼ିଲା। ଲୋକମାନେ ଦେଖୁଛନ୍ତି ମୁଁ ଭିନ୍ନକ୍ଷମ ତଥାପି ସେମାନେ ମୋତେ ଛାଡ଼ିଲେନି। ଏଥିସହ ପରିବା କିଣିଲା ବେଳେ ମୋତେ ମଧ୍ୟ ଠେଲା ପେଲା କରି ଦେଉଥିଲେ। ଏସବୁ ଦେଖି ମୁଁ ସରକାରଙ୍କୁ ଅନୁରୋଧ କରେ କି ବରି‌ଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ କିଛି ଅଲଗା ବ୍ୟବସ୍ଥା କରାଯାଉ। ମୁଁ ବୁଝୁଛି ଏବର ପରିସ୍ଥିତି ଭଲ ନାହିଁ ତଥାପି ଜନସାଧାରଣ ଦୟାଳୁ ହେବା ଦରକାର ବୋଲି କହିଛନ୍ତି ମାନସୀ।

ସମ୍ବନ୍ଧିତ ଖବର