ଜ୍ଞାନେନ୍ଦ୍ର ନାରାୟଣ ରଥ
ବ୍ରହ୍ମପୁର: ବିଶ୍ବର ସର୍ବାଧିକ ଲୋକପ୍ରିୟ କ୍ରୀଡ଼ା ଫୁଟ୍‌ବଲ୍‌ ମହାକୁମ୍ଭ (ଫିଫା ବିଶ୍ବକପ୍) କାତାରରେ ଚାଲିଛି। ଯାହାକୁ ନେଇ ସାରା ବିଶ୍ବର ଫୁଟ୍‌ବଲ୍‌ପ୍ରେମୀ ବେଶ୍ ଉତ୍ସାହିତ। ଏକଦା ଫୁଟ୍‌ବଲ୍‌ର ଗଡ଼ ଥିବା ବ୍ରହ୍ମପୁର ସହରରେ ଭେଟେରାନ୍ (ବରିଷ୍ଠ) ‌ଖେଳାଳିଙ୍କ ମଧ୍ୟରେ ଏହାକୁ ନେଇ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି। କିନ୍ତୁ ଗଲା କିଛି ଦଶନ୍ଧି ମଧ୍ୟରେ ଯୁବବର୍ଗଙ୍କ ଏହି କ୍ରୀଡ଼ା ପ୍ରତି ଆଗ୍ରହ କମିବାରେ ଲାଗିଛି। ଦିନ ଥିଲା ସହରର ପ୍ରତ୍ୟେକ ପଡ଼ିଆରେ ପ୍ରତିଦିନ ଫୁଟ୍‌ବଲ୍ ଗଡ଼ୁଥିଲା। କେବଳ ବ୍ରହ୍ମପୁରରେ ୧୫ଟି ଫୁଟବଲ୍ କ୍ଲବ୍ ଥିଲା, ଯେଉଁ କ୍ଲବ୍‌ରେ ସିନିୟର୍‌ ଖେଳାଳିମାନେ ଯୁବପିଢ଼ିଙ୍କୁ ଫୁଟବଲ୍‌ ଖେଳିବା ପାଇଁ ଉତ୍ସାହିତ କରୁଥିଲେ। ନିୟମିତ ବ୍ୟବଧାନରେ ଅନ୍ତଃକ୍ଲବ୍ ପ୍ରତିଯୋଗିତା ଆୟୋଜିତ ହେଉଥିଲା। ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ବ‌ାହାର ରାଜ୍ୟକୁ ମଧ୍ୟ କ୍ଲବ୍‌ଗୁଡ଼ିକର ଦଳ ଯାଇ ବିଭିନ୍ନ ଅନ୍ତଃରାଜ୍ୟ ପ୍ରତିଯୋଗିତାରେ ଭାଗ ନେଉଥିଲେ। ଯାହାକି ଖେଳାଳିଙ୍କ ଦକ୍ଷତା ବୃଦ୍ଧିରେ ସହାୟକ ହେଉଥିଲା। ଏଥିସହ ପ୍ରତିବର୍ଷ ସର୍ବଭାରତୀୟସ୍ତରର ‘ଫିଆଜ୍ ସ୍ମାରକୀ ଫୁଟ୍‌ବଲ୍ ପ୍ରତିଯୋଗିତା ଆୟୋଜିତ ହେଉଥିଲା। ଯାହାକୁ ନେଇ କେବଳ ଖେଳାଳି ନୁହେଁ, ସାରା ସହରବାସୀ ଏବେ ମଧ୍ୟ ଝୁରୁଛନ୍ତି। ଫିଆଜ୍‌ ମେମୋରିଆଲ୍‌ ସର୍ବଭାରତୀୟ ପ୍ରତିଯୋଗିତାରେ ବ୍ରହ୍ମପୁର ପାଇଁ ପ୍ରତିନିଧିତ୍ବ କରିବାକୁ କ୍ଲବ୍‌ଗୁଡ଼ିକ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଲାଗି ରହୁଥିଲା। ଏଭଳି ପ୍ରତି‌ଯୋଗିତାରେ ଭାଗ ନେବାର ସୁଯୋଗ ପାଇ ରାଜ୍ୟ ବାହାରର କୋଲକାତା, ଗୋଆ ସାଲଗାଓଁକର, ଗ୍ବାଲିୟର୍‌, ବିଜୟୱାଡ଼ା, ପୁନେ, କେରଳ, ବେଙ୍ଗାଲୁରୁର ସୁନାମଧନ୍ୟ ଫୁଟ୍‌ବଲ୍‌ କ୍ଲବ୍ ନିଜକୁ ଭାଗ୍ୟବାନ ମନେ କରୁଥିଲେ। କିନ୍ତୁ ଏବେ ତାହା ଇତିହାସ ପାଲଟିଛି।

Advertisment

ପ୍ରାୟ ଅଢ଼େଇ ଦଶନ୍ଧି ହେବ ଆଉ ‘ଫିଆଜ ସ୍ମାରକୀ ପ୍ରତିଯୋଗିତା ଆୟୋଜନ ହୋଇପାରୁନାହିଁ। କ୍ଲବ୍ ପରମ୍ପରା ହଜିଗଲାଣି। ପୂର୍ବଭଳି ଅନ୍ତଃକ୍ଲବ୍‌ ପ୍ରତିଯୋଗିତା ବିଶେଷ ଦେଖିବାକୁ ମିଳୁନି। କେବଳ ସେତିକି ନୁହେଁ, ସମୟକ୍ରମେ ସହରରୁ ଗୋଟିଏ ପରେ ଗୋଟିଏ ଫୁଟବଲ୍ କ୍ଲବ୍‌ ହଜିଗଲାଣି। ମଡ଼ର୍ଣ୍ଣ ୟୁଥ୍‌ କ୍ଲବ୍‌, ଏମ୍‌ୱାଇସି ଫୁଟ୍‌ବଲ୍‌ କ୍ଲବ ସେଥିମଧ୍ୟରୁ ଅନ୍ୟତମ। ୧୯୭୫ ଏବଂ ୧୯୭୭ ମସିହାରେ ଏହି କ୍ଲବ ଫିଆଜ୍ ସ୍ମାରକୀ ଫୁଟ୍‌ବଲ୍ ପ୍ରତିଯୋଗିତାରେ ବିଜେତା ହୋଇ ବ୍ରହ୍ମପୁର ସହର ପାଇଁ ଗୌରବ ଅର୍ଜନ କରିଥିଲେ। ସୂଚନା ଅନୁଯାୟୀ ବର୍ତ୍ତମାନର ସୁବାରାଓ ଛକଠାରେ ଏହି କ୍ଲବ୍‌ର କାର୍ଯ୍ୟାଳୟ ଥିଲା।

ଖେଳାଳିମାନେ ନିୟମିତ ଖଲ୍ଲିକୋଟ କଲେଜ ପଡ଼ିଆରେ ସକାଳେ ଓ ସନ୍ଧ୍ୟାରେ ଅଭ୍ୟାସ କରୁଥିଲେ। ଏପରିକି ପୂର୍ବରୁ ଏହି ଛକକୁ ଲୋକେ ଏହି କ୍ଲବ୍‌ ନାମରେ (ଏମ୍‌ୱାଇସି ଛକ) ନାମରେ ଜାଣୁଥିଲେ। ଏବେ କିନ୍ତୁ ସେହି କ୍ଲବ୍‌ର ଚିହ୍ନବର୍ଣ୍ଣ ନାହିଁ। ତଥାପି ଏବେ ବି ହାତଗଣତି କେ‌ତୋଟି ଫୁଟ୍‌ବଲ୍ କ୍ଲବ୍‌ ରହିଛି। କିନ୍ତୁ ଖେଳାଳିମାନଙ୍କୁ ନିୟମିତ ଅଭ୍ୟାସ କରାଇବା, ପ୍ରଶିକ୍ଷକ ନିଯୁକ୍ତ କରାଇ ସେମାନଙ୍କୁ ନୂଆ କ୍ରୀଡ଼ା କୌଶଳ ତାଲିମ ଦେଇ ସମୟୋପଯୋଗୀ କରାଇବା, ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଇବା, କ୍ଲବ୍‌ ତରଫରୁ ପ୍ରତିଯୋଗିତା ଆୟୋଜନ କରାଇବା ଭଳି ପ୍ରୟାସ ଆଉ ନାହିଁ। ଜିଲ୍ଲା କ୍ରୀଡ଼ା ସଂସଦ ପକ୍ଷରୁ ମଧ୍ୟ ଏହି କ୍ରୀଡ଼ାର ବିକାଶ ପାଇଁ ବିଶେଷ ପଦ‌କ୍ଷେପ ନିଆଯାଉ ନାହିଁ। କେବଳ ବର୍ଷକରେ ତଥାକଥିତ ଗୋଟିଏ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଇ କ୍ରୀଡ଼ା ସଂସଦ ତା’ର କାମ ସାରି ଦେଉଛି। ସେହିପରି ପ୍ରାୟ ୬ ମାସ ହେବ ବ୍ରହ୍ମପୁର ଷ୍ଟାଡ଼ିୟମ ଭାରପ୍ରାପ୍ତ ଅଧିକାରୀ ଭାବେ ଜଣେ ଫୁଟ୍‌ବଲ୍ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ଷ୍ଟାଡ଼ିୟମ ଦେଖାରଖାରେ ହିଁ ତାଙ୍କ କାମ ସୀମିତ ରହିଛି। ଅନ୍ୟପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଫୁଟ୍‌ବଲ ଖେଳ ପାଇଁ ଆବଶ୍ୟକ ଭିତ୍ତିଭୂମି ବିକାଶକୁ ମଧ୍ୟ ଅଣଦେଖା କରାଯାଉଛି। ପଡ଼ିଆ ଅଭାବ ସହ ଖେଳାଳିଙ୍କୁ ପ୍ରୋତ୍ସାହନର ଅଭାବ ପାଇଁ ଯୁବପିଢ଼ିଙ୍କ ମଧ୍ୟରେ ଏହି ଖେଳ ପ୍ରତି ଆଗ୍ରହ କମିବାରେ ଲାଗିଛି। ସର୍ବସାଧାରଣଙ୍କ ପାଇଁ ଯେଉଁ କେତୋଟି ପଡ଼ିଆ ଉପଲବ୍ଧ ଅଛି, ସେଠାରେ ବି ଏବେ ଫୁଟ୍‌ବଲ୍ ଖେଳ ଦେଖିବାକୁ ମିଳୁନାହିଁ।

୧୯୫୦ ମସିହାରେ ପ୍ରଥମେ ଏହି ଜାତୀୟସ୍ତରର ଫିଆଜ୍ ସ୍ମାରକୀ ଫୁଟବଲ୍ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ରାଜ୍ୟ ବାହାରର ବିଭିନ୍ନ ସୁନାମଧନ୍ୟ କ୍ଲବ୍‌ର ପ୍ରତିଯୋଗୀଙ୍କ ସହ ବିଶେଷ ଆକର୍ଷଣ ସାଜୁଥିଲା ପ୍ରାୟ ୫ଫୁଟ ଉଚ୍ଚର ସୁଦୃଶ୍ୟ ବିଜେତା ଟ୍ରଫି। ସେତେବେଳେ ସହରର ସ୍ବନାମଧନ୍ୟ ଡାକ୍ତର ଫିରୋଜ ଅଲ୍ଲୀ ତାଙ୍କ ବାପାଙ୍କ ସ୍ମୃତିରେ ଏହି ଟ୍ରଫିଟି ଗଢ଼ାଇ ଗଂଜାମ ଜିଲ୍ଲା କ୍ରୀଡ଼ା ସଂଘକୁ ପ୍ରଦାନ କରିଥିଲେ। ଡା. ଅଲ୍ଲୀଙ୍କ ବାପା ଫିଆଜ୍‌ ଅଲ୍ଲୀ ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଓଡ଼ିଶାର ଜଣେ ଖ୍ୟାତନାମା ଫୁଟବଲ୍‌ ଖେଳାଳି ଥିଲେ। ସେ କଟକର ୱେଲିଂଟନ୍ କ୍ଲବ୍‌ରୁ ଖେଳୁଥିଲେ। ଏଥିସହ ରାଜ୍ୟରେ ଫୁଟବଲ୍‌କୁ ଲୋକପ୍ରିୟ କରିବାରେ ତାଙ୍କର ବିଶେଷ ଭୂମିକା ଥିଲା। ସେଥିପାଇଁ ତାଙ୍କ ସ୍ମୃତିରେ ଡା. ଅଲ୍ଲୀ ଏହି ଟ୍ରଫିଟି ପ୍ରଦାନ କରିଥିଲେ।

ପ୍ରାୟ ପ୍ରତ୍ୟେକବର୍ଷ ବସନ୍ତ ଋତୁରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେଉଥିଲା। ସହରବାସୀଙ୍କ ମଧ୍ୟରେ ଏହାକୁ ନେଇ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଥିଲା। ଖଲ୍ଲିକୋଟ କଲେଜ ପଡ଼ିଆରେ ତାଟି ଅବା ଟିଣ ବାଡ଼ ଘେରା ହୋଇ ଫୁଟବଲ୍ କୋର୍ଟ କଟା ହେଉଥିଲା। ଦର୍ଶକଙ୍କ ବସିବା ପାଇଁ ଏକ ସ୍ବତନ୍ତ୍ର ଧରଣର ବାଉଁଶରେ ନିର୍ମିତ ଅସ୍ଥାୟୀ ଗ୍ୟାଲେରି ନିର୍ମିତ ହେଉଥିଲା। ଖେଳ ଦେଖିବାକୁ ଚାହୁଥିବା ଦର୍ଶକଙ୍କ ପାଇଁ ଟିକେଟ ବ୍ୟବସ୍ଥା ହେଉଥିଲା। ପ୍ରତ୍ୟେକ ଦିନର ମ୍ୟାଚ୍‌ କାହା କାହା ମଧ୍ୟରେ ହେବ, ‌ଘୋଡ଼ାଗାଡ଼ି ବୁଲାଇ ସୂଚନା ଦିଆଯାଉଥିଲା। ବେଶ୍ ଧୁମ୍‌ଧାମ୍‌ରେ ଏହି ପ୍ରତିଯୋଗିତା ଆୟୋଜନ ହେଉଥିଲା।

ପ୍ରଥମ ପ୍ରତିଯୋଗିତାରେ ପଶ୍ଚିମବଙ୍ଗର ବ୍ରହ୍ମପୁର ସ୍ଥିତ ରେଲ୍‌ୱେ ଫ୍ରେଣ୍ଡସ୍ ବିଜେତା ହୋଇ ଏହି ଟ୍ରଫି ହାସଲ କରିଥିଲା। ବ୍ରହ୍ମପୁରର ମଡର୍ଣ୍ଣ ୟୁଥ୍‌ କ୍ଲବ୍‌ ୧୯୭୫ ଏବଂ ୧୯୭୭ ମସିହାରେ ବିଜେତା ହେବାର ଗୌରବ ଅର୍ଜନ କରିଥିଲା। ୯୦ ଦଶକରୁ ଆଉ ନିୟମିତ ବ୍ୟବଧାନରେ ଏହି ପ୍ରତିଯୋଗିତା ଆୟୋଜନ ହୋଇପାରିନଥିଲା। ଶେଷଥର ପାଇଁ ୧୯୯୮ ମସିହାରେ ଆୟୋଜିତ ଏହି ପ୍ରତିଯୋଗିତାରେ ବିଶାଖାପାଟଣାର ଜିଲ୍ଲା ଦଳ ବିଜେତା ହୋଇ ଟ୍ରଫି ହାସଲ କରିଥିଲା। ସେହିଦିନଠାରୁ ଟ୍ରଫିଟି ବିଶାଖାପାଟଣା ଜିଲ୍ଲା କ୍ରୀଡ଼ା ସଂଘ କାର୍ଯ୍ୟାଳୟରେ ରହିଥିଲା। ୨୦୨୦ ମସିହାରେ ଗଂଜାମ ଜିଲ୍ଲା କ୍ରୀଡ଼ା ସଂଘ ଏହି ଟ୍ରଫିକୁ ଫେରାଇ ଆଣିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଟ୍ରଫିଟି ଜରାଜୀର୍ଣ୍ଣ ହୋଇ ତା’ର ପୂର୍ବ ଚମକ ହରାଇ ବସିଛି। ଏବେ ‌ସେଥିରେ ଲାଗିଥିବା ରୁପା କାରୁକାର୍ଯ୍ୟକୁ ବାହାର କରି ଦିଆଯାଇ ମରାମତି କରାଯାଉଥିବା ସୂଚନା ମିଳିଛି।