ମେଲ୍ବର୍ନ: ଚଳିତ ବର୍ଷର ପ୍ରଥମ ଗ୍ରାଣ୍ଡ୍ ସ୍ଲାମ୍ ଟେନିସ୍ ପ୍ରତିଯୋଗିତା ଅଷ୍ଟ୍ରେଲିଆନ୍ ଓପନ୍ରେ ମଙ୍ଗଳବାର ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପୁରୁଷ ଏକକ କ୍ୱାର୍ଟର୍ ଫାଇନାଲ୍ରୁ ବିଶ୍ୱର ଶୀର୍ଷ ମାନ୍ୟତା ଖେଳାଳି ରାଫେଲ୍ ନାଦାଲ୍ ଏବଂ ତୃତୀୟ ମାନ୍ୟତା ଖେଳାଳି ଗ୍ରିଗୋର ଦିମିତ୍ରୋଭଙ୍କ ସାଙ୍ଗକୁ ମହିଳା ଏକକରୁ ଚତୁର୍ଥ ମାନ୍ୟତା ଏଲିନା ସ୍ୱିତୋଲିନା ବିଦାୟ ନେଇଛନ୍ତି।
ମଙ୍ଗଳବାର ପୁରୁଷ ଏକକ କ୍ୱାର୍ଟର୍ ଫାଇନାଲ୍ରେ ସ୍ପେନ୍ ତାରକା ନାଦାଲ ୬-୩, ୩-୬, ୭-୬, ୨-୬, ୦-୨ ସେଟ୍ରେ କ୍ରୋଏସିଆ ତାରକା ମାରିନ୍ ସିଲିକ୍ଙ୍କଠୁ ହାରି ଯାଇଥିଲେ। ୩ ଘଣ୍ଟା ୪୭ ମିନିଟ୍ ଧରି ସଂଘର୍ଷ ମଧ୍ୟରେ ଉଭୟ ନାଦାଲ ଓ ସିଲିକ୍ ୨-୨ ସେଟ୍ ଜିତିବା ପରେ ମ୍ୟାଚ୍ ପଞ୍ଚମ ତଥା ନିର୍ଣ୍ଣାୟକ ସେଟ୍କୁ ଟାଣି ହୋଇଯାଇଥିଲା। ତେବେ ନିର୍ଣ୍ଣାୟକ ସେଟ୍ରେ ସିଲିକ୍ ୨-୦ରେ ଆଗୁଆ ଥିଲା ବେଳେ ନାଦାଲ ଆହତ ହୋଇ ପଡ଼ିଆ ଛାଡ଼ିଥିଲେ। ଫଳରେ ଏହି ୧୬ ଗ୍ରାଣ୍ଡ୍ ସ୍ଲାମ୍ ବିଜେତାଙ୍କ ଅଭିଯାନ ସେହିଠାରୁ ହିଁ ଶେଷ ହୋଇଥିଲା। ଅନ୍ୟ ପକ୍ଷରେ ସିଲିକ୍ ୮ ବର୍ଷ ବ୍ୟବଧାନ ପରେ ଏଠାରେ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ସେମିଫାଇନାଲ୍ରେ ସିଲିକ୍ଙ୍କ ଭେଟ ଅଣମାନ୍ୟତା ପ୍ରାପ୍ତ ବ୍ରିଟେନ୍ର କାଏଲ୍ ଏଡମୁଡ୍ଙ୍କ ସହ ହେବ। ଏଡ୍ମୁଡ୍ ମଙ୍ଗଳବାରର ଅନ୍ୟ ଏକ କ୍ୱାର୍ଟର ଫାଇନାଲ୍ରେ ବୁଲ୍ଗେରିଆର ଦିମିତ୍ରୋଭଙ୍କୁ ୬-୪, ୩-୬, ୬-୩, ୬-୪ ସେଟ୍ରେ ହରାଇ ବିଦାୟ ରାସ୍ତା ଦେଖାଇଥିଲେ।
ମହିଳା ଏକକରେ ବେଲ୍ଜିୟମ୍ର ଏଲିସ୍ ମର୍ତିନ୍ସ ୬-୪, ୬-୦ ସେଟ୍ରେ ବୁଲ୍ଗେରିଆର ସ୍ୱିତୋଲିନାଙ୍କୁ ହରାଇ ମଙ୍ଗଳବାର ବଡ଼ ବିପର୍ଯ୍ୟୟ ଘଟାଇଥିଲେ। ରଡ୍ ଲାଭର୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ୩୭ ମାନ୍ୟତା ମର୍ତିନ୍ସ ୭୩ ମିନିଟ୍ ସମୟ ନେଇ ସ୍ୱିତୋଲିନାଙ୍କୁ ବିଦାୟ ରାସ୍ତା ଦେଖାଇବା ସହ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆନ୍ ଓପନ୍ ସେମିଫାଇନାଲ୍ରେ ପ୍ରବେଶ କରିଥିଲେ। ୨୨ ବର୍ଷୀୟା ଏହି ବେଲ୍ଜିୟମ୍ ସୁନ୍ଦରୀ ସେମିଫାଇନାଲ୍ରେ ଦ୍ୱିତୀୟ ମାନ୍ୟତା କାରୋଲିନ୍ ଓ୍ଵଜ୍ନିଆକିଙ୍କୁ ଭେଟିବେ। ଡେନ୍ମାର୍କ ଲଳନା ଓ୍ଵଜ୍ନିଆକି ୬-୦, ୬-୭, ୬-୨ ସେଟ୍ରେ ସ୍ପେନ୍ର କାର୍ଲା ସୁଆରେଜ୍ ନାଭାରୋଙ୍କୁ ପରାସ୍ତ କରିଥିଲେ।
ବିପର୍ଯ୍ୟୟ: ନାଦାଲ୍, ଦିମିତ୍ରୋଭ, ସ୍ୱିତୋଲିନା ବିଦା: ସେମିରେ ଓ୍ଵଜ୍ନିଆକି-ମର୍ତିନ୍ସ ମୁହାଁମୁହିଁ
/sambad/media/post_attachments/wp-content/uploads/2018/01/Nadal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)